ଚୁଟକିରେ ପଢି ନିଅନ୍ତୁ ସକାଳର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
1.PM Turns 73: ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୩ତମ ଜନ୍ମଦିନ। ଏହି ଅବସରରେ ଦେଶ ବିଦେଶର ବିଭିନ୍ନ ନେତା, ରାଷ୍ଟ୍ର ନିର୍ମାତା, ନାଗରିକ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ‘ଆପଣ ନିଜର ଦୃଢ଼ ନେତୃତ୍ୱ ଓ ଦୂରଦୃଷ୍ଟିବଳରେ ଏହି ଅମୃତ କାଳରେ ଭାରତର ବିକାଶଧାରାକୁ ଆହୁରି ପ୍ରଶସ୍ତ କରନ୍ତୁ। ମୋର ପ୍ରାର୍ଥନା ଯେ, ଆପଣ ସବୁବେଳେ ସୁସ୍ଥ ଏବଂ ଆନନ୍ଦିତ ରହି ଦେଶବାସୀଙ୍କୁ ଆପଣଙ୍କ ନେତୃତ୍ୱରେ ଲାଭାନ୍ୱିତ କରିବା ଜାରି ରଖନ୍ତୁ।
2.Viswakarma Scheme: ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା: ବିଶ୍ୱକର୍ମା ପୂଜା ଅବସରରେ ଆଜି ବିଶ୍ୱକର୍ମା ଯୋଜନା ଆରମ୍ଭ ହେବ। ରାଜ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ଘାଟନ କରିବେ। ପାରମ୍ପରିକ କାରିଗରଙ୍କୁ କମ୍ ସୁଧରେ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରି ସେମାନଙ୍କ ବ୍ୟବସାୟରେ ସହାୟକ ହେବା ନିମନ୍ତେ ଏହି ଯୋଜନା ଉଦ୍ଦିଷ୍ଟ।
3.Rabies control programme:ଜଳାତଙ୍କ ହେଲା ବିଜ୍ଞପିତ ରୋଗ: କୁକୁର, ବିରାଡ଼ି କାମୁଡ଼ିବା ହେତୁ ବ୍ୟାପୁଥିବା ଜଳାତଙ୍କ ରୋଗକୁ ବିଜ୍ଞପିତ ରୋଗ ଭାବେ ଓଡ଼ିଶା ସରକାର ଘୋଷଣା କରିଛନ୍ତି। ସମଗ୍ର ଦେଶରେ ଆମ ରାଜ୍ୟ ଏହି ରୋଗରେ ୧୦ ନମ୍ବର ସ୍ଥାନରେ ରହୁଥିବାରୁ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ଯୋଜନା କରିଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟକୁ ଜଳାତଙ୍କ ରୋଗମୁକ୍ତ କରିବା ଲାଗି ସ୍ୱତନ୍ତ୍ର ସର୍ଭିଲାନ୍ସ ବ୍ୟବସ୍ଥାକୁ ଆପଣାଇଛି ରାଜ୍ୟ।
4.2nd instalment of Kalia Help in Nua Khai: ନୂଆଖାଇରେ ମିଳିବ କାଳିଆ ଟଙ୍କା: ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପ୍ରଦାନ କରାଯିବ । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହେବ। ଏହା ହେବ ଏ ବର୍ଷର ଦ୍ୱିତୀୟ କିସ୍ତି। ୪୪ ଲକ୍ଷ ୫୬ ହଜାର ୯୯୩ ଜଣ ଚାଷୀ ଏଥିରେ ଲାଭାନ୍ୱିତ ହେବେ। ପୂର୍ବରୁ ଏପ୍ରିଲ୍ ୨୯ ତାରିଖରେ ସେମାନଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା।
