Live Now

Odisha News Live Updates: ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
26 June 2024 10:13 PM (IST)

Odisha News LIve Updates: ୨ ଯବାନଙ୍କୁ ହତ୍ୟା କରିଥିବା ୬ ନକ୍ସଲ ଗିରଫ
ଗତ ୨୩ ତାରିଖରେ ଛତିଶଗଡ଼ର ସୁକମା ଅଂଚଳର ଟେକଲଗୁଡା ଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଦୁଇ ଜଣ ଯବାନଙ୍କୁ ହତ୍ୟା କରିଥିବା ୬ ଜଣ ନକ୍ସଲଙ୍କୁ ଗିରଫ କରିଛି ସୁକମା ପୁଲିସ। ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ ପରେ ପୁଲିସ ସର୍ଚ୍ଚଅପରେସନକୁ ଜୋରଦାର କରିଥିଲା। ଫଳରେ ଏହି ଘଟଣାରେ ସଂପୃକ୍ତ ଥିବା ୬ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବା ପରେ ସେମାନଙ୍କ ଠାରୁ ବହୁ ମାତ୍ରାରେ ବିସ୍ପୋରକ ଜବତ କରିଛି। ଏସପି କିରଣ ଚୌହାନଙ୍କ କହିବା ଅନୁଯାୟୀ ଏମାନେ ଯବାନଙ୍କ ଗାଡି ଉପରେ ନଜର ରଖିଥିଲେ। ଗାଡି କେତେବେଳେ ଯାଉଛି କେତେବେଳେ ଆସୁଛି ସବୁ ନଜର ରଖି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ୨୩ ତାରିଖରେ କୋବ୍ରା ଯବାନଙ୍କ ଗାଡି ରାସନ ସାମାନ ଆଣିବା ପାଇଁ ଯାଇ ଫେରୁଥିବା ବେଳେ ନକ୍ସଲ ଏହି ଗାଡିକୁ ଟାର୍ଗେଟ କରିଥିଲେ। ଫଳରେ ୨ ଜଣଯବାନ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।

26 June 2024 10:12 PM (IST)

Odisha News Live Updates: ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟି ନେତାଙ୍କ ଦେହାନ୍ତ
ମାଓ ସଂଗଠନର ଆଗଧାଡିର ତଥା କେନ୍ଦ୍ରୀୟ କମିଟିର ପୋଲିଟ ବ୍ୟୁର ସଦସ୍ୟ କମ୍ରେଡ ମଟକମ ସୁଦର୍ଶନ ଅରଫ ଆନନ୍ଦଙ୍କର ଦେହାନ୍ତ ହୋଇଥିବା ନେଇ ଆଜି ମାଓ ସଂଗଠନ ପକ୍ଷରୁ ୩୨ ପୃଷ୍ଠା ସମ୍ବଳିତ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କମ୍ରେଡ ଆନନ୍ଦ ଗତ କିଛି ବର୍ଷ ହେଲା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିଲେ। ସେ ତେଲେଙ୍ଗାନା ଓ ଦଣ୍ଡକାରଣ୍ୟ ସୀମାରେ ଗରିଲା ଭେଷରେ ରହୁଥିଲେ ଓ ତାଂକର ଦେହାନ୍ତ ହୋଇଥିଲା। ଗତ ୫ ଦଶକ ଧରି ସେ ମାଓ ସଂଗଠନ ସହ ଜଡିତ ଥିଲେ। ମାଓ ସଂଗଠନର ଯେତେ ଆଗଧାଡିର ନେତା ଓ କମ୍ରେଡ ରହିଛନ୍ତି ତାଂକ ମଧ୍ୟରୁ ଆନନ୍ଦ ଅନ୍ୟତମ।

 

26 June 2024 08:49 PM (IST)

Odisha News Live Updates: ଶ୍ୱଶୁରଙ୍କୁ ମାରିଦେଲା ବୋହୂ
ରାଜସ୍ଥାନର ଭରତପୁର ଜିଲ୍ଲାର ଭୁସାୱାର ଅଞ୍ଚଳରେ ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିବା ଶ୍ୱଶୁରଙ୍କୁ ବୋହୂ ନିଜର ପ୍ରେମିକଙ୍କ ସହିତ ମିଶି ହତ୍ୟା କରିଥିଲେ। ଆଜି ପୁଲିସ ହତ୍ୟାକାଣ୍ଡର ଖୁଲାସା କରି ଅଭିଯୁକ୍ତ ବୋହୂ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ବାସ୍ତବରେ ଭରତପୁରର ଖାନପୁର ଗ୍ରାମ ନିବାସୀ ୭୨ ବର୍ଷୀୟ ରଘୁନାଥ ସିଂ ଜୁନ୍ ୧୫ରେ ବାଇକରେ ପଡୋଶୀ ଗ୍ରାମ ବିଜୱାରୀକୁ ଯାଇଥିଲେ, କିନ୍ତୁ ନିଜ ଗାଁକୁ ଫେରିନଥିଲେ। ଜୁନ୍ ୧୬ ରାସ୍ତା କଡ଼ରେ ତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାର ସୂଚନା ପୁଲିସକୁ ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲା।

26 June 2024 08:47 PM (IST)

Odisha News Live Updates: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବି ମାନିଲେନି ପୋଲିସ ଅଧିକାରୀ
କିଛି ଦିନ ଆଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପୁଲିସ୍ ମୁଖିଆଙ୍କୁ ଡାକି କହିଥିଲେ, ଅଭିଯୋଗ ନେଇ ଥାନାକୁ ଆସୁଥିବା ଜନତାଙ୍କୁ ପୁଲିସ୍ ବାବୁ ଭଲ ବ୍ୟବହାର ଦେଖାନ୍ତୁ। ହେଲେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ଖାକି ବର୍ଦ୍ଦିର ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମହିଳାଙ୍କୁ ମାରପିଟ୍ କରିବା ପରେ ଅଖାବସ୍ତା ଭଳି ଟେକି ଟେକି ନେଉଛନ୍ତି ପୁଲିସ୍ ବାବୁ। ନା’ ନିୟମ୍ କାନୁନ୍କୁ ଖାତିର୍, ନା’ ମାନବିକତାକୁ ସମ୍ମାନ।

26 June 2024 08:47 PM (IST)

Odisha News Live Updates: ରଥଯାତ୍ରା ସମନ୍ୱୟ ବୈଠକ: ଅଂଶୁଘାତ ମୁକାବିଲା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି। ହାତରେ ସମୟ କମ୍ ଥିବାରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହାରି ଭିତରେ ବୁଧବାର ଦ୍ୱିତୀୟ ସମନ୍ୱୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଶୃଙ୍ଖଳିତ ନୀତିକାନ୍ତି ଓ ଆଇନଶୃଙ୍ଖଳା କିପରି ବଜାୟ ରହିବ, ସେ ନେଇ ଆଲୋଚନା ହୋଇଛି। ରଥଯାତ୍ରା ବେଳେ ଟ୍ରାଫିକ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଯେହେତୁ ଏଥର ଦୁଇଦିନ ଧରି ରଥଟଣା ହେବ, ତେଣୁ ଟ୍ରାଫିକ ପରିଚାନଳା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆବଶ୍ୟକୀୟ ପୁଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ଓ ୧୮ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହାସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସହ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ମଧ୍ୟ କରାଯାଇଛି। ଅପରାଧୀଙ୍କୁ ଚିହ୍ନଟ ପାଇଁ ଏଆଇ ଟେକ୍ନୋଲୋଜିର ସହାୟତା ନିଆଯିବ।

26 June 2024 08:45 PM (IST)

Odisha News Live Updates: ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ମନୋଜ ତିୱାରୀ
୧୮ତମ ଲୋକସଭାର ପ୍ରଥମ ଅଧିବେଶନର ତୃତୀୟ ଦିନରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଓମ ବିର୍ଲା ଲୋକସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସଂସଦରେ ଉପସ୍ଥାପିତ ଜରୁରୀକାଳୀନ ପ୍ରସ୍ତାବକୁ ନେଇ ଓମ ବିର୍ଲା କଂଗ୍ରେସକୁ ଟାର୍ଗେଟ କରିଥିଲେ ଏବଂ ସମସ୍ତେ ଦୁଇ ମିନିଟ୍ ନୀରବ ରହିଥିଲେ। ବିରୋଧୀ ଏହାକୁ ନେଇ ହଙ୍ଗାମା ସୃଷ୍ଟି କରିଥିଲେ। ସଂସଦ ବାହାରେ ବିଜେପି ସାଂସଦ ମନୋଜ ତିୱାରୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

26 June 2024 04:38 PM (IST)

Odisha News LIve Updates: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ହକି ଇଣ୍ଡିଆ ପୁରୁଷ ଦଳ ଘୋଷଣା
ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏହି ତାଲିକାରେ ୫ ଜଣ ଡେବ୍ୟୁାଣ୍ଟ ରହିଛନ୍ତି। ଦଳର ନେତୃତ୍ବ ହରମାନପ୍ରୀତ୍ ସିଂ ନେବେ। ଉପଅଧିନାୟକ ଭାବରେ ହାର୍ଦ୍ଦିକ ସିଂଙ୍କୁ ଦଳର ସାମିଲ କରାଯାଇଛି। ଅଲମ୍ପିକ୍ସ ଦଳରେ ଅମିତ ରୋହିଦାସ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସାମିଲ ହୋଇଛନ୍ତି। ଜରମାନପ୍ରୀତ ସିଂ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂ ଏହି ପାଞ୍ଚ ଖେଳାଳି ପ୍ୟାରିସରେ ଅଲିମ୍ପିକ୍ ପଦାର୍ପଣ କରିବାକୁ ଯାଉଛନ୍ତି। ସେହିପରି ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ:

ଗୋଲକିପର: ପିଆର ଶ୍ରୀଜେଶ
ଡିଫେଣ୍ଡର: ଜରମନପ୍ରୀତ ସିଂ, ଅମିତ ରୋହିଦାସ, ହରମାନପ୍ରୀତ ସିଂ, ସୁମିତ, ସଞ୍ଜୟ
ମିଡଫିଲ୍ଡର: ରାଜକୁମାର ପାଲ, ଶ୍ୟାମଶର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ
ଫରୱାର୍ଡ: ଅଭିଷେକ, ସୁଖଜିତ ସିଂ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁରୁଜନ୍ତ ସିଂ
ବିକଳ୍ପ: ନୀଲକାନ୍ତ ଶର୍ମା, ଯୁଗରାଜ ସିଂ, କୃଷ୍ଣ ବାହାଦୂର ପାଠକ (ଗୋଲକିପର) 

26 June 2024 04:37 PM (IST)

Odisha News Live Updates: ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ହିନ୍ଦୀଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: କୁଳପତି
ହିନ୍ଦୀ ସାହିତ୍ୟ ସମ୍ମିଳନୀ ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହିନ୍ଦୀ ସାହିତ୍ୟ ସମ୍ମିଳନୀର ୭୫ତମ ଜାତୀୟ ଅଧିବେଶନ ୨୦୨୪ ଜୁନ୍ ୨୫ ତାରିଖରେ ବିଶ୍ବବିଦ୍ୟାଳୟ ପରିସରରେ ଏକ ଖୋଲା ଅଧିବେଶନ ସହିତ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦ୍‌ବୋଧନ ଦେଇ କହିଲେ, ଦେଶକୁ ଏକଜୁଟ କରିବାରେ ହିନ୍ଦୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେ ହିନ୍ଦୀ ଭାଷୀ ଅଞ୍ଚଳର ଲୋକଙ୍କୁ ସାଂସ୍କୃତିକ ସଂଯୋଜକ ଭାବରେ କାର୍ଯ୍ୟ କରିବାକୁ ଏବଂ ଅନ୍ୟ ଭାରତୀୟ ଭାଷା ଏବଂ ସଂସ୍କୃତିକୁ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

26 June 2024 04:36 PM (IST)

Odisha News Live Updates: ଭୁବନେଶ୍ବରରେ ଛେଚିଲା: ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଜାରି ରହିବ ବର୍ଷା
ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍‌ଣରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଦିନ ପ୍ରାୟ ୧ଟାରୁ ଆରମ୍ଭ ହୋଇଥିବା ବର୍ଷା ଅଢ଼େଇ ଘଣ୍ଟା ଯାଏଁ ଛେଚିଛି। ବର୍ଷା ଯୋଗୁଁ ରାସ୍ତାରେ ଜଳ ପ୍ରବାହିତ ହୋଇଛି। ଇସ୍କନ ମନ୍ଦିର ସମ୍ମୁଖ, ପୁରୁଣା ଭୁବନେଶ୍ବରର କିଛି ରାସ୍ତା, କଟକରୋଡସ୍ଥିତ ବମିଖାଲରେ ବର୍ଷା ପାଣି ୧ରୁ ୨ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହୋଇଛି। ଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକେ ନାହିଁ ନଥିବାର ହଇରାଲ ହୋଇଛନ୍ତି। ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଡ୍ରେନ୍‌ଗୁଡ଼ିକ ସଫା କରାଯାଇ ନଥିବାରୁ ରାସ୍ତାରେ ଜଳଭର୍ତ୍ତି ହେଉଛି।

26 June 2024 02:14 PM (IST)

Odisha News Live Updates: ମା' ଶାରଳାଙ୍କ ମନ୍ଦିର ଭୋଗ ଦୋକାନରେ ଚଢାଉ‌। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସିନୀ ମା' ଶାରଳାଙ୍କ ମନ୍ଦିର ପରିସରରେ ଥିବା ଭୋଗ ଦୋକାନକୁ ସିଲ କଲା ମନ୍ଦିର ପ୍ରଶାସନ। ଭୋଗ ଦୋକାନଙ୍କୁ ନିଲାମରେ ନେଇଥିବା ବ୍ୟକ୍ତିବିଶେଷ ସରକାରଙ୍କ ଦ୍ୱାରା ଜାରି ନିଲାମ ନିୟମାବଳୀକୁ ଖିଲାପ କରିଥିବା ଯୋଗୁ ଭୋଗ ଦୋକାନକୁ ସିଲ କରାଯାଇଥିବା ନେଇ ମନ୍ଦିର ନିର୍ବାହୀ ଅଧିକାରୀ ଓ ତିର୍ତ୍ତୋଲ ତହସିଲଦାର ପ୍ରକାଶ କରିଛନ୍ତି । ଉକ୍ତ ଭୋଗଦୋକାନକୁ ୫ ଦିନ ପାଇଁ ସିଲ କରାଯାଇଥିବା ସହିତ ଉକ୍ତ ଭୋଗ ଦୋକାନୀ ବ୍ୟବସାୟୀ ଜଣଙ୍କ ୫ ଦିନ ମଧ୍ୟରେ ନିଲାମ ପ୍ରକ୍ରିୟା ର ନିୟମାବଳୀ ଉଲ୍ଲଘଂନ ସଂକ୍ରାନ୍ତରେ କୈଫତ ଦେବାପରେ ଦେବୋତ୍ତର କମିଶନ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି । ତେବେ ଝଙ୍କଡ ବାସିନୀ ମା' ଶାରଳା ମନ୍ଦିରକୁ ଆସୁଥିବା ଭକ୍ତମାନେ ମାଙ୍କ ନିକଟରେ ଭୋଗ କରିବାକୁ ନେଇ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଥିବା ବେଳେ ଖୁବଶୀଘ୍ର ଭୋଗ ଦୋକାନର ନିଲାମ ପ୍ରକ୍ରିୟାର କାର୍ଯ୍ୟକ୍ରମକୁ ଶେଷ କରି ଭୋଗ ଦୋକାନ ଖୋଲିବା ପାଇଁ ଦାବି କରାଯାଉଛି।
 

26 June 2024 01:56 PM (IST)

Odisha News Live Updates: ଆଫ୍ରିକୀୟ ଦେଶ କେନିଆ ବର୍ତ୍ତମାନ ଏକ ବଡ଼ ଅଶାନ୍ତିର ସମୟ ଦେଇ ଗତି କରୁଛି। ମୁଦ୍ରାସ୍କୃତି ଏବଂ ବେକାରୀ ସମସ୍ୟାରେ ପୀଡିତ ଲୋକଙ୍କ ଉପରେ ସରକାର ଅତିରିକ୍ତ ଟିକସ ବୋଝ ଲଗାଇଛନ୍ତି। ବ୍ରେଡ୍‌ ଉପରେ ୧୬% ଏବଂ ମୋଟର ସାଇକେଲ ଉପରେ ୨.୫% ଟିକସ ଲାଗୁ କରାଯାଇଛି । ଏହାକୁ ବିରୋଧ କରି ବହୁ ସଂଖ୍ୟକ ଲୋକ ରାସ୍ତାରେ ଧାରଣା ଦେଇଛନ୍ତି। ତେବେ ମଙ୍ଗଳବାର ଦିନ ଏକ ବିରାଟ ବିକ୍ଷୋଭକାରୀ ମଧ୍ୟ ସଂସଦରେ ପ୍ରବେଶ କରିଥିଲେ ଏବଂ ସେଠାରେ ବି ଅସନ୍ତୋଷ ଦେଖାଦେଇଥିଲା।

26 June 2024 01:09 PM (IST)

Odisha News Live Updates:  ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ । ଏଥିରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ତ ଜଳ ମଣ୍ଡୁଆ ପଂଚାୟତର ପଦୀନାରାୟଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

 

26 June 2024 12:58 PM (IST)

Odisha News Live Updates: ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଚିଠି ଲେଖିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ରତ୍ନଭଣ୍ଡାରର ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ଅଛି। ଆଗକୁ ବର୍ଷା ଋତୁ ଆସୁଥିବାରୁ ତୁରନ୍ତ ମରାମତିର ଆବଶ୍ୟକତା ରହିଛି। ରତ୍ନଭଣ୍ଡାର କାନ୍ଥ, ଛାତ, ପୁରା ବେସମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ୬ ବର୍ଷ ତଳେ ଏହି ଫାଟ ଦେଖାଯାଉ ଥିବା ଏବେ ସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି। କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ନହେବା ଦୁଃଖର ବିଷୟ। ତେଣୁ ଘଟଣାକୁ ଗୁରୁତ୍ୱର ସହ ନେଇ ଯଥାଶୀଘ୍ର ମରାମତି କାର୍ଯ୍ୟ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ସୁଦର୍ଶନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି। 

26 June 2024 12:25 PM (IST)

Odisha News Live Updates: ଜମି ମୂଲ୍ୟାୟନ ପାଇଁ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼। ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯିବା ସହ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ ଜାରି ରହିଛି। ତେବେ ରାଜସ୍ବ ନିରୀକ୍ଷକଙ୍କର କେତେ ସମ୍ପତି ଅଛି ତାହା ସ୍ପଷ୍ଟ ହୋଇନାହିଁ। ଚଢ଼ଉ ଜାରି ରହିଛି। ତେବେ ପୂର୍ବରୁ ଅନେକ ଥର ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। 

 

26 June 2024 11:46 AM (IST)

Odisha News Live Updates:  ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। ବାଚନିକ ଭୋଟ୍‌ରେ ନିର୍ବାଚିତ ହେଲେ ଓମ୍ ବିର୍ଲା। ନିର୍ବାଚିତ ଘୋଷଣା କଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଲୋକସଭାରେ ବାଚସ୍ପତି ପଦ ପାଇଁ ଭୋଟିଂ। ଓମ ବିର୍ଲାଙ୍କୁ ବାଚସ୍ପତି କରିବାକୁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିର୍ଲାଙ୍କୁ ସମର୍ଥନ ଜଣାଇଥିଲେ NDAର ସହଯୋଗୀ ଦଳ।

26 June 2024 11:39 AM (IST)

Odisha News Live Updates: ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥଯାତ୍ରାକୁ ସୃଙ୍ଖଳିତ କରିବା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ଯକ୍ଷତାରେ ପୁରୀ ଟାଉନହଲରେ ଆରମ୍ଭ ହୋଇଛି ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ। ଏହି ବୈଠକରେ ଆଇନମନ୍ତ୍ରୀ ଙ୍କ ବ୍ଯତିତ ରଥଯାତ୍ରା ସହ ସଂଶ୍ଳିଷ୍ଟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ।  ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରଥନିର୍ମାଣ , ରଥକାଠ ଯୋଗାଣ, ରଥନିର୍ମାଣର ଅଗ୍ରଗତି, ରଥକନା,ରଥଦଉଡି ଯୋଗାଣ ସହ ୧୬ଟି ପ୍ରସଙ୍ଗରେ ହେଉଛି ଆଲୋଚନା।

26 June 2024 11:34 AM (IST)

Odisha News Live Updates: ଲେଖାପଢା ଜାଣିନଥିବାରୁ ପଦ ହରାଇଲେ ସରପଞ୍ଚ। ଆଉ ଦାୟିତ୍ବ ନେଲେ ନାଏବ ସରପଞ୍ଚ।  ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବୟାଙ୍ଗଡିହି ପଂଚାୟତର ସରପଞ୍ଚ କୁନ୍ତଳା ମଲ୍ଲିକ ଚଳିତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ ବେହେରାଙ୍କୁ ହରାଇ କୁନ୍ତଳା ସରପଞ୍ଚ ହୋଇଥିଲେ। ଜଣେ ସରପଞ୍ଚଙ୍କ ଯୋଗ୍ୟତା ହିସାବରେ ସେ ଓଡିଆ ପଢ଼ି ଲେଖି ପାରୁଥିବା ଦରକାର। ହେଲେ କୁନ୍ତଳା ଓଡିଆ ପଢ଼ି ଲେଖି ପାରୁ ନ ଥିବା ନେଇ ଧାମନଗର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ ବେହେରା। ତେବେ କୁନ୍ତଳା କୋର୍ଟରେ ନିଜକୁ ପାଠ ପଢୁଆ ସରପଞ୍ଚ ବୋଲି ସାବ୍ୟସ୍ତ କରି ପାରି ନଥିଲେ। ତେବେ କୋର୍ଟ ତାଙ୍କ ସରପଞ୍ଚ ପଦ ରଦ୍ଧ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ବୋଲି କୌଣସି ସଠିକ୍ ପ୍ରମାଣ ଦେଇପାରି ନଥିଲେ। ଶେଷରେ ନିଜ ସରପଞ୍ଚ ପଦ ହରାଇଛନ୍ତି କୁନ୍ତଳା ମଲ୍ଲିକ। 

26 June 2024 11:18 AM (IST)

 Odisha News Live Updates: ଏଣିକି ଟାହିଆ ଛୁଇଁଲେ ହେବେ କାର୍ଯ୍ୟାନୁଷ୍ଠାନ। କେହିବି ଟାହିଆ ଟାଣିପାରିବେ ନାହିଁ । ଏଥିସହ ଶ୍ରୀଅଙ୍ଗରେ ଭରା ଦେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

26 June 2024 11:05 AM (IST)

Odisha News Live Updates: ପ୍ରାଥମିକ ଶିକ୍ଷାକୁ ଦିଆଯିବ ଅଧିକ ଗୁରୁତ୍ବ।  ଏଣିକି ସ୍କୁଲରେ ପାଠ ପଢାଇବେ ଅତିଥି ଶିକ୍ଷକ। ଏଣୁ ଏବେଠୁ ସ୍କୁଲ ଶିକ୍ଷାକୁ ଦିଆଯିବ ଅଧିକ ଗୁରୁତ୍ୱ। ଶ୍ରେଣୀ ଗୃହରେ ଯେପରି ଶିକ୍ଷକ ଅଭାବରୁ ପାଠପଢାରେ କୌଣସି ଅସୁବିଧା ନ ହୁଏ। ସେଥିପ୍ରତି ଧ୍ୟାନ ଦିଆଯିବ। ଏଥିପାଇଁ ସ୍କୁଲରେ ନିଯୁକ୍ତ ହେବେ ଅତିଥି ଶିକ୍ଷକ।  ମୋଟ୍ ୪୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପାଠପଢାରେ ନିଯୋଜିତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଛି। 

26 June 2024 10:44 AM (IST)

Odisha News Live Updates: ମହିଳା ଓକିଲଙ୍କ ବେକରୁ ଦିବାଲୋକରେ ସୁନା ଚେନ ଲୁଟିନେଲେ ଦୁର୍ବୁତ୍ତ। ଆନନ୍ଦପୁରର ଶାଳପଡାରେ ଥିବା ଗ୍ରାମ୍ୟ ନ୍ୟାୟାଳୟରେ ରାମଚନ୍ଦ୍ରପୁର ର ମମିତା ମଲ୍ଲିକ ଓକିଲ ଭାବେ କାର୍ଯ୍ୟ କରନ୍ତି । ତେବେ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ସେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ବସ ରୁ ଓହ୍ଲାଇ ଚାଲି ଚାଲି କୋର୍ଟ କୁ ଯାଉଥିବା ସମୟରେ ଅଚାନକ ଜଣେ କେହି ତାଙ୍କ ବେକରୁ ସୁନା ଚେନ ଟାଣି ନେଇଥିଲା। ମମିତା ଦେଖିବା ବେଳକୁ ଆଖି ପିଛୁଳାକେ ସମ୍ପୃକ୍ତ ଯୁବକ ଅନ୍ୟ ଜଣେ ଯୁବକ ଙ୍କ ବାଇକ ରେ ବସି ସେଠାରୁ ଦ୍ରୁତ ଗତିରେ ପଳାଇ ଥିଲେ। ଘଷିପୁରା ପୋଲିସ ଷ୍ଟେସନ ରେ ଘଟଣା କୁ ନେଇ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି।

 

26 June 2024 10:36 AM (IST)

Odisha News Live Updates: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ବାହାଘର ସିଜିନ୍ ପୂର୍ବରୁ ଖସିଲା ସୁନା ରେଟ୍। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ଆଗକୁ ବିବାହ ସିଜିନ୍ ଥିବାରୁ ସୁନାର ଦର ବୃଦ୍ଧି ଗ୍ରାହକଙ୍କ ମୁଣ୍ତରେ ଚଡକ ପକାଇଥିଲା। ଗତକାଲି ଅପେକ୍ଷା ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନ, ଦେଶରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୬୦ ହଜାର ପାର୍ କରି ସାରିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ : Gold Price Today: ଆଜିର ସୁନା ଦର ଜାଣିଲେ ହୋଇଯିବେ ଖୁସି, ୧୦ ଗ୍ରାମ୍ ପିଛା ଭୁବନେଶ୍ବରରେ ଏତିକି ରହିଛି ଦର

 

26 June 2024 10:06 AM (IST)

Odisha News Live Updates: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଭାଜପା ସରକାରର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ଦିଲ୍ଲୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବା ସହିତ ବିଜେପିର କିଛି ବରିଷ୍ଠ ନେତୃବୃନ୍ଦଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। 

 
 
26 June 2024 09:41 AM (IST)

Odisha Daily News Live:ପଦାରେ ପଡିଲା ବିଜେଡି ମୁଖିଆଙ୍କ ମିଛ ମାକୁ ସମ୍ମାନର ସ୍ଲୋଗାନ୍। ଗୁଣ୍ଡାଗର୍ଦ୍ଦିର ସବୁ ସୀମା ଟପିଗଲେ ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ।ବିଜେଡିର ଟାଣୁଆ ନେତା ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାର ନିଉଜ୍ ସଂଗ୍ରହ ସମୟରେ କର୍ତ୍ତବ୍ୟରତ ମହିଳା ସାମ୍ବାଦିକାଙ୍କ ଉପରକୁ ବିଜେଡି ନେତା କୁକୁର ଛାଡ଼ିଦେଇଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛି ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍। ଏନେଇ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ସହିତ ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

26 June 2024 08:43 AM (IST)

Odisha Daily News Live:୧୯୯୦ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଧିକାରୀ ମନୋଜ ଆହୁଜା ଓଡ଼ିଶା ଫେରିବା ନିଶ୍ଚିତ ହୋଇଛି। ୨୦୨୨ ମସିହାରେ ସେ ଓଡ଼ିଶା ଛାଡ଼ି କୃଷି ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କର ଓଡ଼ିଶା ଫେରିବା ନେଇ ପ୍ରଶାସନିକ ମହଲରେ ବଡ଼ ପରିବର୍ତ୍ତନର ଆଭାସ ଦେଉଛି। ବିଶେଷ କରି ମୁଖ୍ୟ ସଚିବଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେ ମୁଖ୍ୟସଚିବ ହୋଇପାରନ୍ତି ବୋଲି କିଛି ଗଣମାଧ୍ୟମ ଚର୍ଚ୍ଚା କରିଛନ୍ତି। କିନ୍ତୁ ଶ୍ରୀ ଆହୁଜାଙ୍କ ଚାକିରି କାଳ ଡିସେମ୍ବରରେ ଶେଷ ହେଉଥିବାରୁ ସେ ନିଜର ଅବସରକାଳୀନ ସମସ୍ୟାରୁ ମୁକ୍ତି ପାଇଁ ଓଡ଼ିଶା ଫେରିବାକୁ ଚିନ୍ତା କରିଥିବା ମଧ୍ୟ ଆଲୋଚନା ହେଉଛି। 

 

26 June 2024 08:17 AM (IST)

Odisha Daily News Live: ସ୍ବାଭାବିକ ହେଉଛି ବାଲେଶ୍ବର ସହରର ସ୍ଥିତି। ଆଜିଠୁ କେବଳ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାତି ୯ରୁ ସକାଳ ୫ ଯାଏଁ ଜାରି  ରହିବ କର୍ଫ୍ୟୁ।ଏହି ନାଇଟ୍ କର୍ଫ୍ୟୁ କେବଳ ସହଦେବଖୁଣ୍ଟ ଥାନା ଓ ବାଲେଶ୍ବର ଟାଉନ ଥାନା ଅଞ୍ଚଳରେ ହିଁ ରହିବ ।ସୂଚନା ଥାଉକି, ବାଲେଶ୍ବର ସହରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଏଯାଏଁ ୨୪ଟି ମାମଲା ରୁଜୁ କରାଯାଇ ୯୧ ଜଣଙ୍କୁ ଗିରଫ କରାଯାଇଛି । ମାଇକ୍ରୋ ଶାନ୍ତି କମିଟି ଖୁବ୍ ଶୀଘ୍ର ଗଠନ କରାଯିବ ବୋଲି କହିଛନ୍ତି ବାଲେଶ୍ବର ଜିଲ୍ଲାପାଳ।

26 June 2024 07:55 AM (IST)

Odisha Daily News Live: ଆଗକୁ ଆସୁଛି ରଥଯାତ୍ରା। ଏନେଇ ଉତ୍ସବମୁଖର ସାରା ରାଜ୍ୟ। ଚଳିତ ବର୍ଷ ବିରଳଯୋଗର ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଗୁଣ୍ତିଚା। ଏଥର ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଯୋଗଦେବେ ବୋଲି ସୂଚନା ମିଳିଛି।  ରାଷ୍ଟ୍ରପତିଙ୍କ ବ୍ୟତିତ  ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ, ଅନ୍ୟକେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ ବ୍ୟକ୍ତି ବିଶେଷ ସାମିଲ୍ ହେବେ।  ଏନେଇ ଜିଲ୍ଲାପ୍ରଶାସନ ଓ ପୋଲିସ୍ ନିକଟରେ ଖବର ପହଞ୍ଚିଛି। 

26 June 2024 07:32 AM (IST)

Odisha Daily News Live: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହାଇକୋର୍ଟରୁ ନିରାଶ ହେବାକୁ ପଡିଛି।  ତଥା କଥିତ  ମଦ ଦୁର୍ନୀତି ସହ ଜଡ଼ିତ ମନି ଲାଣ୍ତରିଂ ମାମାଲାରେ ହାଇକୋର୍ଟ ମଙ୍ଗଳବାର ଜାମିନ୍ ଦେବାକୁ ମନା କରିଦେଇଛନ୍ତି।  ଫଳରେ ବର୍ତ୍ତମାନ ସେ ତିହାର ଜେଲ୍ ରେ ରହିବେ।  କୋର୍ଟ, କହିଛନ୍ତି ଯେ,  ଯୁକ୍ତି ଗୁଡିକ ସଠିକ୍ ଭାବରେ ଉପଯୁକ୍ତ ଭାବେ ଉପସ୍ଥାପନ କରାଯାଇ ନାହିଁ।  ତେଣୁ ରାଉଜ୍ ରେଭୁନ୍ୟୁ କୋର୍ଟର ନିସ୍ପତିକୁ ହାଇକୋର୍ଟ ଖାରଜ କରିଛନ୍ତି। ଉକ୍ତ ନିସ୍ପତିକୁ  ଦେଖିଲେ ଲାଗୁଛି ଯେ, କେଜ୍ରିଓ୍ବାଲଙ୍କୁ  ଜାମିନ୍ ପ୍ରଦାନ ସମୟରେ ବିବେକର ବ୍ୟବହାର କରାଯାଇ ନାହିଁ। ଯୁକ୍ତି କରିବାକୁ ଇଡି କୋର୍ଟକୁ ପର୍ଯ୍ୟାପ୍ତ ସୁଯୋଗ ଦେବା ଉଚିତ୍।  ଅନ୍ୟପକ୍ଷରେ ଆପ୍ ପକ୍ଷରୁ  କୁହାଯାଇଛି ଯେ, ହାଇକୋର୍ଟଙ୍କ ନିଷ୍ପତି ସହ ସହମତ ନୁହେଁ। ତେଣୁ ଆମେ ସୁପ୍ରିମକୋର୍ଟ ଯିବୁ। ଏଭଳି ଭାବେ ଜାମିନ୍ ଆଦେଶ ବନ୍ଦ ହୋଇପାରିବ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି। ସୂଚନା ଯୋଗ୍ୟ,  ଜୁନ୍ ୨୦ରେ ରାଉଜ୍  ଆଭିନ୍ୟୁ କୋର୍ଟ କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ କରିଥିଲା। କିନ୍ତୁ ଇଡି଼ର ଆବେଦନ କ୍ରମେ  ଏହାର ପରଦିନ  ହାଇକୋର୍ଟ ଉକ୍ତ ଆଦେଶକୁ ସ୍ଥଗିତ ରଖିଥିଲେ।  ପୂର୍ବରୁ ଏନେଇ କେଜ୍ରିଓ୍ବାଲ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିବା ବେଳେ  (ବୁଧବାର) ଆଜି ଏହାର ଶୁଣାଣୀ ଅନୁଷ୍ଠିତ ହେବ। 

26 June 2024 07:23 AM (IST)

Odisha Daily News Live: ବିଶ୍ବ ପାଣିପାଗ ପାଇଁ ଆସିଛି ଖୁସି ଖବର। ଜୁଲାଇ ଦ୍ବିତୀୟ ସପ୍ତାହରେ ଆକ୍ଟିଭ ହେବ ଲାନିନା। ବଦଳିଯିବ ପାଣିପାଗର ମିଜାଜ। ସବୁ କ୍ଷେତ୍ରରେ ଅନୁକୂଳ ହେବ ବାତାବରଣ। ଓଡିଶା ଉପରେ ପଡିବ ସାକାରାତ୍ମକ ପ୍ରଭାବ। ଆଉ ଆଗଭଳି ସନ୍ତୁଳନ ହରାଇବନି ପାଗ। ମୌସୁମୀ ବର୍ଷା ସହ ଶୀତ ଏବଂ ଖରାର ପ୍ରଭାବ ମଧ୍ୟ ସ୍ବାଭାବିକ ହେବ। ଯାହାଦ୍ଵାରା ପାଗକୁ ନେଇ ହନ୍ତସନ୍ତ ହେବେନି ଲୋକ।ଏନେଇ ଆକଳନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ।ତେବେ ଗତ ବର୍ଷ ରହିଥିଲା ଏଲନିନୋର ପ୍ରଭାବ। ବିଗିଡି ଯାଇଥିଲା ପାଣିପାଗର ମିଜାଜ୍। ପ୍ରଭାବିତ ହୋଇଥିଲା ଖରା, ବର୍ଷା ଓ ଶୀତର ପ୍ରଭାବ। ଅନ୍ୟପଟେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଫଳରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। 

26 June 2024 07:09 AM (IST)

Odisha News Live Updates: ରାଜ୍ୟରେ ଅସହ୍ୟ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ତେବେ, ଏହାରି ଭିତରେ ମୌମୁମୀ ବର୍ଷା ରାଜ୍ୟବାସୀଙ୍କୁ ଏକ ପ୍ରକାର ଆଶ୍ବସ୍ତି ଦେଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଫଳରେ ଏବେ ବର୍ଷା ରାଜ୍ୟରେ ଲାଗି ରହିଛି। ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ  ଓ୍ବାର୍ଣ୍ଣିଂ ଜାରି ହୋଇଛି।  ମଙ୍ଗଳବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ରେକର୍ଡ଼ ହୋଇଛି।  ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ୪୯.୨ ମିମି, ରେକର୍ଡ଼ ହୋଇଥିବା ବେଳେ ନୟାଗଡରେ ୨୪, ଚାନ୍ଦବାଲିରେ ୨୨.୮ ଓ ଦାରିଙ୍ଗିବାଡିରେ ୨୨ ମିମି ବର୍ଷା ରେକର୍ଡ ହୋଇଛି। 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ :Weather Update: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜି ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

26 June 2024 07:08 AM (IST)

Horoscope Today 26 June 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୨୬ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Add Zee News as a Preferred Source

About the Author