Top 10 News Today: ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2453108

Top 10 News Today: ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today

Headlines 01- ନେପାଳରେ ଭୀଷଣ ବର୍ଷା ହେବା କାରଣରୁ ଭୀଷଣ ବନ୍ୟା ଓ ଭୂସ୍ଖଳନ ହୋଇଛି । ଏଥିରେ ପ୍ରାୟ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ପ୍ରାୟ ୫୬ ଏବେ ମଧ୍ୟ ନିଖୋଜ ଅଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଭୟଙ୍କର ବନ୍ୟା ପରେ ଛାତି ଥରାଇ ଦେଲା ଭଳି ଚିତ୍ର ସାମ୍ନାକୁ ଆସିଛି । ମାଟି ତଳୁ ମୃତଦେହ ଖୋଜା ଚାଲିଛି । ଉଦ୍ଧାରକାରୀ ଟିମ୍ ବିଭିନ୍ନ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରୀ ରଖିଛନ୍ତି ।

Headlines 02- ହଜ୍ ଯାତ୍ରା କରାଇଦେବା ନାଁରେ ୧ କୋଟି ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ପ୍ରାୟ ୧୮୯ ଜଣଙ୍କୁ ଠକିଥିବା ଟ୍ରାଭେଲ ଏଜେନ୍ସି ମାଲିକଙ୍କୁ ମୁମ୍ବାଇରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଭଦ୍ରକ ଧାମନଗରର ଜଣେ ବ୍ୟକ୍ତିଙ୍କ ଏତଲା ଆଧାରରେ ଏଜେନ୍ସି ମାଲିକଙ୍କୁ ଗିରଫ କରାଯାଇଛି । ମୁମ୍ବାଇ କୁର୍ଲାରେ ଏଜେନ୍ସି ଖୋଲି ୨୦୧୯ରୁ ୨୦୨୩ ମଧ୍ୟରେ ଠକିଥିଲା । ଠକାମିର ଶିକାର ଅଧିକାଂଶ ବ୍ୟକ୍ତି ଭଦ୍ରକ, ବାଲେଶ୍ବର, ବାରିପଦା ଅଞ୍ଚଳର । କମ୍ ଖର୍ଚ୍ଚରେ ହଜ୍ ଯାତ୍ରା କରାଇଦେବା କହି ବିଜ୍ଞାପନ ବାହାର କରିଥିଲେ । ଲୋକେ ଟଙ୍କା ପୈଠ କରିଥିଲେ ମଧ୍ୟ ଯାତ୍ରା କରିପାରି ନଥିଲେ । ମହାରାଷ୍ଟ୍ର ଓ ଦିଲ୍ଲୀରେ ବି ସମାନ ଢଙ୍ଗରେ ଠକିଥିବା ସୂଚନା ମିଳିବା ପରେ ତଦନ୍ତ ଜାରି ରହିଛି ।

Headlines 03- ପୁଣିଥରେ ଆକାଶରୁ ମିସାଇଲ ବର୍ଷା ହୋଇଛି । ଲେବାନନରେ ହିଜବୁଲ୍ଲା ଉପରେ ଘନଘନ ହମଲା ଭିତରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍। ଇରାନ୍ ସମର୍ଥିତ ହୁତି ବିଦ୍ରୋହୀଙ୍କର ଠିକଣା ଉପରେ ଆକାଶମାର୍ଗରୁ ବର୍ଷିଛି ମିସାଇଲ ଏବଂ ରକେଟ୍। ମିଶାଇଲ୍ ମାଡରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

Headlines 04- ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ । ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ସମ୍ମାନ । ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଥୁନଙ୍କୁ ଏହି ସମ୍ମାନ ମିଳିବ । ୪୮ ବର୍ଷର କ୍ୟାରିୟର୍‌ରେ ୩୫୦ରୁ ଅଧିକ ଫିଲ୍ମରେ ମିଥୁନ୍‌ ଅଭିନୟ କରିଛନ୍ତି । ହିନ୍ଦୀ ସମେତ ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ମିଥୁନ ନିଜର ପରାକାଷ୍ଠା ଦେଖାଇଛନ୍ତି ।

Headlines 05- ଭରତପୁର କାଣ୍ଡରେ ବିଚାରବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଆଜି ଭୁବନେଶ୍ବର ସର୍କିଟ ହାଉସରେ ପ୍ରଥମ ବୈଠକ ବସିଥିଲା । ଜଷ୍ଟିସ ଚିତ୍ତରଞ୍ଜନ ଦାସ ବୈଠକରେ ଅଧ୍ୟକ୍ଷତା କରିଥିବା ସମୟରେ ପୋଲିସ ଡିଜି ଓ ଗୃହ ସଚିବ ଉପସ୍ଥିତ ରହିଥିଲେ । ଘଟଣାକୁ ନେଇ ସତ୍ୟପାଠ ଆହ୍ବାନ କରାଯିବ କହିଛନ୍ତି ସଚିବ । ସତ୍ୟପାଠ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରାଯିବ ଏବଂ ଆସନ୍ତାକାଲିଠାରୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ । ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ ବୋଲି ସଚିବ କହିଛନ୍ତି । ଏଥିସହ ଘଟଣାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ପଚରାଉଚରା ହେବ ।

