Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2115153

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ସାମଲ ବାପା-ପୁଅଙ୍କୁ ସମନ କଲା ଇଡି
ବଢ଼ିଲା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ସମନ କରିଛି ଇଡି। ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ଇଡିର ସମନ। ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଇଡି ପ୍ରଫୁଲ୍ଲ ସାମଲ ଓ ପ୍ରୟାସକାନ୍ତି ସାମଲଙ୍କୁ ଇଡି ସମନ କରିଛି। ସୂଚନା ଅନୁସାରେ ଗତ ୧୫ ତାରିଖରେ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍‌ କରିଥିଲା। ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଭଦ୍ରକ ଜିଲ୍ଲାର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡ଼ି ଅଧିକାରୀ ଦଳବଳ ଧରି ଛାପା ମାରିଥିଲା।

ପୋଷାକ ପାଇଁ ୭୦ ଲକ୍ଷ ମହିଳା ପାଇବେ ୧ହଜାର ଟଙ୍କା
ମିଶନ ଶକ୍ତିରେ ପ୍ରତ୍ୟେକ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନିଆ ଯାଉଛି ଅନେକ ପଦକ୍ଷେପ। ଏହାରି ମଧ୍ୟରେ ରାଜ୍ୟର ସମସ୍ତ ୭୦ ଲକ୍ଷ ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟ ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ (ଜିପିଏଲ୍ଏଫ୍), ବ୍ଲକ ସ୍ତରୀୟ ଫେଡେରେସନ୍ (ବିଏଲ୍ଏଫ୍) ଏବଂ ଜିଲ୍ଲା ସ୍ତରର ୧.୫ ଲକ୍ଷରୁ ଅଧିକ କାର୍ଯ୍ୟନିର୍ବାହୀ କମିଟି (ଇସି) ସଦସ୍ୟଙ୍କ ପାଇଁ ୟୁନିଫର୍ମ ପ୍ରଦାନ ଦିଗରେ ଓଡିଶା କ୍ୟାବିନେଟ୍ ଆର୍ଥିକ ସହାୟତା ଅନୁମୋଦନ କରିଛି। ମିଶନ ଶକ୍ତି ସହ ଜଡ଼ିତ ୭୦ ଲକ୍ଷ ମହିଳାଙ୍କୁ ପୋଷାକ ବାବଦକୁ ୧ ହଜାର ଟଙ୍କା ଦେବାକୁ ନିଷ୍ପତି ନିଆଯାଇଛି । ତା’ ସହିତ ଦେଢ଼ଲକ୍ଷ ପରିଚାଳନା କମିଟି ଓ କାର୍ଯ୍ୟନିର୍ବାହୀ କମିଟି ସଭ୍ୟଙ୍କୁ ବ୍ଲେଜର ବାବଦକୁ ଦିଆଯିବ ୨ ହଜାର ଟଙ୍କା।

ସ୍ଥିତି ପରଖିଲେ ମୁଖ୍ୟ ନିର୍ବାଚନ କମିଶନର
ସାଧାରଣ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? ନିର୍ବାଚନ କମିଶନଙ୍କ ୭ ଜଣିଆ ଟିମ୍ ଭୁବନେଶ୍ୱର ଆସି ଭୋଟ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ଇଭିଏମ, ସୁରକ୍ଷା ବ୍ୟବସ୍ଥା, ଭୋଟ୍ ବେଳେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ନିଆଯାଉଥିବା ପଦକ୍ଷେପ ସଂପର୍କରେ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଦିଲ୍ଲୀରୁ ଆସିଥିବା ଟିମ୍ ଆଲୋଚନା କରିଛି। ଅନ୍ୟପକ୍ଷରେ ରାଜ୍ୟରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନଙ୍କ ପ୍ରତିନିଧିଙ୍କୁ ଭେଟିଥିବା ରାଜନୈତିକ ଦଳଙ୍କ ପ୍ରତିନିଧି। 

