Top 10 News Headlines: ସକାଳର 10 ବଡ଼ ଖବର
Advertisement
Article Detail0/zeeodisha/odisha1975612

Top 10 News Headlines: ସକାଳର 10 ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10 ବଡ଼ ଖବର

ଆଜି ଚତୁର୍ଥ ଦିନ
ବିଧାନସଭା ଶୀତକାଳିନ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ । ଗୃହରେ ଶକ୍ତି,ଶିଳ୍ପ, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ, ବୟନଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି । ଗତକାଲି ଦ୍ୱିତୀୟାର୍ଦ୍ଧରେ ଗୃହ ସ୍ୱାଭାବିକ ଭାବେ ଚାଲିଥିବା ସତ୍ତ୍ୱେ ଆଜି ଗୃହରେ ସରଗରମ ଆଲୋଚନା ହୋଇପାରେ। ଆଦିବାସୀ ଜମି ନେଇ କ୍ୟାବିନେଟ ନିଷ୍ପତ୍ତି ସମୂର୍ଣ୍ଣ ପ୍ରତ୍ୟାହାର ଏବଂ ଗୃହରେ ଆଲୋଚନା ଦାବି କରି ଦୁଇଦିନ ହେବ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ। ଗୃହ ସ୍ୱାଭାବିକ ଚାଲିଲେ ଶୂନ୍ୟକାଳରେ ଅନେକ ପ୍ରସଙ୍ଗ ଉଠିପାରେ। ସେହିପରି ମୁଲତବୀ ଆଲୋଚନାରେ ଆଦିବାସୀ ଜମି କିଣାବିକା ପ୍ରସଙ୍ଗ କହିପାରନ୍ତି ବିରୋଧୀ । 

ଆନ୍ଦୋଳନରୁ ସରକାରଙ୍କ ରାଗ
ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।  ବସ୍ ମାଲିକ ସଂଘର କହିବା କଥା ଆନ୍ଦୋଳନ କଲୁ ବୋଲି ରାଜ୍ୟ ସରକାର ଏବେ ଆକ୍ରୋଶ ରଖିଲେଣି । ଆନ୍ଦୋଳନ ପରେ ଅଚାନକ ରାଜ୍ୟରେ ଘରୋଇ ବସ୍ ଉପରେ ଅଚାନକ ଚେକିଂ ଓ ଜରିମାନା ଆଦାୟ ହେଉଥିବା ଅଭିଯୋଗ ହୋଇଛି। ଦିନକ ଭିତରେ ରାଜ୍ୟର ପ୍ରାୟ ୧୫୦୦ ରୁ ଅଧିକ ବସ୍ ନାଁରେ ଲକ୍ଷାଧିକ ଟଙ୍କାର ଫାଇନ୍ ଆଦାୟ କରାଯାଇଛି। ହଠାତ ପରିବହନ ବିଭାଗର ଏହି ଚେକିଂ କୁ ନେଇ  ପ୍ରଶ୍ନ ଉଠାଇଛି ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ଚଳାଚଳ ଓ ମୋ ବସ କୁ ବିରୋଧ କରି ବୁଧବାର ବିଧାନସଭା ଅଭିମୁଖେ ବାହାରି ଆନ୍ଦୋଳନ କରିଥିବା ବସ୍ ମାଲିକ ସଂଘ । 

ଆଜି ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ 
ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହୋଇଛି । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ ସେ ସମୟରେ ବ୍ରଜ ଦାଣ୍ଡ ରେ ଏହି ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୁଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଳିଥାଏ ବୋଲି ବିଶ୍ୱାସ ରହିଛି । 

୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଲା ପରେ ଜଟଣୀର ପଦନପୁରରେ NSTI ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହାପରେ ଅପରାହ୍ନରେ CSIR-IMMT ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ। IMMT ରେ ଅନୁଷ୍ଠିତ ହେଉଥିବା ଗୁରୁ କା ସମ୍ମାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମହାନଦୀରୁ ମିଳିଲା ମୃତଦେହ
ମହାନଦୀ ରୁ ମୃତଦେହ ଉଦ୍ଧାର।  ଗତକାଲି ସୁବର୍ଣ୍ଣପୁର ମହାନଦୀ ବ୍ରିଜ ତଳୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ବୀରମହାରାଜପୁର ଥାନା ଅନ୍ତର୍ଗତ କେଶଳପୁରା ଗାଁର ଲୋକନାଥ ନାଏକ ବୋଲି ଜଣାପଡିଛି। ସେ ୨୨ ତାରିଖ ସନ୍ଧ୍ୟାରେ ଘରୁ ବାହାରି ଥିବାବେଳେ ଆଉ ଘରକୁ ଫେରି ନଥିଲେ । ତେବେ ୨୩ ତାରିଖ ରେ ମହାନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଲୋକନାଥଙ୍କ ପାଖକୁ ୨୨ ତାରିଖ ସନ୍ଧ୍ୟାରେ ଏକ ଫୋନ୍ କଲ ଆସିଥିଲା । ଫୋନ୍ ପାଇ ଲୋକନାଥ ଘରୁ ବାହାରି ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ। 

ଆଜି ଉଦ୍ଧାର ସମ୍ଭାବନା
ଗତ ୧୨ ଦିନ ଧରି ଉତ୍ତରାଖଣ୍ଡ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର ଅଭିଯାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅଗର ମେସିନ୍‌ ବାରମ୍ବାର ଧାତବ ବାଧାର ସମ୍ମୁଖୀନ ହେଉଥିବାରୁ ଖନନ ପ୍ରକ୍ରିୟାରେ ବାଧା ଉପୁଜୁଛି। ତେବେ ଏହା ସତ୍ତ୍ବେ ଆଜି ରାତି ସୁଦ୍ଧା ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବା ସମ୍ଭାବନା ରହିଛି। NDRF ଯବାନ ଫସିଥିବା ଶ୍ରମିକଙ୍କୁ ଷ୍ଟ୍ରେଚର୍‌ରେ ବାହାର କରିବାକୁ ବ୍ୟବସ୍ଥା କରିଛନ୍ତି। ଉଦ୍ଧାରକାରୀ ଦଳଙ୍କ କହିବା ଅନୁଯାୟୀ, ଘଣ୍ଟାଏ ମଧ୍ୟରେ ପ୍ରାୟ ୩ ମିଟର ଆବର୍ଜନା ଭିତରକୁ ଖନନ କରୁଥିବା ଅଗର ମେସିନ୍ ଆଜି ସକାଳେ ଏବଂ ସନ୍ଧ୍ୟାରେ ଧାତବ ବାଧାର ସମ୍ମୁଖୀନ ହୋଇଥିଲା। ଏହାପରେ ବ୍ଲକ ହଟାଇବା ପାଇଁ ଏକ ମେଟାଲ କଟର ବ୍ୟବହାର କରାଯାଇଥିଲା ଏବଂ ଅପରେସନ ପୁନଃ ଆରମ୍ଭ ହୋଇଥିଲା।

ଚାଲିଛି ବାଲିଯାତ୍ରା ପ୍ରସ୍ତୁତି
ଐତିହାସିକ ବାଲିଯାତ୍ରାରେ ଗତବର୍ଷ ପରି ଚଳିତବର୍ଷ ୪ଦିନ ବଲିଉଡ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଓ ସଚିନ ଦୁବେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଇ କଳାକାରଙ୍କ ସହିତ ବଲିଉଡର ଆଉ ୨ଜଣ ପ୍ରସିଦ୍ଧ କଳାକାର ବାଲିଯାତ୍ରାର ସାଂସ୍କୃତିକ ସନ୍ଧ୍ୟାରେ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ଐତିହାସିକ ବାଲିଯାତ୍ରାରେ ଯୋଗଦେଲେ ଓଲିଉଡର ନାମୀଦାମୀ କଳାକାର ।

