Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2086194

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 30th January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: 

1- ୪୦ ଘଣ୍ଟା ପରେ ରାଞ୍ଚିରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ:  ଜମି ସ୍କାମ ମାମଲାରେ ଛନ୍ଦି ହୋଇଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ପିଛା ଛାଡୁନି ସମସ୍ୟା । ହେମନ୍ତ ସୋରେନଙ୍କ କେସରେ ଇଡିର ହସ୍ତକ୍ଷେପ ଏବଂ ରେଡ୍ ପରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ରାଜ ଭବନ ଏବଂ ରାଞ୍ଚିର ଇଡି କାର୍ଯ୍ୟାଳୟ ନିକଟରେ ୧୪୪ ଧାରା ବଳବତ୍ତର ରହିଛି। ଏହି ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରାଞ୍ଚିରେ ବିଧାୟକ ମାନଙ୍କ ସହ ଏକ ବୈଠକ କରୁଥିବାର ଖବର ଆସିଛି । ସୋରେନଙ୍କ ଅଧ୍ୟକ୍ଷତାରେ ନିଜ ବାସ ଭବନରେ ଶାସକ ଦଳର ମନ୍ତ୍ରୀ ଏବଂ ବିଧାୟକଙ୍କ ସହ ଏକ ଆଲୋଚନା ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି ।

2- ପାକିସ୍ତାନରେ ନିର୍ବାଚନ ପୂର୍ବରୁ ପିଟିଆଇକୁ ଝଟକା: ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନ ଓ ଶାହ ମହମୁଦ କୁରେଶୀଙ୍କୁ ଏକ ବଡ଼ ଝଟକା ଲାଗିଛି। ସାଇଫର ମାମଲାରେ ଉଭୟଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ମଙ୍ଗଳବାର ଦିନ ପାକିସ୍ତାନୀ କୋର୍ଟ ପାକିସ୍ତାନ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ସାଇଫର ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

3-  ଆରବ ସାଗରରେ ଭାରତୀୟ ନୌସେନା ଦେଖାଇଲା ବୀରତା: ପୁଣି ଦେଶ ପାଇଁ ଗର୍ବ ଆଣିଛି ଭାରତୀୟ ନୌସେନା। ଆରବ ସାଗରରେ ଦେଖାଇଛି ପରାକ୍ରମ। ଭାରତୀୟ ନୌ-ସେନା ଗତ ୨୪ ଘଣ୍ଟା ମଧ୍ୟରେ ୨ ଟି ଯାହାଜକୁ ସମୁଦ୍ର ଲୁଟେରା ବା ଜଳଦସ୍ୟଙ୍କ ଠାରୁ ରକ୍ଷା କରିଛି । ଗୋଟିଏ  ଜାହାଜରୁ ୧୯ ଜଣ ପାକିସ୍ତାନୀ ଓ ଆଉ ଏକ ଜାହାଜରୁ ୧୭ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଏନେଇ ଭାରତୀୟ ନୌ-ସେନା ପକ୍ଷରୁ ସୂଚନା ଦିଆଯାଇଛି। 

4- ବିଜେପି ନେତାଙ୍କୁ ହତ୍ୟା ମାମଲାରେ ୧୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ: ଆରଏସଏସ ନେତା ରଣଜିତ୍ ଶ୍ରୀନିବାସଙ୍କ ହତ୍ୟା ମାମଲାରେ କେରଳର ଏକ ସ୍ଥାନୀୟ କୋର୍ଟ ୧୫ ଜଣ ପିଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଅଭିଯୁକ୍ତ ଓକିଲ ତଥା ଆରଏସଏସ ନେତାଙ୍କ ହତ୍ୟା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୧୯ ଡିସେମ୍ବର ୨୦୨୧ ରେ ରଞ୍ଜିତଙ୍କୁ ଆଲାପୁଜାସ୍ଥିତ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ PFI ର ସଦସ୍ୟ ଥିଲେ।

5- ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ: ସୋମବାର ଦିନ ପଶ୍ଚିମବଙ୍ଗରୁ ୭୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ବାଲେଶ୍ୱର ଆସୁଥିବା ଏକ ବସ ଡ୍ରାଇଭରଙ୍କ ହଠାତ୍ ହାର୍ଟ ଆାଟାକ୍ ହୋଇଥିଲା। ଏହି ଦୁଃଖଦ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ପଞ୍ଚଲିଙ୍ଗେଶ୍ୱର ଅଭିମୁଖେ ପର୍ଯ୍ୟଟକ ମାନଙ୍କୁ ନେଇ ଆସୁଥିବା ଡ୍ରାଇଭର ବସ୍ ଚଳାଉଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ କରି ଡ୍ରାଇଭର ଚେତାଶୂନ୍ୟ ହେବା ପୂର୍ବରୁ ରାସ୍ତା କଡ଼ରେ ବସ୍ କୁ ଅଟକାଇ ଦେଇଥିଲେ। ଯାତ୍ରୀମାନେ ସ୍ଥାନୀୟ ଲୋକଙ୍କୁ ଡାକି ଡ୍ରାଇଭରଙ୍କୁ ନିଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