MSME ନିଯୁକ୍ତିରେ ଓଡ଼ିଶା ପଛୁଆ
ଏମ୍‍ଏସ୍‍ଏମ୍ଇ ନିଯୁକ୍ତିରେ ମହାରାଷ୍ଟ୍ର ଆଗୁଆ, ତେଲେଙ୍ଗାନା, ଆନ୍ଧ୍ରଠୁ ଓଡ଼ିଶା ପଛରେ । ଭାରତରେ ଅଣୁ ମଧ୍ୟମ ତଥା କ୍ଷୁଦ୍ର ବର୍ଗର ଉଦ୍ୟୋଗ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଇଛି ତଦ୍ୱାରା ୧୬ କୋଟି ୮୭ ଲକ୍ଷ ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। ଲୋକସଭାରେ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ, ଉଦ୍ୟମ ପୋର୍ଟାଲ୍‍ ଏବଂ ଉଦ୍ୟମ ଆରମ୍ଭ ଦିନଠାରୁ ଜାନୁୟାରୀ ସୁଦ୍ଧା ୩ କୋଟି ୬୪ ଲକ୍ଷ ୮୨ ହଜାର ୪୫୬ଟି ଏମ୍‍ଏସ୍‍ଏମ୍‍ଇ ସୃଷ୍ଟି ହୋଇଛି। ଏହାଦ୍ୱାରା ୧୬ କୋଟି ୮୭ ଲକ୍ଷ୧୦ ହଜାର ୭୨୬ଜଣଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟଓ୍ୱାରୀ ତଥ୍ୟ ଉପସ୍ଥାପନ କରି ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି, ଏମ୍‍ଏସ୍‍ଏମ୍‍ଇ  କ୍ଷେତ୍ରକୁ ସଶକ୍ତ କରିବା ଲାଗି କେନ୍ଦ୍ର ସରକାର ନିକଟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। 

ରେଳ ଟ୍ରାକରେ ପଡ଼ିଛି ୪ ମୃତଦେହ
ରେଳଟ୍ରାକରୁ ଏକାସାଙ୍ଗରେ ମିଳିଲା ୪ ଜଣଙ୍କ ମୃତଦେହ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିମଳାଗଡ଼-କିରିବୁରୁ ରେଳ ଟ୍ରାକ୍ ପାଖରେ ପଡ଼ିଛି ୪ଟି ବୀଭତ୍ସ ମୃତଦେହ। ୨ଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଥିବା ବେଳେ ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିରହିଛି । ତେବେ ରେଳ ଟ୍ରାକରେ ପଡ଼ି ରହିଥିବା ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଅଛ

ଆଜିଠୁ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ
ଆଜି ଠାରୁ ଭାରତ ମଣ୍ଡପମ ଠାରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ ମାଧ୍ୟମରେ ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ​​ବିଜୟର ହ୍ୟାଟ୍ରିକ୍ ନେଇ ମନ୍ଥନ କରିବ। ବୈଠକର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭୦ ଟି ଆସନ ଜିତିବା ପାଇଁ ୧୧ ହଜାର ୫୦୦ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଶନିବାର ଆଲୋଚନାରେ ମଧ୍ୟ ଭାଗ ନେବେ। ଗତ ନିର୍ବାଚନ ତୁଳନାରେ ଭୋଟ୍ ୧୦ ପ୍ରତିଶତ ବୃଦ୍ଧି ଏବଂ ୬୭ ଟି ସିଟ୍ ବୃଦ୍ଧି ହେବାର ସମ୍ଭାବନା ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରିବା ସମ୍ଭବ। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବୈଠକକୁ ଉଦଘାଟନ କରିବେ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମୁଖପାତ୍ର ସମ୍ବିତ ପାତ୍ର ଏବଂ ମାନସ ମହାନ୍ତି ଭାଗ ନେବେ। 

ଆସ୍ଥା ଭୋଟ ପାଇଁ ଆବେଦନ କଲେ କେଜରିୱାଲ
ବିଧାନସଭାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସତ୍ତ୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସ୍ଥା ଭୋଟ୍‌ ପ୍ରସ୍ତାବ ଆଗତ କରିଛନ୍ତି। ଆଜି ବିଧାନସଭାରେ ଏହା ଉପରେ ଆଲୋଚନା ହେବ। ଦିଲ୍ଲୀର ମୋଟ ୭୦ଟି ଆସନରୁ ଆପ୍‌ର ୬୨ ଜଣ ବିଧାୟକ ଥିବା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପ୍ରସ୍ତାବ ଉପସ୍ଥାପନ କରି କେଜ୍ରିଵାଲ କହିଛନ୍ତି ଯେ ସେ ଲୋକଙ୍କୁ ଦେଖାଇବାକୁ ଚାହୁଛନ୍ତି ଯେ ଆପ୍‌ର କୌଣସି ବିଧାୟକ ଅନ୍ୟ କେଉଁଠିକୁ ଯାଇନାହାନ୍ତି। ଦିଲ୍ଲୀ ବିଧାନସଭାରେ ଉଦ୍‌ବୋଧନ ଦେଇ କେଜ୍ରିଵାଲ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

ଗୃହିଣୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ମା କିମ୍ବା ପତ୍ନୀ ଯଦି ଘରର ଯତ୍ନ ନେଉଛନ୍ତି ତେବେ ସେମାନଙ୍କର ସେମିତି କିଛି କାର୍ଯ୍ୟ କରିବାର ସମୟ ସ୍ଥିର କରାଯାଇନାହିଁ। କାରଣ ଜଣେ ହାଉସ ୱାଇଫ୍ ନିଜ କାମକୁ ନିଜର ନୁହେଁ ବରଂ ପରିବାରର ଭାବି ଦିନ ରାତି କରିଥାଏ । ହେଲେ ଆଜିକାଲିର ଯୁଗରେ ସମସ୍ତା ଚାକିରି କରିଥିବା ପତ୍ନୀ ଖୋଜୁଛନ୍ତି ଏହା ତାଙ୍କ ପାଇଁ ଭଲ ବୋଲି ଭାବନ୍ତି । ହେଲେ ହାଉସୱାଇଫ ହେବା ଏତେ ସହଜ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କିଛି ଲୋକ ଏମିତି ବି କୁହନ୍ତି ସେ ହାଉସ ୱାଇଫ୍ 'ତାର କଣ କାମ, ସେ କେବଳ ଘରେ ହିଁ ତ ରୁହେ' । ହେଲେ ସେହି ଘରେ ରହି ଜଣେ ଗୃହିଣୀ କେତେ କାମ କରୁଛି ତାହାକୁ ଲକ୍ଷ୍ୟ କରାଯାଇନଥାଏ। ହେଲେ ବର୍ତ୍ତମାନ ସୁପ୍ରିମକୋର୍ଟ ଗୃହିଣୀ କିମ୍ବା ଘର କାମ କରୁଥିବା ମହିଳାଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। 

ନିୟମ,ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଜାରି 
ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଲା। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଓ ପରିଚାଳନା ନିୟମ ଆଣିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବାସଗୃହ କ୍ରେତା ଆସୋସିଏସନ ଗଠନ ଏବଂ ପଞ୍ଜିକରଣ ନେଇ ସବିଶେଷ ନିୟମ ରହିଛି। ୨୦୨୩ ଅକ୍ଟୋବର ୧୩ ତାରିଖରେ ଓଡି଼ଶା ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଓ ପରିଚାଳନା ଚିଠା ନିୟମ ପ୍ରକାଶ ପାଇଥିଲା। ଧାର୍ଯ୍ୟ ସମୟରେ ଆସିଥିବା ଅଭିଯୋଗ ଓ ମତାମତକୁ ବିଚାର କରାଯାଇଛି। 

୩୧୯ ରନରେ ଅଟକିଲା ଇଂଲଣ୍ଡ
ରାଜକୋଟରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ତୃତୀୟ ଦିନର ଖେଳ ସୁଦ୍ଧା ଇଂଲଣ୍ଡ ପ୍ରଥମ ପାଳିରେ ୩୧୯ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ୪୪୫ ରନ୍ କରିଥିବା ଟିମ୍ ଇଣ୍ଡିଆ ୧୨୬ ରନ୍ ଆଗରେ ରହିଛି। ଗୁରୁବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୪୫ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଓପନର୍ ବେନ ଡକେଟ ନିଜର ଜଲୱା ଦେଖାଇବା ସହ ମାତ୍ର ୮୮ ବଲରେ ଶତକ ହାସଲ କରିଥିଲେ। ଦ୍ୱିତୀୟ ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଇଂଲିଶ ଟିମ୍ ୨ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲା।