)
Divya Pahuja Case: ହତ୍ୟାକାଣ୍ଡ ଘଟିବାର ୧୧ ଦିନ ପରେ ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତଦେହକୁ ଖୋଜିବା ପାଇଁ ୨୫ ଜଣ NDRF ଯବାନ ପଟିଆଲା ନିକଟରେ ପହଞ୍ଚିଥିଲେ । ଗୁରୁଗ୍ରାମ ଏବଂ ପଞ୍ଜାବ ପୋଲିସ ମିଳିତ ଭାବରେ ଏନଡିଆରଏଫ ଟିମ୍ ସହିତ ପଟିଆଲା ଠାରୁ ଖାନୌରୀ ସୀମା ପର୍ଯ୍ୟନ୍ତ ଏକ କେନାଲରେ ମୃତଦେହଟିକୁ ଖୋଜିଥିଲେ। ହରିୟାଣାର ତୋହାନା କେନାଲରୁ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରିଥିଲେ ଟିମ୍ । ମୃତଦେହକୁ କେନାଲରୁ ଉଦ୍ଧାର ହେବା ପରେ ପୋଲିସ ଏହାର ଫଟୋ ଉଠାଇଥିଲା ପରେ ଦିବ୍ୟାଙ୍କ ପରିବାର ସଦସ୍ୟଙ୍କୁ ଫଟୋ ପଠାଇବା ପରେ ପରିବାର ଲୋକେ ଶବ ଚିହ୍ନଟ କରିଥିଲେ ।
ଆପଣଙ୍କୁ କହିରଖୁଛୁ ଯେ ଜାନୁୟାରୀ ୨ ତାରିଖରେ ଗୁରୁଗ୍ରାମର ସିଟି ପଏଣ୍ଟ ହୋଟେଲର ୧୧୧ ନମ୍ବର ରୁମରେ ଦିବ୍ୟାଙ୍କୁ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା। ଏହି ଘଟଣାରେ ହୋଟେଲ ମାଲିକ ଅଭିଜିତ ସିଂ ନିୟୋଜିତ ଥିଲେ ବୋଲି କୁହାଯାଉଥିଲା । ପରେ ତଦନ୍ତ ଆଗକୁ ବଢିବା ଦ୍ୱାରା ଅଡୁଆ ସୁତାର ଖିଅକୁ ଗୋଟି ଗୋଟି କରି କାଢିଥିଲା ପୋଲିସ । ଏହି ମାମଲାରେ ବଳରାଜ ନାମକ ଜଣେ ଯୁବକକୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଥିଲା । ବଳରାଜ ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ପୋଲିସକୁ ସୂଚନା ମିଳିଥିଲା । ବଳରାଜକୁ ଅଧିକ ପଚରାଉଚରା କରିବା ପରେ ହରିୟାଣା ପୋଲିସକୁ ଏକ ସଫଳତା ମିଳିଥିଲା । ଫଳରେ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଉଦ୍ଧାର କରିବାରେ ପୋଲିସକୁ ସଫଳତା ମିଳିଛି । ବଳରାଜ ପୋଲିସ ସାମ୍ନାରେ ସମସ୍ତ କଥା ସ୍ୱିକାର କରିଥିଲେ । ବଳରାଜ ପୋଲିସ ଆଗରେ କହିଥିଲା ଯେ, ହତ୍ୟା ପରେ ସେ ଦିବ୍ୟଙ୍କ ମୃତଦେହକୁ ହରିୟାଣାର ତୋହାନା କେନାଲରେ ଫିଙ୍ଗି ଦେଇଥିଲା।
ଅନ୍ୟପଟେ ଏହା ମଧ୍ୟ ସୂଚନା ମିଳିଛି ଯେ, ହତ୍ୟାକାଣ୍ଡ ପରେ ବଳରାଜ ଦେଶ ଛାଡି ବ୍ୟାଙ୍କକକୁ ପଳାଇବାକୁ ଯୋଜନା କରିଥିଲେ । କିନ୍ତୁ ତା ପୂର୍ବରୁ କୋଲକାତା ବିମାନବନ୍ଦରରୁ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ବଳରାଜ ଗିଲ ଦିବ୍ୟାଙ୍କ ମୃତଦେହକୁ ତାଙ୍କ ମାଲିକ ଅଭିଜିତଙ୍କ ବିଏମଡବ୍ଲୁ କାରରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଥିଲେ । ଏହି କାମରେ ରବି ବଙ୍ଗା ନାମକ ଯୁବକ ତାଙ୍କୁ ସାହାଯ୍ୟ କରିଥିଲେ । ଅଭିଜିତ୍ ସିଂ ଏବଂ ତାଙ୍କ ହୋଟେଲର ଦୁଇଜଣ କର୍ମଚାରୀ ଦିବ୍ୟାଙ୍କ ମୃତଦେହକୁ ଏକ କମ୍ବଳରେ ଗୁଡ଼ାଇ ବିଏମଡବ୍ଲୁ କାରରେ ରଖିଥିଲେ। ଦିବ୍ୟାଙ୍କ ମୃତଦେହକୁ ଫିଙ୍ଗିବା ପାଇଁ ଅଭିଜିତ୍ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଦିବ୍ୟାଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ରାଇମ ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କ ହାତ ଅଛି ବୋଲି ସୂଚନା ଦେଇଛି । ସେମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଅଭିଜିତ ସିଂ, ହେମରାଜ, ଓମ ପ୍ରକାଶ, ମେଘା, ବଳରାଜ ଗିଲ ଏବଂ ରବି ବଙ୍ଗାଙ୍କ ନାମ ରହିଛି। ସମସ୍ତ ଅଭିଯୁଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ୨୭ ବର୍ଷୀୟ ଦିବ୍ୟା ପାହୁଜା ଗୁରୁଗ୍ରାମର ବଳଦେବ ନଗରରେ ରହୁଥିଲେ । ତାଙ୍କ ସାନ ଭଉଣୀ ନୈନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜାନୁଆରୀ ୨ ତାରିଖରେ ସେ ଶେଷ ଥର ପାଇଁ ଦିବ୍ୟାଙ୍କ ସହ କଥା ହୋଇଥିଲେ । ଦିବ୍ୟା ସେଦିନ କହିଥିଲେ ଯେ, ସେ ଅଧ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବେ, କିନ୍ତୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ନଫେରିବା କାରଣରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ନୈନା ଏନେଇ ଗୁରୁଗ୍ରାମର ସେକ୍ଟର -୧୪ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ । ପୋଲିସ ନୈନାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।