Dhamanagar Bypoll: ଧାମନଗର ଉପନିର୍ବାଚନ: କଣ କହୁଛି ଗଣିତ, କିଏ ମାରିବ ବାଜି
Advertisement
Article Detail0/zeeodisha/odisha1425481

Dhamanagar Bypoll: ଧାମନଗର ଉପନିର୍ବାଚନ: କଣ କହୁଛି ଗଣିତ, କିଏ ମାରିବ ବାଜି

ବିଜେଡ଼ି ଏଠାରେ ଏକ ବୃହତ ବ୍ୟବଧାନରେ ବିଜୟ ଲାଭ କରିବାକୁ ଯାଉଛି ବୋଲି ଦଳ ପକ୍ଷରୁ ଦାବି କରାଯାଉଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଦାବି କରାଯାଉଛି ଯେ ଦଳ ଏକ ବୃହତ ବ୍ୟବଧାନରେ ବିଜୟ ହାସଲ କରିବ।

Dhamanagar Bypoll: ଧାମନଗର ଉପନିର୍ବାଚନ: କଣ କହୁଛି ଗଣିତ, କିଏ ମାରିବ ବାଜି

Dhamnagar Bypoll: ଭଦ୍ରକ: କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ଶେଷ ହୋଇଛି ଧାମନଗର ଉପ ନିର୍ବାଚନ। ୬୮ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ। ଅଞ୍ଚଳର ଲଢୁଆ ପୁଅ ବିଷ୍ଣୁ ସେଠୀଙ୍କ ଆବର୍ତ୍ତମାନରେ ଧାମନଗର ତାର ଆଗାମୀ ନେତାଙ୍କୁ ବାଛି ସାରିଛି। କେବଳ ଫଳାଫଳକୁ ଅପେକ୍ଷା। ଆସନ୍ତା ରବିବାର ସନ୍ଧ୍ୟା ସୁଦ୍ଧା ଆସିଯିବ ଫଳ। ତେବେ ଏହା ଢେର ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକର ନିଜର ବାଜିମାତକୁ ନେଇ ଦାବି କରିଆସୁଛନ୍ତି। 

ଏହି ଉପ ନିର୍ବାଚନରେ ୫ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ। ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟ ତିନି ଜଣ ପ୍ରମୁଖ ରାଜନୈତିକ ଦଳରୁ ପ୍ରାର୍ଥୀ ହୋଇଥିଲେ। ବିଜେଡ଼ିରୁ ଅବନ୍ତୀ ଦାସ, ବିଜେପିରୁ ସୂରଜ ସୂର୍ଯ୍ୟବଂଶୀ ଓ କଂଗ୍ରେସରୁ ହରେକୃଷ୍ଣ ସେଠୀ ପ୍ରାର୍ଥୀ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ରାଜେନ୍ଦ୍ର ଦାସଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିଜେଡ଼ି ପକ୍ଷରୁ ଟିକେଟ ନ ମିଳିବାରୁ ଦଳ ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ରାଜୁ ଦାସ। ଆଉ ଏହି ଠାରୁ ହିଁ ବିଗିଡ଼ି ଯାଇଥିଲା ରାଜନୈତିକ ସମୀକରଣ। 

