୨୦୧୬ ମସିହା ଡିସେମ୍ୱର ୧୭ ତାରିଖ। ଜାଡ଼ ସନ୍ଧ୍ୟା ରାତି। ଥୁରଥୁର୍ ଶୀତରେ ଭୁବନେଶ୍ୱରସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ଭିତରୁ ଭାସି ଆସୁଛି ଉଚ୍ଚ ସ୍ୱରରେ ଶାସ୍ତ୍ରୀୟ ସଙ୍ଗୀତର କିଛି ପଦ। ମନ ଟାଣି ନେଇଥିଲା ସେହିଆଡ଼େ। ଏହା ପୂର୍ବରୁ ତାଙ୍କୁ କେବେ ଭେଟି ନ ଥିଲି। ଧଳା ରଙ୍ଗର ଏକ କୂର୍ତ୍ତା ପିନ୍ଧିଥିଲେ।
Trending Photos
ଚାରୁ ଚନ୍ଦନ ଦାଶ: ୨୦୧୬ ମସିହା ଡିସେମ୍ୱର ୧୭ ତାରିଖ। ଜାଡ଼ ସନ୍ଧ୍ୟା ରାତି। ଥୁରଥୁର୍ ଶୀତରେ ଭୁବନେଶ୍ୱରସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ଭିତରୁ ଭାସି ଆସୁଛି ଉଚ୍ଚ ସ୍ୱରରେ ଶାସ୍ତ୍ରୀୟ ସଙ୍ଗୀତର କିଛି ପଦ। ମନ ଟାଣି ନେଇଥିଲା ସେହିଆଡ଼େ। ଏହା ପୂର୍ବରୁ ତାଙ୍କୁ କେବେ ଭେଟି ନ ଥିଲି। ଧଳା ରଙ୍ଗର ଏକ କୂର୍ତ୍ତା ପିନ୍ଧିଥିଲେ। ବେକରେ ଓଁ ଲେଖାଥିବା ଏକ ମାଳି ବି ପିନ୍ଧିଥିଲେ। ଆଉ ବାମ ହାତରେ ୩-୪ଟି ମୁଦି ପିନ୍ଧିଥିଲେ। ତାଙ୍କ ବିଷୟରେ କିଏ ବା ନ ଜାଣିଛି। ସଙ୍ଗୀତରେ ରୁଚି ରଖିଥିବା ପ୍ରତିଟି ବ୍ୟକ୍ତି ତାଙ୍କୁ ଜାଣେ। ଆଗରୁ କେବେ ଦେଖି ନ ଥିଲି। ସେଇଦିନ ତାଙ୍କ ସହ ଦେଖା ହୋଇଥିଲା ଏବଂ ତାଙ୍କ ସଙ୍ଗୀତର ତେଜୀୟାନ ସ୍ୱରକୁ ମନଭରି ଉପଲବ୍ଧି କରିବାର ସୁଯୋଗ ମିଳିଥିଲା। ପଣ୍ଡିତ ଯଶରାଜ। ଶାସ୍ତ୍ରୀୟ ସଙ୍ଗୀତର ଜଣେ ପୋଖତ୍ ଶିଳ୍ପୀ। ତାଙ୍କ କଥାରେ ସଙ୍ଗୀତ ଥିଲା, ତାଙ୍କ କଣ୍ଠରେ ସ୍ୱୟଂ ସରସ୍ୱତୀ ବିଜେ କରିଥିଲେ। ସେଥିପାଇଁ ତ ତାଙ୍କୁ ହିନ୍ଦୁସ୍ଥାନୀ ସଙ୍ଗୀତର ଆକାଶରେ ସୂର୍ଯ୍ୟ ବୋଲି କୁହାଯାଏ। 'ମ୍ୟୁଜିକ ଇନ୍ ଦି ପାର୍କ' ନାମକ ଏକ ସୋ'ରେ ଗୀତ ଗାଇବାକୁ ଆସିଥିଲେ ପଣ୍ଡିତ ଜୀ। ପାଖାପାଖି ଦୁଇ ଘଣ୍ଟା ଧରି ସେଦିନ ସେ ସଙ୍ଗୀତ ପରିବେଷଣ କରିଥିଲେ। ଆରମ୍ଭରୁ ପୂରା ପାର୍କ ଯେମିତି ନିରବ ଥିଲା, ତାଙ୍କର ସୋ' ସରିବା ପର୍ଯ୍ୟନ୍ତ ସେମିତି ଚୁପଚାପ୍ ଥିଲା। ଜାଡ଼ ଥଣ୍ଡା ରାତିରେ ଶୀତ ଓ କାକର ମଧ୍ୟରେ ଶାସ୍ତ୍ରୀୟ ସଙ୍ଗୀତର ମାଳି ଭିତରୁ ଗୋଟିଏ ପରେ ଗୋଟିଏ ଗୀତ ପଣ୍ଡିତ ଜୀଙ୍କ କଣ୍ଠରୁ ଶୁଭୁଥାଏ। ପ୍ରକୃତିର ପ୍ରତିଟି ରଙ୍ଗରେ ଯେମିତି ସଙ୍ଗୀତର ନାନା ଲହର ଶୁଣିବାକୁ ମିଳିଥାଏ, ଠିକ୍ ସେମିତି ଅନ୍ଧାର ଓ ଆଲୁଅର ଲୁଚକାଳି ଭିତରେ ଶୁଭୁଥାଏ ଏହି ଯାଦୁଗରଙ୍କ ସଙ୍ଗୀତର ମୂର୍ଚ୍ଛନା।
ହାଇଦ୍ରାବାଦରେ ଥିଲାବେଳେ ପିଲାଦିନେ ପଣ୍ଡିତ ଜୀ ଥରେ ଏକ ହୋଟେଲରେ ବେଗମ ଅଖତରଙ୍କ ଗଜଲ ଶୁଣିଥିଲେ। 'ଦିୱାନା ବନାନା ହୈ ତୋ ଦିୱାନା ବନା ଦେ, ୱରନା କହିଁ ତକଦୀର ତମାସା ନା ବନା ଦେ' ଗଜଲ ତାଙ୍କୁ ସଙ୍ଗୀତଜ୍ଞ ହେବାକୁ ପ୍ରେରଣା ଦେଇଥିଲା। ସେତେବେଳେ ଫୁଟପାଥରେ ସମୟ ଅତିବାହିତ କରୁଥିବା ପଣ୍ଡିତ ଜୀଙ୍କ ପାଇଁ ସ୍କୁଲ ଥିଲା ସେହି ହୋଟେଲ ଏବଂ ବେଗମ ଅଖତରଙ୍କ ଗଜଲ। ଏକଥା ସେ ବିଭିନ୍ନ ସମୟରେ ଅନେକ ସାକ୍ଷାତକାରରେ ମଧ୍ୟ ମନେ ପକାଇଛନ୍ତି। ଦିନେ ତାଙ୍କର ମଝିଆଁ ଭାଇ ପଣ୍ଡିତ ପ୍ରତାପ ନାରାୟଣ ଜୀ ତାଙ୍କୁ ଏକ ତବଲା ଆଣି ଦେଇଥିଲେ ଏବଂ ବଜାଇବାକୁ କହିଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ପଣ୍ଡିତ ଜୀଙ୍କ ସଙ୍ଗୀତ ପ୍ରତି ବିମୁଗ୍ଧ ଦୁର୍ବଳତା। ମାତ୍ର ଦେଢ଼ ବର୍ଷ ବୟସରେ ନିଖୁଣ ତବଲା ବଜାଇଥିବା ପଣ୍ଡିତ ଯଶରାଜ ଲାହୋରରେ ବି ପରିବେଷଣ କରିଥିଲେ। ସେଠାରେ ବଂଶୀଲାଲ ଜୀଙ୍କ ସରସ୍ୱତୀ ମ୍ୟୁଜିକ କଲେଜରେ ସେ ପ୍ରଥମେ ସଙ୍ଗୀତ ପରିବେଷଣ କରିଥିଲେ। ନନ୍ଦୋତ୍ସବରେ ପରିବେଷଣ କରିଥିବା ତାଙ୍କର ସେଦିନର ଯାଦୁଗରୀକୁ ସେ ସମୟର ଅନେକ ପ୍ରସିଦ୍ଧ ଲୋକ ତାଙ୍କୁ ପ୍ରଶଂସା କରିଥିଲେ। ତାଙ୍କୁ 'ରସରାଜ'ନାଁରେ ନାମିତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ। ସେହିପରି 'ଯୁଗଳବନ୍ଦୀ'ର 'ଜଶରଙ୍ଗୀ' ଶୁଣିଲେ ମନ ଆନମନା ହୋଇଉଠେ। ହୃଦୟର ଶାଳୀନତା ସ୍ପଷ୍ଟ ବାରି ହୋଇପଡ଼େ। ପଣ୍ଡିତ ଯଶରାଜ ସଙ୍ଗୀତର ଏହି ନୂଆ ଶୈଳୀକୁ ଜନ୍ମ ଦେଇଥିଲେ। କୌଣସି ଶାସ୍ତ୍ରୀୟ ସଙ୍ଗୀତରେ ଦୁଇଟି ରାଗ ଅଲଗା ଅଲଗା ଭାବେ ପରିବେଷଣ କରି ଯୁଗଳବନ୍ଦୀ କରିବା ଅସମ୍ଭବ। କିନ୍ତୁ, ଯୁଗଳବନ୍ଦୀରେ ଏହାକୁ ସମ୍ଭବ କରି ଦେଖାଇଥିଲେ ପଣ୍ଡିତ ଜୀ। ଏହି ନୂଆ ଶୈଳୀର ନାଁ ପ୍ରଥମ କରି ପୁଣେରେ ଏକ କାର୍ଯ୍ୟକ୍ରମରେ ହୋଇଥିଲା। ତେବେ ଯଶରଙ୍ଗୀରେ ଜଣେ ମହିଳା ଓ ଜଣେ ପୁରୁଷ ଏକା ସମୟରେ ଦୁଇଟି ଭିନ୍ନ ରାଗରେ ସଙ୍ଗୀତ ପରିବେଷଣ କରିଥା'ନ୍ତି। ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନା ଅନୁସାରେ ଏହା ପରିବେଷଣ କରାଯାଇଥାଏ। ଫିଲ୍ମ ଜଗତରେ ଲତା ଦିଦିଙ୍କୁ ପସନ୍ଦ କରୁଥିବା ସଙ୍ଗୀତର ଏହି ନବରସ ତାଙ୍କରି ଗୀତ 'ୟେ ଜୀନ୍ଦଗୀ ଉସି କି ହୈ,'ଗୀତକୁ ବି ଖୁବ ପସନ୍ଦ କରୁଥିଲେ।
ଆଜି ଆଉ ସେ ନାହାନ୍ତି, କିନ୍ତୁ ଭାରତୀୟ ସଙ୍ଗୀତ ଜଗତରେ ଛାଡ଼ି ଯାଇଥିବା ତାଙ୍କରି ପ୍ରତିଟି ଛାପ ଚିରସ୍ମରଣୀୟ ରହିଥିବ। ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତକୁ ଏକ ନୂଆ ପରିଚୟ ଦେଇଥିବା ପଣ୍ଡିତ ଜୀ ଚିରଦିନ ପାଇଁ ସୁର ପରିକଳ୍ପନାର ନାୟକ ହୋଇ ରହିଥିବେ। ଏହାସାଙ୍ଗକୁ ରସରାଜର ଯଶରାଜଙ୍କ ଜଶରଙ୍ଗୀ ବି ଦୁନିଆରେ ସଙ୍ଗୀତର ଶେଷ ଅନୁଭବ ବଞ୍ଚିଥିବା ପର୍ଯ୍ୟନ୍ତ ଜୀବିତ ଥିବ ଏବଂ ହିନ୍ଦୁସ୍ଥାନୀ ସଙ୍ଗୀତର ଆକାଶରେ ସଦାସର୍ବଦା ସୂର୍ଯ୍ୟ ଭଳି ଦବଦବ କରୁଥିବେ।