ପରପାରିରେ ଭେଟେରାନ୍ ଅଭିନେତା ମିହିର ଦାସ
Advertisement
Article Detail0/zeeodisha/odisha1068025

ପରପାରିରେ ଭେଟେରାନ୍ ଅଭିନେତା ମିହିର ଦାସ

ଦୀର୍ଘଦିନରୁ କିଡନୀ ଓ ହୃଦରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ କିନ୍ତୁ ନିକଟରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭେଣ୍ଟିଲିଟରରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ବିଧିର ବିଧାନ କେ କରିବ ଆନ ।

ପରପାରିରେ ଭେଟେରାନ୍ ଅଭିନେତା ମିହିର ଦାସ

ସ୍ୱପାରାଣୀ ଭୋଳ, ନୂଆଦିଲ୍ଲୀ: ସବ୍ଧ ହୋଇଗଲା ଓଲିଉଡ । ମଉଳି ଗଲା କୋଟି କୋଟି ଦର୍ଶକଙ୍କ ମନ । ସମସ୍ତଙ୍କ ଆଖି ଆଜି ଛଳଛଳ । କେହି ବିଶ୍ୱାସ କରିପାରୁନାହାନ୍ତି ଯେ ଆମ ଅତିପ୍ରିୟ ଅଭିନେତା ମିହିର ଦାସ ଆଉ ଆମ ଗହଣରେ ନାହାନ୍ତି । ମଥୁରା ବିଜୟରୁ କ୍ୟାରିଅର ଆରମ୍ଭ କରିଥିବା ଭେଟେରାନ୍ ଅଭିନେତା ମିହିର ଦାସ ଆଜି ୬୩ ବର୍ଷ ବୟସରେ ଜୀବନ ମୃତ୍ୟୁର ଯୁଦ୍ଧରେ ପରାଜୟ ହୋଇଯାଇଛନ୍ତି । ଦୀର୍ଘଦିନରୁ କିଡନୀ ଓ ହୃଦରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ କିନ୍ତୁ ନିକଟରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭେଣ୍ଟିଲିଟରରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ବିଧିର ବିଧାନ କେ କରିବ ଆନ । ସମୟର ଚକାଭଉଁରୀରେ ଜୀବନ ମୃତ୍ୟୁ ଖେଳରେ ଆଜି ହାରିଗଲେ ଓଲିଉଡର ଏହି ବାଜିଗର ।

ମିହିର ଦାସ, ଯାହାଙ୍କ ପରିଚୟର କୌଣସି ଆବଶ୍ୟକ ନାହିଁ, କାରଣ ପ୍ରତିଟି ଘରେଘରେ ସେ ଖୁବ୍ ପରିଚିତ ଚେହେରା । ୪ ଦଶନ୍ଧି ଧରି ଓଡ଼ିଆ ସିନେପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି ନିଜ କଳା ଓ ଅଭିନୟର ଯାଦୁଗରୀରେ । କେବେ କାକା ହୋଇ ଅଭିମନ୍ୟୁକୁ ବୁଝାଇଛନ୍ତି ପୁଣି କେବେ ପୁଅ ଭୋଳାଶଙ୍କର ହୋଇ ମାଆର ପଣତକାନୀରେ ମୁହଁ ପୋଛିଛନ୍ତି । କେବେ କ୍ରିଷ୍ଣା କାବେରୀ ସିନେମାରେ କାବେରୀ ସ୍ନେହରେ ବାନ୍ଧି ହୋଇଛନ୍ତି ପୁଣିକେବେ ରାଖି ବାନ୍ଧିଲି ମୋ ରଖିବ ମାନରେ ଭଉଣୀକୁ ରାଖିର ମାନ ଦେଇଛନ୍ତି ।

