Cyclone Updates: ସକ୍ରିୟ ହେଉଛି ଗଭୀର ଅବପାତ, ଆଜି ବାତ୍ୟାର ରୂପ ନେବ
Advertisement

Cyclone Updates: ସକ୍ରିୟ ହେଉଛି ଗଭୀର ଅବପାତ, ଆଜି ବାତ୍ୟାର ରୂପ ନେବ

ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସକ୍ରିୟ ହେଉଛି। କିଛି ସମୟ ମଧ୍ୟରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ସୌ- ଟ୍ୱିଟର @mcbbsr

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସକ୍ରିୟ ହେଉଛି। କିଛି ସମୟ ମଧ୍ୟରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବର୍ତ୍ତମାନ ଏହା ଘଣ୍ଟା ପ୍ରତି ୧୩ କମି  ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ପାଣିପାଗ କେନ୍ଦ୍ର କହିଛି ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳ ଉପରେ ଗଭୀର ଅବପାତ ସକ୍ରୀୟ ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ୮ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପନେବା ସମ୍ଭାବନା ରହିଛି। ସମାନ ଦିଗରେ ଗତି କରି ୧୦ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ତଥା ସମୁଦ୍ର ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ପହଞ୍ଚିପାରେ। ଏହାର ପରବର୍ତ୍ତୀ ସମୟରେ ଗତିପଥ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ବାତ୍ୟା ଗତି କରିବା ସହ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସମୁଦ୍ର ମଧ୍ୟରେ ଓଡିଶା ଉପକୂଳ ମୁହାଁ ହେବ। ରବିବାର ୬୫ରୁ ୭୫ କିଲୋମିଟର ବେଗରେ ପବନ ବୋହିବ।

Also Read: Cyclone Asani Updates: ବାତ୍ୟା ପୂର୍ବରୁ କଣ କରିବା ଉଚିତ? OSDMA ଜାରି କଲା ଭିଡିଓ

ସୋମାବାର କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଓ ମଙ୍ଗଳବାର ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ଅଧିକ ଅଶାନ୍ତ ରହିବ। ବୁଧବାର ଉତ୍ତର ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଅଛି। ମଙ୍ଗଳବାର ସନ୍ଧ୍ୟା ପରଠାରୁ ଉପକୂଳ ଓଡିଶାର ଜିଲ୍ଲାଗୁଡିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବୁଧବାର ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦରକୁ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ପରବର୍ତ୍ତୀ ସୂଚନା ଜାରି ନହେବା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ରୂପେ ସମୁଦ୍ର ବାରଣ କରାଯାଇଛି। ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି, ସେମାନେ ମଙ୍ଗଳବାର ସକାଳ ସୁଦ୍ଧା ଉପକୂଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ବତ୍ୟା ଓଡିଶାରେ ମାଡ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। କିନ୍ତୁ ଏହାର ପ୍ରଭାବରେ ବର୍ଷା ଓ ପ୍ରବଳ ପବନ ହୋଇପାରେ। ତେଣୁ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଉଥିବା ଏସଆରସି ସୂଚନା ଦେଇଛନ୍ତି।

Also Read: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ

ଅନ୍ୟପଟେ ବାତ୍ୟା (Cyclone) ପୂର୍ବରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ କରାଇଛି। OSDMA ପକ୍ଷରୁ କୁହାଯାଇଛି-

  • ବାତ୍ୟା ପୂର୍ବରୁ ଘର ପାଖରେ ଥିବା ଗଛର ଶୁଖିଲା ଡାଳ ଓ ବାହୁଙ୍ଗା କାଟି ସଫା କରନ୍ତୁ।
  • ଗଣମାଧ୍ୟମରେ ବାତ୍ୟାକୁ ନେଇ ଆସୁଥିବା ଖବରକୁ ଧ୍ୟାନ ଦିଅନ୍ତୁ।
  • ପରିବାର ସ୍ତରରେ ଜରୁରୀ କିଟ୍ ପ୍ରସ୍ତୁତ ରଖନ୍ତୁ।
  • ଘର ଛାଡ଼ିବାର ସୂଚନା ପାଇଲେ କଚା ଘର ଛାଡି ନିକଟସ୍ତ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ।
  • ଜରୁରୀ କିଟ୍ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ।
  • ବାତ୍ୟା ଛାଡିବାର ସୂଚନା ନ ପାଇବାଯାଏଁ ସୁରକ୍ଷିତ ସ୍ଥାନ ଛାଡନ୍ତୁ ନାହିଁ।