Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ବର୍ଷର ଶେଷ ତଥା ୧୧୭ ତମ 'ମନ୍ କି ବାତ୍' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି । ସେସବୁ ମଧ୍ୟରେ ସମ୍ବିଧାନ, କୃଷକ, କର୍କଟ ଏବଂ ଏଆଇ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ବିଧାନ ଆମ ପାଇଁ ଏକ ମାର୍ଗଦର୍ଶିକା ସଦୃଶ। ଯଦି ମୁଁ ଆଜି ଆପଣଙ୍କ ସହ କଥାବାର୍ତ୍ତା କରିବାକୁ ସକ୍ଷମ ହୋଇପାରୁଛି, ତେବେ ଏହା ସମ୍ବିଧାନ ହେତୁ ସମ୍ଭବ ହୋଇଛି।
Headlines 02- ବ୍ୟାଙ୍କକରୁ ଦକ୍ଷିଣ କୋରିଆକୁ ଆସୁଥିବା 7C2216 ବିମାନଟି ଜୋଲା ପ୍ରଦେଶର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜେଜୁ ଏୟାରଲାଇନ୍ସର ବୋଇଂ ୭୩୭-୮୦୦ ବିମାନ ଅବତରଣ କରିବା ସମୟରେ ରନୱେରୁ ଖସି ଯାଇଥିଲା। ଖସିବା ସମୟରେ ବିମାନବନ୍ଦରର ଶେଷ ଭାଗରେ ରହିଥିବା ଏକ ପାଚେରୀ ସହିତ ପିଟି ହୋଇଥିଲା। ଫଳରେ ବିମାନଟିରେ ନିଆଁ ଲାଗିଯାଇଥିଲା। ବିମାନରେ ଯାତ୍ରୀ ଏବଂ କର୍ମଚାରୀଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ । ସେମଧ୍ୟରୁ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Headlines 03- ଯାନ୍ତ୍ରିକ ତ୍ରୁଟି କାରଣରୁ ପୁଣି ଚିଲିକାରେ ଫସିଛି ଯାତ୍ରୀବାହୀ ଡଙ୍ଗା । ଡଙ୍ଗାଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା । ମଏଁଷାକୁଦ ନିକଟରେ ଘଣ୍ଟାଏ ହେବ ଡଙ୍ଗାଟି ଫସିଥିବା ସୂଚନା ମିଳିଛି ।
Headlines 04- ବକ୍ସିଂ ଡେ ଟେଷ୍ଟରେ ନିରାଶ କରିଛନ୍ତି ଅଷ୍ଟ୍ରେଲିଆ ଅନ୍ତିମ ଯୋଡ଼ି ଲିଅନ ଓ ବୋଲାଣ୍ଡ । ଉଭୟଙ୍କ ମଧ୍ୟରେ ଅବିଭାଜିତ ୫୫ ରନ୍ ଭାଗିଦାରୀ । ୧୭୩/୯ରୁ ଅଷ୍ଟ୍ରେଲିଆକୁ ୨୨୮/୯ରେ ପହଞ୍ଚାଇଲେ ଲିଅନ-ବୋଲାଣ୍ଡ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୩୩୩ ରନ୍ରେ ଅଷ୍ଟ୍ରେଲିଆ ଆଗୁଆ ରହିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪, ଦ୍ୱିତୀୟ ଇନିଂସରେ ୨୨୮/୯ । ଅନ୍ୟପଟେ ପ୍ରଥମ ଇନିଂସରେ ୩୬୯ ରନ୍ କରିଥିବା ଭାରତ ପାଇଁ କଡ଼ା ଆହ୍ବାନ ପାଲଟିଛି ।
Headlines 05- ଐତିହାସିକ ବରଗଡ ଧନୁଯାତ୍ରା ଏଥର ଓଡ଼ିଆ ଅସ୍ମିତାର ପରିଚୟ ହେବ । ଧନୁଯାତ୍ରା ଖର୍ଚ୍ଚ ବାବଦକୁ ସରକାରଙ୍କ ପକ୍ଷରୁ ଦେଢ଼ କୋଟି ଟଙ୍କା ପ୍ରଦାନ କରାଯିବ । NSD ପକ୍ଷରୁ ଧନୁଯାତ୍ରାର ବୃତ୍ତ ଚିତ୍ର ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
Headlines 06- ବ୍ରହ୍ମପୁର MKCG ପିଜି ହଷ୍ଟେଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ନିଆଯାଇଛି ବଡ କାର୍ଯ୍ୟାନୁଷ୍ଠାନ । ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଏବଂ ୩ ସିନିୟର୍ ରେସିଡେଣ୍ଟ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ପିଜି ରେସିଡେଣ୍ଟଙ୍କୁ ୬ ମାସ ଯାଏଁ କଲେଜ କ୍ୟାମ୍ପସ ମନା କରାଯାଇଛି । DMETଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ନେଇ ଡିନ୍ ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି ।
Headlines 07- ବର୍ଷା କ୍ଷୟକ୍ଷତି ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ କାଣ୍ଡପଡ଼ା ଓ ମଝିଆଖଣ୍ଡ ଗ୍ରାମ ପଞ୍ଚାୟତ ଚାଷ ଜମିକୁ ଯାଇ ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଆଶ୍ଵାସନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ଆପଣଙ୍କ ଫସଲ କ୍ଷୟକ୍ଷତି ହୋଇଛି, ତେବେ ତୁରନ୍ତ କୃଷିରକ୍ଷକ ଆପରେ ଅଭିଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 08- ଘାଟିରେ ବସ୍ ଓଲଟି ୪ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ରବିବାର ଭୋର ୫ଟା ସମୟରେ ବୈପାରିଗୁଡା ଗୁପ୍ତେଶ୍ୱର ସୁକୁନାଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୦ଜଣଙ୍କୁ ନେଇ କଟକ ନିଆଳିରୁ ବୈପାରିଗୁଡାର ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ବେଳେ ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି।
Headlines 09- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୂରୀ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜର ଇସ୍ତଫା ପତ୍ର କୁଳାଧିପତି ତଥା ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏହି ଇସ୍ତଫାପତ୍ରକୁ ରାଜଭବନ ଗ୍ରହଣ କରିଛି। ହଠାତ ଅପରାଜିତାଙ୍କ ଇସ୍ତଫା ପରେ ଅସ୍ଥାୟୀ କୁଳପତି ଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଚଣ୍ଡିଚରଣ ରଥଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ କୁଳପତିଙ୍କ ଅଚାନକ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି।
Headlines 10- ନୂଆ ବର୍ଷରୁ ପୁଣି ବଢିବ ଶୀତ । ବିଦାୟୀ ବର୍ଷ ୨୦୨୪ର ଶେଷ ରାତି ଅର୍ଥାତ ଡିସେମ୍ବର ୩୧ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ହେବ। ବଢିବ ଥଣ୍ଡାର ପ୍ରକୋପ। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିଛି ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Also Read- BSNL Plan: ନୂଆ ବର୍ଷରେ ଖୁସି ଖବର, ଗ୍ରାହକ ପାଇବେ 120GB, ଜାଣନ୍ତୁ କେମିତି
Also Read- କିଟ୍ ଫେସନ୍ ସ୍କୁଲ୍ ଛାତ୍ରୀ ତ୍ରିଷ୍ଣା ରାୟଙ୍କୁ ମିସ୍ ଟିନ୍ ୟୁନିଭର୍ସ ମୁକୁଟ, ବିଶ୍ୱସ୍ତରରେ ଓଡ଼ିଶାର ଗୌରବ