6- ନବ ଦାସ ହତ୍ୟା ଘଟଣା, NHRCରେ ପହଞ୍ଚିଲା ମାମଲା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣାର ବର୍ଷେ ପୁରି ଥିବା ବେଳେ ଜାତୀୟ ମାନବ ଅଧିକାର କମିଶନରେ ଏନେଇ ଏକ ମାମଲା ରୁଜୁ ହୋଇଛି।  ଜଗତସିଂହପୁର ଜିଲ୍ଲା  କୁଜଙ୍ଗର ସୁବ୍ରତ କୁମାର ଦାଶଙ୍କ ଅଭିଯୋଗ କ୍ରମେ କମିଶନ ମାମଲା ରୁଜୁ କରିଛନ୍ତି।  ଏହି ମାମଲାରେ ଝାରସୁଗୁଡା ଏସପି, ଓଡ଼ିଶା କ୍ରାଇମବ୍ରାଂଚ, ପୋଲିସ୍ ଡିଜି, ଗୃହ ବିଭାଗ, ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।  ଘଟଣାକୁ ଏକ ବର୍ଷ ପୁରିଥିଲେ ବି ଏବେବି ଏହା ରହସ୍ୟମୟ  ଥିବାରୁ ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ତଦନ୍ତ ଲାଗି ସୁବ୍ରତ ଦାଶ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି। 

7-  ୧୨ ଘଣ୍ଟିଆ ନବରଙ୍ଗପୁରର ବନ୍ଦ: ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଓଡି଼ଶା ସରକାରଙ୍କ ଜମି ଗ୍ରହଣରେ ବିଳମ୍ବ ହେବାରୁ ରାଗିଯାଇ ଭାରତୀୟ ଜନତା ପାର୍ଟିର ଯୁବା ମୋର୍ଚ୍ଚା ମଙ୍ଗଳବାର ଦିନ ନବରଙ୍ଗପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଥିବା ବନ୍ଦ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଠାରେ ରାସ୍ତା ଅବରୋଧ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି । ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ, ଆଠ ବର୍ଷ ପୂର୍ବେ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ଅର୍ଥ ପ୍ରଦାନ ସତ୍ତ୍ୱେ ରାଜ୍ୟ ସରକାର ସମାନ ଜମି ଗ୍ରହଣ କରିବାରେ ବିଫଳ ହୋଇଛନ୍ତି। ଏହା ପ୍ରକଳ୍ପର ଏକ ଅଯଥା ବିଳମ୍ବ ଘଟାଇଛି।

8-  ଚମକିବ ବରମୁଣ୍ଡା ବସ୍‍ଷ୍ଟାଣ୍ଡ: ଫେବୃୟାରୀ ମଧ୍ୟଭାଗରେ  ରାଜ୍ୟର ସର୍ବବୃହତ୍‍ ଆନ୍ତଃ ରାଜ୍ୟ ବସ୍‍ ଟର୍ମିନାଲ୍‍ ବରମୁଣ୍ଡା ବସ୍‍ଷ୍ଟାଣ୍ଡ ଉଦ୍‍ଘାଟନ ହେବ। ଆଜି ୫-ଟି ଅଧ୍ୟକ୍ଷ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ବସ୍‍ଷ୍ଟାଣ୍ଡରେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଓଡ଼ିଆରେ ସୂଚନା ଦେବା ଲାଗି ଆବଶ୍ୟକ ବ୍ୟବସ୍ଥା ହେବ। ଏହାଛଡ଼ା ବସ୍‍ରୁ ଓହ୍ଲାଇବା ପରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ଲାଗି ପ୍ରିପେଡ୍‍ ଟ୍ୟାକ୍ସି ଓ ଅଟୋ ଷ୍ଟାଣ୍ଡ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି। 

9- ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ମାଲକାନଗିରି ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘର ସମେତ ଅଫିସ ଓ ଲିଙ୍କ୍ ଥିବା ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ବାଲେଶ୍ୱର ଜଳେଶ୍ୱରରେ ମନ୍ତ୍ରୀଙ୍କର ୧୧ଟି ପ୍ଲଟ ଥିବା ଜଣାପଡିଛି । ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ୩ମହଲା ବିଶିଷ୍ଟ କୋଠା ସମେତ ଏକ ଫ୍ଲାଟ ମଧ୍ୟ ରହିଛି । କନିଷ୍ଠ ଯନ୍ତ୍ରୀଙ୍କ ଘରୁ ନଗଦ ୧ଲକ୍ଷ ୪୩ ହଜାର ଟଙ୍କା ଜବତ ହୋଇଛି । ଆଗକୁ ସମ୍ପତ୍ତି ତାଲିକା ଆହୁରୀ ଲମ୍ୱା ହୋଇପାରେ ବୋଲି କୁହାଯାଉଛି ।

10- ଶୀତରେ ଆସୁଛି ବର୍ଷା ! ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ବଙ୍ଗୋପସାଗର ପାଶ୍ବବର୍ତ୍ତୀ ଓଡି଼ଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ  ଉପକୂଳ ଓଡି଼ଶା ଓ ସଂଲଗ୍ନ ଜିଲ୍ଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି଼ ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ କେତେକ ଜିଲ୍ଲା ପାଇଁ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡି଼କ ହେଲା,  ବାଲେଶ୍ବର , ଭଦ୍ରକ ,କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ଘନ କୁହୁଡି ହେବ। ଏଥିସହ ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ପ୍ରଭାବ ରହିବାକୁ ଥିବାରୁ  ଜଳୀୟ ବାସ୍ପପୂର୍ଣ୍ଣ ବାୟୁ ଓଡି଼ଶାକୁ ପ୍ରବେଶ କରିବ। ପ୍ରଭାବରେ ଫେବୃଆରୀ ୧ ଓ ୨ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଓଡି଼ଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Also Read- Hemant Soren: ୪୦ ଘଣ୍ଟା ପରେ ରାଞ୍ଚିରେ ସାମ୍ନାକୁ ଆସିଲେ ହେମନ୍ତ ସୋରେନ

Also Read- ବିଜେଡିରେ ମିଶିଲା ଜଲିଉଡ୍ ! ଦୈତାରୀ ପଣ୍ଡାଙ୍କ ସହ ୨୯ କଳାକାର ଫୁଙ୍କିଲେ ଶଙ୍ଖ