ବ୍ରହ୍ମପୁରର ମୁଆଁ ଭାରତରେ ସୃଷ୍ଟି କରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ, ଜାଣନ୍ତୁ କିପରି ହୁଏ ପ୍ରସ୍ତୁତ
Advertisement
Article Detail0/zeeodisha/odisha611513

ବ୍ରହ୍ମପୁରର ମୁଆଁ ଭାରତରେ ସୃଷ୍ଟି କରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ, ଜାଣନ୍ତୁ କିପରି ହୁଏ ପ୍ରସ୍ତୁତ

ପୌରାଣିକ କଥାବସ୍ତୁ ଅନୁଯାୟୀ ବର୍ଷର ପ୍ରଥମ ଅମଳ ଧାନରୁ ଲିଆରେ ମୁଆଁ ପ୍ରସ୍ତୁତ କରି ଜଗନ୍ନାଥଙ୍କ ପାଖରେ ଧନୁ ସଂକ୍ରାନ୍ତି ଦିନ ପ୍ରଥମେ ଭୋଗ ଲାଗିଥାଏ

ସୌଜନ୍ୟ: ସୋସିଆଲ ମିଡିଆ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ପ୍ରସିଦ୍ଧ ମୁଆଁ କହିଲେ ଦକ୍ଷିଣ ଓଡ଼ିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ ବ୍ରହ୍ମପୁରକୁ ବୁଝାଏ । କାରଣ ବ୍ରହ୍ମପୁରର ଧନୁ ମୁଆଁ ସାରା ଭାରତ ବର୍ଷରେ ସୃଷ୍ଟି କରିଛି ନିଜର ସ୍ୱତନ୍ତ୍ର ପରିଚୟ । ସେ ବିକ୍ରିବଟା ହେଉ ଅବା ଟେଷ୍ଟି, ସଭିଙ୍କ ବେସ ପସନ୍ଦ ମୁଆଁ । ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବଜାରରେ ଭଳିକି ଭଳିମୁଆଁ ଦେଖିବାକୁ ମିଳୁଥିବା ବେଳେ ଦୋକାନରେ ଗ୍ରାହକଙ୍କ ମଧ୍ୟ ବେଶ ଭିଡ଼ ଜମୁଛି । ପୌରାଣିକ କଥାବସ୍ତୁ ଅନୁଯାୟୀ ବର୍ଷର ପ୍ରଥମ ଅମଳ ଧାନରୁ ଲିଆରେ ମୁଆଁ ପ୍ରସ୍ତୁତ କରି ଜଗନ୍ନାଥଙ୍କ ପାଖରେ ଧନୁ ସଂକ୍ରାନ୍ତି ଦିନ ପ୍ରଥମେ ଭୋଗ ଲାଗିଥାଏ । ଏହି ମୁଆଁ ମାତ୍ର ଏକମାସ ବଜାରରେ ବିକ୍ରି ହେଉଥିବା ବେଳେ କିଭଳି ହୁଏ ପ୍ରସ୍ତୁତ ଓ କଣ ରହିଛି ବଜାର ହାଲଚାଲ ଜାଣନ୍ତୁ ସେ ବିଷୟରେ ।

ରେଶମ ସହର ବ୍ରହ୍ମପୁରରେ ଏବେ ଧନୁ ମୁଆଁର ବେସ ଆସର । ସହରର ପ୍ରମୁଖ ରାସ୍ତାଠାରୁ ଗଳି କନ୍ଦି ସବୁଠି ମିଠା ଦୋକାନ ମାନଙ୍କରେ ମୁଆଁ କିଣିବା ଲାଗି ଗ୍ରାହକଙ୍କ ବେସ ଭିଡ । ଧନୁ ସଂକ୍ରାନ୍ତିଠାରୁ ପ୍ରଭୁ ଜଗନ୍ନାଥ ଓ ମାଁ ବୁଢି ଠାକୁରାଣୀଙ୍କ ଠାରେ ଭୋଗ ଲାଗିବା ପରେ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବଜାରରେ ବିକ୍ରି ହୋଇଥାଏ ଏହି ମୁଆଁ । ପୌରାଣିକ କଥାବସ୍ତୁ ଅନୁଯାୟୀ ଚାଷୀ ତାର ବର୍ଷର ପ୍ରଥମ ଅମଳ ଧାନରୁ ଲିଆରେ ମିଠା ସିରାରେ ମୁଆଁ ପ୍ରସ୍ତୁତ କରି ଜଗନ୍ନାଥଙ୍କ ପାଖରେ ଧନୁ ସଂକ୍ରାନ୍ତି ଦିନ ପ୍ରଥମେ ଭୋଗ ଲାଗି କରିଥାଏ । ବଜାରରେ ଭଳିକି ଭଳି ମୁଆଁର ପସରା ଦେଖିବାକୁ ମିଳୁଥିବା ବେଳେ ଗ୍ରାହକ ମଧ୍ୟ ପକେଟ୍ କୁ ସୂଚାଇବା ଭଳି ମୁଆଁ କିଣୁଛନ୍ତି । ବିଶ୍ୱାସ ରହିଛି ଏହି ମାସରେ ମୁଆଁ ନିଜ ବନ୍ଧୁ ବାନ୍ଧବ ଓ ସମ୍ପର୍କିୟଙ୍କୁ ଦେଲେ ସମ୍ପର୍କ ବେସ ନିବିଡ ହୋଇଥାଏ । ଏଥିଲାଗି ତ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ସମ୍ପର୍କୀୟଙ୍କ ପାଖକୁ ପଠାଇଥାନ୍ତି ସହରବାସୀ ।

ପୁରାଣ କଥାବସ୍ତୁ ଅନୁସାରେ କ୍ଷେତର ପ୍ରଥମ ଅମଳ ଧାନରୁ ଲିଆ ପ୍ରସ୍ତୁତ କରିବା ପରେ ସେଥିରେ ମିଠାପାଗ ଦେଇ ମୁଆଁ ପ୍ରସ୍ତୁତ କରିବା ପରେ ଠାକୁରଙ୍କ ପାଖରେ ପ୍ରଥମ ଭୋଗ ଲାଗେ ଓ ତାପରେ ଯାଇ ବନ୍ଧୁବାନ୍ଧବଙ୍କୁ ପ୍ରଦାନ କରାଯାଇଥାଏ । ବଜାରରେ ସାଧାରଣତଃ ୩ ପ୍ରକାରର ମୁଆଁ ବିକ୍ରି ହୋଇଥାଏ । ସାଧା ମୁଆଁ, ମସଲା ମୁଆଁ । ଘିଅ ମୁଆଁ ସବୁଠାରୁ ସ୍ୱାଦିଷ୍ଟ ହୋଇଥିବାବେଳେ କିଲୋ ପିଛା ୪୦୦ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ସାଧାମୁଆଁ ୧୨୦ ଓ ମସଲା ମୁଆଁ ୨୦୦ ଟଙ୍କା ରହିଛି । ଏହାକୁ ପ୍ରସ୍ତୁତ କରିବା ଲାଗି ମାତ୍ର ୧୦ ରୁ ୧୫ମିନଟ ଲାଗୁଥିବା ବେଳେ ଏହାର ପ୍ରଣାଳୀ ଅତ୍ୟନ୍ତ ସତର୍କ ଅବଲମ୍ବନ କରିବାକୁ ପଡେ କାରିଗରଙ୍କୁ ।