Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2181867

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10ଟି ବଡ଼ ଖବର

Odisha BJP Loksabha Candidate List: ଓଡ଼ିଶା ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଅବଶିଷ୍ଟ ୩ ଲୋକସଭା ଆସନ କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।  ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ପ୍ରାର୍ଥୀ କରିଥିବାବେଳେ ରବୀନ୍ଦ୍ର ନାରାୟଣ ବେହେରା ଯାଜପୁର ଓ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ତିନି ଆସନରେ ବିଜେପି ତାର ପ୍ରାର୍ଥୀ ବଦଳାଇଛି । ୨୦୧୯ରେ କଟକରୁ ପ୍ରକାଶ ମିଶ୍ର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ଏଥର ଦଳ ବିଜେଡିରୁ ଯାଇଥିବା ଭର୍ତ୍ତୃହରିଙ୍କୁ ଟିକେଟ ଦେଇଛି । ସେହିପରି କନ୍ଧମାଳରୁ ମହାମେଘବାହନ ଐରଖାରବେଳ ସ୍ବାଇଁଙ୍କ ବଦଳରେ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଯାଜପୁରରେ ଅମିୟ ମଲ୍ଲିକଙ୍କ ବଦଳରେ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ବିଜେପି ଟିକେଟ ଦେଇଛି । ପୂର୍ବରୁ ବିଜେପି ୧୮ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।

Akash Das Nayak: ଓଡ଼ିଶା ରାଜନୀତିରେ ହଟଚମଟ ଦେଖିବାକୁ ମିଳୁଛି। ପ୍ରତିଦିନ ଦଳବଦଳ ପ୍ରକ୍ରିୟା ଜାରି ରହିଛି । ତିନୋଟି ପ୍ରମୁଖ ଦଳର ନେତା ମାନେ ଦଳ ଛାଡୁଛନ୍ତି ଯାହାକୁ ନେଇ ଜନତା ମାନେ ବି ଏବେ ଟେନସନରେ । ଦଳ ଗଠନ କରିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି ସେମାନେ ଏବେ ଦଳ ଛାଡୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ଗତକାଲି ବିଜେଡି ଛାଡିଛନ୍ତି । ଆକାଶ ଦାସ ନାୟକ କହିଥିଲେ ଯେ,ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡ଼ିଛନ୍ତି । ତେବେ ଆଜି ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ସିନେଷ୍ଟାର ଅରିନ୍ଦମ ଓ ସିଦ୍ଧାନ୍ତ ବିଜେପିର ହାତ ଧରିସାରିଛନ୍ତି।

Morning Classes in schools: ଏପ୍ରିଲ୍‍ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୂତନ ଶିକ୍ଷାବର୍ଷ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ  ସ୍କୁଲରେ ପାଠପଢା ହେବ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ସ୍କୁଲ୍‍ଗୁଡ଼ିକୁ ଏଥିଲାଗି ପ୍ରସ୍ତୁତ କରିବାକୁ ଓଡ଼ିଶା ସ୍କୁଲ୍‍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ନିର୍ଦ୍ଦେଶକ ଅନୁପମ ଶାହା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ତେବେ କେବଳ ପ୍ରଥମରୁ ୯ମ ଶ୍ରଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶନ ସହ ତାହାକୁ ପ୍ରଦାନ କରିବାକୁ ଶ୍ରୀ ସାହା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ପ୍ରଧାନ ଶିକ୍ଷକଙ୍କୁ ଏ ବାବଦରେ ଜଣାଇ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। 

Summer Holiday 2024: ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଖୁସି ଖବର।  ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ନୂଆ ଏକାଡେମିକ୍ କ୍ୟାଲେଣ୍ତର ୨୦୨୪-୨୫ ପ୍ରକାଶ ପାଇଛି।  ଉଭୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ସ୍କୁଲ୍ ପାଇଁ ଏହି କ୍ୟାଲେଣ୍ତର  ଜାରି କରାଯାଇଛି। କ୍ୟାଲେଣ୍ତର ଅନୁସାରେ, ୨୦୨୪-୨୫ ଶିକ୍ଷା ବର୍ଷରେ ପିଲାମାନେ ମୋଟ୍ ୨୩୧ ଦିନ ପାଠ ପଢିବେ। ଏପ୍ରିଲ୍ ୨ରୁ  ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ସହ ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ପ୍ରବେଶ ଉତ୍ସବ କରାଯିବ।  ଗ୍ରୀଷ୍ମ କାଳିନ ଛୁଟି ମେ ୬ ରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ହେବ।

