Sandeshkhali Case: ସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କଲିକତା ହାଇକୋର୍ଟ
Advertisement
Article Detail0/zeeodisha/odisha2198063

Sandeshkhali Case: ସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କଲିକତା ହାଇକୋର୍ଟ

Calcutta High Court: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ। ଏହି ମାମଲାର ତଦନ୍ତ ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ହେବ। 

Sandeshkhali Case: ସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କଲିକତା ହାଇକୋର୍ଟ

Calcutta High Court ordered CBI Probe in Sandeshkhali Case: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ। ଏହା ସହିତ କଲିକତା ହାଇକୋର୍ଟ ମଧ୍ୟ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ନିଜ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର (ଅପ୍ରେଲ ୧୦) ହାଇକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ହେବ। ଏହି ମାମଲାରେ ସେଠାକାର ଲୋକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସେମାନଙ୍କ ଅଭିଯୋଗ ସିଧାସଳଖ କହିପାରିବେ। ଏକ ପୋର୍ଟାଲ୍ ତିଆରି କରିବାକୁ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସିବିଆଇ ଜମି ଦଖଲ, ବଳାତ୍କାର, କୃଷି ଜମି ହସ୍ତାନ୍ତର ସମେତ ସମସ୍ତ ଅଭିଯୋଗ ଉପରେ ତଦନ୍ତ କରିବ। ଏହି ତଦନ୍ତ କଲିକତା ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ହେବ। 

ମେ ୨ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି
ଏହା ସହିତ ପ୍ରଭାବିତ ଅଞ୍ଚଳରେ ୧୫ ଦିନ ମଧ୍ୟରେ ସିସିଟିଭି କ୍ୟାମେରା ଲଗାଇବାକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଏହି ଅଞ୍ଚଳରେ ଏଲଇଡ଼ି ଲାଇଟ୍ ଲଗାଇବା ଏବଂ ମାମଲାର ସମସ୍ତ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨ ତାରିଖରେ କରିବେ କଲିକତା ଉଚ୍ଚ ନ୍ୟାୟାଳୟ। ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ଅବସ୍ଥିତ  ସନ୍ଦେଶଖାଲି ବେଶ କିଛି ଦିନ ହେବ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ଗତକାଲି (ଅପ୍ରେଲ ୯) ସକାଳେ ଏକ ପୋଲିସ ଶିବିର ଉପରେ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି।

ସିବିଆଇ ପାଇଲା ସ୍ୱତନ୍ତ୍ର କ୍ଷମତା
ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ। ଏକ ଗୁରୁତ୍ୱପୂର୍ଣ୍ଣ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାର ତଦନ୍ତ ପାଇଁ ସିବିଆଇ ରାଜ୍ୟ ସରକାରଙ୍କ ଯେକୌଣସି ରାଙ୍କ ଅଧିକାରୀଙ୍କୁ ସନ୍ଦେଶଖାଲି ମାମଲାର ତଦନ୍ତ ପାଇଁ ଡାକିବ। ସେହି ଦିନ ସିବିଆଇ ଟିମ୍ ମଧ୍ୟ ଏହାର ରିପୋର୍ଟ କୋର୍ଟ ଠାରେ ଦାଖଲ କରିବ।

ସନ୍ଦେଶଖାଲିରେ କ'ଣ ହୋଇଥିଲା?
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ଅବସ୍ଥିତ ସନ୍ଦେଶଖାଲି ବିଗତ ୪ ମାସ ଧରି କ୍ରମାଗତ ଭାବରେ ଚର୍ଚ୍ଚାର ରହିଆସିଛି। ଟିଏମସି ନେତା ଶାହାଜହାଁ ଶେଖ ଏବଂ ତାହାର ଲୋକଙ୍କ ବିରୋଧରେ ବଳାତ୍କାର ଏବଂ ଜମି ଜବରଦଖଲ କରୁଥିବା ନେଇ ସନ୍ଦେଶଖାଲି ଅଞ୍ଚଳର ମହିଳା ଗୁରୁତର ଅଭିଯୋଗ ଆଣିଥିଲେ। ଏହା ସହିତ ଟିଏମସି ନେତା ଶାହାଜହାଁ ଶେଖଙ୍କ ଠିକଣା ଉପରେ ଚଢାଉ କରିବାକୁ ଆସିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଉପରେ ଶାହାଜହାଁ ଶେଖ ସମର୍ଥକ ଆକ୍ରମଣ କରିଥିଲେ। ସେହି ସମୟରେ ଅନୁସନ୍ଧାନକାରୀ ସଂସ୍ଥାର ଜଣେ ଅଧିକାରୀଙ୍କ ଆହତ ହୋଇଥିଲେ। ଗତ ଜାନୁଆରୀ ୨ ତାରିଖରେ ସନ୍ଦେଶଖାଲି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସନ୍ଦେଶଖାଲି ଘଟଣାର ତଦନ୍ତ ସିଆଇଡି ଦ୍ୱାରା କରିବାକୁ ଚାହୁଁଥିଲେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ସରକାର। ହେଲେ କେନ୍ଦ୍ରୀୟ ଏଜେନ୍ସି ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଥିଲା ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି। ଟିଏମସି ନେତା ଶାହାଜହାଁ ଶେଖ ବିରୋଧରେ ଇଡି ଗିରଫ ୱାରେଣ୍ଟ ଜାରି କରିଛି। ହେଲେ ଲୁକଆଉଟ୍ ନୋଟିସ୍ ଜାରି ହେବା ସତ୍ତ୍ୱେ ଦୀର୍ଘ ଦିନ ଫେରାର ରହିଥିଲା ଶାହାଜହାଁ ଶେଖ। ଅନେକ ଥର ନୋଟିସ ଜାରି ହେବା ସତ୍ତ୍ୱେ ଟିଏମସି ନେତା ଜଣଙ୍କ କୌଣସି ଜବାବ ଦେଇନଥିଲା। ପରେ ଏହି କଲିକତା ଉଚ୍ଚ ନ୍ୟାୟାଳୟଙ୍କ କଠୋର ମନ୍ତବ୍ୟ ଏବଂ ଟିଏମସି ସରକାରଙ୍କୁ ସମାଲୋଚନା ଶରବ୍ୟ ପାଲଟିବା ପରେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜହାଁ ଶେଖ ପୋଲିସ ହାତରେ ଧରାପଡିଥିଲା। ଏହାପୂର୍ବରୁ ସନ୍ଦେଶଖାଲି ଅଞ୍ଚଳର ସ୍ଥାନୀୟ ମହିଳା ଟିଏମସି ନେତା ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ଗୁରୁତର ଅଭିଯୋଗ ଆଣିଥିଲେ।