ପ୍ରଥମ ପର୍ଯ୍ୟାୟରେ ୩୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଷ୍ଟାଡିୟମର ଆଧୁନିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
Trending Photos
ବ୍ରହ୍ମପୁର: କ୍ରୀଡାର ଅଗ୍ରଗତି ନିମନ୍ତେ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର। ବିଭିନ୍ନ ସ୍ତରରେ କ୍ରୀଡା ଭିତ୍ତିଭୂମିର ବିକାଶ ଲାଗି ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଗଞ୍ଜାମ ଜିଲ୍ଲାରେ କିନ୍ତୁ ଦେଖିବାକୁ ମିଳିଛି ଏହାର ସମ୍ପୂର୍ଣ୍ଣ ବ୍ଯତିକ୍ରମ। କ୍ରୀଡାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରହ୍ମପୁର ଷ୍ଟାଡିୟମକୁ ଆଧୁନିକରଣ କରିବା ଲାଗି ଚାଲିଥିବା ପୁନଃରୁଦ୍ଧାର କାର୍ଯ୍ୟ ବର୍ଷ ବର୍ଷ ଧରି ମନ୍ଥର ଗତିରେ ଚାଲିଛି।
ବର୍ଷ ବର୍ଷ ଧରି ଅନିଶ୍ଚିତତା ଘେରରେ ବିଶ୍ବସ୍ତରୀୟ ପୂର୍ଣ୍ଣାଙ୍ଗ ଷ୍ଟାଡିୟମ (Worldclass Fullfledged Stadium) ପରିକଳ୍ପନା। କଛପ ଗତିରେ ଚାଲିଛି ବ୍ରହ୍ମପୁର ଷ୍ଟାଡିୟମର ପୁନଃରୁଦ୍ଧାର କାର୍ଯ୍ୟ (Berhampur Stadium Restoration Work)। ଭିତ୍ତିଭୂମି ଅଭାବରୁ ଖେଳ ଠାରୁ ମୁହଁ ଫେରାଇ ନେଲେଣି ଖେଳାଳୀ। କ୍ରୀଡାବିତଙ୍କ (Athlete) ଏନ୍ତୁଡିଶାଳ କୁହାଯାଉଥିବା ବ୍ରହ୍ମପୁର ସହରରେ (Berhampur Town) କ୍ରୀଡାର ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି (Sports Infrastructure) ଯୋଗାଇ ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ସହରରେ ଅବସ୍ଥିତ ଏକମାତ୍ର ଷ୍ଟାଡିୟମକୁ ବିଶ୍ବସ୍ତରୀୟ ସାଟେଲାଇଟ ଷ୍ଟାଡିୟମ (Worldclass Satellite Stadium) କରିବା ସହ ଏଠାରେ ସମସ୍ତ ସୁବିଧା କିଭଳି ଭାବେ କ୍ରୀଡ଼ାବିତ୍ ପାଇପାରିବେ ସେ ନେଇ ପ୍ରସ୍ତୁତ ହୋଇଥିଲା ଯୋଜନା।
Also Read: ରେଶମ ନଗରୀର ରୂପରେଖ ବଦଳାଇବ ଚଳିତ BMC Budget
ପ୍ରଥମ ପର୍ଯ୍ୟାୟରେ ୩୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଷ୍ଟାଡିୟମର ଆଧୁନିକରଣ କାର୍ଯ୍ୟ (Stadium Modernization Work) ଆରମ୍ଭ ହୋଇଥିଲା। ଇଣ୍ଟରନେସନାଲ୍ ସୁଇମିଂ ପୁଲ୍ (International Swimming Pool), ମଲ୍ଟି ପରପସ୍ ଇନ୍ଡ଼ୋର୍ ହଲ୍ (Multi Porpose Indoor Hall), ଟେନିସ୍ କୋର୍ଟ (Tennis Court), ଦୁଇଟି କ୍ରିକେଟ୍ ମେନ୍ ପିଚ୍ (Cricket Main Pitch) ଏବଂ ଦୁଇଟି ଅଭ୍ୟାସ୍ ପିଚ୍ (Cricket Practice Pitch) ନିର୍ମାଣ ଲାଗି ପୂର୍ବ ପ୍ରସ୍ତୁତ ରୂପରେଖ ମୁତାବକ କାମ ଆରମ୍ଭ ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟ ସୀମା ସରି ଆସୁଥିବା ବେଳେ ଅତ୍ୟନ୍ତ ମନ୍ଥର ଗତିରେ କାମ ଚାଲିଥିବା ଅଭିଯୋଗ ହୋଇଛି। ହରିୟାଣାସ୍ଥିତ (Haryana) ଓ୍ବେବ୍ କୋର୍ସ୍ ଇଣ୍ଡିଆ ଲିମିଟେଡ୍ (Web Course India Limited) ନାମକ ଏକ ସଂସ୍ଥା ଦ୍ବାରା ଚାଲିଥିବା ଷ୍ଟାଡ଼ିୟମ୍ ଆଧୁନିକରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଉଥିବା ଅଭିଯୋଗ କରିଛନ୍ତି କ୍ରୀଡାବିତ୍। ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଏବେ ଖେଳାଳି ନିରାଶ ହେଉଥିବା ବେଳେ ଅତିଶୀଘ୍ର କାମ ସାରିବା ଲାଗି ଦାବି ହୋଇଛି।
Also Read: କଟକଣା ହଟିବା ପରେ ଖୋଲିଲା ବଜାରର; ସ୍ୱାଭାବିକ ହେଉଛି ଜୀବନଯାତ୍ରା
ଗତ ୧୯୮୯ ମସିହା ଠାରୁ ଅସ୍ଥାୟୀ ରୂପେ ବୀର ହନୁମାନ କ୍ଲବରୁ ଚାଲିଆସୁଥିବା ସ୍ପୋର୍ଟ୍ସ ହଷ୍ଟେଲ (Sports Hostel) ପରବର୍ତ୍ତୀ ସମୟରେ ନିଜର ପରିଚୟ ଖୋଜି ବ୍ରହ୍ମପୁର ଷ୍ଟାଡିୟମ ତଳେ ଅସ୍ଥାୟୀ ରୂପେ ପିଲାଙ୍କୁ ରହିବା ଲାଗି ସୁଯୋଗ ଦିଆଯାଇଥିଲା। ହେଲେ ଦୀର୍ଘ ୩୨ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସ୍ଥାୟୀ ହଷ୍ଟେଲ ନିର୍ମାଣ ହୋଇ ପାରିନାହିଁ। ସମସ୍ୟା ମଧ୍ୟରେ ରହିଥିବା ଖେଳାଳୀଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଜୁନ ୨୬ ତାରିଖ ଶନିବାର କ୍ରୀଡା ସଚିବ ଆର.ଭିନୀଲ କ୍ରୀଷ୍ଣା ବ୍ରହ୍ମପୁର ଗସ୍ତରେ ଆସି ଭିତ୍ତିଭୂମିର ସମୀକ୍ଷା କରି ଫେରିଛନ୍ତି। ଅତିଶୀଘ୍ର ଅଧାପନ୍ତରିଆ କାମକୁ କିଭଳି ତ୍ୱରାନ୍ୱିତ କରାଯିବ ସେ ନେଇ ପରାମର୍ଶ ଦେଉଥିବା ବେଳେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି। ଭିତ୍ତିଭୂମିର ବିକାଶ ବେଳେ ପ୍ରଶାସନ ପକ୍ଷରୁ କ୍ରୀଡାବିତ ହୁଅନ୍ତୁ ଅଥବା ଜନପ୍ରତିନିଧିଙ୍କ ମତକୁ ଗୁରୁତ୍ୱ ଦିଆ ଯାଉନଥିବା ବେଳେ ଖେଳାଳିଙ୍କ ସମସ୍ୟା ଦୂର କରାଯିବ ବୋଲି ଚିରାଚରିତ ଢଙ୍ଗରେ ନିଜର ମତ ରଖିଛନ୍ତି ବ୍ରହ୍ମପୁର ବିଧାୟକ।