Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2307705

Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Today:

01- ଆଜି ୧୮ ଜଣ ଓଡ଼ିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପୁରୀ ସାଂସଦ ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓଡ଼ିଆରେ ଶପଥ ନେଇଥିବା ସମୟରେ ସାନ୍ତାଳି ଭାଷାରେ ଶପଥ ନେଇଛନ୍ତି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି । ସେହିପରି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ଶପଥ ପାଠ କରିଛନ୍ତି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଛନ୍ତି।  

02-  ଆଜି ସଂସଦର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସମସ୍ତ ସାଂସଦଙ୍କୁ ଶପଥ ପାଠ କରାଇଥିଲେ । ତେବେ ଏନଡିଏ ସମର୍ଥିତ ପ୍ରାର୍ଥୀ ଓମ ବିର୍ଲା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ହୋଇଛନ୍ତି। ସେହିପରି ଇଣ୍ଡିଆ ମେଣ୍ଟର ସମର୍ଥିତ କେ. ସୁରେଶ ଉପ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି।

03- ରାଜ୍ୟ ବିଜେଡି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା ହୋଇଛି । ତେବେ ଏହି ଆଲିଶାନ ବଙ୍ଗଳାକୁ କାହିଁକି ଭଙ୍ଗାହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ହେଲେ କୁହାଯାଉଛି ଯେ, ଏହି ସରକାରୀ ବାସଭବନ ତଳେ ଅଣ୍ଡରଗ୍ରାଉଣ୍ଡ ଘର ନିର୍ମାଣ ଚାଲିଥିଲା। ହେଲେ ଏପରି ବେଆଇନ ଭାବେ ଘର କାହା ଇସାରାରେ ନିର୍ମାଣ ଚାଲିଥିଲା ସେନେଇ କେହି ମୁହଁ ଖୋଲୁନାହାଁନ୍ତି। ହେଲେ ସବୁଠାରୁ ବଡ଼ କଥା ହେଲା ଏପରି ବେଆଇନ ଅଣ୍ଡର ଗ୍ରାଉଣ୍ଡ ଘରେ କଣ ଚାଲିଥିଲା ସେନେଇ ବେଶ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ପ୍ରଣବ କହିଛନ୍ତି ଯେ, ମୁଁ କ୍ୱାର୍ଟର୍ସ ଯେମିତି ନେଇଥିଲି ସେମିତି ଫେରାଇବି । ୪ତାରିଖରେ ନୋଟିସ୍ ହେବ ଏବଂ ମୁଁ ୧୫ ତାରିଖ ସୁଦ୍ଧା ଘର ଛାଡ଼ିବି ।

04- ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀର ଏକ ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ । ମୁହକୋଟ ଆମଝର ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ଅନ୍ୟ ମାଓବାଦୀଙ୍କ ଛତ୍ରଭଙ୍ଗ ଦେଇଥିବାବେଳେ SLR ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ।

05- ଟ୍ବିନ୍‌ ସିଟିରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ଚାଲୁ ରହିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟ ବଜେଟ୍‌ ପରେ ଆବଶ୍ୟକ ପଡିଲେ କେନ୍ଦ୍ର ସହଯୋଗ ନିଆଯିବ ଏବଂ ଡବଲ ଇଞ୍ଜିନ ସରକାର ନିଶ୍ଚିତ ଓଡ଼ିଶାକୁ ସହଯୋଗ କରିବେ ବୋଲି ମନ୍ତ୍ରୀ କହିଛନ୍ତି । କିଭଳି କାମ ତ୍ବରାନ୍ବିତ କରାଯିବ ସେନେଇ ଖୁବଶୀଘ୍ର ଆଲୋଚନା ହେବ ।

06- ଜୁନ ୨୫ ଅର୍ଥାତ୍ ଆଜିର ଦିନକୁ ବିଜେପି କଳା ଦିବସ ଭାବେ ପାଳନ କରୁଛି । ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ତେଣୁ ଏହି ଦିନକୁ ବିଜେପି କଳା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ଗଣତନ୍ତ୍ର ଏବଂ ଭାରତରେ ସମ୍ବିଧାନ କଂଗ୍ରେସ ଶାସନ ସମୟରେ ଅଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଥିବା ନେଇ ବିଜେପି ଅଭିଯୋଗ କରିଛି। ଆଜି ଏହି ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ।

07- ଆଜି ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିବା ବେଳେ ଶେଷ ହୋଇଅଛି । ଆଗାମୀ ଜୁଲାଇ ୬ତାରିଖ ଦିନ ସକାଳ ଧୂପ ନୀତି ପରେ ରଥ ଖଳାକୁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ କରାଯିବ । ସେହିପରି ଜୁଲାଇ ୭ତାରିଖ ରଥଯାତ୍ରା ଦିନ ଅପରାହ୍ନ ୫ଟା ମଧ୍ୟରେ ରଥ ଟଣା ନୀତି କରାଯିବାକୁ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ଏ ନେଇ ଗତକାଲି  ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିବା ବେଳେ ରଥଯାତ୍ରା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳିକୁ ଆଜି ଶ୍ରୀମନ୍ଦିର ପରିଚଳାନ କମିଟି ଅନୁମୋଦନ କରିଛି । 

08- ସମ୍ବଲପୁର ସହର ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଣ୍ଡିସ ସ୍ଥିତି ପରଖିବା ପାଇଁ ଆରଆରଟିର ଦୁଇ ଜଣିଆ ଟିମ ସମ୍ବଲପୁର ପହଞ୍ଚିଛନ୍ତି। ସମ୍ବଲପୁର ପହଞ୍ଚି ଘର ଘର ବୁଲି ଯାଞ୍ଚ ଆରମ୍ଭ କରିଛନ୍ତି। ପିଇବା ପାଣିରୁ ଏହି ଜଣ୍ଡିସ ହେଇଥିବା ନେଇ ଆସିଥିବା ଟିମ କହିଛି। ତେବେ ଲୋକେ ଭୟ କରିବାର ନାହିଁ ବୋଲି ଆରଆରଟି ଟିମ ସଦସ୍ୟ କହିଛନ୍ତି। ସଚେତନ ରହିବା ସହ ଔଷଧ ସେବନ, ଫୁଟିଲା ପାଣି ପିଇବା ଓ ସ୍ବଚ୍ଛତା ଉପରେ ଟିମ୍ ଗୁରୁତ୍ବ ଦେଇଛି। ଏହି ଦୁଇ ଜଣିଆ ଟିମ ରେ ଡାକ୍ତର ସୁରଜିତ ଗରାବଡୁ ଓ ଡାକ୍ତର ସୁନିତା ଜେନା ରହିଛନ୍ତି। ଆଜି ମଧ୍ୟ ଟିମ୍ ବିଭିନ୍ନ ସଂକ୍ରମିତ ଅଂଚଳ ବୁଲିବେ।

09- ଟ୍ୱିନ ସିଟିର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିବା । ଆଲୋକ ନିୟନ୍ତ୍ରିତ ବ୍ୟବସ୍ଥା ବଦଳରେ ବିକଳ୍ପ ପଥ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏହାଦ୍ୱାରା ଆଉ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଓଭର ବ୍ରିଜ, ଆପ୍ରୋଚ୍ ରୋଡ ମାଧ୍ୟମରେ ଏହି ବିକଳ୍ପ ବ୍ୟବସ୍ଥା ଆଣିବାକୁ ଆଲୋଚନା କରାଯାଉଥିବା ସୂଚନା ଦେଇଛନ୍ତି।

10- ରାଜ୍ୟରେ ଦକ୍ଷିଣ ସକ୍ରିୟ ହୋଇଛି ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୬ ତାରିଖଠାରୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ରାଜ୍ୟର ୨୪ ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ହେବା ନେଇ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। । ଆଜି ଗଞ୍ଜାମ, ଗଜପତି, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ଝାରସୁଗୁଡ଼ା, ଢେଙ୍କାନାଳରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ। ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Also Read- Budh Guru Grah Gochar 2024: କୃତିକା ନକ୍ଷତ୍ରରେ ୨ଗ୍ରହଙ୍କ ସଂଯୋଗ, ୫ଟି ରାଶିକୁ ଫାଇଦା