Indian Railway World Cup 2023: ଆସନ୍ତା ୧୪ ତାରିଖରେ ଅହମ୍ମଦାବାଦ ଠାରେ ଅନୁଷ୍ଠିତ ହେଉଥିବା ଭାରତ-ପାକିସ୍ତାନ ମ୍ୟାଚ ଲାଗି କ୍ରିକେଟ୍ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛି ଭାରତୀୟ ରେଳବାଇ।
Trending Photos
India-Pakistan World Cup Match 2023: ଅକ୍ଟୋବର ୧୪ ତାରିଖ ଶନିବାର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଏହି କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍ ଲାଗି ବିଶେଷ ପ୍ରସ୍ତୁତି କରିଛି ଭାରତୀୟ ରେଳବାଇ। ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଦେଖୁଥିବା ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମୁମ୍ବାଇ ସେଣ୍ଟ୍ରାଲ୍ ଏବଂ ଅହମ୍ମଦାବାଦ ମଧ୍ୟରେ ଏକ ସ୍ୱତନ୍ତ୍ର ସୁପରଫାଷ୍ଟ ଟ୍ରେନ୍ ଚଳାଚଳ କରିବ। ପଶ୍ଚିମ ରେଳବାଇ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି।
ଏନେଇ ପଶ୍ଚିମ ରେଳବାଇ (Western Railway) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ ସ୍ୱତନ୍ତ୍ର ଟ୍ରେନ (Mumbai Central-Ahmedabad Special Train) ଶୁକ୍ରବାର ରାତି ୦୯.୩୦ ସମୟରେ ମୁମ୍ବାଇ ସେଣ୍ଟ୍ରାଲ (Mumbai Central Railway Station) ଠାରୁ ପ୍ରସ୍ଥାନ କରିବ। ଏହାର ପରଦିନ ସକାଳ ୦୫:୩୦ ସମୟରେ ଅହମ୍ମଦାବାଦ (Ahmedabad Railway Station) ଠାରେ ପହଞ୍ଚିବ। ସେହିଭଳି ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ ସ୍ୱତନ୍ତ୍ର ଟ୍ରେନ ରବିବାର ଭୋର ୦୪:୦୦ ସମୟରେ ଅହମ୍ମଦାବାଦ ଠାରୁ ଯାତ୍ରା କରିବ। ସେହି ଦିନ ମଧ୍ୟାନ୍ନ ୧୨:୩୦ ସମୟରେ ମୁମ୍ବାଇ ସେଣ୍ଟ୍ରାଲ ଠାରେ ପହଞ୍ଚିବ।
ଏହି ଟ୍ରେନ୍ ପାଇଁ ସ୍ୱତନ୍ତ୍ର ଭଡା ଆଦାୟ କରାଯିବ ବୋଲି କୁହାଯାଇଥିଲା। ଏହି ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟରେ ଏସି ୨-ଟାୟାର, ଏସି ୩-ଟାୟାର, ସ୍ଲିପର କ୍ଲାସ ଏବଂ ଜେନେରାଲ କୋଚ୍ ରହିବ। ବିଶ୍ୱକପ୍ ଲାଗି କ୍ରିକେଟ ପ୍ରେମୀଙ୍କୁ ସେବା ଯୋଗାଇବାକୁ ଯାଉଥିବା ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ ସ୍ୱତନ୍ତ୍ର ଟ୍ରେନ ଦାଦର, ବୋରିଭାଲୀ, ପାଲଘର, ଭାପି, ଭାଲସାଦ, ନାଭସାରି, ସୁରଟ ଏବଂ ଭଦୋଦରା ଷ୍ଟେସନ ଠାରେ ରହଣୀ କରିବ। ଅକ୍ଟୋବର ୧୨ ତାରିଖ ଗୁରୁବାର ଠାରୁ ସମସ୍ତ ସାର୍ବଜନୀନ ସଂରକ୍ଷଣ କେନ୍ଦ୍ରରେ (Public Reservation Service Counter) ଏବଂ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (Indian Railway Catering and Tourism Corporation) ଆଇଆରସିଟିସି (IRCTC) ୱେବସାଇଟ ଠାରେ ବୁକିଂ ଆରମ୍ଭ ହେବ।
ଆପଣଙ୍କୁ କହିରଖୁଛୁ ଯେ ଅକ୍ଟୋବର ୧୧ ତାରିଖ ବୁଧବାର ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଭାରତ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରିଥିଲା। ପୂର୍ବରୁ ଅକ୍ଟୋବର ୮ ତାରିଖ ରବିବାର ଚେନ୍ନାଇ ଚିଦାମ୍ବରମ୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଟିମ୍ ଇଣ୍ଡିଆ ଭାରତ ଅଷ୍ଟ୍ରେଲିଆ ଦଳକୁ ୬ ୱିକେଟ୍ ରେ ପରାସ୍ତ କରିଛି। ଆସନ୍ତା ୧୪ ତାରିଖ ଶନିବାର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।
ଚଳିତ ବିଶ୍ୱକପ୍ ମୁକାବିଲାରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱକପ୍ ରେ ଅଷ୍ଟ୍ରେଲିଆ ବିପକ୍ଷ ଉଦଘାଟନୀ ମ୍ୟାଚରେ ସ୍ମରଣୀୟ ବିଜୟ ପଞ୍ଜିକରଣ କରିବା ପରେ ଆମର କ୍ରିକେଟ୍ ଦଳ ଆଫଗାନିସ୍ତାନ ଉପରେ ଏକ ଚମତ୍କାର ବିଜୟ ସହ ଏହାର ସର୍ବୋତ୍ତମ ପ୍ରଦର୍ଶନ ଜାରି ରଖିଛି। ମ୍ୟାଚ ଜିତିଥିବାରୁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଉଛି।