Top 10 News Today : କମିବ ବର୍ଷା, କେଜ୍ରିୱାଲ ସରକାରଙ୍କ ପାଇଁ ବଢିଲା ଅଡୁଆ ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2424495

Top 10 News Today : କମିବ ବର୍ଷା, କେଜ୍ରିୱାଲ ସରକାରଙ୍କ ପାଇଁ ବଢିଲା ଅଡୁଆ ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today : କମିବ ବର୍ଷା, କେଜ୍ରିୱାଲ ସରକାରଙ୍କ ପାଇଁ ବଢିଲା ଅଡୁଆ ଏବଂ ଅନ୍ୟ ମୁଖ୍ୟ ଖବର

H1. ୧୩ରେ ପୁଣି ଏକ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ନାହିଁ ବର୍ଷା
ଆସନ୍ତା ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ। ପରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଯଦି ଲଘୁଚାପଟି ଦକ୍ଷିଣ ପଶ୍ଚିମବଙ୍ଗରେ ସୃଷ୍ଟି ହୁଏ, ତେବେ ଏହି ୩ଟି ଜିଲ୍ଲା ସହିତ ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ୧୬ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ସ୍ବାଭାବିକଠାରୁ ଅଧା ବର୍ଷା ହୋଇପାରେ।

H2. ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶରେ ସଂଶୋଧନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ରାସନ୍‌ କାର୍ଡଧାରୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ନାଁରେ ରାସନ ସାମଗ୍ରୀ ଉଠାଯିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଠକେଇ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ରେ ରହିଥିବା ତ୍ରୁଟିର ସ‌ୁଯୋଗ ନେଇ ଏପରି ଜାଲିଆତି କରାଯାଉଛି।  ତ୍ରୁଟି ସଂ‌ଶୋଧନ ସହ ଦଣ୍ଡ ବ୍ୟବସ୍ଥା କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

H3.୭୫ଟି ନୂଆ ଏନଏସି
ରାଜ୍ୟ ସରକାର ୭୫ଟି ଗ୍ରାମ ପଞ୍ଚାୟତକୁ ଏନ୍‍ଏସି ଭାବେ ଘୋଷଣା କରିବାକୁ ଯାଉଛନ୍ତି। ଅର୍ଥାତ୍‍ ଏହିସବୁ ପ୍ରମୁଖ ଗ୍ରାମ ପଞ୍ଚାୟତ ସହରାଞ୍ଚ ମାନ୍ୟତା ପାଇବ। ସହରାଞ୍ଚଳ ଭଳି ସ୍ଥାନୀୟ ସୁବିଧା ବି ମିଳିପାରିବ। ଏନେଇ ସରକାର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତ। ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

H4.ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ପାଇଁ ବଢିଲା ଅଡୁଆ
ଦିଲ୍ଲୀ ବିଜେପି କେଜ୍ରିୱାଲ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ ଦାବିରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇଥିଲେ । ରାଷ୍ଟ୍ରପତି ଏବେ ସେହି ଚିଠିକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ସଚିବାଳୟ ଗୃହମନ୍ତ୍ରାଳୟକୁ ଚିଠିରେ ଉଲ୍ଲେଖ କରିଛି, ଏହା ଉପରେ ଉଚିତ ପଦକ୍ଷେପ ନେବା ଜରୁରୀ । ଅଗଷ୍ଟ ୩୦ ତାରିଖରେ ଦିଲ୍ଲୀ ବିଜେପିର ଏକ ପ୍ରତିନିଧା ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟି ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଦାବି କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯିବା ପରେ ସାମ୍ବିଧାନିକ ସଂକଟ ଦେଖା ଦେଇଛି । କେଜ୍ରିୱାଲ ଜେଲରେ ରହି ସରକାର ଚଳାଉଛନ୍ତି, ତୁରନ୍ତ ତାଙ୍କୁ ପଦରୁ ହଟାଯାଉ ବୋଲି ଦାୱି କରିବା ସହ ଏକ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିର ଚିଠିକୁ ଗୃହମନ୍ତ୍ରାଳୟକୁ ପଠାଇଛନ୍ତି ।

H5.ଅଶାନ୍ତ ମଣିପୁରରେ ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ଠପ୍
ହିଂସା ଓ ପ୍ରତିହିଂସାରେ ଜଳୁଥୁବା ମଣିପୁରରେ ୫ଦିନ ପାଇଁ ଇଂଟରନେଟ ସେବା ଠପ୍। ତିନି ଜିଲ୍ଲାରେ ହାଇଆଲର୍ଟ ସହ କର୍ଫ୍ୟୁ ଜାରି ହୋଇଛି। ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଛାତ୍ରଛାତ୍ରୀ ଓ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ଭିତରେ ସରକାର ସାରା ରାଜ୍ୟରେ ଅସ୍ଥାୟୀ ଭାବେ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ମଙ୍ଗଳବାର ଅପରାହ୍ଣ ୩ଟାରୁ ୫ ଦିନ ପାଇଁ ରାଜ୍ୟରେ ବ୍ରଡବ୍ୟାଣ୍ଡ, ଲିଜଲାଇନ୍ସ, ବିଏସଏଟି, ବିପିଏନ ସେବା ସମେତ ଇଂଟରନେଟ ଓ ମୋବାଇଲ ଡାଟା ସେବାକୁ ବନ୍ଦ କରି ଦେଇଛନ୍ତି। ସେହିପରି ୩ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ପୂର୍ବ ଓ ପଶ୍ଚିମ ଇମ୍ଫାଲ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହୋଇଛି କର୍ଫ୍ୟୁ।

