Odisha Politics: ପାଣ୍ଡିଆନଙ୍କ ଇସ୍ତଫା ପରେ... ଦଶହରାରେ ପାଣ୍ଡିଆନଙ୍କ ରାଜନୀତିକ ଅଭିଶେକ
Advertisement
Article Detail0/zeeodisha/odisha1928136

Odisha Politics: ପାଣ୍ଡିଆନଙ୍କ ଇସ୍ତଫା ପରେ... ଦଶହରାରେ ପାଣ୍ଡିଆନଙ୍କ ରାଜନୀତିକ ଅଭିଶେକ

V Karthikeyan Pandian: ଦଶହରା ପୂର୍ବ ଦିନ ଅର୍ଥାତ୍‍ ରାଜ୍ୟ ଯେତେବେଳେ ମହା ନବମୀ ପାଳନ କରୁଛି ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ଖବର ସାମ୍ନାକୁ ଆସିବା ଭିକେ ପାଣ୍ଡିଆନଙ୍କ ରାଜନୀତିକ ନବକଳେବରର ସମ୍ଭାବନାକୁ ଉଜ୍ଜୀବୀତ କରୁଛି। ରାଜନୀତିକ ପଣ୍ଡିତମାନେ ବିଭିନ୍ନ ଢଙ୍ଗରେ ନିଜ ନିଜ ବିଚାର ରଖିଛନ୍ତି। 

Odisha Politics: ପାଣ୍ଡିଆନଙ୍କ ଇସ୍ତଫା ପରେ... ଦଶହରାରେ ପାଣ୍ଡିଆନଙ୍କ ରାଜନୀତିକ ଅଭିଶେକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କ ଆଇଏଏସ୍‍ରୁ ଇସ୍ତଫା ପରେ ରାଜନୀତିକ ଚର୍ଚ୍ଚା ଜୋର ଧରିଛି। ପୁଣି ଦଶହରା ପୂର୍ବ ଦିନ ଅର୍ଥାତ୍‍ ରାଜ୍ୟ ଯେତେବେଳେ ମହା ନବମୀ ପାଳନ କରୁଛି ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ଖବର ସାମ୍ନାକୁ ଆସିବା ତାଙ୍କ ରାଜନୀତିକ ନବକଳେବରର ସମ୍ଭାବନାକୁ ଉଜ୍ଜୀବୀତ କରୁଛି। ରାଜନୀତିକ ପଣ୍ଡିତମାନେ ବିଭିନ୍ନ ଢଙ୍ଗରେ ନିଜ ନିଜ ବିଚାର ରଖିଛନ୍ତି। 

ପ୍ରଥମତଃ ଦଶହରାରେ ପାଣ୍ଡିଆନ୍‍ଙ୍କ ରାଜନୀତିକ ଅଭିଶେକ ହେବ ବୋଲି କୁହାଯାଉଛି। ଖୋଦ୍‍ ମୁଖ୍ୟମନ୍ତ୍ରୀ ଏ ବାବଦରେ ଘୋଷଣା କରିପାରନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜର ଅଫିସିଆଲ୍‍ ଉତ୍ତରାଧିକାରୀ ଭାବେ ଘୋଷଣା କରି ଆଗାମୀ ନିର୍ବାଚନ ଦାୟିତ୍ୱ ଦେବେ ବୋଲି ଚର୍ଚ୍ଚା ହେଉଛି। ଦ୍ୱିତୀୟ ସୂତ୍ର ଅନୁସାରେ ଶ୍ରୀ ପାଣ୍ଡିଆନ୍‍ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିପାରେ। ମୁଖ୍ୟମନ୍ତ୍ରୀଙ୍କ ବୟସ ଓ ଶାରିରୀକ ଅସୁସ୍ଥତା ଯୋଗୁ ତାଙ୍କର ପ୍ରତିନିଧି ଭାବେ ଯିଏ ଲୋକଙ୍କ ପାଖରେ ପହଞ୍ଚିବେ ସେ କେବଳ ଶ୍ରୀ ପାଣ୍ଡିଆନ୍‍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଗତ ଦିନମାନଙ୍କରେ ଶ୍ରୀ ପାଣ୍ଡିଆାନ ରାଜ୍ୟର ୧୪୭ଟିଯାକ ନିର୍ବାଚନ ମଣ୍ଡଳୀ ଗସ୍ତ କରି ନିଜର ଆଦୃତିକୁ ପରୀକ୍ଷା କରିଛନ୍ତି। ସମସ୍ତ ନେତାଙ୍କୁ ମଞ୍ଚା ତଳେ ରଖି ନିଜେ ମଞ୍ଚା ଉପରେ ଲୋକଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ବୋଲି ପ୍ରତିଷ୍ଠା ଅର୍ଜନ କରିଛନ୍ତି। କିନ୍ତୁ ସରକାରୀ ଚାକିରିର ପ୍ରୋଟକଲ ତାଙ୍କୁ ଅନେକ ସମୟରେ ଚର୍ଚ୍ଚାକୁ ଆଣିଥିଲା। ଏଣୁ ସେ ଇସ୍ତଫା ଦେଇ ଏବେ ପ୍ରତ୍ୟକ୍ଷ ଭାବେ ରାଜନୀତିକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ ତାଙ୍କ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କଠାରେ ଆବେଦନ ହୋଇଥିଲା। ସେ ସର୍ବଭାରତୀୟ ଚାକିରିର ପ୍ରୋଟକଲ ବିରୁଦ୍ଧରେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ କୈଫିୟତ ମଗାଯାଇଥିଲା।