Headlines 06- ଆଜିଠୁ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗସ୍ତର ପ୍ରଥମ ଦିନରେ ପଶ୍ଚିମ ସିଂହଭୂମୀର ଜଗନ୍ନାଥପୁରରେ ସମ୍ୱୋଧନ କରିଛନ୍ତି ମୋହନ ଚରଣ ମାଝୀ। ନିଜ ବକ୍ତବ୍ୟରେ ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଆସନ୍ତାକାଲି ଚାଇଁବାସାର କୋଲ୍ ହାନ୍ ଯିବେ। ବିଜେପିର ପରିବର୍ତ୍ତନ ଯାତ୍ରାରେ ମୁଖ୍ୟମନ୍ତ୍ରୀ ସାମିଲ୍ ହେବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟାରେ ଚାଇଁବାସା ସର୍କିଟ ହାଉସରେ ପହଞ୍ଚି ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି।

Headlines 07- ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଂଜୀବ ପଣ୍ଡାଙ୍କ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ୧୯୯୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ଦେବଦତ୍ତ ସିଂହ ଆଜି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାର୍ଡ ଅଫ୍‌ ଅନର ପ୍ରଦାନ ପରେ ସଂଜୀବ ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ଭୁବନେଶ୍ଵର ଡିସିପି ଥିବା ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରିଦିଆଯାଇଛି। ଭରତପୁର ଘଟଣାରେ ଡିସିପିଙ୍କ ତରବରିଆ ମନ୍ତବ୍ୟ ଏବଂ ପୁଲିସର ଦାୟିତ୍ଵହୀନତା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Headlines 08- ରାଜଧାନୀର ୪ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଜୁ ଜନତା ଦଳ। ବହୁତ ଦିନ ହେଲା ଏହି ନେତାମାନେ ଅସନ୍ତୁଷ୍ଟ ରହି କିଛି ନେତାଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଏହାକୁ ଦଳ ଭିତରେ ବିଶୃଙ୍ଖଳା ବୋଲି ଅଭିହିତ କରି ଦଳର ଭୁବନେଶ୍ୱର ସଭାପତି  ସୁଶାନ୍ତ ରାଉତ ଜବାବ ମାଗିଛନ୍ତି। ଏହି ୪ ନେତାଙ୍କ ଭିତରେ ରହିଛନ୍ତି ୨ ଜଣ କର୍ପୋରେଟର। ସେମାନେ ହେଲେ ୪୫ ନମ୍ବରଓ୍ୱାର୍ଡ କର୍ପୋରେଟର ଅମରେଶ ଜେନା ଏବଂ ୫୯ ନମ୍ବର ଓ୍ୱାର୍ଡ କା୍ପୋରେଟର ବିରଞ୍ଚି ମହାସୁପକାର। ଅନ୍ୟ ଦୁଇଜଣ ହେଉଛନ୍ତି ବିଜୁ ଯୁବ ଜନତା ଦଳର ସଦସ୍ୟ ରାଜେଶ ପାତ୍ର ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିବେକ ସ୍ୱାଇଁ। 

Headlines 09- ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ । ନବୀନ ବାବୁଙ୍କ ସମୟରେ ଯାଜପୁରର ଅନେକ ବିକାଶ ହୋଇଥିଲେ ମଧ୍ୟ ଆହୁରୀ ଅନେକ କାମ ବାକି ଅଛି ବୋଲି ପ୍ରଫୁଲ୍ଲ କହିଛନ୍ତି । ନବୀନଙ୍କ ସମୟରେ ନଗଡ଼ା ଚିତ୍ର ବଦଳିଛି ବୋଲି ପ୍ରଫୁଲ୍ଲ କହିଥିଲେ ।

Headlines 10- ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବା ସହ କାଁଭାଁ ସ୍ଥାନରେ ବର୍ଷା ହୋଇପାରେ। ୩ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢିବ। ତେବେ ବର୍ତ୍ତମାନ ସୁଦ୍ଧାରେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ୪୧ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକରେ ୨୬.୯, ନୂଆପଡ଼ାରେ ୨୪.୪, ମାଲକାନଗିରିର ଚିତ୍ରକୋଣ୍ଡାରେ ୧୧, ନୟାଗଡ଼ର ବରମୂଳରେ ୧୦.୨, କନ୍ଧମାଳ ଜିଲ୍ଲାର ଚକାପାଦରେ ୧୦.୨ ମିମି ବର୍ଷା ହୋଇଛି।

Also Read- Weekly Lucky Zodiac Sign: ଆଜିଠାରୁ ୬ ଅକ୍ଟୋବର ପର୍ଯ୍ୟନ୍ତ ୫ ରାଶିର ଭାଗ୍ୟ ଉଜ୍ୱଳ