H6.କାର୍ଯ୍ୟକୁ ଫେରିନାହାନ୍ତି ଡାକ୍ତର
ସୁପ୍ରିମକୋର୍ଟର ସମୟସୀମା ସତ୍ତ୍ୱେ କୋଲକାତାର ଆର.ଜି କର ହସ୍ପିଟାଲର ଡାକ୍ତରମାନେ କାର୍ଯ୍ୟକୁ ଫେରିନାହାଁନ୍ତି। ଏଥିସହ କୋଲକାତାର ସ୍ୱାସ୍ଥ୍ୟ ଭବନ ନିକଟରେ ଡାକ୍ତରମାନେ ବିରୋଧ କରିଛନ୍ତି। ଏହି ସମୟ ମଧ୍ୟରେ ଡାକ୍ତରୀ ଦଳ ୫ଟି ସର୍ତ୍ତ ରଖିଛନ୍ତି। ଆରଜି କର ମେଡିକାଲ କଲେଜର ଡାକ୍ତରମାନେ ଧର୍ମଘଟ ବନ୍ଦ କରିବାକୁ ପାଞ୍ଚଟି ଦାବି ଉପସ୍ଥାପନ କରିଛନ୍ତି। ଏହି ସମୟରେ ବିରୋଧ କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସେମାନଙ୍କର ପାଞ୍ଚଟି ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଧର୍ମଘଟ ଜାରି ରଖିବେ। 

H7. ଡାକ୍ତରଙ୍କୁ ନୋଟିସ ଜାରି 
ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପକ୍ଷରୁ ମୋଟ ୫୧ ଡାକ୍ତରଙ୍କୁ ନୋଟିସ ଜାରି କରାଯାଇଛି। ବୁଧବାର (ସେପ୍ଟେମ୍ବର ୧୧) ରେ ତାଙ୍କୁ ତଦନ୍ତ କମିଟିରେ ହାଜର ହେବାକୁ କୁହାଯାଇଛି। ଅନୁଷ୍ଠାନର ପରିବେଶ ପ୍ରତି ବିପଦ ସୃଷ୍ଟି କରିବା, ଉତ୍ତେଜନା ପରିସ୍ଥିତି ପାଇଁ ପ୍ରୋତ୍ସାହିତ କରିବା ଏବଂ କାର୍ଯ୍ୟ ପରିବେଶକୁ ଖରାପ କରିବା ପରି ସାଂଘାତିକ ଅଭିଯୋଗ ରହିଛି । କମିଟି ସମ୍ମୁଖରେ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ପଡ଼ିବ ବୋଲି ନୋଟିସରେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

H8. ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍
ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଆସନ୍ତା ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ। ଏହାପୂର୍ବରୁ ଏହାର ଟ୍ରାଏଲ୍ ରନ୍ ସରିଛି। ଆଉ ଏହି ସମୟର ଏକ ସୁନ୍ଦର ଭିଡିଓକୁ ପୋଷ୍ଟ୍ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆକାଶ ମାର୍ଗରୁ ନିଆଯାଇଥିବା ଭିଡିଓ ବେଶ୍ ଚତ୍ମକାର ଭାବେ ବନ୍ଦେ ଭାରତର ଗତି ଓ ଚିଲିକା କୂଳର ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରୁଛି। ଗଞ୍ଜାମ ଜିଲ୍ଲାର ପ୍ରବେଶ ପଥରେ ଥିବା ଚିଳିକା କୂଳ ଦେଇ ଯେଉଁ ସମୟରେ କ୍ଷୀପ୍ର ଗତିରେ ‘ବନ୍ଦେ ଭାରତ ଆଗକୁ ଗଡ଼ୁଛି ତାହା ଦେଖିବାକୁ ଯେତେ ମନଲୋଭା ସେତିକି ଭାରତୀୟ ରେଲୱେର ଗାରିମାକୁ ପ୍ରରିପ୍ରକାଶ କରିଛି।

H9. ମସ୍କୋ ଗସ୍ତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ
ମସ୍କୋ ଗସ୍ତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । BRICS-NSA ବୈଠକରେ ସାମିଲ ହେବା ସହ ମସ୍କୋରେ ରୁଷିଆ ପ୍ରତିନିଧି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଡୋଭାଲଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି  । ଡୋଭାଲଙ୍କ ଗସ୍ତ ସହ ଯୁଦ୍ଧରେ ବିରାମ ପାଇଁ ଭାରତ ବଡ଼ ପଦକ୍ଷେପ ନେବ ବୋଲି ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଉଭୟ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପିଏମ ମୋଦିଙ୍କ ଉପରେ ଭରସା କରିଛନ୍ତି ।

H10. ଭସାଣି ବେଳେ ଛୁରାମାଡ଼ ଜଣେ ମୃତ
ଆଠଗଡ଼: ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଖୁଣ୍ଟୁଣୀ ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଅଘଟଣ ଘଟିଥିବା ସୂଚନା ରହିଛି। ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ଼ ହୋଇଥିବା ସୂଚନା ରହିଛି। ଆଉ ୨ ଗୁରୁତର କଟକ ମେଡିକାଲରେ ଭର୍ତ୍ତି, ଗାଁରେ ଉତ୍ତେଜନା ଲାଗି ରହିଛି।