Pakhala Diwas: ଆଜି ହେଉଛି ବିଶ୍ୱ ପଖାଳ ଦିବସ, ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଓ ଗର୍ବ
Advertisement
Article Detail0/zeeodisha/odisha2165090

Pakhala Diwas: ଆଜି ହେଉଛି ବିଶ୍ୱ ପଖାଳ ଦିବସ, ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଓ ଗର୍ବ

Pakhala Diwas: ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ। ଓଡ଼ିଆଙ୍କ ପରିଚୟ ପଖାଳ। ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି। 

ସୌଜନ୍ୟ-ସୋସିଆଲ ମିଡି଼ଆ

Pakhala Diwas: ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ। ଓଡ଼ିଆଙ୍କ ପରିଚୟ ପଖାଳ। ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି। କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଖରାଦିନ ଆସିଗଲେ ଘରେଘରେ ପଖାଳର ଆଦର ବଢିଯାଏ। ମୁଣ୍ଡଫଟା ଖରାବେଳେ ପଖାଳ ତୋରାଣୀ ଟିକେ ତୁଣ୍ଡରେ ଲାଗିଗଲେ ଭାରି ଶାନ୍ତି ମିଳେ। କୃଷି ପ୍ରଧାନ ଆମ ରାଜ୍ୟରେ ଚାଷୀଭାଇ ବିଲରେ କାମ କଲାବେଳେ ଘରୁ ପହଂଚି ଯାଏ ପଖାଳ କଂସା। ଖଟିଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲ ଯାଏଁ ମେନ୍ୟୁରେ ଏବେ ସ୍ଥାନ ପାଉଛି ପଖାଳ। 

ଗାଁ ଠୁ ସହର ଲୋକଙ୍କର ଖାଦ୍ୟ ପଖାଳ। ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ବିଶେଷକରି ୨୦୧୧ରେ ପଖାଳ ଦିବସ ପାଳନ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ପଖାଳର କ୍ରେଜ୍‌ ବେଶ୍‌ ଅଧିକ ଦେଖିବାକୁ ମିଳୁଛି। ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ପଖାଳ ଖାଇବାର ମଜା କିଛି ଅଲଗା ହୋଇଥାଏ। ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ। ଏହିଦିନ ବଡ଼ ବଡ଼ ହୋଟେଲରେ ସ୍ବତନ୍ତ୍ର ମେନୁ ପରସା ଯାଉଛି । ବାସି ପଖାଳ, ସଜ ପଖାଳ, ଦହି ପଖାଳ, ଝିରା ଛୁଙ୍କ ଦିଆ ପଖାଳ, ଆମ୍ବ କସି ପଖାଳ ଆଦି କେତେ କ’ଣ ପଖାଳ ପ୍ର୍ରସ୍ତୁତ ହେଉଛି। ପଖାଳ ସହିତ ଆମିଷ ଖାଇବାର ସ୍ବାଦ କିଛି ନିଆରା।  ସହରର କିଛି ‌ହୋଟେଲ ଓ ରେସ୍ତୋରାଁରେ ବିଭିନ୍ନ ସଙ୍ଗଠନ ପଖାଳ ଦିବସ ପାଳିବା ସହ ‌ଓଡ଼ିଆଙ୍କ ପଖାଳ କଂସାର ବେଶ୍‌ ମଜା ଉଠାଇଛନ୍ତି। 

ପଖାଳ ଶବ୍ଦ ପାଲି ଭାଷା ପଖାଳିବାରୁ ଆସିଛି । ଯାହାର ଅର୍ଥ ଧୋଇବା । ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି। ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ। ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ,ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ।