ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ପ୍ରବଳ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି ।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ ଏବଂ ପ୍ରବଳ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଏନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା ୭ ଜିଲ୍ଲା ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସୁନ୍ଦରଗଡ, ବଲାଙ୍ଗୀର ଏବଂ କନ୍ଧମାଳ ଜିଲ୍ଲାରେ ତୀବ୍ର ଶୀତ ଲହରି (Cold Wave) ନେଇ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଏବଂ ୧୬ ଜିଲ୍ଲା ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନୟାଗଡ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ସମ୍ବଲପୁର, ଅନୁଗୋଳ ଏବଂ ବରଗଡ ଜିଲ୍ଲାରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Also Read: ପ୍ରଦୂଷଣମୁକ୍ତ ହେବ ରାଜ୍ୟର ସମସ୍ତ ସହର
ଏସବୁ ଜିଲ୍ଲା ଗୁଡିକରେ ରାତି ଓ ପାହାନ୍ତିଆ ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି । ଶୀତ ବସ୍ତ୍ର ପରିଧାନ ସହ ଗୃହପାଳିତ ପଶୁ ମାନଙ୍କୁ ଥଣ୍ଡାରୁ ଦୂରେଇବା ପାଇଁ କୁହାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଜିଲ୍ଲାକୁ ୟେଲୋ ଶୀତ ଲହରି ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଏପରି ଆସନ୍ତା ୫ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ(Cold)ର ପ୍ରକୋପ ଜାରି ରହିବ।
Also Read: ମୋଦିଙ୍କୁ ଗାଳି ପଡ଼ିଲା ମହଙ୍ଗା: ୨୫୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ
ଏହାସହ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିବ । ଏହାପରେ ପୁଣି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ଆକଳନ କରିଛି କେନ୍ଦ୍ର (Metrological Department) । ସେପଟେ ଆଜି ୧୦ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । ଜି.ଉଦୟଗିରି ରେ ସର୍ବନିମ୍ନ ୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ରେ ୫, ଝାରସୁଗୁଡ଼ାରେ ୭.୫, ବଲାଙ୍ଗୀରରେ ୭.୮, କେନ୍ଦୁଝରରେ ୮.୪, ସୋନପୁରରେ ୮.୬, ସୁନ୍ଦରଗଡ଼, ଦାରିଙ୍ଗବାଡ଼ି ଓ ବୌଦ୍ଧରେ ୯ ଏବଂ ବାରିପଦାରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହାସହ ଭୁବନେଶ୍ୱର ରେ ୧୩.୮ ଏବଂ କଟକ ରେ ୧୨ ଡ଼ିଗ୍ରୀ ରାତିର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବା କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି।
Edited: Zee Odisha Desk