Political News: ସରକାର ଭାଙ୍ଗିବ ନି, ୫ ରାଜ୍ୟର ନିର୍ବାଚନ ଘୁଞ୍ଚିବ !
Advertisement
Article Detail0/zeeodisha/odisha1850808

Political News: ସରକାର ଭାଙ୍ଗିବ ନି, ୫ ରାଜ୍ୟର ନିର୍ବାଚନ ଘୁଞ୍ଚିବ !

Political News: କେନ୍ଦ୍ର ସରକାର ଭାଙ୍ଗିବନି ବରଂ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ସରକାରଙ୍କ କ୍ଷମତାକୁ ଆହୁରି ୬ ମାସ ଯାଏ  ସମ୍ପ୍ରସାରିତ କରିବା। ଏଭଳି ଚର୍ଚ୍ଚା ଆରମ୍ଭ ହେବ ପଛରେ ରହିଛି ଏକ ବଳିଷ୍ଠ ଯୁକ୍ତି। 

Political News: ସରକାର ଭାଙ୍ଗିବ ନି, ୫ ରାଜ୍ୟର ନିର୍ବାଚନ ଘୁଞ୍ଚିବ !

Political News: ଭୁବନେଶ୍ୱର, (ଜୀ ଓଡ଼ିଶା):  ଦେଶରେ ବିଜେପି ନେତୃତ୍ୱାଧୀନ ସରକାର ସମୟ ପୂର୍ବରୁ ଭଙ୍ଗ ହେବ କି? ଗୁରୁବାର ସଂସଦର ସ୍ୱତନ୍ତ୍ର ଅଧିବେଶନ (Special Session of Parliament) ଡକାଯିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଆଜି ସକାଳୁ ଏହି ଆଲୋଚନା ନୂଆ ମୋଡ଼ ନେଇଛି, ତାହା ହେଲା,  କେନ୍ଦ୍ର ସରକାର ଭାଙ୍ଗିବନି ବରଂ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ସରକାରଙ୍କ କ୍ଷମତାକୁ ଆହୁରି ୬ ମାସ ଯାଏ  ସମ୍ପ୍ରସାରିତ କରିବା। ଏଭଳି ଚର୍ଚ୍ଚା ଆରମ୍ଭ ହେବ ପଛରେ ରହିଛି ଏକ ବଳିଷ୍ଠ ଯୁକ୍ତି। ତା’ ହେଲା, ବିଜେପି ସଭାପତି ଜେପି ନଡ୍ଡା (J. P. Nadda, President of Bharatiya Janata Party) ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ତାଙ୍କୁ ‘ଏକ ଦେଶ-ଏକ ନିର୍ବାଚନ’ ଯୁକ୍ତି ଉପରେ ସମୀକ୍ଷା ରିପୋର୍ଟ ପ୍ରସ୍ତୁତ କରିବାକୁ ଅନୁରୋଧ କରିବା। ବିଜେପି ସଭାପତିଙ୍କ ଏହି ସାକ୍ଷାତ ଦ୍ୱାରା ଗଣମାଧ୍ୟମ ଓ ରାଜନେତାଙ୍କ ଭିତରେ ଆଲୋଚନା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ ଆଗୁଆ ନିର୍ବାଚନ ନୁହଁ ବରଂ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ପାଇଁ ପଛୁଆ ନିର୍ବାଚନ କଥା ଚିନ୍ତା କରୁଛନ୍ତି। ଏହାଦ୍ୱାରା ଅଧିକରୁ ଅଧିକ ରାଜ୍ୟର ନିର୍ବାଚନ କେନ୍ଦ୍ର ନିର୍ବାଚନ ସହ ଏକସଙ୍ଗେ ହୋଇପାରିବ।  ତେବେ ଏକ ସଙ୍ଗେ ନିର୍ବାଚନ କାହିଁକି?

ଏଠାରେ ସୂଚନା ଦିଆଯାଇପାରେ ଯେ, ୨୦୦୪ ମସିହାରେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଆଗୁଆ ନିର୍ବାଚନ କରାଇ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ। ଏଣୁ ଶ୍ରୀ ମୋଦୀ ଏହା ନକରାଇ ବରଂ ଦେଶରେ ନିର୍ବାଚନକୁ ବାରମ୍ବାର ନକରାଇ ଏକ ସମୟରେ କରିବାକୁ ଚିନ୍ତା କରୁଥାଇପାରନ୍ତି। 
ଦ୍ୱିତୀୟରେ ଯେଉଁ ୫ଟି ରାଜ୍ୟରେ ଏବେ ନିର୍ବାଚନ ହେବାକୁ ଯାଉଛି ସେଗୁଡ଼ିକ ହେଲା ମିଜୋରାମ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା। ଏହି ୫ଟି ରାଜ୍ୟ ଭିତରୁ ମଧ୍ୟ ପ୍ରଦେଶକୁ ଛାଡ଼ିଦେଲେ ବିଜେପି ସରକାର କେଉଁଠି ନାହିଁ। ପୁଣି ସାଧାରଣ ନିର୍ବାଚନ ପୂର୍ବରୁ ଯଦି ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ହୁଏ ତେବେ ବିଜେପି ସଫଳତା ପାଇନପାରେ ବୋଲି ଅନେକ ସର୍ବେକ୍ଷଣ ତାଙ୍କ ରିପୋର୍ଟରେ କହିଛନ୍ତି। ଯଦି ବିଜେପି ଏହି ରାଜ୍ୟଗୁଡ଼ିକରେ ବିଫଳ ହୁଏ ତେବେ ବିରୋଧି ଅଧିକ ମଜଭୁତ ହୋଇପାରନ୍ତି। 

ଅପରପକ୍ଷେ ଓଡ଼ିଶା, ଆନ୍ଧ୍ର, ସିକ୍କିମ ପ୍ରଭୃତି ରାଜ୍ୟରେ ବିଜେପି ବା ଏହାକୁ ସମର୍ଥନ କରୁଥିବା ଦଳର ପତିଆରା ରହିଛି। ପୁଣି ଏହା ପଛକୁ ନିର୍ବାଚନ ହେବାକୁ ଥିବା ଅରୁଣାଚଳ, ମହାରାଷ୍ଟ୍ର, ହରିୟାଣା ଭଳି ରାଜ୍ୟ ଯେଉଁଠାରେ ବର୍ଷ ଶେଷଆଡ଼କୁ ନିର୍ବାଚନ ହେବାର ନିର୍ଦ୍ଧାରଣ ହୋଇଚି ସେଠାରେ ମଧ୍ୟ ଦଳ ଭଲ ସ୍ଥିତିରେ ରହିଛି। ଏଣୁ ସମସ୍ତ ରାଜ୍ୟ ନହେଲେ ବି ଏସବୁ ରାଜ୍ୟକୁ ଏକାଠି  ନେଇ ସାଧାରଣ ନିର୍ବାଚନ ହେଲା ବିଜେପିର ଆତ୍ମ ବିଶ୍ୱାସ ବଢ଼ିବ ବୋଲି ଆଶା କରାଯାଉଛି ।ଏହି କାରଣରୁ ବିଜେପି ନିଜର ରାଜନୀତିକ ଯନ୍ତ୍ର ବା କ୍ଷମତା ତନ୍ତ୍ର ଦ୍ୱାରା ନିର୍ବାଚନ ଆସନ୍ନ ଥିବା ୫ ରାଜ୍ୟରେ ଭୋଟ୍‍ ଗ୍ରହଣକୁ ଘୁଞ୍ଚାଇବାକୁ ଚାହୁଁଛି।  ଯଦି ଆକଳନ ଅନୁସାରେ ଏଥର ଲୋକସଭାରେ ଏକଦେଶ-ଏକ ନିର୍ବାଚନ ବିଲ୍‍ ଉପସ୍ଥାପିତ ହୁଏ, ତେବେ ଏହି ରାଜ୍ୟଗୁଡ଼ିକର  ନିର୍ବାଚନକୁ ଘୁଞ୍ଚାଇବାରେ ସରକାର ସମର୍ଥ ହୋଇପାରିବେ। ଏହିକ୍ରମରେ ସରକାରଙ୍କୁ ଅଧିକ ୬ ମାସ ସମୟ ମିଳିପାରିବ। ଯଦିବି ବିଲ୍‍ ପାରିତ ନହୁଏ ତେବେ ମଧ୍ୟ ସରକାରଙ୍କୁ ଏହାର ଫାଇଦା ମିଳିପାରିବ ବୋଲି ଦଳ ଆଶା ରଖିଛି। 

ଅପରପକ୍ଷେ ଯଦି ସରକାର ଭଙ୍ଗ କରିବା ଲାଗି ବିଜେପି ଚାହିଁ ଥାଆନ୍ତା ତେବେ ଦଳକୁ ସ୍ୱତନ୍ତ୍ର ଅଧିବେଶନ ଡାକିବାର ଆବଶ୍ୟକତା ପଡ଼ି ନଥାଆନ୍ତା। କାରଣ କ୍ୟାବିନେଟ୍‍ର ନିଷ୍ପତ୍ତି ହିଁ ରାଷ୍ଟ୍ରପତିଙ୍କୁ ନିର୍ବାଚନ ଲାଗି ପଦକ୍ଷେପ ନେବାକୁ ସାମ୍ବିଧାନିକ କ୍ଷମତା ପ୍ରଦାନ କରିଥାଆନ୍ତା। 
ଏଣୁ ସରକାର ଭଙ୍ଗ ନୁହେଁ ବରଂ ୫ଟି ରାଜ୍ୟକୁ ଅଧିକ ସମୟ କ୍ଷମତାରେ ରଖିବା ଲାଗି ଏହି ଅଧିବେଶନ ଉଦ୍ଦିଷ୍ଟ  ହୋଇପାରେ। ତେବେ ଅଧିବେଶନ ଆରମ୍ଭ ହେଲା ଯାଇ ହିଁ ତାହା ଜଣାପଡ଼ିବ।

Also Read- Jawan Advance Booking: ଭାଙ୍ଗିବ କି 'ପଠାନ' ରେକର୍ଡ? ​​ପ୍ରତି ମିନିଟରେ ୩ଶହରୁ ଅଧିକ ଟିକେଟ୍ ବିକ୍ରି