5.Gita Mehta Died: ଗୀତା ମେହେଟ୍ଟାଙ୍କ ଦେହାନ୍ତ: ପ୍ରସିଦ୍ଧ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କର ଦେହାନ୍ତ ହୋଇଛି। ୮୦ ବର୍ଷ ବୟସରେ ଦିଲ୍ଲୀ ବାସଭବନରେ ତାଙ୍କ ମୃତ୍ୟୁ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। କର୍ମ କୋଲା, ସ୍ନେକ୍ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ରା, ରାଜ ଆଣ୍ଡ ଦ ଏଟରନାଲ୍ ଗଣେଶା ଭଳି ପୁସ୍ତକ ସେ ରଚନା କରିଛନ୍ତି। ସେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରକାଶକ ସ୍ୱର୍ଗତ ସୋନୀ ମୋହେଟ୍ଟାଙ୍କୁ ବିବାହ କରିଥିଲେ।
6.EoW case Against Soumya: ସୌମ୍ୟଙ୍କ ବିରୁଦ୍ଧରେ ମାମଲା: ବିଜେଡି ବିଧାୟକ ତଥା ସମ୍ବାଦ ଗ୍ରୁପ୍ର ମୁଖ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ କ୍ରାଇମ୍ ବ୍ରାଞ୍ଚ ଅର୍ଥେନୈତିକ ଅପରାଧ ଶାଖାରେ ମାମଲା ରୁଜୁ ହୋଇଛି। ଜଣେ ପୂର୍ବତନ କର୍ମଚାରୀ ତାଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ କରିଛନ୍ତି। ସୌମ୍ୟ ଏବଂ ତାଙ୍କ କମ୍ପାନୀର ମାନବ ସମ୍ବଳ ଅଧିକାରୀ ବୈଜୟନ୍ତୀ କର କର୍ମଚାରୀଙ୍କ ନାଁରେ ଋଣ ଉଠାଇ କମ୍ପାନୀ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ହୋଇଛି। ଗତକାଲି ଏହି ମାମଲା ରୁଜୁ ହେବାର କିଛି ସମୟ ପୂର୍ବରୁ ସୌମ୍ୟଙ୍କ ସମୁଦି ତଥା ବ୍ୟବସାୟୀ ତପନ ମହାନ୍ତିଙ୍କ କାର୍ଯ୍ୟାଳୟରେ କ୍ରାଇମ୍ ବ୍ରାଞ୍ଚ ଚଢ଼ଉ କରିଥିଲା। ସୌମ୍ୟଙ୍କ ସମ୍ପାଦକୀୟ ପ୍ରକାଶନ ପରେ ବିଜେଡି ପୂର୍ବରୁ ତାଙ୍କୁ ଉପସଭାପତି ପଦବୀରୁ ହଟାଇଥିଲା।
7.Speake Election shifted to 22: ଘୁଞ୍ଚିଲା ବାଚସ୍ପତି ନିର୍ବାଚନ: ବିରୋଧୀ ଦଳର ଦାବି ଆଗରେ ମୁଣ୍ଡ ନୁଆଁଇ ସରକାର ବାଚସ୍ପତି ନିର୍ବାଚନକୁ ଗୋଟିଏ ଦିନ ଘୁଞ୍ଚାଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଯେଉଁଦିନ ବିଧାନସଭା ବସିବାକୁ ସ୍ଥିର ହୋଇଛି ସେଦିନ ସକାଳେ ବାଚସ୍ପତି ନିର୍ବାଚନ ହେବ। ତା ପରେ ନିର୍ଦ୍ଧାରିତ ସମୟରେ ବିଧାନସଭା ଅଧିବେଶନ ବସିବ। ପଶ୍ଚିମ ଓଡ଼ିଶାକୁ ବୈମାତୃକ ଆଚରଣ ପ୍ରଦର୍ଶନ କରୁଛନ୍ତି ତଥା ଜାଣି ଶୁଣି ତାଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରି ବିରୋଧୀ ଦଳ ପକ୍ଷରୁ ବାଚସ୍ପତି ନିର୍ବାଚନକୁ ବର୍ଜନ କରାଯାଇଥିଲ। ପ୍ରଥମେ କଂଗ୍ରେସ ଏବଂ ପରେ ବିଜେପି ଏହି ନିର୍ବାଚନରେ ଭାଗ ନେବେ ନାହିଁ ବୋଲି କହି ସମାନ ଆରୋପ ଆଣିଥିଲେ। ଏହାର ପ୍ରତ୍ୟୁତ୍ତରରେ ସରକାର ଆଜି ବାଚସ୍ପତି ନିର୍ବାଚନ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଧାନସଭା କାର୍ଯ୍ୟାୟ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ ପାଇଛି।
8.Kharge will not attend Dhwajarohan ceremony: ଧ୍ୱଜାରୋହଣରେ ଯୋଗଦେବେନି ମଲ୍ଲିକାର୍ଜୁନ: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆଜି ସଂସଦ ଭବନରେ ହେବାକୁ ଥିବା ସ୍ୱତନ୍ତ୍ର ‘ଧ୍ୱଜାରୋହଣ’ କାର୍ଯ୍ୟକ୍ରମେର ଯୋଗ ଦେବେ ନାହିଁ। ଏ ସମ୍ବନ୍ଧରେ ସେ ରାଜ୍ୟସଭା ମହାସଚିବ ପିସି ମୋଦୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବୋଲି କହିଛନ୍ତି। ତାଙ୍କୁ ଏ ନିମନ୍ତ୍ରଣ ଡେରିରେ ପ୍ରଦାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଆସନ୍ତା କାଲି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏହା ୫ ଦିନ ଚାଲିବ। ନୂତନ ଭବନରେ ଏହି ଅଧିବେଶନ ବସିବାର ସମ୍ଭାବନା ରହିଛି। ଏଣୁ ନୂତନ ସଂସଦ ଭବନରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ଣରେ ସ୍ଥିର କରାଯାଇଛି। ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ଏହି ଧ୍ୱଜାରୋହଣ କରିବେ।
9.Security Forces killed 3 Terrorists: ୩ ଆତଙ୍କୀ ନିହତ: ଜମ୍ମୁ- କଶ୍ମୀରର ବାରାମୁଲା ଜିଲ୍ଲା ଉରି ଅଞ୍ଚଳରେ ପୁଲିସ ଓ ଅତଙ୍କୀଙ୍କ ଭିତରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ଜଣ ଅତଙ୍କବାଦୀ ନିହତ ହୋଇଥିବା ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି। ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ଶନିବାର ଦିନ ସୁରକ୍ଷା ବାହିନୀ ଓ ଅତଙ୍କବାଦୀଙ୍କ ଭିତରେ ଉରି ସହରରେ ଗୁଳି ବିନିମୟ ହୋଇଥିଲା। ପୁଲିସ ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ ଉଭୟପକ୍ଷରୁ ଗୁଳିମାଡ଼ ହୋଇଥିଲା। ଏଥିରେ ୩ ଅତଙ୍କବାଦୀ ନିହତ ହୋଇଥିବା ପୁଲିସ କହିଛି।
10.INDIA to Ban advertisement on Biased Media: ସାମ୍ବାଦିକଙ୍କ ପରେ ଟିଭି ଚ୍ୟାନେଲ୍କୁ ବୟକଟ୍: ୧୪ ଟିଭି ଆଙ୍କରଙ୍କୁ ‘ପକ୍ଷପାତୀ ସାମ୍ବାଦିକ’ ଆଖ୍ୟା ଦେଇ ସେମାନଙ୍କ ଶୋ’କୁ ବର୍ଜନ କରିବା ପରେ ଏବେ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ ବା ‘ଇଣ୍ଡି’ ମେଣ୍ଟର ସଦସ୍ୟ ଥିବା ୧୧ ରାଜ୍ୟର ସରକାର ‘ପକ୍ଷପାତୀ ମିଡିଆ’କୁ ବିଜ୍ଞାପନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିଏମ୍ସି ସାଂସଦ ତଥା ‘ଇଣ୍ଡି’ ମେଣ୍ଟର ସଦସ୍ୟ ମହୁଆ ମୌତ୍ର ଏ ବିଷୟରେ ଟ୍ୱିଟରରେ ସୂଚନା ଦେଇ ‘ଖେଲା ହବେ’ ବୋଲି ଘୋଷଣା କରିଛନ୍ତି। ମହୁଆ ମୌତ୍ର ଙ୍କ ଭାଷାରେ ଏବେ ଯେମିତି ଏହି ମିଡିଆ ସଂସ୍ଥାସବୁ ସରକାରୀ ଦଳର ଗୁଣଗାନ କରୁଛନ୍ତି ତାହାକୁ ରୋକିବାରେ ବିରୋଧୀ ଦଳଙ୍କ ଏହି ନିଷ୍ପତ୍ତି ସହାୟକ ହେବ। ଅର୍ଥାତ୍ ‘ ଅପପ୍ରଚାର’ ଚଳାଉଥିବା ଚ୍ୟାନେଲ୍ଗୁଡ଼ିକୁ ଅର୍ଥନେୈତିକ ଦୃଷ୍ଟିକୋଣରୁ ମାଡ଼ ଦେବାକୁ ଏହା ସହାୟକ ହେବ।