1. INDIA Boycotts Journalists: 14 ସାମ୍ବାଦିକଙ୍କୁ ବର୍ଜନ: ଦେଶର ୧୪ ଜଣ ପରିଚିତ ଟିଭି ଉପସ୍ଥାପକ ତଥା ସାମ୍ବାଦିକଙ୍କୁ ବିରୋଧିଦଳଙ୍କ ମେଣ୍ଟ ‘ଇଣ୍ଡିଆ’ ବର୍ଜନ କରିଥିବା ଘୋଷଣା କରିଛି। ଆଜି ମେଣ୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏହି ୧୪ ଜଣ ଟିଭି ସାମ୍ବାଦିକ ଉପସ୍ଥାପନ କରୁଥିବା ଶୋ’କୁ ‘ଇଣ୍ଡିଆ’ ମେଣ୍ଟର ନେତାମାନେ ଯିବେ ନାହିଁ। ସେପ୍ଟେମ୍ବର ୧୩ ତାରିଖରେ ‘ଇଣ୍ଡିଆ’ ସମନ୍ୱୟ କମିଟିର ଭର୍ଚ୍ଚୁଆଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ ମୁଖପାତ୍ର ପଓ୍ୱନ ଖେରା କହିଛନ୍ତି। ତାଲିକାରେ ଥିବା ୧୪ ଜଣଙ୍କ ଭିତରେ ଆଜ୍ତକ, ଟାଇମ୍ସ ନାଓ, ରିପବ୍ଲିକ, ନ୍ୟୁଜ୍୧୮, ଇଣ୍ଡିଆ ଟୁଡେ, ଭାରତ-୨୪ ଭଳି ଘରୋଇ ଚ୍ୟାନେଲ୍ ସହ ସରକାରୀ ଚ୍ୟାନେଲ୍ ଦୂରଦର୍ଶନରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନେ ସାମିଲ୍ ଅଛନ୍ତି। ଗତକାଲି ବିରୋଧୀଙ୍କ ପକ୍ଷରୁ କର୍ଣ୍ଣାଟକରେ ସାମ୍ବାଦିକ ସୁଧିର ଚୌଧୁରୀଙ୍କ ବିରୁଦ୍ଧରେ ଥାନାରେ ଏତଲା ବି ଦିଆଯାଇଥିଲା। ବିରୋଧୀଙ୍କର ସବୁଠାରୁ ବର୍ଜିତ ଆଙ୍କରଙ୍କ ଭିତରେ ରହିଛନ୍ତି ନ୍ୟୁଜ୍ ୧୮ ଓ ଆାଜ୍ତକ୍ ର ସର୍ବାଧିକ ସାମ୍ବାଦିକ। ଏହି ଚ୍ୟାନେଲ୍ର ୩ ଜଣ ଲେଖାଏଁ ସାମ୍ବାଦିକଙ୍କ ଉପସ୍ଥାପିତ ଶୋ’କୁ ସେମାନେ ବର୍ଜନ କରିଛନ୍ତି।
2. NBDA Concerns Over INDIA Decision: ବିରୋଧିଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିକ୍ରିୟା: ନ୍ୟୁଜ୍ ବ୍ରଡକାଷ୍ଟର ଓ ଡିଜିଟାଲ୍ ଆସୋସିଏସନ୍ ପକ୍ଷରୁ ‘ଇଣ୍ଡିଆ’ ମେଣ୍ଟର ୧୪ ଟିଭି ସାମ୍ବାଦିକଙ୍କ ଶୋ ବର୍ଜନ କରିବା ନିଷ୍ପତ୍ତିକୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି। ଏହା ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରି ନିଷ୍ପତ୍ତି ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଦେଉଛି ବୋଲି କହିବା ସହ ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ ଅନୁରୋଧ କରାଯାଇଛି।
3. Proud Hindu Gopinath: ନିଜକୁ ଗର୍ବିତ ହିନ୍ଦୁ ବୋଲି କହିଲେ ଗୀତା ଗୋପିନାଥ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପ୍ରଥମ ଉପ ମହାପ୍ରବନ୍ଧକ ଗୀତା ଗୋପୀନାଥ ନିଜର ସେଶାଲ୍ ମିଡିଆ ହ୍ୟାଣ୍ଡଲ୍ ରେ ନିଜକୁ ଜଣେ ଗର୍ବିତ ହିନ୍ଦୁ ବୋଲି କହିଛନ୍ତି। ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଏକ ଫଟୋକୁ ଶେୟାର କରି ଗୀତା ଏହି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଆମ ଦୁଇଜଣଙ୍କ ଉତ୍ପତ୍ତି ଭିନ୍ନ ଭିନ୍ନ ହୋଇଥାଇପାରେ, କିନ୍ତୁ ଆମେ ହିନ୍ଦୁ ବୋଲି ଗର୍ବିତ।
