Top 10 News Today:ଆସୁଛି ଆଉ ଏକ ଲଘୁଚାପ, ଇସ୍ତଫା ଦେବେ ମମତା, ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2427712

Top 10 News Today:ଆସୁଛି ଆଉ ଏକ ଲଘୁଚାପ, ଇସ୍ତଫା ଦେବେ ମମତା, ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today:ଆସୁଛି ଆଉ ଏକ ଲଘୁଚାପ, ଇସ୍ତଫା ଦେବେ ମମତା, ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ ଏବଂ ଅନ୍ୟ ମୁଖ୍ୟ ଖବର

H1. ଆସୁଛି ଆଉ ଏକ ଲଘୁଚାପ; ୩ ଦିନ ପ୍ରବଳ ବର୍ଷିବ!
ଆସୁଛି ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବାଂଲାଦେଶ ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହୋଇପାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

H2. କଡେଇରେ ରନ୍ଧାଯାଉଛି ମହାପ୍ରସାଦ
ଅନ୍ନକ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏଠି ମହାପ୍ରସାଦ କୁଡୁଆରେ ରନ୍ଧନ କରାଯାଇଥାଏ। ଏପରିକି ମହାପ୍ରଭୁଙ୍କ ପାଖରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। ଭାରତ ବର୍ଷରେ କୌଣସି ମନ୍ଦିରରେ ଏପରି ବ୍ୟବସ୍ଥା ନାହିଁ। କିନ୍ତୁ ଶ୍ରୀକ୍ଷେତ୍ରରେ କୁଡୁଆରେ ରନ୍ଧାଯିବା ଓ ଭୋଗ ଲାଗିବା ହେଉଛି ସ୍ୱତନ୍ତ୍ର। ହେଲେ ମହାମାରୀ କରୋନା ପରେ କୁଡୁଆର ଅଭାବ ଦେଖାଦେବାରୁ କିଛି ସୁଆର ଓ ମହାସୁଆର ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଯାହାକୁ ବିରୋଧ କରିଛି ସୁଆର ଓ ମହାସୁଆର ନିଯୋଗ। ଏହା ପରମ୍ପରା ବିରୋଧୀ ବୋଲି ନିଯୋଗ କହିଛି।

H3. ସୀତାରାମ ୟେଚୁରୀଙ୍କ ପରଲୋକ
ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି। ଶୁକ୍ରବାର ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସୀତାରାମ ୟେଚୁରୀ ଆଖି ବୁଜିଛନ୍ତି। ୟେଚୁରୀ ୨୦୦୫ରୁ ୨୦୧୭ ଯାଏ ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରିଥିଲେ। 

H4. ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭାଙ୍ଗି ଯାଇଥିବା ସମସ୍ତ କଚ୍ଚା ଘର ନିମନ୍ତେ ତୁରନ୍ତ ସହାୟତା ପ୍ରଦାନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି।

H5. ଲୋକଙ୍କ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ : ମମତା ବାନାର୍ଜୀଙ୍କ ବଡ଼ ଘୋଷଣା
କୋଲକାତା: ଆରଜି କର ମେଡିକାଲ କଲେଜ ମାମଲାରେ ଚାପରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଏହି ପଦ ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ। ଲୋକଙ୍କ ପାଇଁ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ଏହି ପଦ ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ। ଲୋକଙ୍କ ପାଇଁ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ଗୁରୁବାର ସନ୍ଧ୍ୟାରେ ମମତା ବାନାର୍ଜୀ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସହ ବୈଠକ ପାଇଁ ପହଞ୍ଚିଥିଲେ। ଏହି ସମୟରେ ଡାକ୍ତରମାନେ ବୈଠକର ସିଧା ପ୍ରସାରଣ ଦାବିରେ ଅଟଳ ରହିଥିଲେ ମଧ୍ୟ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଏହା ସମ୍ଭବ ହୋଇପାରିନଥିଲା। ଏଭଳି ସ୍ଥିତିରେ କନିଷ୍ଠ ଡାକ୍ତର ମମତାଙ୍କୁ ଭେଟିବାକୁ ଆସିନଥିଲେ। ଏହି ବୈଠକ ବିଫଳ ହେବା ପରେ ମମତା ବାନାର୍ଜୀ ତାଙ୍କ ଇସ୍ତଫା ବିଷୟରେ କହିଛନ୍ତି। ଆରଜି କର ମେଡିକାଲ କଲେଜର ଡାକ୍ତରଙ୍କ ହତ୍ୟା ମାମଲାରେ ସେ ବି ନ୍ୟାୟ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

