ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସମୁଦାୟ ଆସନର ୩୩% ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ସଂସଦରେ ଆଲୋଚନା ପାଇଁ ଉପସ୍ଥାପିତ ହୋଇଛି ‘ନାରୀଶକ୍ତି ବନ୍ଦନ ଅଧିନିୟମ’। ନୂଆ ସଂସଦ ଭବନର ପ୍ରଥମ ବିଧେୟକ ଭାବେ ଏହାକୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ
Trending Photos
ମହିଳା ଆରକ୍ଷଣ ବିଲ୍ : ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସମୁଦାୟ ଆସନର ୩୩% ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ସଂସଦରେ ଆଲୋଚନା ପାଇଁ ଉପସ୍ଥାପିତ ହୋଇଛି ‘ନାରୀଶକ୍ତି ବନ୍ଦନ ଅଧିନିୟମ’। ନୂଆ ସଂସଦ ଭବନର ପ୍ରଥମ ବିଧେୟକ ଭାବେ ଏହାକୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସର୍ବଦଳ ସହମତିରେ ପାରିତ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ଚଳିତ ଅଧିବେଶନରେ ଏହି ବିଧେୟକ ପାରିତ ହେବାର ସମ୍ଭାବନା ରହିଛି କନ୍ତୁ ନୂଆ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ଓ ଜନଗଣନା ପରେ ଯାଇ ଏହାକୁ ଲାଗୁ କରାଯିବ ବୋଲି ବ୍ୟବସ୍ଥା ରହିଛି ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛି। ଏହି ବିଲ୍ ଆଇନରେ ପରିଣତ ହୋଇ ଲାଗୁ କରାଗଲେ ସଂସଦରେ ମହିଳାଙ୍କ ସଂଖ୍ୟା ୧୮୧ରେ ପହଞ୍ଚିବ। ୧୫ ବର୍ଷ ଲାଗି ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ପ୍ରତି ସୀମା ନିର୍ଦ୍ଧାରଣ ସମୟରେ ଏହି ଆରକ୍ଷଣ ବ୍ୟବସ୍ଥା ବଦଳିବ। ଆଜି ଏହି ବିଲ୍ ସମ୍ବିଧାନର ୧୨୮ ତମ ସଂଶୋଧନ ବିଧେୟକଭାବେ ଗ୍ରହଣ ପାଇଁ ଉପସ୍ଥାପନ କରାଯିବ।
ଓଡ଼ିଶାରେ ପ୍ରଭାବ : ଯେହେତୁ ରାଜ୍ୟମାନଙ୍କ ଅଧିକାର ଏଥିରେ ରହିଛି, ଏହି ବିଲ୍ ପାରିତ କରିବା ଲାଗି ଅତିକମରେ ୫୦ ପ୍ରତିଶତ ରାଜ୍ୟ ସେମାନଙ୍କ ବିଧାନସଭାରେ ଏହାକୁ ଗୃହୀତ କରିବା ଆବଶ୍ୟକ। ଆମ ରାଜ୍ୟ ସରକାର ଏ ଦିଗରେ ଅନେକ ଥର ଦାବି କରି ଆସିଛନ୍ତି ଏବଂ ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ଆସନ ମହିଳା ପ୍ରତିନିଧିଙ୍କ ଲାଗି ସଂରକ୍ଷିତ ରହି ଆସିଛି। ଯଦି କେନ୍ଦ୍ରରେ ଏହି ମହିଳା ଆରକ୍ଷଣ ବିଲ୍ ଲାଗୁ ହୁଏ ତେବେ ରାଜ୍ୟର ୨୧ରୁ ୭ ଲୋକସଭା ଆସନ ଏବଂ ୧୪୭ରୁ ୪୮ ବିଧାନସଭା ଆସନ ମହିଳା ପ୍ରତିନିଧିଙ୍କ ଲାଗି ସଂରକ୍ଷିତ ରହିବ।
