କିଛି ଅଲଗା ଅପେକ୍ଷା କରୁଛି ମାର୍ଚ୍ଚ-୫, ଏନ୍‍ଡିଏକୁ ଫେରିବକି ବିଜେଡି !
Advertisement

କିଛି ଅଲଗା ଅପେକ୍ଷା କରୁଛି ମାର୍ଚ୍ଚ-୫, ଏନ୍‍ଡିଏକୁ ଫେରିବକି ବିଜେଡି !

ଏନ୍‍ଡିଏରେ ନଥାଇ, ସମଦୂରତ୍ୱ କଥା କହି ସବୁ ସମୟରେ କେନ୍ଦ୍ରରେ ବିଜେପିକୁ ସମର୍ଥନ ଘୋଷଣା କରୁଥିବା ବିଜେଡିକୁ ଏନ୍‍ଡିଏ ପରିସରକୁ ଆଣିବାକୁ ଗୁରୁତ୍ୱ ନଦେଇପାରେ ବିଜେପି। ଏଣୁ ଅପେକ୍ଷା ରହିବ ସେହି ଘୋଷଣା ଓ ମୁହୂର୍ତ୍ତକୁ

କିଛି ଅଲଗା ଅପେକ୍ଷା କରୁଛି ମାର୍ଚ୍ଚ-୫, ଏନ୍‍ଡିଏକୁ ଫେରିବକି ବିଜେଡି !

BharatRatna Politics: ଭୁବନେଶ୍ୱର: ତାଙ୍କ ସମସାମୟିକ ନେତା ଭାବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର, ପିଭି ନରସିଂହ ରାଓ ଏବଂ ଚୌଧୁରୀ ଚରଣ ସିଂହଙ୍କୁ ମୋଦୀ ସରକାର ‘ଭାରତରତ୍ନ’ରେ ଭୂଷିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଏକଦା ଭାରତର ରଣନୀତିକ ବ୍ୟାପାରର ଅଘୋଷିତ ପରାମର୍ଶଦାତା ସାଜିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ୍‍ ଭୋଗିଥିବା ବିଜୟାନନ୍ଦ ଓରଫ ବିଜୁ ପଟ୍ଟନାୟକଙ୍କୁ  ଅଣଦେଖା କରାଯାଇଛି। ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଚାଲିଛନ୍ତି। କିନ୍ତୁ ଏଥରର ୪୦୦ ପାର୍‍ କରିବା ନେଇ ମୋଦୀଙ୍କ ସ୍ୱପ୍ନ ସାକାର ଲାଗି ବିଜେପି ମତ ବଦଳାଇପାରେ। କିଛି ରାଜନୀତିକ ବିଶେଷଜ୍ଞ ଏହିକ୍ରମରେ ମାର୍ଚ୍ ୫ ତାରିଖକୁ ଅପେକ୍ଷା କରିଛନ୍ତି। ଏହିଦିନ ବିଜୁ ବାବୁଙ୍କ ଜନ୍ମବାର୍ଷିକୀ ଥିବାରୁ କିଛି ବି ହୋଇପାରେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଛି। 

ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା ପରେ ତାଙ୍କ ପୁତ୍ର ରାଜୀବ ଗାନ୍ଧି ଦେଶର ମଙ୍ଗ ଧରିବାକୁ ନିର୍ବାଚନକୁ ଓହ୍ଲାଇଥିଲେ। ୧୯୮୪ ମସିହାର ଏହି ନିର୍ବାଚନ ଥିଲା ଐତିହାସିକ। ଯେଉଁ ରେକର୍ଡ ସେ ସୃଷ୍ଟି କରିଥିଲେ ତାହା ଆଜି ଯାଏ ଅସ୍ପର୍ଶ ହୋଇ ରହିଛି। ସେତେବେଳେ ପଞ୍ଜାବ ଏବଂ ଆସାମରେ ନିର୍ବାଚନ ହୋଇପାରି ନଥିଲା। ଏଣୁ ସମୁଦାୟ ୫୧୪  ଆସନରୁ ୪୦୪ ଆସନ କଂଗ୍ରେସ ଅକ୍ତିଆର କରିଥିଲା। ପରବର୍ତ୍ତୀ ସମୟରେ ଏହି ଦୁଇ ରାଜ୍ୟରୁ ଆଉ ୧୦ ଆସନ ମିଳିଥିଲା କଂଗ୍ରେସକୁ। ଏହି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଯାହା ଦେଶର ରାଜନୀତିକ ଇତିହାସରେ ମାଇଲ୍‍ଖୁଣ୍ଟ ସୃଷ୍ଟି କରିଥିଲା ତାହା ଆଜି ଯାଏ ରହିଛି। ହୋଇ ରହିଛି। ଏବେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସେହି ରେକର୍ଡକୁ ଭାଙ୍ଗିବାକୁ ଚାହୁଁଛି।  ସଂସଦ ଭିତରେ ଏବଂ ବାହାରେ ଏଥିଲାଗି ଅନେକ ସ୍ଲୋଗାନ୍‍ ମଧ୍ୟ ଦେଉଛି ବିଜେପି।  ଆଉ ଏଥିରେ ଅନ୍ୟତମ ଅସ୍ତ୍ର ହୋଇଛି ମହାନ ନେତାଙ୍କୁ ‘ଭାରତରତ୍ନ’ ସମ୍ମାନ। 

ବିରୋଧୀଙ୍କ ଗଡ଼କୁ ଧ୍ୱଂସ କରିବା ସହ ସହଯୋଗୀଙ୍କୁ ସମ୍ମାନ ଦେଇ ଏନ୍‍ଡିଏ ମେଣ୍ଟ ଦ୍ୱାର ଉନ୍ମୁକ୍ତ କରିଛି। ଏହିକ୍ରମରେ ବିରୋଧୀଙ୍କ ଲାଗି ବିଭିନ୍ନ ସରକାରୀ ଏଜେନ୍ସି ଯେମିତି ଭୟ ସୃଷ୍ଟି କରିଛନ୍ତି ଠିକ୍‍ ସେହିଭଳି ଦେଶର ସର୍ବାଚ୍ଚ ସମ୍ମାନ ସହଯୋଗୀଙ୍କୁ ପୁଣିଥରେ ବିଜେପି ଆଡ଼କୁ ଆକୃଷ୍ଟ କରିଛି। ଦେଶର ସର୍ବୋଚ୍ଚ ସମ୍ମାନ ହେଉଛି ଭାରତ ରତ୍ନ। ୨୦୨୪ ମସିହାରେ ସର୍ବାଧିକ ୫ ଜଣଙ୍କୁ ‘ଭାରତରତ୍ନ’ ଦେଇ ମୋଦୀ ସରକାର ରେକର୍ଡ ସୃଷ୍ଟି କରିଛନ୍ତି। ଏହି ତାଲିକାରେ ଜଣେ କୃଷି ବିଜ୍ଞାନୀ ଥିବାବେଳେ ଅନ୍ୟମାନେ ହେଉଛନ୍ତି ଭାରତୀୟ ରାଜନୀତିର ଜଣେ ଜଣେ ଧ୍ରୁବତାରା। କିନ୍ତୁ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା- ତାହା ହେଲା ଏମାନେ ଇନ୍ଦିରା ଗାନ୍ଧିଙ୍କ ଜରୁରୀକାଳୀନ ପରିସ୍ଥିତିର ବିରୋଧୀ। ଅଣ କଂଗ୍ରେସ ରାଜନୀତିର ଜଣେ ଜଣେ ମଙ୍ଗୁଆଳ। 

ଦେଶରେ ବିଜେପି ସରକାରଙ୍କୁ ପ୍ରଥମେ କ୍ଷମତାସୀନ କରିବା ପଛରେ ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ୍‍ଭାନୀଙ୍କ ଉତ୍ସର୍ଗ, ପ୍ରଚେଷ୍ଟା ଓ ନେତୃତ୍ୱ ଅବିସ୍ମରଣୀୟ। ସାରା ଭାରତରେ ହିନ୍ଦୁତ୍ୱକୁ ଜାଗ୍ରତ କରାଇବା, ରଥ ବୁଲାଇ କଶ୍ମୀରରୁ କନ୍ୟାକୁମାରୀ ଯାଏ ଭୋଟରଙ୍କୁ ସଜାଗ କରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଭାରତରତ୍ନ ଦେଇ ମେଦୀ ସରକାର ଏହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି।

ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଚରଣ ସିଂହ ହେଉଛନ୍ତି ରାଜ୍ୟର ପ୍ରଥମ ଅଣ କଂଗ୍ରେସ ମୁଖ୍ୟମନ୍ତ୍ରୀ। ଭାରତୀୟ ଲୋକଦଳର ପ୍ରତିଷ୍ଠାତା ଭାବେ ସେ ଉତ୍ତରପ୍ରଦେଶରେ କଂଗ୍ରସକୁ ରୋକ୍‍ ଦେବାରେ ପ୍ରମୁଖ ଭୂମିକା ନେଉଥିଲେ। ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣୀତ ଚୌଧୁରୀ ଚରଣ ସିଂହ ଭାରତର ୫ମ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କୁ ଭାରତ ରତ୍ନ ଦେଇ ଅଣ କଂଗ୍ରେସ ଭାବନାରେ ଥିବା ସମସ୍ତ ଅଣ ବିଜେପି ଜନତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ଏନ୍‍ଡିଏ ସଫଳ ହେବ ବୋଲି ଆଶା କରାଯାଉଛି। ଖାଲି ସେତିକି ନୁହେଁ, ଏହାଦ୍ୱାରା କଂଗ୍ରେସ ଗଠନ କରୁଥିବା ମେଣ୍ଟକୁ ମଧ୍ୟ ଧକ୍କା ଲାଗିଛି। ଚୌଧୁରୀଙ୍କ ଦ୍ୱାରା ସ୍ଥାପିତ ରାଷ୍ଟ୍ରୀୟ ଲୋକଦଳକୁ ନିଜ ପକ୍ଷଭୁକ୍ତ କରିଛି ଏନ୍‍ଡିଏ। 

ଠିକ୍‍ ସେହିଭଳି କର୍ପୂରୀ ଠାକୁର ପ୍ରଥମ ଅଣ କଂଗ୍ରେସ ନେତା ଭାବେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଅଧିକୃତ ହୋଇଥିଲେ। ୧୯୭୦ରେ ବିହାରକୁ ମଦମୁକ୍ତ କରିବା, ବିହାରରେ ଶିକ୍ଷାର ବିକାଶ କରାଇବା, ପଛୁଆ ଅଞ୍ଚଳରେ ଶିକ୍ଷା ତଥା ସାମାଜିକ ବିକାଶ ତାଙ୍କରି ଅମଳରେ ଏକ ନୂଆ ଦିଗ ହାସଲ କରିଥିଲା। ଜନନାୟକ ଜୟପ୍ରକାଶ ନାରାୟଣଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଜରୁରୀ କାଳୀନ ପରିସ୍ଥିତିରେ ଜେଲ ଦଣ୍ଡ ଭୋଗିଥିଲେ। କୁହାଯାଉଛି ତାଙ୍କୁ ‘ଭାରତ ରତ୍ନ’ରେ ଭୂଷିତ କରି ନୀତିଶ କୁମାରଙ୍କୁ ଏନ୍‍ଡିଏକୁ ପୁଣିଥରେ ଫେରାଇବାରେ ସକ୍ଷମ ହୋଇଛି ବିଜେପି। 

ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ କଂଗ୍ରେସକୁ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ କେବେ ଗାନ୍ଧି ପରିବାର ଦ୍ୱାରା ପରିଚାଳିତ ହେଉ ନଥିଲେ। ଏଣୁ ଯେତେବଳେ ନରସିଂହଙ୍କ ମୃତ୍ୟୁ ହୋଇଥିଲା ତାଙ୍କୁ କଂଗ୍ରେସ ଭବନରେ ସମ୍ମାନ ଜଣାଇବାକୁ କଂଗ୍ରେସ ଉଚିତ ମନେ କରି ନଥିଲା। ଭାରତରେ ନୂଆ ଅର୍ଥନୀତିକୁ ପ୍ରୋତ୍ସାହିତ କରିଥିବା ନରସିଂହ ରାଓଙ୍କୁ ଭାରତରତ୍ନରେ ଭୂଷିତ କରି ଆନ୍ଧ୍ର ପ୍ରଦେଶରେ ଉଭୟ ଶାସକ ଓ ବିରୋଧୀଙ୍କୁ ନିଜ ପକ୍ଷକୁ ଆଣିବାରେ ସକ୍ଷମ ହୋଇଛି ବିଜେପି। ଉଭୟ ପ୍ରାକ୍‍ ନିର୍ବଚନୀ ଏବଂ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ସୁଯୋଗ ସୃଷ୍ଟି କରିଛି ବିଜେପି। 

ହେଲେ ସେହି ଆଦର୍ଶ, ଲୋକପ୍ରିୟତା ଓ ଅଣ କଂଗ୍ରେସ ରାଜନୀତିକୁ ଆମ ରାଜ୍ୟରେ ଏକ ନୂଆ ଦିଗ ଦେଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱଧୀନ ସରକାର ଧ୍ୟାନ ଦେଇ ନାହିଁ। ଯଦିଓ ନବୀନଙ୍କ ସରକାର କେନ୍ଦ୍ରରେ ବିଜେପିକୁ ସମସ୍ତ ଜରୁରୀକାଳୀନ ସମୟରେ ସହଯୋଗ କରି ଆସିଛି କିନ୍ତୁ ବିଜୁଙ୍କୁ ଭାରତରତ୍ନ ଦେବା ଲାଗି ସହମତି ପ୍ରକାଶ କରିନି। ହେଲେ ଲୋକସଭାରେ ୪୧୪ ଲକ୍ଷକୁ ହାସଲ କରିବାକୁ ହେଲେ ବିଜେଡି ବି ଅଭିନ୍ନ ଅଙ୍ଗ ହୋଇପାରେ। ଓଡ଼ିଶାର ଜନତାଙ୍କ ମାନସିକତାରେ ବସିବାକୁ ହେଲେ ବିଜୁବାବୁଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଦେବା ଅନେକ ସହାୟକ ହୋଇପାରେ। ଏଣୁ ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜନ୍ମ ଦିବସରେ ଏ ବିଷୟକୁ ପ୍ରଧାନମନ୍ତ୍ରୀ ଧ୍ୟାନରେ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ତଥାପି ସନ୍ଦେହ ସୃଷ୍ଟି ହେବାର କାରଣ ହେଉଛି ବିଜେଡିର ଚରିତ୍ର। ଏନ୍‍ଡିଏରେ ନଥାଇ, ସମଦୂରତ୍ୱ କଥା କହି ସବୁ ସମୟରେ କେନ୍ଦ୍ରରେ ବିଜେପିକୁ ସମର୍ଥନ ଘୋଷଣା କରୁଥିବା ବିଜେଡିକୁ ଏନ୍‍ଡିଏ ପରିସରକୁ ଆଣିବାକୁ ଗୁରୁତ୍ୱ ନଦେଇପାରେ ବିଜେପି। ଏଣୁ ଅପେକ୍ଷା ରହିବ ସେହି ଘୋଷଣା ଓ ମୁହୂର୍ତ୍ତକୁ।