ଖରାଦିନେ ପଖାଳ ସାଙ୍ଗରେ ଭରତା, ସାଗ ଭଜା ସାଂଗକୁ ବଡ଼ିଚୁରା ସ୍ୱାଦ ଟିକିଏ ଯେମିତି ନିଆରା। ପଖାଳ ଓଡ଼ିଆଙ୍କ ଏକ ସ୍ୱତନ୍ତ୍ର ପରିଚୟ। କେବଳ ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବି ପ୍ରିୟ ଖାଦ୍ୟ ହେଲା ପଖାଳ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ଏକ ପ୍ରମାଣ।
Trending Photos
ନୂଆଦିଲ୍ଲୀ: ଆଜି ହେଉଛି ମାର୍ଚ୍ଚ ୨୦ ତାରିଖ। ଗତ କିଛି ବର୍ଷ ଧରି ସାରା ବିଶ୍ୱରେ ଓଡ଼ିଆମାନେ ଆଜିର ଦିନକୁ ପଖାଳ ଦିବସ ଭାବେ ପାଳନ କରୁଛନ୍ତି। ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି। ଖରାଦିନେ ପଖାଳ ସାଙ୍ଗରେ ଭରତା, ସାଗ ଭଜା ସାଂଗକୁ ବଡ଼ିଚୁରା ସ୍ୱାଦ ଟିକିଏ ଯେମିତି ନିଆରା। ପଖାଳ ଓଡ଼ିଆଙ୍କ ଏକ ସ୍ୱତନ୍ତ୍ର ପରିଚୟ। କେବଳ ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବି ପ୍ରିୟ ଖାଦ୍ୟ ହେଲା ପଖାଳ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ଏକ ପ୍ରମାଣ।
ଡାଇନିଂ ଉପରେ ଶୋଭା ପାଉଛି ପଖାଳ କଂସା। ଛୁଙ୍କ ଦିଆ ଦହି ପଖାଳ ସହ ବାଇଗଣ ଭର୍ତ୍ତା, ବଡିଚୁରା, ସାଗଭଜା, ମାଛଭଜା, ଖଇଙ୍ଗା ସୁଖୁଆ, ବାଇଗଣ ଚେକା ଭଜା, ଧନିଆ, ନଡ଼ିଆ ଚଟଣି ଭଳି କେତେ କଣ। ଗରିବ ଓଡିଆଙ୍କ ଘରେ ଘରେ ପରିଚିତ ପାରମ୍ପରିକ ସହଜ ଖାଦ୍ୟର ସ୍ୱାଦକୁ ଟିକେ ମଜା ଉଠାଇବା ଲାଗି ପୁରା ପରିବାର ଏକତ୍ରିତ ହୋଇଛନ୍ତି। କାରଣ ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଏଭଳି ଏକ ନିଆରା ମୁହୂର୍ତ୍ତକୁ ଉପଭୋଗ କରିବା ସହ ପଖାଳର ସ୍ଥିତିକୁ ବଞ୍ଚାଇ ରଖିବା ଲାଗି ଆଜିର ଦିନକୁ ସମସ୍ତ ଓଡିଆ ଚାହିଁ ବସିଥାନ୍ତି। ଖାଲି ଓଡିଶା ନୁହେଁ ଦେଶ ତଥା ଦେଶ ବାହାରେ ଓଡିଆଙ୍କ ପ୍ରିୟ ପଖାଳ ବଡ ବଡ ହୋଟେଲର ଡାଇନିଂ ଟେବୁଲରେ ମଧ୍ୟ ଶୋଭା ପାଉଥିବା ଦେଖିବାକୁ ମିଳୁଛି।
Also Read: ସୁସ୍ଥ ଶରୀର ସହ ଏହି ସବୁ ଲାଭ ଦେଇଥାଏ ବ୍ୟାୟାମ, ଏମିତି କରନ୍ତୁ ଆରମ୍ଭ
ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ, ଏକ ପରିଚୟ। ପଖାଳର ମହତ୍ୱକୁ ପରପିଢ଼ି ପାଖରେ ପହଞ୍ଚାଇବା ପାଇଁ ‘ପଖାଳ ଦିବସ’ ପାଳିତ ହେଉଛି। ୨୦୧୧ ମସିହା ଠାରୁ ଆଗ୍ରହୀ ଓଡ଼ିଆ ଓ ଅଣଓଡ଼ିଆ ପଖାଳପ୍ରେମୀଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା। ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ। ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି।
ରାଜ୍ୟ ଓ ରାଜ୍ୟ ବାହାରେ ତାରକା ହୋଟେଲମାନଙ୍କରେ ମଧ୍ୟ ଏହି ଓଡ଼ିଆ ଖାଦ୍ୟ 'ପଖାଳ' ମେନୁରେ ସାମିଲ ହେଲାଣି। ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ ଓ ତାମିଲନାଡ଼ୁ ସମେତ ପଡ଼ୋଶୀ ବାଂଲାଦେଶରେ ମଧ୍ୟ ଲୋକେ ପଖାଳ ଖାଇଥାଆନ୍ତି। ଓଡିଶାରେ ଯଦିଓ ଛୁଙ୍କ ଦହି ପଖାଳ ଭାବେ ସମସ୍ତେ ଜାଣନ୍ତି, ହେଲେ ଆସାମରେ ଏହାକୁ 'ପୋଇତା ଭାତ', ପଶ୍ଚିମ ବଙ୍ଗରେ 'ପାନ୍ତ ଭାତ', ଝାଡ଼ଖଣ୍ଡ ଓ ବିହାରରେ 'ମାରା ଭାତ', ଛତିଶଗଡ଼ରେ 'ବୋରେ ଭାତ', ମାଲାୟାଲାମରେ 'ବଲ୍ଲୁ ଚୋରୁ' ଓ ତାମିଲନାଡ଼ୁରେ 'ବକାଲ ବାତ' ବୋଲି କୁହାଯାଏ। ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟମାନଙ୍କୁ ଛାଡ଼ିଦେଲେ ଅନ୍ୟ କେଉଁଠି ଭାତକୁ ପାଣିରେ ରଖି ବାସୀତୋରାଣି ସହ ଖାଇବାର ପରମ୍ପରା ନାହିଁ।