ଅପରପକ୍ଷେ ପାଣ୍ଡିଆନ୍‍ଙ୍କ ନିର୍ବାଚନ ପରିଚାଳନା ନେଇ ଅନେକ ଅଭିଜ୍ଞତା ରହିଛି। ୨୦୧୯ ମସିହାରେ ବିଜେଡି ଯେତେବେଳେ ସାଂଗଠନିକ ଅସ୍ଥିରତାରେ ଗତି କରୁଥିଲା, ଦଳର ତୁଙ୍ଗ ନେତାମାନଙ୍କୁ କଣଠେସା କରି ତାହାର କୁପ୍ରଭାବ ଭୋଗ କରିବ ବୋଲି ଆଶଙ୍କା କରାଯାଉଥିଲା ସେତେବେଳେ ପାଣ୍ଡିଆନ୍‍ ଦଳକୁ ନୂଆ ମୋଡ଼ ଦେଇଥିଲେ। ଆଉ ଦଳ ପୂର୍ବର ସବୁ ରେକର୍ଡ ଭାଙ୍ଗି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏହିକ୍ରମରେ ୨୦୨୩ ନିର୍ବାଚନ ବଟନ ବି ତାଙ୍କରି ହାତରେ ନ୍ୟସ୍ତ ରହିବ। ଆଉ ସେ ଏବେ ପୂର୍ଣ୍ଣକାଳୀନ ରାଜନେତା ଭାବେ କାର୍ଯ୍ୟ କରିପାରିବେ ବୋଲି ଆଶା କରାଯାଇପାରେ। ରାଜ୍ୟରେ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିଛି।

ପୁରୀ ଜିଲ୍ଲା ଗସ୍ତବେଳେ ତାଙ୍କୁ କାଳିମାଡ଼ ଏବଂ ତାହାକୁ ଯେପରି ଭାବେ ରାଜ୍ୟ ସରକାର ଗ୍ରହଣ କଲେ ସେଥିରୁ ସ୍ପଷ୍ଟ ଯେ ସେ ରାଜନୀତି ଆଡ଼କୁ ମୁହାଁଇଛନ୍ତି। ଅପରପକ୍ଷେ କିଛିଦିନ ତଳେ ସେ ରଖିଥିବା ଭାଷଣରେ ଓଡ଼ିଶା ପ୍ରତି ତାଙ୍କ ଭଲ ପାଇବାକୁ ସେ ସ୍ପଷ୍ଟ କରିଛନ୍ତି। 

ପୂର୍ବରୁ ଶ୍ରୀ ପାଣ୍ତିଆନ୍‍ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟ ଚାକିରି ଛାଡ଼ ରାଜନୀତି କରିବେ ବୋଲି କୁହାଯାଉଥିଲା। ହେଲେ ଏବେ ତାଙ୍କର ଇସ୍ତଫା ଏବଂ ତାହାକୁ ତତ୍‍କ୍ଷଣାତ୍‍ ମାତ୍ର  ୩ ଦିନରେ କେନ୍ଦ୍ର ଗ୍ରହଣ କରିବା ତାଙ୍କର ରାଜନୀତିକ ପ୍ରବେଶକୁ ସ୍ପଷ୍ଟ କରିଛି।  ଆଉ କିଛି ରାଜନୀତିକ ପଣ୍ଡିତଙ୍କ ଅନୁସାରେ ସେ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ରାଜନୀତିରେ ପ୍ରାର୍ଥୀ ନହୋଇ ବିଜେଡିକୁ ନିୟନ୍ତ୍ରଣ କରିବେ।  କିନ୍ତୁ ଏହା ସ୍ପଷ୍ଟ ଯେ, ଆସନ୍ତା କିଛିଦିନରେ ଏସବୁ ଆକଳନ ଓ ସମ୍ଭାବନାର ଅନ୍ତ ହୋଇ ପାଣ୍ଡିଆନଙ୍କ ନବକଳେବର ହେବ।

Also Read- VRS TO VK Pandian: ପାଣ୍ଡିଆନ୍‍ଙ୍କୁ ଭିଆର୍‍ଏସ୍‍, ୩ ଦିନରେ ଇସ୍ତଫା ଗ୍ରହଣ, ରାଜନୀତିକୁ ଆସିପାରନ୍ତି

Also Read- Cyclone Hamoon: ପାରାଦ୍ୱୀପ ଡପ୍ଲର ରାଡ଼ାରରେ ଦୃଶ୍ୟମାନ ବାତ୍ୟା "ହାମୁନ"ର ଆଖି, '୧୨ଘଣ୍ଟା ମଧ୍ୟରେ ଭୀଷଣବାତ୍ୟା' !