Top 10 News Headlines: ଗୁଲଜାର ଓ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର, ଦିନ ଯାକର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2115575

Top 10 News Headlines: ଗୁଲଜାର ଓ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର, ଦିନ ଯାକର ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ଦିନ ଯାକର ୧୦ଟି ବଡ଼ ଖବର

Top 10 News Headlines: ଗୁଲଜାର ଓ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର, ଦିନ ଯାକର ୧୦ ବଡ଼ ଖବର

ଉଭୟ ଲୋକସଭା ଓ ବିଧାନସଭା ପାଇଁ ଆମେ ପ୍ରସ୍ତୁତ ଅଛୁ: ଇସିଆଇ 
ସରିଲା ସମୀକ୍ଷା। ନିର୍ବାଚନକୁ ନେଇ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କଲେ ନିର୍ବାଚନ ଆୟୋଗ। ସାମ୍ୱାଦିକ ସମ୍ମିଳନୀ କରି ଦେଇଛନ୍ତି ସୂଚନା। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆମେ ପୂରା ପ୍ରସ୍ତୁତ। ସମସ୍ତ ଜିଲ୍ଲାପାଳ ଏବଂ ଏସପି ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବେ ଏବଂ ନିରପେକ୍ଷ ଓ ସ୍ଵଚ୍ଛ ନିର୍ବାଚନ ଉପରେ ଗୁରୁତ୍ଵ ଦେବେ। ପେଡ୍ ନ୍ୟୁଜ୍ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ୩ ଦିନ ଧରି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ ଏହାର ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ।

ଗୁଲଜାର ଓ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର
୨୦୨୩ ବର୍ଷ ପାଇଁ ଜ୍ଞାନପୀଠ ପୁରସ୍କାର ଘୋଷଣା କରାଯାଇଛି। ଏଥର ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସଂସ୍କୃତ ପାଇଁ ଏବଂ ଗୁଲଜାରଙ୍କୁ ଉର୍ଦ୍ଦୁ ପାଇଁ ସମ୍ମାନିତ କରାଯିବ। ଦାମୋଦର ମୌଜ ୨୦୨୨ବର୍ଷ ପାଇଁ କୋଙ୍କଣୀ ଭାଷା ପାଇଁ ସମ୍ମାନିତ ହୋଇଥିଲେ। ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଜଣେ ସାଧୁ ତଥା କାହାଣୀକାର ଥିବାବେଳେ ଗୁଲଜାର ଭାରତର ଜଣେ ପ୍ରସିଦ୍ଧ ଗୀତିକାର ଅଟନ୍ତି। 

ଇତିହାସ ରଚିଲା ଇସ୍ରୋ
ମହାକାଶକୁ ଗଲା ନଟି ବୟ। ନଟି ବୟ ବା INSAT 3DS ଉପଗ୍ରହକୁ ଆଜି ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରିଛି ଇସ୍ରୋ। ପୂର୍ବ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ପ୍ରାୟ ୫.୩୫ ମିନିଟରେ ଉତକ୍ଷେପଣ କରିଛି ଇସ୍ରୋ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି INSAT – 3DS ବା ନଟି ବୟ। ଅତ୍ୟାଧୁନିକ ବ୍ୟବସ୍ଥାରେ ଭରପୁର ଥିବା ଏହି ଉପଗ୍ରହ ଦ୍ୱାରା ଦ୍ଵାରା ସଠିକ୍ ପାଣିପାଗ ସୂଚନା ମିଳିପାରିବ ଇସ୍ରୋ ଆଶା କରିଛି। ମହାକାଶଯାନ GSLV – F14 ଦ୍ଵାରା ଉପଗ୍ରହକୁ ପ୍ରେରଣ କରାଯାଇଥିବା ଜଣାପଡ଼ିଥି। ୫୧.୭ ମିଟର ଲମ୍ବ ଜିଓସିନକ୍ରୋନସ୍ ସ୍ପେସ ଲଞ୍ଚିଂ ଭେହିକଲ GSLV – F14 । ୪୨୦ ଟନ ଓଜନର ମହଜାଗତିକ ପଦାର୍ଥ ବୋହିନେବାର ଏହା କ୍ଷମତା ରଖିଛି। ତେବେ ଏହି ଉପଗ୍ରହର ନାଁ ନଟି ବୟ ରଖିଛି ଇସ୍ରୋ। ଆସନ୍ତୁ ଜାଣିବା ଏହି ନାମକରଣ ପଛର ରହସ୍ୟ। 

ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ   ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।  ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ  ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ।

କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ ୧୮ ହଜାରକୁ ବୃଦ୍ଧି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ  ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ। ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ। 

୧୫ଟି ଜିଲ୍ଲାରେ ୭୩ଟି 'ଆମ ହସ୍ପିଟାଲ'
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି  ‘ଆମ ହସ୍ପିଟାଲ’, ୫ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ IVRS ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀମାନଙ୍କର ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ପ୍ରଫୁଲ୍ଲ ସାମଲଙ୍କୁ ଭେଟିଲେ ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ
ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟାସକାନ୍ତି ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ପରେ ଆଜି ଉଭୟକୁ ସମନ ଜାରି ହୋଇଛି। ଶ୍ରୀ ସାମଲ ବିଜେଡ଼ିର ଜଣେ ବରିଷ୍ଠ ବିଧାୟକ ହୋଇଥିବା ବେଳେ ତାଙ୍କର ଏଭଳି ସମୟରେ ଆଜି ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା। ଶ୍ରୀ ଦାସବର୍ମା ଭଦ୍ରକ ଆସି ବିଧାୟକ ଶ୍ରୀ ସାମଲଙ୍କୁ ଭେଟି ଆଲୋଚନା କରିଛନ୍ତି।

କଅଁଳ ବୟସରେ ଚାଲିଗଲେ ସୁହାନୀ
ଆରପାରିରେ ସୁପରହିଟ୍‌ ଫିଲ୍ମ ‘ଦଙ୍ଗଲ’ ର ଅଭିନେତ୍ରୀ ସୁହାନୀ ଭଟ୍ଟନାଗର। ଫିଲ୍ମ ‘ଦଙ୍ଗଲ’ ରେ ବବିତା ଫୋଗଟ୍‌ ଭୂମିକାରେ ଦମଦାର ଅଭିନୟ କରି ଚର୍ଚ୍ଚାରେ ଥିଲେ। ତେବେ ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ମେଡିସିନ୍‌ ସାଇଡ୍‌ ଇଫେକ୍ଟ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

ରଣଜୀ ଟ୍ରଫି: ଓଡିଶା ୪୪୦ ରନ ଜବାବରେ ଦିଲ୍ଲୀ ୧୮୭/୨
ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୪୪୦ ରନ ଜବାବରେ ଦିଲ୍ଲୀ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଛି । ୟଶ ଢୁଲ ୫୭ ରନ କରି ଅପରାଜିତ ରହିଛନ୍ତି । ଗଗନ ଭ୍ୟାଟ୍ସ ୬୬ ଓ ଅନୂଜ ରାୱତ ୪୦ ରନ କରିଛନ୍ତି । ଏଲିଟ ଗ୍ରୂପ ଡିର ଏହି ମୁକାବିଲାରେ ପୂର୍ବ ଦିନର ଅସମାପ୍ତ ଇନିଂସ ୩୧୪/୪ରୁ ଓଡିଶା ବ୍ୟାଟିଂ ଆରମ୍ଭ କରିଥିଲା । ଶୁଭ୍ରାଂଶୁ ସେନାପତି ୧୧୧ ରନ କରି ଆଉଟ ହେବା ପରେ ନାଟକୀୟ ଢ଼ଙ୍ଗରେ ୱିକେଟ ପଡିବା ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ବିପ୍ଲବ ସାମନ୍ତରାୟ ୧୧୦ ରନର ଇନିଂସ ଖେଳିବା ପରେ ଆଉଟ ହୋଇଥିଲେ । ଏହା ତାଙ୍କର ୭ମ ପ୍ରଥମ ଶ୍ରେଣୀ ଶତକ ।

IND vs ENG 3rd Test: ଭାରତ ୩୨୨ ରନରେ ଆଗୁଆ
ରାଜକୋଟରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ତୃତୀୟ ଦିନର ଖେଳ ସୁଦ୍ଧା ଭାରତ ତାର ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଛି। ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୨ ୱିକେଟ ହରାଇ ୧୯୬ ରନରେ ଖେଳ ଜାରି ରଖିଛି। ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ଶତକୀୟ ଇନିଂସ ବଳରେ ଭାରତକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଆହତ ସମସ୍ୟା କାରଣରୁ ସେ ପାଭିଲିୟନ ଫେରିଥିଲେ। ସେହିପରି ଶୁବମନ ଗିଲ ଅର୍ଦ୍ଧଶତକୀୟ ଇନିଂସ ସହିତ ଅପରାଜିତ ରହିଛନ୍ତି। ଗୁରୁବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୪୫ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଓପନର୍ ବେନ ଡକେଟ ନିଜର ଜଲୱା ଦେଖାଇବା ସହ ମାତ୍ର ୮୮ ବଲରେ ଶତକ ହାସଲ କରିଥିଲେ। ଦ୍ୱିତୀୟ ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଇଂଲିଶ ଟିମ୍ ୨ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲା। ଇଂଲଣ୍ଡ ପ୍ରଥମ ଇନିସଂରେ ୩୧୯ ରନରେ ଅଲଆଉଟ ହୋଇଯାଇଥିଲା।