4. Scrub Typhus: ରାଜ୍ୟରେ ସ୍କ୍ରବ୍ ଟାଇଫସ୍କୁ ନେଇ ଭୟ ସୃଷ୍ଟି ହୋଇଛି। ଏହା ଏକ ପ୍ରକାର ଜ୍ୱର। ପ୍ରଥମରୁ ଚିକିତ୍ସା ନକଲେ ତାହା ଦ୍ରୁତ ଗତିରେ ସଂକ୍ରମିତ ହୋଇ ରୋଗୀକୁ ମୃତ୍ୟୁ ମୁଖରେ ପକାଇଥାଏ। ଏମିତିରେ ଓଡ଼ିଶାର ୬ ଜଣ ରୋଗୀଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୪ ଜଣ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ଏଣୁ ଏ ବିଷୟରେ ସଚେତନତା ସୃଷ୍ଟି ତଥା ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଲାଗି ଔଷଧ ଏବଂ ପରୀକ୍ଷଣ ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବିଲକୁ ବା ବଣ ଜଙ୍ଗଲକୁ ଯାଉଥିବା ଲୋକଙ୍କୁ ଏହି ରୋଗ ହେବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।
5. Sachin on Hindi Diwas: ହିନ୍ଦି ଦିବସରେ ସଚିନ୍ଙ୍କ ପ୍ରଶ୍ନ: ଆଜି ସାରେ ରାଷ୍ଟ୍ର ହିନ୍ଦି ଦିବସ ପାଳନ କରୁଥିବା ଅବସରରେ ହିନ୍ଦି ଭାଷାକୋଷକୁ ସମୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରସିଦ୍ଧ କ୍ରିକେଟର ସଚ୍ଚିନ୍ ତେନ୍ଦୁଲ୍କର। ଟ୍ୱିଟରରେ ଏକ ପୋଷ୍ଟରେ ସେ କ୍ରିକେଟ୍ ସହ ଯୋଡ଼ା ୪ଟି ଶବ୍ଦକୁ ହିନ୍ଦିରେ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି। ଏ ଶବ୍ଦଗୁଡ଼ିକ ହେଉଛି ଅମ୍ପାୟାର, ଓ୍ୱିକେଟ୍ କିପର, ଫିଲ୍ଡର ଏବଂ ହେଲମେଟ୍।
6. Exchange of Fire ଅନନ୍ତ ନାଗରେ ସେନା ଅପରେସନ: ଗତକାଲି ଅତଙ୍କୀଙ୍କ ଗୁଳିରେ ଦକ୍ଷିଣ କଶ୍ମୀରରେ ୨ ସେନାଧିକାରୀ, ୧ ପୁଲିସ ସହିଦ ପରେ ସେନା ପକ୍ଷରୁ ଅନନ୍ତନାଗଠାରେ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଦ୍ୱାରା ତିନଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ଭିତରେ ଜଣେ ଆତଙ୍କୀ କମାଣ୍ଡର ରହିଛନ୍ତି। ଏବେବି ଗୁଳି ବର୍ଷଣ ଜାରି ରହିଥିବା ସୂଚନା ମିଳିଛି। ଗତକାଲି ସହିଦ ହୋଇଥିବା ସେନାଧିକାରୀ ହେଲେ କର୍ଣ୍ଣେଲ ମନପ୍ରୀତ ସିଂହ, ବାଟାଲିୟନ୍ କମାଣ୍ଡର ମେଜର ଆଶୀଷ ଧୌନିକ, ଏବଂ ଜମ୍ମୁ କଶ୍ମୀର ପୁଲିସ ଡିଏସ୍ପି ହୁମାୟୁନ୍ ଭଟ୍ଟ।
7. End the Farce with Pak: ଆତଙ୍କୀ ରାଷ୍ଟ୍ର ପାକିସ୍ତାନ ସହ ସମସ୍ତ ସମ୍ପର୍କକୁ ଚ୍ଛିନ୍ନ କରିବାକୁ ପୁଣି ଦାବି ଉଠିଛି। ସ୍ତମ୍ଭକାର ମିନ୍ହାଜ୍ ମର୍ଚ୍ଚାଣ୍ଟ କହିଛନ୍ତି ପାକିସ୍ତାନ ସହ କ୍ରିକେଟ୍ ଖେଳ ବି ବନ୍ଦ ହେବା ଦରକାର। ଓ୍ୱାଘା- ଅଟାରୀ ସୀମାରେ ସୈନ୍ୟ ବାହିନୀଙ୍କ ସମ୍ମାନ ପ୍ରଦର୍ଶନ ହେଉ କି ବଲିଉଡ୍ ସମ୍ପର୍କ ସବୁକିଛି ବନ୍ଦ ହେବା ଦରକାର। ଏସବୁକୁ ଫାର୍ସ ବୋଲି ସେ କହିଛନ୍ତି।
