Top 10 News Headlines: କାଲି ଟ୍ୱିନ୍‌ ସିଟିରେ ଛେଚିବ ଓ ଦିନ ତମାମର ଅନ୍ୟାନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2311344

Top 10 News Headlines: କାଲି ଟ୍ୱିନ୍‌ ସିଟିରେ ଛେଚିବ ଓ ଦିନ ତମାମର ଅନ୍ୟାନ୍ୟ ମୁଖ୍ୟ ଖବର

ଚୁଟକୀରେ ପଢି ନିଅନ୍ତୁ ଦିନ ତମାମର ୧୦ ବଡ଼ ଖବର

Top 10 News Headlines: କାଲି ଟ୍ୱିନ୍‌ ସିଟିରେ ଛେଚିବ ଓ ଦିନ ତମାମର ଅନ୍ୟାନ୍ୟ ମୁଖ୍ୟ ଖବର

H1. ଘରୋଇ କରଣ ହେବ ଭୁବନେଶ୍ୱର ବିମାନ ବନ୍ଦର
ଭୁବନେଶ୍ୱର ବିମାନ ବନ୍ଦରର ହୋଇପାରେ ଘରୋଇକରଣ। ଦେଶର ୧୧ଟି ବିମାନ ବନ୍ଦରର ଘରୋଇକରଣକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି ଭଳି ବିମାନ ବନ୍ଦରରକୁ ଘରୋଇ କମ୍ପାନିକୁ ଦିଆଯିବ। ଫଳରେ ଏହାର ଉନ୍ନତି ସହ ବିମାନ ବନ୍ଦରର ପରିସୀମା ବଢ଼ାଇବାକୁ ଚେଷ୍ଟା କରାଯିବ।

H2. ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ସଂସଦ ଭବନରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ।  ନବନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି । ଆମ ସରକାର ସମ୍ବିଧାନର ସୁରକ୍ଷା ପାଇଁ ବଦ୍ଧ ପରିକର ଏବଂ ଜଣେ ବି କେହି ସରକାରୀ ଲାଭରୁ ବଞ୍ଚିତ ନହେବା ଲକ୍ଷ୍ୟ ରହିଛି । ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ ରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ ।

H3. ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ ଓ ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହ ଦେଓ। ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦିନରେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଅର୍ଥମନ୍ତ୍ରୀଙ୍କୁ ଭେଟିବା ସହିତ ରାଜ୍ୟକୁ କିପରି କେନ୍ଦ୍ରୀୟ ଅନୁଦାନର ମାତ୍ରା ବୃଦ୍ଧି ପାଇବ ତାହା ଉପରେ ଆଲୋଚନା କରିଛନ୍ତି। ସେହିପରି ସନ୍ଧ୍ୟାରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ।

H4. ହସପିଟାଲରୁ ବାହାରିଲେ ଆଡଭାନୀ
ହସ୍ପିଟାଲରୁ ଡିସଚାର୍ଜ ହେଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ। ଅସୁସ୍ଥତା କାରଣରୁ ଗତକାଲି ଦିଲ୍ଲୀ ଏମ୍ସରେ ଆଡମିଟ୍‌ ହୋଇଥିଲେ ଆଡଭାନୀ। ତେବେ ଆଜି ଏମ୍ସରୁ ଡିସଚାର୍ଜ କରାଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର ସଞ୍ଜୟ ଲାଲୱାନୀ। ସୂଚନା ଅନୁସାରେ ଯେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ AIIMS ର ଜିରିଆଟ୍ରିକ୍‌ ବିଭାଗ (ବୃଦ୍ଧମାନଙ୍କୁ ଚିକିତ୍ସା କରୁଥିବା ବିଭାଗ) ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ବାସ୍ତବରେ, ୯୬ ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେଣୁ ସମୟ ସମୟରେ ତାଙ୍କୁ ଘରେ ଏକ ଡାକ୍ତରୀ ଟିମ୍‌ ପକ୍ଷରୁ ଚେକ୍‌ଅପ୍‌ କରାଯାଏ।

H5. ଭିତ୍ତିଭୂମିର ସମୀକ୍ଷା କଲେ ମହାପ୍ରବନ୍ଧକ
ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଦୁଇଦିନିଆ ସମ୍ବଲପୁର ରେଳ ମଣ୍ଡଳ ଗସ୍ତରେ ଯାଇ ଥେରୁବାଲି-ଟିଟିଲାଗଡ଼-ସମ୍ବଲପୁର ଏବଂ ସମ୍ବଲପୁର-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି-ଜରପଡା ରେଳ ସେକ୍ସନ ନିରୀକ୍ଷଣ କରିବା ସହିତ ଏହି ଅଞ୍ଚଳରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ ଏବଂ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଥିଲେ।