ହ୍ୱାଟ୍ସଆପରେ ଯୋଡ଼ିହେଲେ ମୋଦୀ: ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ବାଟସ ଆପ ମାଧ୍ୟମରେ ଦେଶର ପ୍ରାୟ ପ୍ରାୟ ୪୯ କୋଟି ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି। ଏହାଦ୍ୱାରା ସେ ଏହି ବ୍ୟବହାରକରୀଙ୍କୁ ସିଧାସଳଖ ସଂଯୋଗ କରିପାରିବେ। ବିଭିନ୍ନ ସରକାରୀ ଯୋଜନା, ଆଭିମୁଖ୍ୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ବିଷୟରେ ସୂଚନା ସିଧାସଳଖ ଲୋକଙ୍କ ନିକଟରେ ଉପଲବ୍ଧ କରାଇବେ। ହ୍ବାଟସ ଆପରେ ଆକାଉଣ୍ଟ ଖୋଲିବାର କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରିଛନ୍ତି। ତାଙ୍କର ଏହି ଆକାଉଣ୍ଟ ତାଙ୍କ କାର୍ଯ୍ୟାଳୟ ସହିତ ଜଡିତ ଲୋକମାନଙ୍କୁ ସିଧାସଳଖ ଦୃଶ୍ୟମାନ ହେବ।
ଡିସେମ୍ବର-୬ରେ ନେଟ୍: ମହାବିଦ୍ୟାଳୟ ଓ ବିଶ୍ୱଦିବ୍ୟାଳୟରେ ଶିକ୍ଷକତା ପାଇଁ ସର୍ବନିମ୍ନ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଥିବା ୟୁଜିସି ନେଟ୍ ପରୀକ୍ଷା ଡିସେମ୍ବର ୬ ତାରିଖରେ ହେବାକୁ ଯାଉଛି। ଏଥିଲାଗି ଫର୍ମ ଖୁବ୍ ଶୀଘ୍ର ଉପଲବ୍ଧ ହେବ। ପରୀକ୍ଷା ବାବଦରେ ସମସ୍ତ ତଥ୍ୟ ୟୁଜିସି ଓ୍ୱେବସାଇଟ୍ରେ ଉପଲବ୍ଧ।
କାନାଡ଼ା-ଭାରତ : ଭାରତ କାନାଡ଼ା ମଧ୍ୟରେ କୂଟନୀତିକ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଏହାକୁ ନେଇ ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ଅପରପକ୍ଷେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଭାରତକୁ ଯାତ୍ରା କରୁଥିବା କାନାଡ଼ା ନାଗରିକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ‘ଆମେ ଭାରତ ସରକାରଙ୍କୁ ଉସ୍କାଇବାକୁ ଚଷ୍ଟା କରୁ ନାହୁଁ। ତାଙ୍କ ସହ ମିଶି ଏହି ଉଦ୍ବେଗ ଜନକ ପ୍ରସଙ୍ଗକୁ ସମାଧାନ କରିବାକୁ ଚାହୁଁଛୁ। ଗତକାଲି ଜଣେ ଖଲିସ୍ତାନୀ ନେତାଙ୍କ ହତ୍ୟା ପ୍ରସଙ୍ଗରେ ଭାରତର ଜଣେ କୂଟନୀତିଜ୍ଞଙ୍କୁ କାନାଡ଼ା ବହିଷ୍କାର କରିବା ପରେ ଭାରତ ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାନାଡ଼ାର ଜଣେ ଉଚ୍ଚପଦସ୍ଥ କୂଟନୀତିଜ୍ଞଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ କାନାଡ଼ା ୫ ସହଯୋଗୀ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମେରିକା, ଅଷ୍ଟ୍ରଲିଆ ଏବଂ ୟୁକେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅପରପକ୍ଷେ ଭାରତ ବିରୋଧୀ ତତ୍ତ୍ୱଙ୍କୁ ତାଙ୍କ ମାଟିରେ ପ୍ରୋତ୍ସାହନ ନଦେବାକୁ କାନାଡ଼ାକୁ କହିଛନ୍ତି।