8. Low Pressure Rain: ରାଜ୍ୟରେ ଲଘୁଚାପ ବର୍ଷା: ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଏବଂ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଉତ୍ତର ଓଡ଼ିଶା ଓ ପଶ୍ଚିବଙ୍ଗ ଉପକୂଳ ବଙ୍ଗୋପସାଗରରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ପ୍ରଭାବରେ ରାଜ୍ୟର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହି ଜିଲ୍ଲାରେ ବର୍ଷା ପରିମାଣ ୨୦୦ ମିଲିମିଟର ପାର୍ କରିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଲାଙ୍ଗୀରରେ ପ୍ରବଳ ବର୍ଷା ହେତୁ ଜିଲ୍ଲାର ସମସ୍ତ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି। ଏଥିରେ ସରକାରୀ, ଘରୋଇ ସ୍କୁଲ୍ ସହ ଅଙ୍ଗନବାଡ଼ି କେନ୍ଦ୍ର ସାମିଲ୍ ରହିଛି।
9. Hirakud Opens 14 Gates: ହୀରାକୁଦର ୧୪ ଗେଟ୍ ଖୋଲା, ବନ୍ୟା ଆଶଙ୍କା ନାହିଁ: ହୀରାକୁଦ ନଦୀବନ୍ଧରେ ଜଳପତ୍ତନରେ ଭାରସାମ୍ୟ ରଖିବା ଲାଗି ୧୪ଟି ଗେଟ୍ ଖୋଲାଯାଇଛି। ଏହି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାଷିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷାକୁ ଆଖିରେ ରଖି ବନ୍ଧ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ସକାଳେ ୮ଟି ଗେଟ୍ ଖୋଲାଯାଇଥିଲା। କିନ୍ତୁ ବନ୍ଧ ଭିତରକୁ ଜଳ ପ୍ରବାହ ବଢ଼ୁଥିବାରୁ ଆହୁରି ୪ଟି ଗେଟ୍ ଖୋଲା ଯାଇଛି। ହେଲେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଜଳସମ୍ପଦ ପ୍ରମୁଖ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି।
10. Congress to Boycott Speaker Election: ବାଚସ୍ପତିଙ୍କ ନିର୍ବାଚନକୁ କଂଗ୍ରେସର ବର୍ଜନ: ରାଜ୍ୟର ପଶ୍ଚିମାଞ୍ଚଳରେ ନୂଆଖାଇ ପର୍ବ ଚାଲିଥିଲାବେଳେ ରାଜ୍ୟ ସରକାର ବାଚସ୍ପତି ନିର୍ବାଚନ ଲାଗି ନିର୍ଘଣ୍ଟ କରିଛନ୍ତି। ଏହାକୁ କଂଗ୍ରସ ବିରୋଧ କରି ତାରିଖ ବଦଳାଇବାକୁ ଅନୁରୋଧ କରିଥିଲା କିନ୍ତୁ ତାହାକୁ କର୍ଣ୍ଣପାତ କରାଯାଇ ନାହିଁ ବୋଲି ବିଧାନସଭାରେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି, ‘ଏହା ଏକ ଦୁର୍ଭାଗ୍ୟର ବିଷୟ।ପ୍ରତିବାଦ କଲେ ବି ସରକାର କର୍ଣ୍ଣପାତ କରିନାହାନ୍ତି। ଏହା ନିଶ୍ଚିତଭାବେ ଉପହାସ ଓ ବୈମାତୃକ ମେନାଭାବର ଉଦାହରଣ। ଜନତା ସରକାରଙ୍କୁ ଏହାର ଜବାବ ଦେବେ।’