ଇତିହାସ କୁହେ, ବିଜେଡ଼ି ଉପନିର୍ବାଚନରେ ପରାଜୟର ମୁହଁ ଦେଖିନାହିଁ। ଏହା ପୂର୍ବରୁ ପାଞ୍ଚ ପାଞ୍ଚଟି ଉପ ନିର୍ବାଚନ ହୋଇଥିଲେ ମଧ୍ୟ ସବୁଥିରେ ବିଜେଡ଼ି ବାଜିମାତ ମାରିଛି। ବିଜେପୁର, ପିପିଲି, ତିର୍ତ୍ତୋଲ, ବାଲେଶ୍ୱର ଓ ବ୍ରଜରାଜନଗରରେ ଉପ ନିର୍ବାଚନ ହୋଇଥିଲା। କେବଳ ବାଲେଶ୍ୱରକୁ ଛାଡ଼ିଦେଲେ ଅନ୍ୟ ସବୁଠି ବିଜେଡ଼ି କବଜାରେ ରହିଥିଲା ଏହି ବିଧାନସଭା ଆସନ ଗୁଡ଼ିକ। ବିଜେଡ଼ି ଜିତିବା ଏଠାରେ ସ୍ୱାଭାବିକ କଥା। କିନ୍ତୁ ବାଲେଶ୍ୱରରେ ଲଗାତାର ଭାବେ ବିଜେପି ଜିତି ଆସୁଥିବା ବେଳେ ଏଠାରେ କିନ୍ତୁ ଉପନିର୍ବାଚନରେ ବିଜେଡ଼ିର ବାଜିମାତ ହୋଇଥିଲେ। 

କିନ୍ତୁ ଧାମନଗର ଗଣିତ କିଛି ଅଲଗା କହୁଛି। ବିଗତ ୨୦୧୯ ମସିହାରେ ବିଷ୍ଣୁ ସେଠୀ ପାଖାପାଖି ୪ ରୁ ୫ ହଜାର ଭୋଟରେ ବିଜେଡ଼ି ପ୍ରାର୍ଥୀଙ୍କୁ ହରାଇଥିଲେ। ଧାମନଗର ବିଧାନସଭା ଆସନ କଥା ଦେଖାଯାଏ ତେବେ ଏହା ପୂର୍ବରୁ ଏହା ବିଜେଡ଼ି କବଳରେ ରହିଥିଲା। ୨୦୦୦ ମସିହାରେ ଏହି ଆସନ ଟି ସ୍ୱାଧୀନ ପ୍ରାର୍ଥୀ ଜିତିଥିବା ବେଳେ ୨୦୦୯ ଓ ୨୦୧୪ ମସିହାରେ ବିଜେଡ଼ି କବଳକୁ ଚାଲିଯାଇଥିଲା। କିନ୍ତୁ ୨୦୦୫ ଓ ୨୦୧୯ ମସିହାରେ ବିଜେପି ଏଠାରେ ବିଜୟୀ ହାସଲ କରିଥିଲା। ୨୦୧୯ ମସିହାରେ ବିଷ୍ଣୁ ସେଠୀ ଏଠାରେ ନିଜ ଦବଦବା ବଳରେ ବିଜୟୀ ହାସଲ କରିଥିଲେ। 

ବିଷ୍ଣୁଙ୍କ ପରଲୋକରେ ଏବେ ଏହି ଉପନିର୍ବାଚନରେ ତାଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ପ୍ରାର୍ଥୀ ହୋଇଥିଲେ। ବାପାଙ୍କର ଦବଦବା ରହିଥିବା ବେଳେ ପୁଅ ସୂରଜ ପୂର୍ବରୁ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଆସିଥିଲେ। ଏପରିକି ଲୋକଙ୍କ ନିକଟତର ହେବାକୁ ପୂର୍ବରୁ ପ୍ରୟାସ କରିଥିଲେ ସୂରଜ। ଉଭୟ ନିଜର ଲୋକପ୍ରିୟତା ଓ ଅନୂକମ୍ପା ମୂଳକ ଭୋଟ ତାଙ୍କୁ ବିଜୟ ଆଣିଦେବ ବୋଲି ବିଜେପି ଦାବି କରିଆସିଛି। ପାଖାପାଖି ୫ ରୁ ୭ ହଜାର ଭୋଟରେ ବିଜେପି ଏଠାରେ ଜିତିବ ବୋଲି ବିଜେପି ଦାବି କରିଛି। 

ସେପଟେ କିନ୍ତୁ ବିଜେଡ଼ି ଏଠାରେ ଏକ ବୃହତ ବ୍ୟବଧାନରେ ବିଜୟ ଲାଭ କରିବାକୁ ଯାଉଛି ବୋଲି ଦଳ ପକ୍ଷରୁ ଦାବି କରାଯାଉଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଦାବି କରାଯାଉଛି ଯେ ଦଳ ଏକ ବୃହତ ବ୍ୟବଧାନରେ ବିଜୟ ହାସଲ କରିବ। ଲୋକଙ୍କ ସମର୍ଥନ ବହୁଳ ମାତ୍ରାରେ ରହିଛି। 

କିନ୍ତୁ ତୃଣମୂଳସ୍ତରରେ ଗଣିତ କିଛି ଅଧିକ କହୁଛି। ବିଜେଡ଼ି ପାଇଁ କଣ୍ଟା ସାଜିଛନ୍ତି ବିଜେଡ଼ିର ପୂର୍ବତନ ନେତା ରାଜେନ୍ଦ୍ର ଦାସ। ରାଜେନ୍ଦ୍ର ଦାସ ହେଉଛନ୍ତି ଧାମନଗରର ପୂର୍ବତନ ବିଧାୟକ। ୨୦୦୯ ମସିହାରେ ଏକ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ପୂର୍ବତନ ବିଧାୟକ ତଥା ପ୍ରଚୁର ଲୋକପ୍ରିୟତା ଥିବା ହେତୁ ରାଜୁଙ୍କର ନିଜର ଭୋଟବ୍ୟାଙ୍କ ବେଶ ମଜବୁତ ରହିଛି। ସେପଟେ ରାଜେନ୍ଦ୍ର ଗତକାଲି ଆମକୁ ବୟାନ ଦେଇ କହିଥିଲେ କି, କିଛି ବିଜେଡ଼ି ନେତା ଏବେବି ମୋ ସହିତ ବିଜେଡ଼ିର କିଛି ବରିଷ୍ଠ ନେତା ଭିତିରିଆ ସାମିଲ ରହିଛନ୍ତି। ଯେଉଁମାନେ ତାଙ୍କୁ ସହଯୋଗ କରି ଆସୁଛନ୍ତି। 

ରାଜୁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅବନ୍ତୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଅବନ୍ତୀ ହେଉଛନ୍ତି ବ୍ଲକ ଚେୟାରମ୍ୟାନ ଭାବେ କାର୍ଯ୍ୟ କରି ଆସୁଥିଲେ। ଏହି ନିର୍ବାଚନ ପାଇଁ ବିଜେଡି ଅବନ୍ତିଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ଼ ଖେଳିଥିଲା। କିନ୍ତୁ ଅବନ୍ତୀଙ୍କୁ ପ୍ରଚାର ସମୟରେ ସେତେ ମାତ୍ରାରେ ସକ୍ରିୟ ନଥିବା ଦେଖିବାକୁ ମିଳିଥିଲା। ତାଙ୍କ ପାଇଁ ବିଜେଡ଼ିର ହେଭିଓ୍ୱେଟମାନେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। ଅବନ୍ତୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। କିନ୍ତୁ ଭୋଟରଙ୍କୁ ମନାଇବାରେ ଏକ ପ୍ରକାର ବିଫଳ ହୋଇଥିଲେ ବୋଲି ଧାମନଗରରେ ଚର୍ଚ୍ଚା ହୋଇଥିଲା। 

ତେବେ କାହାର ରଣନୀତି କେତେ ମଜବୁତ ଥିଲା ତାହା ଆଗାମୀ ରବିବାର ଜଣାପଡ଼ିବ। କିନ୍ତୁ ଏହି ନିର୍ବାଚନର ଫଳାଫଳ ଯେ ୨୦୨୪ ନିର୍ବାଚନର ଫଳାଫଳ ଉପରେ ପ୍ରଭାବ ନ ପକାଇବା ତାହା କହିବା ଭୁଲ ହେବ।