H6. ମମତାଙ୍କୁ ବହିଷ୍କାର କଲେ ରାଜ୍ୟପାଳ
କୋଲକତାସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନିମନ୍ତେ ପ୍ରସ୍ତତ ଥିବା ଘୋଷଣା କରିଥିଲେ ମମତା ବାନାର୍ଜୀ । ଏହାପରେ ବି ଥମୁନି ବିବାଦ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମାଜିକ ବହିଷ୍କାର କରିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ।ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନିମନ୍ତେ ପ୍ରସ୍ତୁତ ଥିବା ନେଇ ଘୋଷଣା କରିବାର କିଛି ଘଣ୍ଟା ପରେ ରାଜ୍ୟପାଳଙ୍କ ଭିଡିଓ ସୋଶାଲ ମିଡିଆରେ ଅପଲୋଡ ହୋଇଛି। 

H7. ବାଂଲାଦେଶରେ ହେବନି ଦୁର୍ଗାପୂଜା
ବାଂଲାଦେଶର ନୂତନ ଆନ୍ତରିଣ ସରକାର ଦେଶର ହିନ୍ଦୁମାନଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ନମାଜ ଏବଂ ଆଜାନ ସମୟରେ ହିନ୍ଦୁମାନଙ୍କୁ ଦୁର୍ଗା ପୂଜା କାର୍ଯ୍ୟକଳାପ ବନ୍ଦ କରିବାକୁ କୁହାଯାଇଛି। ବିଶେଷକରି ଆଜାନ ଓ ନମାଜ ସମୟରେ ଦୁର୍ଗା ପୂଜା ସହ ଜଡିତ କାର୍ଯ୍ୟକଳାପ ବନ୍ଦ କରିବାକୁ ସରକାର ହିନ୍ଦୁ ସମ୍ପ୍ରଦାୟକୁ କୁହାଯାଇଛି।

H8. କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ
ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ୧୨ ସେପ୍ଟେମ୍ବରରେ ଓଡି଼ଶାର ଚାନ୍ଦିପୁର ଉପକୂଳରୁ ସର୍ଟ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲକୁ (VL-SRSAM) ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ସ୍ୱଦେଶୀ ଅଟେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ନୌବାହିନୀ ଯୁଦ୍ଧ ଜାହାଜରେ ଭୂଲମ୍ବ ଲଞ୍ଚ ସିଷ୍ଟମରେ ସ୍ଥାପିତ ହୋଇଛି। ତେଣୁ ଏହାକୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ ମଧ୍ୟ କୁହାଯାଏ।

H9. ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ
ବ୍ରିକ୍ସ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ସମୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି ଭାରତର ଏନଏସଏ ଅଜିଭ ଡୋଭାଲ। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଆଲୋଚନା ସମ୍ପର୍କରେ ସେ ପୁଟିନଙ୍କୁ ଅବଗତ କରାଇଛନ୍ତି। ଏଥିସହ ୟୁକ୍ରେନ ସହ ଶାନ୍ତି ପ୍ରତିଷ୍ଠାର ଯୋଜନା ସମ୍ପର୍କରେ ମଧ୍ୟ ପୁଟିନଙ୍କୁ ଜଣାଇଥିବା କୁହାଯାଉଛି।ଡୋଭାଲ ଓ ପୁଟିନ ହାତ ମିଳାଉଥିବା ଏବଂ ଆଲୋଚନା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଭାରତରେ ଥିବା ରୁଷ ଦୂତାବାସ ପକ୍ଷରୁ ପୁଟିନ-ଡୋଭାଲ ଭେଟଘାଟର ଫଟୋ ଶେୟାର କରାଯାଇଛି।

H10. କୋରିଆକୁ ମାତ ଦେଲା ଭାରତୀୟ ହକି ଟିମ
ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଟିମରେ ବିଜୟ ଧାରା ଜାରି ରହିଛି। ଏଯାଏ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଭାରତ ଆଜି ୪ର୍ଥ ମୁକାବିଲାରେ କୋରିଆକୁ ୩-୧ ଗୋଲରେ ମାତ ଦେଇଛି। ବୁଧବାର କ୍ରମାଗତ ହ୍ୟାଟ୍ରିକ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରି ସାରିଥିବା ଭାରତ ଆଜି ଆଉ ଏକ ବିଜୟ ସହ ଶୀର୍ଷରେ ନିଜକୁ ଆହୁରି ମଜବୁତ କରିଛି। ଏବେ ଶେଷ ଗ୍ରୁପ ମ୍ୟାଚ୍‌ରେ(ଶନିବାର) ଭାରତୀୟ ହକି ଟିମ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।