ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ; ମୁଖ୍ୟମନ୍ତ୍ରୀ ନବୀନ କଲେ ବଡ଼ ଘୋଷଣା
Advertisement
Article Detail0/zeeodisha/odisha965462

ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ; ମୁଖ୍ୟମନ୍ତ୍ରୀ ନବୀନ କଲେ ବଡ଼ ଘୋଷଣା

 ‘ସାରା ଓଡିଶା ମୋ ପରିବାର। ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ। ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଁ ଘୋଷଣା କରୁଛି।’

  • ନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
  • ରାଜ୍ୟର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ।
  • ସାରା ଦେଶରେ ପ୍ରଥମ 
  • ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାରେ ମିଳିବ ଚିକିତ୍ସା ସୁବିଧା।
  • ପରିବାର ପାଇଁ ପ୍ରତି ବର୍ଷ  ପାଞ୍ଚ ଲକ୍ଷ ଓ ମହିଳା ଙ୍କ ପାଇଁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ।

Trending Photos

 ସୌ- ସୋସିଆଲ ମିଡିିଆ
ଭୁବନେଶ୍ୱର: ରବିବାର ଭୁବନେଶ୍ବର ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନ ଏବଂ କୋରୋନା ଲଢେଇରେ ଶହୀଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
 
୭୫ତମ ସ୍ବାଧୀନତା ଦିବସ (Independence Day) ଅବସରରେ ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ‘ସାରା ଓଡିଶା ମୋ ପରିବାର। ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ। ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଁ ଘୋଷଣା କରୁଛି।’
 
 
ମୁଖ୍ୟମନ୍ତ୍ରୀ କହିଛନ୍ତି:
 
• ରାଜ୍ୟର ୯୬ ଲକ୍ଷ ପରିବାର, ସାଢେ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ।
• ସାରା ଓଡିଶାରେ ପର୍ଯ୍ୟାୟକ୍ରମେ ଏହି କାର୍ଡ ଦିଆଯିବ।
• ଏହିଭଳି ସ୍ମାର୍ଟ ହେଲ୍‌ଥ କାର୍ଡ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ।
• ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ, ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ।
• ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ।
• ଓଡିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ ବଡ ହସ୍‌ପିଟାଲ ଚେନ୍‌ ମାନଙ୍କରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ।
 
ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ‘ଏହା ସାରା ଦେଶର ସ୍ବାସ୍ଥ୍ୟ ସେବା (Health Service) କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିବ। ମୋର ବିଶ୍ବାସ, ମୋର ପ୍ରିୟ ଓଡିଶାବାସୀଙ୍କୁ ସ୍ବାସ୍ଥ୍ୟ ନିରାପତ୍ତାକୁ ଆହୁରି ସୁଦୃଢ କରିବାରେ ଏହି ବ୍ୟବସ୍ଥା ବିଶେଷ ସାହାଯ୍ୟ କରିବ। ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ।’
 
 
୭୫ ବର୍ଷ ଗୋଟିଏ ଦେଶ ପାଇଁ, ଜାତି ପାଇଁ ବହୁତ ବଡ ସମୟ ନ ହେଲେ ମଧ୍ୟ ଏହାର ବିଶେଷ ଗୁରୁତ୍ବ ରହିଛି। ଭାରତର ଗଣତନ୍ତ୍ରକୁ ଆମର ସବୁଠାରୁ ବଡ ସଫଳତା ଭାବରେ ବର୍ଣ୍ଣନା କରି ଦେଶର ବିକାଶ ପ୍ରକ୍ରିୟାରେ ଏହା ସମସ୍ତଙ୍କୁ ଭାଗୀଦାର କରିବାରେ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ (CM Naveen Patnaik) କହିଛନ୍ତି। 
 
ସେ ପୁଣି କହିଥିଲେ ଯେ, Investment in Youth is investment in future. ୪୦ ବର୍ଷର ବ୍ୟବଧାନ ପରେ ଭାରତୀୟ ହକି ଟୋକିଓ ଅଲମ୍ପିକ୍‌ସ (Tokyo Olympics) ରେ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଆମ ଖେଳାଳିମାନଙ୍କ ପାଇଁ ସାରା ଦେଶ ଗର୍ବିତ ବୋଲି କହିଥିଲେ। ଭାରତୀୟ ହକି ଦଳକୁ ବିଶ୍ବର ଶ୍ରେଷ୍ଠ ଦଳ ଭାବରେ ଗଢିତୋଳିବା ପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
 
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୦୭୨ ସ୍କୁଲର ରୂପାନ୍ତର କରାଯାଇଛି। ସେହିପରି ମୋ ସ୍କୁଲ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
 
 
କୋଭିଡ (Coronavirus) ମହାମାରୀକୁ ବିଶ୍ବ ଇତିହାସର ସବୁଠାରୁ ବଡ ସ୍ବାସ୍ଥ୍ୟ ସମସ୍ୟା ଭାବରେ ବର୍ଣ୍ଣନା କରି ଏହାର ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍‌ସିଜେନ ନିରନ୍ତର ଭାବରେ ଯୋଗାଇ ଓଡିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି।
 
ଓଡିଶା (Odisha) ର ଗୌରବମୟ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ବିକାଶର ନୂଆ ନୂଆ ମାଇଲଷ୍ଟୋନ ହାସଲ କରୁଛି। ସମସ୍ତଙ୍କ ସହଯୋଗରେ ଓଡିଶା ଆଗାମୀ ଦିନରେ ତାର ପରିଚୟକୁ ଆହୁରି ଉଜ୍ଜଳ କରିପାରିବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି।