T20 World Cup PAKvsZIM: 'ବିରାଟ ପାହାର' ପରେ ଭାରତକୁ ବାଟ ଛାଡିଦେଲା ପାକିସ୍ତାନ !
Advertisement

T20 World Cup PAKvsZIM: 'ବିରାଟ ପାହାର' ପରେ ଭାରତକୁ ବାଟ ଛାଡିଦେଲା ପାକିସ୍ତାନ !

 ଦ୍ୱିତୀୟ ପରାଜୟ ପରେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା କ୍ଷୀଣ ହେବାରେ ଲାଗିଛି। ଆଜିର ପରାଜୟ ପରେ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି।

T20 World Cup PAKvsZIM: 'ବିରାଟ ପାହାର' ପରେ ଭାରତକୁ ବାଟ ଛାଡିଦେଲା ପାକିସ୍ତାନ !

T20 World Cup PAKvsZIM: ନୂଆଦିଲ୍ଲୀ: ଚଳିତ ବିଶ୍ୱକପର ୨୪ତମ ଖେଳରେ ଜିମ୍ବାଓ୍ୱେ ଠାରୁ ମାତ୍ର ୧ରନରେ ପରାଜୟ ବରଣ କରିଛି ପାକିସ୍ତାନ। ପାକିସ୍ତାନର ଦ୍ୱିତୀୟ ପରାଜୟ ହୋଇଥିବା ବେଳେ ସେମିଫାଇନାଲ ଆଶା ଧିରେ ଧିରେ ମଉଳିବାରେ ଲାଗିଛି। ପର୍ଥରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଜିମ୍ବାଓ୍ୱେ। ପ୍ରଥମେ ବ୍ୟାଟିଂ କରି ୮ ଓ୍ୱିକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ମାତ୍ର ଗୋଟିଏ ରନ ପଛରେ ରହିଯାଇଥିଲା। 

ଜିମ୍ବାଓ୍ୱେ ପକ୍ଷରୁ ମାଧେବିରେ ଓ ଅଧିନାୟକ କ୍ରେଗ ଏରଭିନ ପାଳି ଆରମ୍ଭ କରିଥିଲେ। ଦଳ ପାଇଁ ଦମଦାର ଆରମ୍ଭ କରିଥିଲେ ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଦଳୀୟ ସ୍କୋର ୪୨ ରନ ବେଳେ ଦଳ ପ୍ରଥମ ଓ୍ୱିକେଟ ହରାଇଥିଲା। କ୍ରେଗ ଏରଭିନ ୧୯ ରନ ଆଉଟ ହୋଇଥିଲେ। ପରେ ପରେ ଦଳ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲା। ଦଳ ୮ ଓ୍ୱିକେଟ ବିନିମୟରେ ୧୩0 ରନ କରିଥିଲା। ଦଳ ପକ୍ଷରୁ ସର୍ବାଧିକ ସିନ ଓ୍ୱିଲିୟମସର ୩୧ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଧେବିରା ୧୭ ଓ ବ୍ରାଡ଼ ଏଭାନ୍ସ ୧୯ ରନ କରିଥିଲେ। ରିଆନ ବର୍ଲ ୧୦ ରନ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଓ୍ୱାସିମ ଜୁନିୟର ୪ଟି, ସାଦାବ ଖାନ ୩ଟି ଓ ହାରିସ ରୌଫ ଗୋଟିଏ ଓ୍ୱିକେଟ ହାତେଇଥିଲେ।

ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ପାଳି ଆରମ୍ଭ କରିଥିଲା। ତେବେ ଦଳ ପାଇଁ ସାନ ମାସୁଦ ଏକ ଲଢୁଆ ଇନିଂସ ଖେଳି ଦଳକୁ ବିଜୟର ନିକଟତର କରିଥିଲେ। ସାନ ବ୍ୟକ୍ତିଗତ ଭାବେ ୪୪ ରନ କରିଥିଲେ। ସେହିପରି ଦଳ ପାଇଁ ମହମ୍ମଦ ନଓ୍ୱାଜ ୨୨ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ରିଜଓ୍ୱାନ ୧୪ଟି, ସଦାବ ଖାନ ୧୭, ମହମ୍ମଦ ଓ୍ୱାସିମ ଅପରାଜିତ ୧୨ ରନ କରିଥିଲେ। 

ଜିମ୍ବାଓ୍ୱେ ପକ୍ଷରୁ ସିକନ୍ଦର ରାଜା ସର୍ବାଧିକ ୩ଟି ଓ୍ୱିକେଟ ହାତେଇ ଥିବା ବେଳେ ବ୍ଲେସିଂ ମୁଜାରାବାନୀ ଓ ଲୁକେ ଜଙ୍ଗଓ୍ୱେ ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇଥିଲେ। ବ୍ରାଡ଼ ଏଭାନ୍ସ ଦୁଇଟି ଓ୍ୱିକେଟ ନେଇଥିଲେ। 

ସେପଟେ ଦ୍ୱିତୀୟ ପରାଜୟ ପରେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା କ୍ଷୀଣ ହେବାରେ ଲାଗିଛି। ଆଜିର ପରାଜୟ ପରେ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି। ସେପଟେ ଦ୍ୱିତୀୟ ବିଜୟ ସହିତ ଭାରତ ଟେବୁଲ ଶୀର୍ଷକୁ ଉଠିଛି। ଭାରତ ମୋଟ ୪ ପଏଣ୍ଟ ପାଇଁ ଟେବୁଲ ଶୀର୍ଷରେ ରହିଛି। ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଜିମ୍ବାଓ୍ୱେ ୩ ପଏଣ୍ଟ ସହିତ ତୃତୀୟ ଓ ନେଦରଲ୍ୟାଣ୍ଡ ଷଷ୍ଠ ସ୍ଥାନରେ ରହିଛି। 

ସେହିପରି ଗ୍ରୁପ ୧ର ଟେବୁଲରେ ନ୍ୟୁଜିଲାଣ୍ଡ ୩ ପଏଣ୍ଟ ସହିତ ଟେବୁଲ ଶୀର୍ଷରେ ରହିଛି। ଶ୍ରୀଲଙ୍କା (୨ ପଏଣ୍ଟ) ଦ୍ୱିତୀୟ, ଇଂଲଣ୍ଡ (୨ ପଏଣ୍ଟ) ତୃତୀୟ, ଆୟରଲାଣ୍ଡ (୨ ପଏଣ୍ଟ) ଚତୁର୍ଥ, ଅଷ୍ଟ୍ରେଲିଆ (୨ ପଏଣ୍ଟ) ପଞ୍ଚମ ଓ ଆଫଗାନିସ୍ତାନ (୧ ପଏଣ୍ଟ) ଷଷ୍ଠ ସ୍ଥାନରେ ରହିଛି। ଉଭୟ ଗ୍ରୁପର ଶୀର୍ଷ ଦୁଇଟି ଦଳ ସେମିଫାଇନାଲ ଖେଳିବାକୁ ଥିବା ବେଳେ ପାକିସ୍ତାନ ପଞ୍ଚମକୁ ଖସିଯାଇଛି। ଗ୍ରୁପ ୨ର ସମସ୍ତ ଦଳ ୩ଟି ଲେଖାଏଁ ମ୍ୟାଚ ଖେଳିବାକୁ ଥିବା ବେଳେ ପାକିସ୍ତାନ ୩ଟି ଯାକ ମ୍ୟାଚ ଜିତିଲେ ଆଶା ସଞ୍ଚାର ହେବାର ସମ୍ଭାବନା ରହିଛି।