Odisha Weather Update Today: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଶନିବାର ଦିନ ମାଲକାନଗିରିର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ବୌଦ୍ଧ, ଟିଟିଲାଗଡ଼,ବଲାଙ୍ଗୀର ଓ ନୟାଗଡ଼ରେ ୪୦ ଡିଗ୍ରୀ ଟପିଛି ତାପମାତ୍ରା। ଦିନ ୧୧ଟାରୁ ପ୍ରଚଣ୍ତ ତାତି ଓ ଭୀଷଣ ଗୁଳୁଗୁଳି ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଆଗକୁ ତାତି ଆହୁରି ସାଂଘାତିକ ହେବ। ୩ରୁ ୪ ଦିନରେ ତାତି ୪୩ ଡିଗ୍ରୀ ଛୁଇଁବ। ଆକାଶରୁ ନିଆଁ ବର୍ଷିବ।  ଉପକୂଳଠୁ ପଶ୍ଟିମ ଓଡି଼ଶା ଓ ଆଭ୍ୟାନ୍ତରିଣ ଓଡି଼ଶା ଜଳିବ। ଭୁବନେଶ୍ବର ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା କହୁଛି, ଏପ୍ରିଲ୍ ୨ ତାରିଖରେ ବୌଦ୍ଧରେ ତାତି ୪୩ ଡିଗ୍ରୀ ଛୁଇଁପାରେ। ୩ରେ ସୋନପୁର, ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି।

Ratha Yatra 2024: ଆସନ୍ତା ଜୁଲାଇ ୦୭ ତାରିଖ ରବିବାରରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ଚୁଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଷୟ ତୃତୀୟା ଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି, ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ଆଜିର ଏହି ପ୍ରସ୍ତୁତି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

Lalkrishna Advani: ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଦାନ କରାଯାଇଛି ଭାରତ ରତ୍ନ ସମ୍ମାନ । ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରାଯାଇଛି । ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ଆଜି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ମିଳିଥିବା ସୂଚନା ଅନୁସାରେ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ । 

Maharally In Delhi Ramleela Maidan: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି ମହାରାଲି କରିବ ଇଣ୍ଡିଆ ମେଣ୍ଟ । ଆଜି ରାଜଧାନୀ ଦିଲ୍ଲୀର ରାମଲୀଲା ମୈଦାନରେ ଏହି ମେଗା ରାଲିର ଆୟୋଜନ ହେବ । ଏନେଇ ଗତ (ଶୁକ୍ରବାର) ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଗୋପାଳ ରାୟ ଏବଂ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ତେବେ ଏହି ରାଲି ରାଜନୈତିକ ନୁହେଁ, ବରଂ ଦେଶର ଗଣତନ୍ତ୍ରର ସୁରକ୍ଷା ଏବଂ କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆହ୍ବାନ ହେବ ବୋଲି କହିଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟ ।

Modi Rally At Uttarpradesh: ଆଜି ଉତ୍ତର ପ୍ରଦେଶ ମିରଟରେ ନିର୍ବାଚନୀ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥରେ ଉତ୍ତର ପ୍ରଦେଶରେ ବିଜେପି କ୍ଲିନ ସୁଇପ୍ କରିବ ବୋଲି ବିଜେପି ଦମ୍ଭୋକ୍ତି ପ୍ରକାଶ କରିଛି । ମିରଟ ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ରାମାୟଣ ଟିଭି ସିରିୟଲର ଶ୍ରୀରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ସେପଟେ ଉତ୍ତର ପ୍ରଦେଶ ରେ ନିର୍ବାଚନୀ ପ୍ରସ୍ତୁତି ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ବୈଜୟନ୍ତ ପଣ୍ଡା । ଲକ୍ଷ୍ନୌ ସ୍ଥିତ ହୋଇଥିବା ଏହି ବୈଠକରେ ଉପସ୍ଥିତ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 

IPL Match Today: ଆଜି ଗୁଜୁରାଟ ଏବଂ ହାଇଦ୍ରାବାଦ ଓ ଦିଲ୍ଲୀ ସହ ଚେନ୍ନାଇ ର ହେବ ଟକ୍କର । ଆଇପିଏଲର ଗତକାଲିର ମ୍ୟାଚ ରେ ପଞ୍ଜାବ କୁ ୨୧ ରନରେ ପରାସ୍ତ କଲା ଲକ୍ଷ୍ନୌ । ୨୦୦ ରନର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ସମସ୍ତ ଓଭରରେ ୫ ୱିକେଟ୍ ହରାଇ ୧୭୮ ରନ୍ କରିବାରେ ସକ୍ଷମ ହୋଇଥିଲା। ଫଳରେ ଲକ୍ଷ୍ନୌ ଏହି ମ୍ୟାଚକୁ ୨୧ ରନରେ ଜିତିନେଇଥିଲା। ପଞ୍ଜାବ ପକ୍ଷରୁ ଶିଖର ଧୱନ ୭୦ ରନ୍ କରିଥିବା ବେଳେ ବାରିଷ୍ଟୋ ୪୨ ରନ୍ କରିଥିଲେ। 

Also Read: 

Odisha news live updates: ଏବେଠୁ କଲବଲ୍ କଲାଣି ୪୦ ଡିଗ୍ରୀର ତାତି, ପଢନ୍ତୁ ଆଉକିଛି ଖବର