)
Top 10 News Headlines
1- ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ପ୍ରାୟ ୧୨ଟା ୪୪ ମିନିଟ୍ ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଶ୍ରୀମତୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଛନ୍ତି । ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ ଥର ବିଧାୟିକା ଥିଲେ । ସେ ଖଲିକୋଟ ରାଣୀ ଭାବେ ମଧ୍ୟ ସୁପରିଚିତ।
2- କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର: ଆଜି ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି । ଯାହା ଆଶା କରାଯାଉଥିଲା ତାହା ସତ ହେଲା । ରାଜନୀତି କରିବାର ଆଶା ନେଇ କଂଗ୍ରେସରେ ମିଶିଛନ୍ତି ଅଭିନେତା ମନୋଜ ମିଶ୍ର । ଆଜି ବିଧିବଦ୍ଧ ଭାବେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ଯେଉଁଥିରେ ପିସିସି ସଭାପତି ଶତର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ପ୍ରଭାରୀ ଅଜୟ କୁମାର ନାଥ ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସରେ ମିଶିବା ପରେ ମନୋଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ଆଗାମି ଭବିଷ୍ୟତରେ ଖୁବ୍ ଆଗକୁ ବଢିବ ଏବଂ ପଶ୍ଚିମ ଓଡ଼ିଶାକୁ ଖୁବ୍ ଆଗକୁ ବଢାଇବାର ଲକ୍ଷ ନେଇ କଂଗ୍ରେସରେ ଯୋଗଦାନ କରିଛି ।
3- ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ: ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । ୭୩ ବର୍ଷିୟ ମିଥୁନ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନ ଜନକ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
4- ୬ କୋଟି ଉପଭୋକ୍ତାଙ୍କୁ ଖୁସି ଖବର ଦେଲା EPFO: ସୁଧ ହାର ବୃଦ୍ଧି କରି ୬୦ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ଖୁସି ଖବର ଦେଇଛି EPFO। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ PF ଆକାଉଣ୍ଟଧାରୀମାନେ ୮.୨୫ ପ୍ରତିଶତ ହାରରେ ସୁଧ ପାଇବେ। EPFO ଶନିବାର ଏହି ନିଷ୍ପତ୍ତି ନେଇଛି। ୨୦୨୨୨-୨୩ ଆର୍ଥିକ ବର୍ଷରେ ଏହା ୮.୧୫ ପ୍ରତିଶତ ଏବଂ ୨୦୨୧-୨୨ରେ ୮.୧୦ ପ୍ରତିଶତ ଥିଲା। ଏହା EPFO ର ୬.୫ କୋଟିରୁ ଅଧିକ ଗ୍ରାହକଙ୍କୁ ଉପକୃତ କରିବ। ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପରେ ଏହାକୁ ସୂଚିତ କରାଯିବ ଏବଂ ଏହା ପରେ ଏହା ଗ୍ରାହକଙ୍କ ଆକାଉଣ୍ଟରେ ଜମା ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ, ଏହା ସ୍ୱେଚ୍ଛାକୃତ ପ୍ରୋଭିଡେଣ୍ଟ ଫଣ୍ଡ (ଭିପିଏଫ୍) ଜମା ଉପରେ ମଧ୍ୟ ଲାଗୁ ହେବ।
5- ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ: ଶ୍ରୀମନ୍ଦିରରେ ପଦ୍ମବେଶ ପାଇଁ ସମସ୍ତ ପ୍ରସ୍ତୁତ ସରିବା ସହ ସ୍ବତନ୍ତ୍ର ନୀତକାନ୍ତି ଚୂଡ଼ାନ୍ତ ହୋଇଛି । ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳି ସେବକ ବସନ୍ତ ରଣାଙ୍କ ନେତୃତ୍ବରେ ବେଶ କାରିଗରମାନେ ଏହି ପଦ୍ମବେଶକୁ ପ୍ରସ୍ତୁତ କରିଛନ୍ତି । ସଂଧ୍ଯା ଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରାଯିବ । ବଡ଼ ସିଂହାର ବେଶରେ ଏହା ଶ୍ରୀଜିଉଙ୍କୁ ଲାଗି ହେବ । ପରଦିନ ଅବକାଶ ପୂର୍ବରୁ ବେଶ ଓଲାଗି ହେବ । ବଡ଼ ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ ଲାଗି ହୋଇଥାଏ । ଏହାପରେ ପହୁଡ଼ ନୀତି ଅନୁଷ୍ଠିତ ହୋଇଥାଏ ।
6- ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ: ଇଟାଭାଟିରେ ଘଟିଗଲା ବଡ଼ ଅଘଟଣ। ଶ୍ବାସରୁଦ୍ଧ ହୋଇ ଚାଲିଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ, ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ରହିଥିବା ଜଣାପଡିଛି। ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ନିକଟ ଇଟାଭାଟିରେ ଏହି ଅଘଟଣ ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି।
7- ଇମ୍ରାନ ଖାନଙ୍କୁ ଜାମିନ : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଆତଙ୍କବାଦ ନିରୋଧ କୋର୍ଟ ଜାମିନ ଦେଇଛନ୍ତି। ୧୨ଟି ମାମଲାରେ ଇମ୍ରାନଙ୍କ ସହିତ ଓ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦଙ୍କୁ ଜାମିନ ମିଳିଛି। ଜାମିନ ମିଳିଥିଲେ ମଧ୍ୟ ଇମ୍ରାନ ଖାନ ବର୍ତ୍ତମାନ ଜେଲରୁ ବାହାରି ପାରିବେ ନାହିଁ। କାରଣ ଅନ୍ୟ ଦୁଇଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗୋଟିଏ ମାମଲା ପାଇଁ ୧୦ ବର୍ଷ ଓ ଆଉ ଅନ୍ୟ ମାମଲାରେ ୧୪ ବର୍ଷର ଜେଲଦଣ୍ଡ ମିଳିଛି ।
8- ହଲଦ୍ୱାନୀ ହିଂସା ପାଇଁ ୫ ହଜାର ଲୋକଙ୍କ ନାଁରେ ମାମଲା: ଉତ୍ତରାଖଣ୍ଡ ହଲଦ୍ୱାନୀ ହିଂସା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ। କେବଳ ସେତିକି ନୁହେଁ ୫ ହଜାର ଭିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବେଆଇନ ମଦ୍ରାସା ଉଚ୍ଛେଦକୁ ନେଇ ଗତକାଲି ବିବାଦ ସହ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ୫ ଜଣଙ୍କ ମୃତ୍ୟୁ ହେବା ସହ ୨ଶହରୁ ଅଧିକ ଲୋକ ଆହତ ହୋଇଥିଲେ । ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଯେଉଁ କାରଣରୁ ଅଞ୍ଚଳରେ ଧାରା ୧୪୪ ଲଗାଯାଇଥିଲା । ଏହାପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି ।
9- ଇଂଲଣ୍ଡ ବିପକ୍ଷ ଅନ୍ତିମ୍ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷିତ: ଇଣ୍ତିଆ- ଇଂଲଣ୍ତ ଅନ୍ତିମ ଟେଷ୍ଟ ମ୍ୟାଚ୍ ଲାଗି ଘୋଷଣା ହେଲା ଭାରତୀୟ ଦଳ । ଏନେଇ ବିବିସିଆଇ ପକ୍ଷରୁ ମୋଟ ୧୭ ଜଣିଆ ଟିମ୍ ଘୋଷଣା କରାଯାଇଛି । ଆସନ୍ତା ଫେବୃୟାରୀ ୧୫ ତାରିଖରେ ରାଜକୋଟରେ ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଅବଶିଷ୍ଟ ତିନୋଟି ଟେଷ୍ଟ ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଚୂଡ଼ାନ୍ତ ଦଳ ଘୋଷଣା ହେବା ପରେ ବିରାଟ କୋହଲିଙ୍କୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ସିରିଜର ଅବଶିଷ୍ଟ ତିନୋଟି ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଥିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କୋହଲି ମ୍ୟାଚ୍ ରୁ ବାଦ ପଡ଼ିଥିବା ବେଳେ କେ. ଏଲ ରାହୁଲ ଓ ରବିନ୍ଦ୍ର ଜାଡ଼େଜା ଦଳକୁ ଫେରିଛନ୍ତି ।
10- ବର୍ଷା ପାଇଁ ୧୭ ଜିଲ୍ଲାକୁ ଆଲର୍ଟ ଜାରି ! ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ୧୭ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡି଼କ ହେଲା, ନୂଆପଡା, ବରଗଡ,ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଢେଙ୍କାନାଳ, କଟକ, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଓ ଯାଜପୁର । ୧୨ ତାରିଖ ଦିନ ମଧ୍ୟ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଏହା ସହ ୧୩ ଓ ୧୪ ତାରିଖରେ ମଧ୍ୟ ପାଗ ଶୁଖିଲା ରହିବା ସହ ରାତି ପାରଦ ଖସିବାର ସମ୍ଭାବନା ରହିଛି।