Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର
Trending Photos
ଆଜି ବି ଦକ୍ଷିଣ ଓଡ଼ିଶାରେ ବର୍ଷା
ଲ୍ୟାଣ୍ଡଫଲ କରିଛି ବାତ୍ୟା ମିଗଜୋମ। ଆଗାମୀ କିଛି ଘଣ୍ଟା ମଧ୍ୟରେ ବାତ୍ୟା ମିଗଜୋମ ଗଭୀର ଅବପାତର ରୂପ ନେବ ବାତ୍ୟା । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ବାତ୍ୟାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷ ଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ତିନି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିଭଳି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ମଧ୍ୟ ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଶଙ୍କା ରହିଛି। ବର୍ଷାର ପ୍ରଭାବ ଆଗାମୀ ୨୪ ଘଣ୍ଟା ଯାଏଁ ରହିବ । ସେହିପରି ବର୍ଷା କାରଣରୁ ଗଜପତିରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି।
୮ ଜିଲ୍ଲାକୁ ଥିଲା ରେଡ ଆଲର୍ଟ
ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ମିଗଜୋମ ଗଭୀର ଅବପାତରେ ପରିଣତ ହୋଇଛି। ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଛି ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଥିଲା । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା ପବନର ଝଟକା । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଏବେ ବି ଜାରି ରହିଛି ।ବାତ୍ୟା ମିଗଜୋମକୁ ନେଇ ଆନ୍ଧ୍ରର ୮ଟି ଜିଲ୍ଲାକୁ ସତର୍କ କରାଯାଇଥିଲା । ତିରୁପତି, ନେଲୋର, ପ୍ରକାଶମ, ବାପଟଲା, କୃଷ୍ଣା, ପଶ୍ଚିମ ଗୋଦାବରୀ, କୋନସିମା ଏବଂ କାକିନାଡା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।
ବୁଡିଛି ଚେନ୍ନାଇ ସହର
ଚେନ୍ନାଇରେ ବର୍ଷାର ତାଣ୍ଡବ । ଜଳପ୍ଲାବିତ ଚେନ୍ନାଇ ସହର । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ତଳିଆ ଅଂଚଳ ସମେତ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ରେ ଜମି ରହିଛି ପାଣି । ଲୋକମାନଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି । ଯାହା ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ବିଦ୍ୟୁତ ଓ ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି । ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବୋଟ୍, ଟ୍ରାକ୍ଟର ବ୍ୟବହାର କରାଯାଉଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍, ଏସଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ରାଜ୍ୟରେ ୧୦୦ରୁ ଅଧିକ ଟ୍ରେନ୍ ଓ ୫୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି ।
ତେବେ ଚେନ୍ନାଇ ସହରକୁ ପୁଣିଥିରେ ପୂର୍ବପରି ସ୍ୱାଭାବିକ ହେବାକୁ ଆହୁରି ୭ଦିନ ସମୟ ଲାଗିବ ବୋଲି ଆକଳନ କରାଯାଇଛି।
ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର
ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା
ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ନମୁନା ପ୍ରଶ୍ନପତ୍ର ତିଆରି ହୋଇଛି। ଓଡ଼ିଆ, ଇଂରାଜୀ, ହିନ୍ଦୀ,ସଂସ୍କୃତ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟରେ ଗୋଟିଏ ଲେଖାଏଁ ସେଟ୍ ପ୍ରଶ୍ନପତ୍ର ପଠାଯାଇଛି। ବାର୍ଷିକ ପରୀକ୍ଷାରେ ସମାନ ଢଙ୍ଗରେ ପ୍ରଶ୍ନପତ୍ର ପଡିବ।
ଜନ୍ମଦିନ ପାଳି ଫସିଲେ ବିଜେଡି ନେତା ଅସିତ୍
ଭଦ୍ରକରେ ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ନେଇ ଥାନାରେ ଏତଲା । ଗତସଂନ୍ଧ୍ୟାରେ ଭଦ୍ରକ ସହରର ସରକାରୀ ଏକ ମାର୍କେଟ କମ୍ପ୍ଲେକ୍ସରେ ଅସିତ୍ ଙ୍କ ଜନ୍ମଦିନ ପାଳନ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସହରରେ ବାଇକ୍ ରାଲି ସହ ଡିଜେ ଓ ବାଣ ଫୁଟାଇ ସେଲିବ୍ରେସନ ହୋଇଥିଲା ବିଜେଡି ନେତାଙ୍କ ଜନ୍ମଦିନ। ତେବେ ଏହି କାର୍ଯ୍ୟକ୍ରମକୁ ଅନୁମତି ନଥିବା ଦର୍ଶାଇ ଭଦ୍ରକର ପୁରୁଣା ବଜାର ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର। ସରକାରୀ ଜାଗାରେ ବିନା ଅନୁମତିରେ ରାଜନୈତିକ କାର୍ଯ୍ୟ ଉଚିତ୍ ନୁହେଁ, ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁରୁଣା ବଜାର ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ସେପଟେ ସଫେଇରେ ବିଜେଡି ନେତା ଅସିତ୍ କହିଛନ୍ତି ଯେ, ଅନୁମତି ନଥିବା କଥା ତାଙ୍କୁ ଜଣା ନଥିଲା। ନିମନ୍ତ୍ରଣ ଥିବାରୁ ସେ ସେଠାରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ବାଲିଯାତ୍ରାରେ ୧୦୦ କୋଟି ଉପରେ ବେପାର
ଶେଷ ହେଲା ବାଲିଯାତ୍ରା ୨୦୨୩ । ରଙ୍ଗବେରଙ୍ଗ କାର୍ଯ୍ୟକ୍ରମ ଜରିଆରେ ମେଲାଣି ନେଇଛି ଚଳିତବର୍ଷର ବାଲିଯାତ୍ରା । ପୂର୍ବ ବର୍ଷର ସବୁ ରେକର୍ଡକୁ ଭାଙ୍ଗିଛି ଚଳିତ ବର୍ଷର ବାଲିଯାତ୍ରା। ଲୋକ ବିଭିନ୍ନ ଷ୍ଟଲରୁ ଛୋଟବଡ଼ ସାମଗ୍ରୀ ଘରକୁ ବୋହିନେଇଛନ୍ତି। ଚଳିତବର୍ଷ ବାଲିଯାତ୍ରା ୯ଦିନ ଧରି ଆୟୋଜିତ ହୋଇଥିଲା । ଆଉ ଏହି ୯ଦିନରେ ୧୦୦ କୋଟି ଟଙ୍କା ର ବେପାର ଟପିଥିବା ଆକଳନ କରାଯାଇଛି। ଚଳିତବର୍ଷ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ସରକାରୀ ସଂସ୍ଥା ଜରିଆରେ ଖୋଲିଥିବା ଷ୍ଟଲରୁ ୪୦ କୋଟି ଟଙ୍କାରୁ ଅଧିକ ବେପାର ହେବା କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।
ଆଜି ରାଜସ୍ଥାନ ବନ୍ଦ
ଗତକାଲି ରାଜସ୍ଥାନରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା। ଜାତୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷକଙ୍କ ଦିନ ଦ୍ୱିପହରରେ ହତ୍ୟା କରାଯାଇଥିଲା । ସୁଖଦେବ ସିଂ ଗୋଗାମେଡି ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ବିଭତ୍ସ ହତ୍ୟା କରି ଫେରାର ହୋଇଛନ୍ତି ଦୁର୍ବୃତ୍ତ । ହତ୍ୟା ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି ହତ୍ୟାକାରୀ କିଛି ସମୟ ଧରି ସୁଖଦେବଙ୍କ ସହ ଏକ ରୁମରେ କଥାବାର୍ତା ହେଉଛନ୍ତି । ହଠାତ ସିଟରୁ ଉଠି ଉଭୟ ହତ୍ୟାକାରୀ ଆଖିବୁଜା ଗୁଳିମାଡ କରି ଫେରାର ହୋଇଥିଲେ । ଯାହାକୁ ନେଇ କରଣୀ ସେନା ଉତକ୍ଷୀପ୍ତ ହୋଇ ଆଜି ରାଜସ୍ଥାନ ବନ୍ଦ ଡାକରା ଦେଇଛି। ସେହିପରି ଘଟଣାର ବିଚାରବିଭାଗୀୟ ତଦନ୍ତ ନେଇ ଦାବି କରିଛି କରଣୀ ସେନା ।
ଆଜିଠାରୁ ଓଡ଼ିଶା ମହିଳା ଲିଗ୍
ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ), ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ସହଯୋଗରେ ଓଡ଼ିଶା ମହିଳା ଲିଗ୍(ଓଡବ୍ଲ୍ୟୁଏଲ)-୨୦୨୩-୨୪ ଚଳିତ ଡିସେମ୍ବର ୬ରୁ ୨୦୨୪ ଜାନୁଆରୀ ୬ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ବରରେ ଖେଳାଯିବ। ଏଥିରେ ମୋଟ ୬ଟି ଦଳ ସ୍ପୋର୍ଟସ ଓଡ଼ିଶା, ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ, ଓଜିପି କ୍ଲବ, କିଟ୍ ଓ କିସ୍, ଆରଦୋର ଅକାଦେମୀ ଓ ନୀତା ଫୁଟବଲ ଅକାଦେମୀ ଅଂଶଗ୍ରହଣ କରିବେ।ମ୍ୟାଚ ଗୁଡ଼ିକ କଟକର ଓଟିଏମ୍ ଗ୍ରାଉଣ୍ଡ ଚୌଦ୍ବାର, ୟୁନିଟ୍-୧ ଭୁବନେଶ୍ବର ଫୁଟବଲ ଏକାଡେମୀରେ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ମୋଟ୍ ୩୦ଟି ମ୍ୟାଚ ଖେଳାଯିବ। ଲିଗ୍ ଆଧାରରେ ଶ୍ରେଷ୍ଠ ଦଳ ବିଜେତା ଆଖ୍ୟା ଅର୍ଜନ କରିବ। ବୁଧବାର ଓଟିଏମ୍ ଗ୍ରାଉଣ୍ଡରେ ଉଦ୍ଘାଟନୀ ମ୍ୟାଚରେ ଆଦୋର ଏଫ୍ଏ-କିଟ୍ ଓ କିସ୍କୁ ଭେଟିବ ବୋଲି ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି।
ଜୟୀରାଜଗୁରୁ ଓ ରାଧାନାଥ ରଥଙ୍କ ପୂଣ୍ୟତିଥି
ଖୋର୍ଦ୍ଧା ପାଇକଙ୍କର ଅପ୍ରତିଦ୍ୱନ୍ଦୀ ନେତା ଜୟୀ ରାଜଗୁରୁ। ୧୭୩୯ ମସିହା ଅକ୍ଟୋବର ୨୯ ତାରିଖରେ ପୁରୀ ନିକଟସ୍ଥ ହରେକୃଷ୍ଣପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ୧୭୮୦ ମସିହାରେ ମାତ୍ର ୪୧ ବର୍ଷ ବୟସରେ ରାଜା ଦିବ୍ୟସିଂହ ଦ୍ୱିତୀୟଙ୍କର ରାଜଗୁରୁ, ପରାମର୍ଶ ଦାତା ଏବଂ ପ୍ରଧାନ ସେନାପତି ହେଲେ । ଏ ସମସ୍ତ ଦାୟିତ୍ୱ ଖୋର୍ଦ୍ଧା ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ଶାସନ ସମୟରେ ସେ ପାଳନ କରିଥିଲେ। ଇଂରେଜ ସୈନ ହାତରେ ଧରା ପଡିବା ପରେ ୧୮୦୬ ମସିହା, ଡିସେମ୍ବର ୬ ଅର୍ଥାତ୍ ଆଜିର ଦିନରେ ଜୟୀ ରାଜଗୁରୁଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସମଗ୍ର ଦେଶ ପାଇଁ ଏହା ଏକ କଳା ଦିବସ ଥିଲା। ସେହିପରି ରାଧାନାଥ ରଥ ଏକାଧାରରେ ଜଣେ ସାମ୍ବାଦିକ, ସମ୍ପାଦକ, ସାହିତ୍ୟିକ, ଶିକ୍ଷାବିତ୍, ରାଜନେତା ଓ ସମାଜସେବୀ ଥିଲେ। ଆଜି ତାଙ୍କର ପୂଣ୍ୟତିଥିରେ ଜୀ ଓଡ଼ିଶା ପରିବାର ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ଗାଜା ସ୍ଥିତି ସଙ୍ଗୀନ, 'ହୁ'ର ବଢିଲା ଟେନସନ
ଇସ୍ରାଏଲ-ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଗାଜାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ଉଦ୍ବେଗ ପ୍ରକାଶ କରିଛି। ଇସ୍ରାଏଲ ସେନା ଏବେ ଗାଜାର ଦକ୍ଷିଣାଞ୍ଚଳ ଉପରେ ଆକ୍ରମଣ କରୁଛି। ଗାଜାର ଦକ୍ଷିଣାଞ୍ଚଳ ଖାନ ୟୁନିସି ଓ ରାଫା ସହର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଏପରିସ୍ଥିତିକୁ ନେଇ ପାଲେଷ୍ଟାଇନସ୍ଥିତ ହୁ’ର ପ୍ରତିନିଧି ରିଚାର୍ଡ ପିପେରକୋର୍ଣ୍ଣ କହିଛନ୍ତି ଯେ ଗାଜାର ପରିସ୍ଥିତି ପ୍ରତି ମୁହୂର୍ତ୍ତରେ ଜଟିଳ ହେବାରେ ଲାଗିଛି। ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଗାଜାରେ ୧୫,୮୯୦ ଲୋକଙ୍କର ମୃତ୍ୟୁ ହେଲାଣି ବୋଲି ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହି ମୃତକଙ୍କ ମଧ୍ୟରୁ ୭୦% ହେଉଛନ୍ତି ଶିଶୁ ଓ ମହିଳା। ଏହି ଯୁଦ୍ଧରେ ୪୨,୦୦୦ ନାଗରିକ ଆହତ ହେଲେଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ଆକଳନ ଉପରେ ଇସ୍ରାଏଲ ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି।