Top 10 News: ଭାରତର ବିଜୟ ଅବ୍ୟାହତ: ଲଗାତାର ଭାବେ ବିଶ୍ୱକପ୍ କ୍ରିକେଟ-୨୦୨୩ର ୯ଟି ଲିଗ୍ ମ୍ୟାଚ୍ ଜିତିଛି ଭାରତ। ବାଙ୍ଗାଲୋରଠାରେ ଖେଳାଯାଉଥିବା ମ୍ୟାଚ୍କୁ ଭାରତର ୧୬୦ ରନରେ ବିଜୟ ଲାଭ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୧୦ ରନ୍ ସଂଗ୍ରହ କରିଥିଲା।
Trending Photos
1.ଭାରତର ବିଜୟ ଅବ୍ୟାହତ: ଲଗାତାର ଭାବେ ବିଶ୍ୱକପ୍ କ୍ରିକେଟ-୨୦୨୩ର ୯ଟି ଲିଗ୍ ମ୍ୟାଚ୍ ଜିତିଛି ଭାରତ। ବାଙ୍ଗାଲୋରଠାରେ ଖେଳାଯାଉଥିବା ମ୍ୟାଚ୍କୁ ଭାରତର ୧୬୦ ରନରେ ବିଜୟ ଲାଭ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୧୦ ରନ୍ ସଂଗ୍ରହ କରିଥିଲା। ଜବାବରେ ନେଦରଲ୍ୟାଣ୍ଡସ୍ ୪୭.୫ ଓଭରରେ ୨୫୦ ରନ୍ ସଂଗ୍ରହ କରି ପାରିଥିଲା। ଗତକାଲିର ମ୍ୟାଚ୍ ସହ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଲିଗ୍ ମ୍ୟାଚ୍ ଶେଷ ହୋଇଛି। ୧୫ ତାରିଖରେ ପ୍ରଥମ ସେମି ଫାଇନାଲ୍ ଖଳାଯିବ। ଏହି ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।
2.ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା: ଭାରତର ଉତ୍ତମ ପ୍ରଦର୍ଶନ ଓ ବିପୁଳ ବିଜୟକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନେଦରଲ୍ୟାଣ୍ଡସ ବିପକ୍ଷରେ ବିଜୟ ଭାରତୀୟଙ୍କ ପାଇଁ ଦୀପାବଳୀକୁ ଆହୁରି ସ୍ମରଣୀୟ କରିଛି। ଭାରତୀୟ ଦଳର ଦକ୍ଷତା ଏବଂ ଟିମ୍ ଓ୍ୱର୍କକୁ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ। ଏହା ସହ ସେମି ଫାଇନାଲ୍ ପାଇଁ ଶୁଭେଚ୍ଛା ପ୍ରଦାନ କରିଛନ୍ତି।
3.ଅଲମ୍ପିକ ପାଇଁ ଧୀରଜ ଯୋଗ୍ୟ: ଭାରତୀୟ ତୀରନ୍ଦାଜ ଧୀରଜ ବୋମ୍ବଦେବରା ପ୍ୟାରିସ୍ ଅଲମ୍ପିକ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବ୍ୟାଙ୍କକ୍ରେ ଆୟୋଜିତ ଏସିଆନ୍ କଣ୍ଟିନେଣ୍ଟାଲ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରେ ୨୨ ବର୍ଷୀୟ ଧୀରଜ ରୌପ୍ୟ ପଦକ ଜିତିବା ସହ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ହାସଲ କରିଛନ୍ତି।
4. ଦୀପାବଳି ପରେ ଆହୁରି ବିଗିଡ଼ିଲା ଦିଲ୍ଲୀ ବାୟୁ: ଦିଲ୍ଲୀ ବାୟୁ ମାନକୁ ଆହୁରି ଖରାପ ହୋଇଛି। ସୁପ୍ରିମ୍ କୋର୍ଟଙ୍କ ନିଷିଦ୍ଧାଦେଶ ପରେ ବି ଦିଲ୍ଲୀ ଓ ଏନ୍ସିଆରର ବିଭିନ୍ନ ଅଞ୍ଚଳରେ ବାଣ ଫୁଟାଯିବା ହେତୁ ବାୟୁ ମାନକ ୯୬୯ରେ ପହଞ୍ଚିଛି। ଏହା ଦ୍ୱାରା ଘର ବାହାରେ ଏକ ଦୂଷିତ ବାୟୁ ବଳୟ ଘେରି ରହିଛି। କିଛି ମିଟର ପରେ ରାସ୍ତା ଦୃଶ୍ୟମାନ ହେଉନାହିଁ।
5.ଉତ୍ତରକାଶୀ ଟନେଲ ଭୁଶୁଡ଼ି, ଫଶିଛନ୍ତି ୪୦ ଶ୍ରମିକ: ଉତ୍ତରକାଶୀ-ଯମୁନୋତ୍ରୀ ରାସ୍ତାରେ ଥିବା ଶିଲ୍କ୍ୟାରା ଟନେଲ୍ର କିଛି ଅଂଶ ଭୁଶୁଡ଼ିବାରୁ ସେଠାରେ କାମ କରୁଥିବା ୪୦ରୁ ଅଧିକ ଶ୍ରମିକ ଫଶି ରହିଛନ୍ତି।ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହାତକୁ ନିଆଯାଇଛି। ଏ ଭିତରେ ଉଦ୍ଧାରକାରୀ ଦଳ ସେମାନଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିବା କହିଛନ୍ତି। ଟନେଲ୍ ଭୁଶୁଡ଼ିବାଯୋଗୁ ପଡ଼ି ରହିଥିବା ଅବଶେଷକୁ କଢ଼ାଯିବା କାର୍ଯ୍ୟ ଆରମ୍ଭ ହୋଇଛି।
6.ତୃତୀୟ ବିଶାଳ ଅର୍ଥନୀତି :୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବିଶାଳ ଅର୍ଥନୀତି ହେବାକୁ ଯାଉଛି। ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ସହ ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ସେମାନଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି। ୨୦୨୭ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡଲାରର ଜିଡିପି ଭାରତକୁ ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟରେ ଏକ ପ୍ରମୁଖ ଅର୍ଥନୀତି ଭାବରେ ସ୍ଥାନିତ କରିଛି।
7.ଭାରତ ବିରୁଦ୍ଧରେ କହିଲେ ଟ୍ରୁଡ୍ୟୁ: ପୁଣିଥରେ ଭାରତ ବିରୁଦ୍ଧରେ ଉଗାରିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ। ତାଙ୍କ ଦେଶ କାନାଡ଼ା, ଭାରତ ବିରୁଦ୍ଧରେ ‘ଯୁଦ୍ଧ’ ଚାହୁଁନାହିଁ ବୋଲି କହିବା ସହ ସେମାନେ ବିଭିନ୍ନ୍ ଗମ୍ଭୀର ମାମଲାରେ ଏକାଠି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ୪୦ ଜଣ କାନାଡ଼ା ରାଷ୍ଟ୍ରଦୂତଙ୍କୁ ଭାରତ ଛାଡ଼ିବାକୁ କହିବା ଭିଏନା ଘୋଷଣାନାମା ବିରୁଦ୍ଧାଚାରଣ କରୁଛି େବାଲି ସେ କହିଛନ୍ତି। ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଘଟଣାରେ ଭାରତର ହାତ ଥିବା ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନରତିକ ତିକ୍ତତା ଲାଗି ରହିଛି।
8.ଉତ୍ତରାଖଣ୍ଡରେ ୟୁସିସି: ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ଲାଗି ସମାନ ଆଚରଣ ସଂହିତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ଉତ୍ତରାଖଣ୍ଡ। ଏଥିଲାଗି ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ସୁପ୍ରିମ୍ କୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ତତ୍ତ୍ୱାବଧାନରେ ଏହି ଚିଠା ପ୍ରସ୍ତୁତ କରାଯାଇଛି। ଏଥିରେ ଲିଭ୍ଇନ୍ ସମ୍ପର୍କକୁ ସ୍ୱିକୃତୀ ପ୍ରଦାନ କରାଯାଇଛି। କିନ୍ତୁ ଏଥିଲାଗି ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ବହୁ ବିବାହକୁ ଏହି ଚିଠାରେ ବାରଣ କରାଯାଇଛି। ଏହି ପ୍ରସ୍ତାବ ପାରିତ ହେଲେ ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବ।
9.କଂଗ୍ରେସ ଜିତିଲେ ୧୫ ହଜାର ଟଙ୍କା: ଛତିଶଗଡ଼ରେ କଂଗ୍ରେସ ଏହାର ଘୋଷଣାପତ୍ରରେ ଆଉ ଏକ ବିନ୍ଦୁ ସଂଯୋଗ କରିଛି। ଏଥିରେ କୁହାଯାଇଛି ଯେ, ଯଦି ପୁଣିଥରେ ଛତିଶଗଡ଼ରେ କଂଗ୍ରେସ ସରକାର ଆସେ ତେବେ ମହିଳାମାନଙ୍କୁ ବର୍ଷକୁ ୧୫ ହଜାର ଟଙ୍କର ସହାୟତା ରାଶି ମିଳିବ। ଏହାକୁ ଛତିଶଗଡ଼ ଗୃହଲକ୍ଷ୍ମୀ ଯୋଜନା ନାମରେ ନାମିତ କରାଯାଇଛି। ପୂର୍ବରୁ ଏହି ପ୍ରତିଶୃତି ଉଲ୍ଲେଖ ନଥିଲା। କିନ୍ତୁ ବିଜେପି ଏହାର ଘୋଷଣାପତ୍ରରେ ବିବାହିତା ମହିଳାମାନଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ଦେବାକୁ ଘୋଷଣା କରିବା ପରେ କଂଗ୍ରେସ ଏହାର ଜବାବରେ ଏପରି ଯୋଜନା ଘୋଷଣା କରିଛି।
10.ଲେପ୍ଚାରେ ପ୍ରଧାନମନ୍ତ୍ରୀ: ପ୍ରତିବର୍ଷ ପରି ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ହିମାଚଳ ପ୍ରଦେଶର ଲେପଚା ଯାଇ ସେଠାରେ ସୁରକ୍ଷାକର୍ମୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ଉତ୍ସବ ପାଳନ କରିଛନ୍ତି ମୋଦି । ଏହି ଅବସରରେ ସେନା ଜ୍ୟାକେଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ହିମାଚଳ ପ୍ରଦେଶରେ ପହଞ୍ଚିବା ପରେ ସୀମାନ୍ତ ଲେପଚାକୁ ଯାଇ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।