ଆଜି ନୂଆଖାଇ : ଆଜି ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଗଣପର୍ବ ନୂଆଖାଇ ପାଳନ କରାଯାଇଛି। ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟରେ ଏହି ନୀତି ସମ୍ପନ୍ନ ହୋଇଥିଲା। ପୂରା ରାଜ୍ୟ ତଥା ପଶ୍ଚିମ ଓଡ଼ିଶାରେ ଏହାକୁ ଭାଇଚାରାର ପର୍ବ ଭାବେ ଗ୍ରହଣ କରାଯାଏ। ଦୁଇଦିନ ଲାଗି ଏହି ପର୍ବ ପାଳନ କରାଯାଏ। ଏଥିଲାଗି ସରକାରୀ ଛୁଟି ମଧ୍ୟ ଘୋଷଣା କରାଯାଇଛି।
ଲଘୁଚାପ ବର୍ଷା : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ଲଘୁଚାପ ସ୍ପଷ୍ଟ ହୋଇଛି। ଏହା ପ୍ରଭାବରେ ରାଜ୍ୟର କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର ଅନେକାଂଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଏହି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୨୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା କେନ୍ଦ୍ର କହିଛି।
ସଂକଟରେ ଆକାଶ ଏୟାରଲାଇନ୍ସ: ସଂକଟରେ ଆକାଶ ଏୟାର ଲାଇନ୍ସ। ଏହି ବିମାନ ସେବାକାରୀ ସଂସ୍ଥାରୁ ୪୩ ଜଣ ପାଇଲଟ ଏକାସାଥିରେ ଇସ୍ତଫା ଦେବା ପରେ ଏବେ ସଂକଟରେ ପଡିଛି । ଏହି କାରଣରୁ ଏୟାରଲାଇନ୍ସ ତାର ଉଡାଣ ବନ୍ଦ କରିପାରେ ବୋଲି ଆଶଂକା କରାଯାଉଛି। ପାଇଲଟଙ୍କ ଅଚାନକ ଇସ୍ତଫା ପରେ ସେପ୍ଟେମ୍ବର ମାସରେ ଦୈନିକ ୨୪ଟି ଉଡାଣ ବାତିଲ କରିବାକୁ ପଡିଛି। ଏନେଇ ଏୟାରଲାଇନ୍ସ ତରଫରୁ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟରେ ସୂଚନା ଦେଇଛନ୍ତି।
ଗଣେଶ ପୂଜା ଭୋଗ ଖାଇ ୭୫ରୁ ଉର୍ଦ୍ଧ୍ବ ଅସୁସ୍ଥ: ବୌଦ୍ଧ ଜିଲ୍ଲାରେ ମଙ୍ଗଳବାର ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା। ଗତକାଲିର ଚୁଡ଼ା ଭୋଗ ବଳିଯିବାରୁ ଆଜି ଗ୍ରାମବାସୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଭୋଗ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ବାନ୍ତି ହେବାରୁ ପ୍ରାୟ ୫୦ରୁ ଅଧିକ ଶିଶୁ, ମହିଳା ଓ ପୁରୁଷଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଶିଶୁ ଓ ୯ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ବି ଗାଁରୁ ଆମ୍ବୁଲାନ୍ସରେ ରୋଗୀ ବୁହା ହେଉଛନ୍ତି।
ଷ୍ଟକ ବଜାରରେ ୩ ଲକ୍ଷ କୋଟି ହରାଇଲେ ନିବେଶକ: ବୁଧବାର ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚଡିଏଫସି ବ୍ୟାଙ୍କ ସେୟାରରେ ପ୍ରବଳ ହ୍ରାସ ଯୋଗୁଁ ଷ୍ଟକ ବଜାରରେ ଦୁର୍ବଳତା ଦେଖାଦେଇଛି। ପୁଣି ଆଜି ୟୁଏସ୍ ଫେଡେରାଲ ରିଜର୍ଭ ବୈଠକ ପୂର୍ବରୁ ନିବେଶକ ଆଶଙ୍କାରେ ଥିବା ଯୋଗୁଁ ଭାରତୀୟ ଷ୍ଟକ ବଜାରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି।