ସ୍ୱାସ୍ଥ୍ୟ ବିଭାଗରେ ଅସ୍ୱାସ୍ଥ୍ୟକର ସ୍ଥିତି : ଡେଙ୍ଗୁ ଟେଷ୍ଟିଂ କିଟ୍‍ ଅଭାବ
Advertisement
Article Detail0/zeeodisha/odisha2454681

ସ୍ୱାସ୍ଥ୍ୟ ବିଭାଗରେ ଅସ୍ୱାସ୍ଥ୍ୟକର ସ୍ଥିତି : ଡେଙ୍ଗୁ ଟେଷ୍ଟିଂ କିଟ୍‍ ଅଭାବ

ଡେଙ୍ଗୁ ରୋଗୀଙ୍କ ରକ୍ତ ପରୀକ୍ଷା ପାଇଁ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ଟେଷ୍ଟିଂ କିଟ୍‍ର ଅଭାବ ଦେଖାଦେଇଛି। 

ସ୍ୱାସ୍ଥ୍ୟ ବିଭାଗରେ ଅସ୍ୱାସ୍ଥ୍ୟକର ସ୍ଥିତି : ଡେଙ୍ଗୁ ଟେଷ୍ଟିଂ କିଟ୍‍ ଅଭାବ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏହାର ମୁକାବିଲା ପାଇଁ ଜନସ୍ୱାସ୍ଥ୍ୟ ପ୍ରଶାସନର ଖରାପ ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି। ଏବେ ରାଜ୍ୟରେ ଦୈନିକ ୧୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କିନ୍ତୁ ଏହି ଡେଙ୍ଗୁ ରୋଗୀଙ୍କ ରକ୍ତ ପରୀକ୍ଷା ପାଇଁ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ଟେଷ୍ଟିଂ କିଟ୍‍ର ଅଭାବ ଦେଖାଦେଇଛି। 

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଗତ କିଛି ସପ୍ତାହ ହେବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅଧା ଜିଲ୍ଲାର ଡାକ୍ତରଖାନାରେ ଡେଙ୍ଗୁର ଲକ୍ଷଣ ଦେଖିବାକୁ ମିଳୁଛି। ତେବେ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ଏଲିସା ଟେଷ୍ଟିଂ କିଟ୍ ନ ଥିବାରୁ ରୋଗ ନିର୍ଣ୍ଣୟ ଓ ଫଳପ୍ରଦ ପ୍ରତିକ୍ରିୟା ପ୍ରଭାବିତ ହୋଇଛି। ଦ୍ରୁତ ରୋଗ ନିର୍ଣ୍ଣୟ କିଟ୍‍ରେ ଭେକ୍ଟରବାହିତ ରୋଗର ପରୀକ୍ଷଣରୁ ଦୂରେଇ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଥିବାରୁ ସରକାରୀ ହସ୍ପିଟାଲଗୁଡ଼ିକ ଏଲିସା ଭିତ୍ତିକ ପରୀକ୍ଷା ପାଇଁ ରୋଗୀଙ୍କ ଭିଡ଼ ଜମାଇଛନ୍ତି।

ଯଦିଓ ଡେଙ୍ଗୁ ରାପିଡ୍ ଟେଷ୍ଟ ମଣିଷରେ ଭୂତାଣୁ ପ୍ରତି ଆଇଜିଏମ/ଆଇଜିଜି ଏବଂ ଏନଏସ୧ ଆଣ୍ଟିବଡିର ଗୁଣାତ୍ମକ ଚିହ୍ନଟ ପାଇଁ ଲାଟେରାଲ ଫ୍ଲୋ ଇମ୍ୟୁନୋ ପରୀକ୍ଷା ଉପରେ ଆଧାରିତ, ତଥାପି ଏହାର ସମ୍ବେଦନଶୀଳତା ଏବଂ ନିର୍ଦ୍ଦିଷ୍ଟତା ସନ୍ଦେହଜନକ ହୋଇଥିବାରୁ ରାପିଡ୍ ଟେଷ୍ଟ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ପରୀକ୍ଷା ପାଇଁ ସରକାରୀ ସେଣ୍ଟିନେଲ ସାଇଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ମେଡିକାଲ କଲେଜ, ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର ଓ ଏମ୍ସ ସମେତ ପ୍ରାୟ ୪୫ଟି ଏଲିସା ଭିତ୍ତିକ ପରୀକ୍ଷାଗାର ରହିଛି। ରିପୋର୍ଟରୁ ଜଣାପଡ଼ିଛି ଯେ ଅନେକ ଡାକ୍ତରଖାନାରେ ଅତ୍ୟାବଶ୍ୟକ କିଟ୍‍ର ଅଭାବ ଦେଖାଦେଇଛି, ଯାହା ଫଳରେ ରୋଗୀମାନେ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି।

ଯଦିଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକ, ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଓ ସିଡିଏମ୍ଓମାନଙ୍କୁ ଏନ୍ଏସ୍୧ ଏଲିସା କିଟ୍ ପାଇଁ ସ୍ଥାନୀୟ ସ୍ତରରେ କ୍ରୟ କରିବାକୁ ଅନୁରୋଧ କରାଯାଇଛି, ତଥାପି ଏହି କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନେ ଏହାକୁ ପରିସ୍ଥିତିର ଫାଇଦା ଉଠାଇବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବକୁ ଦାୟୀ କରି କୁହାଯାଉଛି ଯେ କିଟ୍ କିଣିବା ପାଇଁ ଆବଶ୍ୟକ କିଟ୍‍ ପରିମାଣ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ୍ ଲିମିଟେଡ୍ (ଓଏସ୍ଏମ୍‍ସିଏଲ୍)ରେ ଦାଖଲ କରିବାକୁ ଜିଲ୍ଲାଗୁଡ଼ିକୁ କୁହାଯାଇଥିଲା। ଏହାବ୍ୟତୀତ ଜୁନ୍ ମାସରେ ଏକ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ପରିସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଡାଇଗ୍ନୋଷ୍ଟିକ୍ କିଟ୍ ଏବଂ ଔଷଧ ସହିତ ରାପିଡ୍ ରେସପନ୍ସ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା।

ତେବେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଜିଲ୍ଲା ଏବଂ ଏମସିଏଚ୍‍ଗୁଡ଼ିକୁ ଏକ ମାସ ପାଇଁ କ୍ରୟ ନିର୍ଦ୍ଦେଶାବଳୀ ଅନୁସରଣ କରି କିମ୍ବା ଓଏସ୍ଏମ୍‍ସିଏଲ୍‍ରୁ ପର୍ଯ୍ୟାପ୍ତ ଯୋଗାଣ ପର୍ଯ୍ୟନ୍ତ କିଟ୍ କିଣିବାକୁ କୁହାଯାଇଛି।

ରାଜ୍ୟରେ ଏପର୍ଯ୍ୟନ୍ତ ୧ ଲକ୍ଷ ୧୪ ହଜାର ନମୁନା ପରୀକ୍ଷାରୁ ୬୫୫୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୨୧୫୫ ଜଣ, ଖୋର୍ଦ୍ଧାରୁ ୧୨୭୦ ଜଣ, ବାଲେଶ୍ୱରରୁ ୪୯୩ ଜଣ ଓ କଟକରୁ ୪୦୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Also Read- Shani Gochar 2024: ସୂର୍ଯ୍ୟପରାଗ ପରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ ରାଶିକୁ ମିଳିବ ଧନ

Also Read- Odisha News: ବିକ୍ରି ହେବ ଅର୍ପଣ ଚାଉଳ: ପୁରୀ ଜିଲ୍ଲାପାଳ