H6. ନନ୍ଦନକାନନରେ ବାଘୁଣୀ ‘ସାରା’ର ମୃତ୍ୟୁ
ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ 'ସାରା'ର ମୃତ୍ୟୁ ଘଟିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ସାରାକୁ ୧୮ ବର୍ଷ ୧ ମାସ ହୋଇଥିଲା।  ଗତ ଫେବ୍ରୁଆରୀ ୨୯ ତାରିଖରେ ସାରା ଅସୁସ୍ଥ ଥିବା ଜଣାପଡ଼ିଥିଲା। ସେ ଛିଡ଼ା ହୋଇପାରୁ ନଥିଲା। ଚିକିତ୍ସା ପରେ ସେ ଛିଡ଼ା ହୋଇଥିଲା ଓ ଗତ ମାର୍ଚ୍ଚ ୩ ତାରିଖରେ ମାଂସ ଖାଇଥିଲା।

H7. ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ; କାଲି ଟ୍ୱିନ୍‌ ସିଟିରେ ଛେଚିବ!
ରାଜ୍ୟରେ ଜାରି ରହିଛି ବର୍ଷା। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

H8. ପେପର ଲିକ ମାମଲାରେ ଜଣେ ଗିରଫ
NEET ପେପର୍ ଲିକ୍ ମାମଲାରେ ବିହାର ପାଟନାରୁ ଜଣଙ୍କୁ ଗିରଫ କରିଛି CBI । ଅନ୍ୟପଟେ ପେପର ଲିକ୍‌ର ନିରପେକ୍ଷ ଯାଞ୍ଚ ହେବ କହିଛନ୍ତି ରାଷ୍ଟ୍ରପତି। ନିରପେକ୍ଷ ଯାଞ୍ଚ ପାଇଁ ସରକାର ପ୍ରତିବଦ୍ଧ । ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି। ପେପର ଲିକ୍ ରୋକିବାକୁ ସରକାର କଡ଼ା ଆଇନ ଆଣିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।

H9. ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି
ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଗୁଏନା ଠାରେ ଖେଳାଯାଉଛି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦଳର ଖେଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯଦି ବର୍ଷା ହେତୁ ମ୍ୟାଚ୍ ବାଧାପ୍ରାପ୍ତ ହୁଏ ତେବେ ଭଲ ନେଟ୍ ରନ୍ ହାର ଯୋଗୁଁ ଭାରତ ଫାଇନାଲରେ ପହଞ୍ଚିବ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ୭ ଓଭରରେ ୨ଟି ୱିକେଟ ହରାଇ ୫୫ ରନ କରି ଖେଳ ଜାରି ରଖିଛି। ଭାରତ ପକ୍ଷରୁ ବିରାଟ କୋହଲି ୯ ରନ ଓ ରିଷଭ ପନ୍ତ ୪ ରନ କରି ପାଭିଲିଅନ ଫେରିଛନ୍ତି। 

H10. ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକା
ଟି-୨- ବିଶ୍ୱକପ୍‌ରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ଫାଇନାଲରେ କଲା ଏଣ୍ଟ୍ରି। ଆଉ ସେପଟେ ଧୂଳିସାତ୍‌ ଆଫଗାନିସ୍ତାନର ଫାଇନାଲ୍‌ ଆଶା। ସେମି-ଫାଇନାଲ୍ ମୁକାବିଲାରେ ଆଫଗାନିସ୍ତାନକୁ ୯ ଓ୍ୱିକେଟ୍‌ରେ ହରାଇଛି ଦକ୍ଷିଣ ଆଫ୍ରିକା। ଏହାସହ ରାଶିଦ ବାହିନୀର ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଛି। ୫୭ ରନ୍‌ର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ୧୧.୫ ଓଭରରେ ଆଫଗାନିସ୍ତାନ ୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହାପରେ ୫୭ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ୮.୫ ଓଭରରେ ଗୋଟିଏ ୱିକେଟ ହରାଇ ୬୦ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟୁଣ୍ଟନ ଡି କକ୍ ୫ ରନ୍ କରିଥିବାବେଳେ ରେଜା ହେଣ୍ଡ୍ରିକ୍ ଅପରାଜିତ ୨୯ ରନ୍ ଏବଂ ଅଧିନାୟକ ଆଡେନ ମାକ୍ରମ ଅପରାଜିତ ୨୩ ରନ୍ କରିଥିଲେ।