ପ୍ରକାଶ ରାଜ୍ ଙ୍କୁ ED ସମନ୍
ତିରୁଚିରାପଲ୍ଲୀର ପ୍ରଣବ ଜୁଏଲର୍ସ ବିରୋଧରେ ଆସିଥିବା ୧୦୦ କୋଟି ଟଙ୍କାର ପୋଞ୍ଜି ସ୍କିମ୍‌ ମାମଲାରେ ଅଭିନେତା ପ୍ରକାଶ ରାଜ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ସମନ କରିଛି। ୫୮ ବର୍ଷୀୟ ଅଭି‌ନେତା ପ୍ରକାଶ ରାଜ୍‌ ପ୍ରଣବ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସାଡର ଅଛନ୍ତି। ଆସନ୍ତା ସପ୍ତାହରେ ଚେନ୍ନାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାଲାଗି ତାଙ୍କୁ କୁହାଯାଇଛି। ଏହି ମାମଲାରେ ପୁର୍ବରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୩.୭୦ ଲକ୍ଷ ଟଙ୍କାର ନଗଦ ଅର୍ଥ ଏବଂ ୧୧.୬୦ କେଜି ସୁନା ଗହଣା ଜବତ କରାଯାଇଥିଲା।

ଅସ୍ତ୍ରବିରତି ଘୋଷଣା
ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ସାମୟିକ ଭାବେ ବନ୍ଦ କରିବା ଲାଗି ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଚୁଡାନ୍ତ ହୋଇଛି। ବୁଧବାର ଇସ୍ରାଏଲ କ୍ୟାବିନେଟ ଅନୁମୋଦନ କରିଥିବା ବୁଝାମଣା ଅନୁଯାୟୀ ଗୁରୁବାର ଠାରୁ ପଣବନ୍ଦୀଙ୍କ ମୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ହମାସ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ନାଗରିକଙ୍କ ମଧ୍ୟରୁ ୫୦ଜଣଙ୍କୁ ମୁକ୍ତ କରିବେ। ପ୍ରତିବଦଳରେ ଇସ୍ରାଏଲ ଗୁରୁବାର ଠାରୁ ୪ଦିନ ପାଇଁ ଯୁଦ୍ଧ ବନ୍ଦ କରିଛି। 

ଚୀନରେ ପୁଣି ଆଉ ଏକ ଭୟଙ୍କର ରୋଗ
କୋଭିଡ-19 ମହାମାରୀର ବିପଜ୍ଜନକ ପ୍ରଭାବରୁ ଏବେ ବି ସମୂର୍ଣ୍ଣ ମୁକୁଳିପାରିନଥିବା ଚୀନ ସମ୍ପ୍ରତି ଆଉ ଏକ ଭାଇରସ ସଙ୍କଟର ସମ୍ମୁଖୀନ ହେଉଛି। ସ୍କୁଲ ଗୁଡ଼ିକରେ ରହସ୍ୟମୟ ନିମୋନିଆ ରୋଗ ବ୍ୟାପିଛି। ହଜାର ହଜାର ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଶିଶୁଙ୍କୁ ନେଇ ଏବେ ଡାକ୍ତରଖାନା ଗୁଡ଼ିକ ଭର୍ତ୍ତି ହୋଇଯାଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି। ଏହି ମହାମାରୀର କେନ୍ଦ୍ରସ୍ଥଳ ହେଉଛି ରାଜଧାନୀ ବେଜିଂ, ଏବଂ ଲାଓନିଂ ପ୍ରଦେଶ । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ରୋଗ୍ରାକ୍ରାନ୍ତ ହୋଇଥିବାରୁ କିଛି ଅଞ୍ଚଳରେ ବିଦ୍ୟାଳୟ ବନ୍ଦ ରହିଛି। 

Also Read: Ganjam Double Murder: ବିଷଧର ସାପର ବ୍ୟବହାର କରି ହତ୍ୟାକାଣ୍ଡରୁ ଖସି ଯିବାକୁ ଷଡ଼ଯନ୍ତ୍ର କରିଥିଲା ଅଭିଯୁକ୍ତ