ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଖେଳାଳିଙ୍କୁ ମେ ଫେୟାରରେ ସ୍ୱାଗତ, ମିଳିବ ରଜର ପାରମ୍ପାରିକ ଖାଦ୍ୟ
Advertisement
Article Detail0/zeeodisha/odisha1214786

ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଖେଳାଳିଙ୍କୁ ମେ ଫେୟାରରେ ସ୍ୱାଗତ, ମିଳିବ ରଜର ପାରମ୍ପାରିକ ଖାଦ୍ୟ

(ଭୁବନେଶ୍ୱର,ରାଜେଶ କୁମାର ସାମନ୍ତରାୟ):- ରବିବାର ଅର୍ଥାତ୍ ୧୨ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିପାଇଁ ବାରବାଟୀ ମଇଦାନ ତୟାର ଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ଏଥିସହ ଖେଳାଳିଙ୍କ ପାଇଁ ସୁସ୍ୱାଦୁ ଖାଇବାର ବ୍ୟବସ୍ଥା ହୋଇଛି । ଖାସ୍ କରି ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ପିଠା, ଛେନାପୋଡ଼ା ଦିଆଯିବ । ଖେଳାଳିଙ୍କ ରୁଚି ଏବଂ ପସନ୍ଦ ଅନୁସାରେ ଖାଇବା ପ୍ରସ୍ତୁତ କରାଯିବ ବୋଲି ମେ ଫେୟାର ପକ୍ଷରୁ କୁହାଯାଇଛି । 

 

ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଖେଳାଳିଙ୍କୁ ମେ ଫେୟାରରେ ସ୍ୱାଗତ, ମିଳିବ ରଜର ପାରମ୍ପାରିକ ଖାଦ୍ୟ

କ୍ରିକେଟରଙ୍କ ଖାଇବା, ରହିବା ଏବଂ ସୁରକ୍ଷା ଦିଗରେ ସମସ୍ତ ପଦକ୍ଷେପ ନିଆଯାଇଛି । ବିଶେଷ କରି କ୍ରିକେଟରମାନେ କ'ଣ ଖାଇବେ, ଖେଳାଳିଙ୍କ ପସନ୍ଦ କ'ଣ ସେ ଦିଗରେ ଧ୍ୟାନ ଦିଆଯାଇଛି । ଭାରତୀୟ ଖେଳାଳିଙ୍କ ପାଇଁ ପାରମ୍ପରିକ ଓଡି଼ଆ ଖାଦ୍ୟ ପ୍ରସ୍ତୁତ ହେବ । ସେହିପରି ହୋଟେଲ ପକ୍ଷରୁ ଖେଳାଳିଙ୍କ ଡାଲମା ମଧ୍ୟ ପ୍ରସ୍ତୁତ ହେବ । ଅଲିଭ୍ ତେଲରେ ଏସବୁ ଖାଦ୍ୟ ପ୍ରିପେର କରାଯିବ । ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ଖାଇବା ମେନ୍ୟୁରେ କ'ଣ ରହିବ, ସେମାନଙ୍କ ରୁଚି କ'ଣ ସେ ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା କହିଛନ୍ତି ମେ ଫେୟାର ମୁଖ୍ୟ ସେଫ୍ ମୃଦୁଲ ମଣ୍ଡଳ । ଏହାବ୍ୟତୀତ ଖେଳାଳିଙ୍କୁ ଛେନାପୋଡ଼ ଦିଆଯିବ । ଆଗକୁ ରଜ ପର୍ବ ଥିବାରୁ ୧୨ ପ୍ରକାରର ପିଠା ଯଥା ଆରିସା, କାକେରା, ଚକୁଳି, ମଣ୍ଡା ଇତ୍ୟାତି ତିଆରି କରାଯିବ । 

 ସେପଟେ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ଖେଳାଳିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୋଲିସ, ଫୋର୍ସ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଏ ଦିଗରେ ମୁତୟନ କରାଯିବ । ସେଥିପାଇଁ ପୋଲିସ ମୁଖ୍ୟାଳୟ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମ୍ୟାଚ୍ ପାଇଁ ଦର୍ଶକଙ୍କ ସୁରକ୍ଷାକୁ ମଧ୍ୟ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇଛି । ଦର୍ଶକମାନେ କୌଣିସ ବିଶୃଙ୍ଖଳା ନକରି ଶୃଙ୍ଖଳିତ ଭାବେ ମ୍ୟାଚ୍ ଦେଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । ସେପଟେ ବାରବାଟୀ ମ୍ୟାଚ୍ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମ୍ୟାଚ୍ ଦେଖିବାକୁ ଆସିବାର କାର୍ଯ୍ୟକ୍ରମ ଥିବା ସେ କହିଛନ୍ତି । ସିଏମଙ୍କ ସହ ଅନ୍ୟ ଭିଆଇପି ମଧ୍ୟ ଖେଳ ଦେଖିବାକୁ ଆସିବେ । ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ତଦାରଖ କରିଛନ୍ତି ।