ମିହିର୍ ଦାସ, ତାଙ୍କୁ ନାୟକ କୁହାଯିବ ନା ଖଳନାୟକ ? କମେଡିଆନ୍ କୁହାଯିବ ନା ଜଣେ ଭଲ ଅଭିନେତା ? । ଆଜିବି ସଭିଁଙ୍କ ମନରେ ଏ ପ୍ରଶ୍ନ । କାରଣ ସବୁ ଚରିତ୍ରକୁ ଅତି ନିଖୁଣତାର ସହ ଅଭିନୟ କରିପାରନ୍ତି ଓଲିଉଡର ଏହି ଭେଟିରାନ୍ କଳାକାର ଜଣଙ୍କ। ଦିନଥିଲା, କେବଳ ରୁପେଲି ପରଦାକୁ ନୁହେଁ, ରବିବାର ଅପରାହ୍ଣ ୪ଟାରେ ଦୁରଦର୍ଶନରେ ସିନେମା ଦେଖିବାକୁ ଚାତକ ପରି ଚାହିଁ ରହୁଥିଲେ ଦର୍ଶକ , ଆଉ ସିନେମାରେ ମିହିର ଦାସଙ୍କ ଦମଦାର ଆକ୍ସନ, ଫାଇଟ୍, କମେଡି ଚାଲୁଥିବା ସମୟରେ ଟିଭି ସ୍କିନ୍ ରେ ଲାଖି ରହୁଥିଲା ଦର୍ଶକଙ୍କ ଆଖି । ଆଉ ଆଜି ବି ଅନେକ ଚ୍ୟାନେଲ୍ ର ଭିଡ ଭିତରେ ଦର୍ଶକଙ୍କ ଆଖି ଲାଖିଯାଏ ମିହିର ଦାସଙ୍କ ସିନେମା ପାଖରେ ।

ଦର୍ଶକଙ୍କ ମନ ଜାଣି ଅଭିନୟ କରନ୍ତି ମିହିର୍ , ଦର୍ଶକଙ୍କ ତାଳି ମାଡ଼ ହିଁ ତାଙ୍କୁ ଦେଉଥିଲା ଅଜସ୍ର ଖୁସି । ଆଉ ସେହି ଦର୍ଶକଙ୍କ ମନରୋଞ୍ଜନ ପାଇଁ ଜୀବନକୁ ଅଭିନୟର ଜାଲରେ ଛନ୍ଦିଦେଇଥିଲେ ମିହିର୍ । ଅଭିନୟର ଦୁର୍ବଳତା ତାଙ୍କୁ ନିଜ ଜିଲ୍ଲା ମୟୁରଭଞ୍ଜରୁ ଟାଣିଆଣିଥିଲା କଟକ । ଆଉ ସିଲଭର ସିଟି କଟକ ମିହିରଙ୍କୁ ବନେଇଦେଲା ଓଲିଉଡର ହୀରା । ଜୀବନର ଯାତ୍ରାରେ କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କ ହାତ ଧରିଥିଲେ ମିହିର୍ , କିନ୍ତୁ ଦୁଃଖର କଥା ୨୦୧୦ ମସିହାରେ ମିହିରଙ୍କ ହାତଛାଡି ସେ ଆରପାରିକୁ ଚାଲିଯାଇଥିଲେ । ଏତେ ଦୁଃଖ ଭିତରେ ତଥାପି ଅଭିନୟ ପ୍ରତି ତାଙ୍କର ଆଗ୍ରହ କମିନଥିଲା । ଛାତିରେ ପଥର ରଖି ଅଭିନୟ ଜାରି ରଖିବା ସହ ପୁଅ ଅଭିନେତା ଅମ୍ଳାନଙ୍କୁ ଶିଶୁରୁ ବଡ଼ କରିଥିଲେ ମିହିର୍ । ଯେଉଁଥିପାଇଁ କେବଳ ପରଦାରେ ନୁହେଁ, ବାସ୍ତବ ଜୀବନରେ ମଧ୍ୟ ସେ ଜଣେ ଭଲ ବାପା ।
ଆଜି ତାଙ୍କର ଦେହାନ୍ତରେ କେବଳ ମିହିରଙ୍କ ପରିବାର କିମ୍ୱା ଓଲିଉଡ୍ ନୁହେଁ, କାନ୍ଦୁଛି ପୁରା ଓଡ଼ିଶା, ଝୁରୁଛି ସିନେମା ହଲ୍।