ଓଡ଼ିଶାର ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ଥିଲା ପରିଚିତ
Advertisement

ଓଡ଼ିଶାର ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ଥିଲା ପରିଚିତ

ପୂର୍ବରୁ ଲୋକଙ୍କ ମନୋରଞ୍ଜନ କରିବାକୁ ଦାସକାଠିଆ ଥିଲା ଅନ୍ୟତମ ମାଧ୍ୟମ। କେବଳ ଯେ ଏହା ଲୋକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଉଥିଲା, ତାହା ନୁହେଁ। ଏହାଦ୍ୱାରା ଲୋକମାନେ କଳା, ସଂସ୍କୃତି ଓ ପୁରାଣ ବିଷୟରେ ଜାଣିବାକୁ ପାଉଥିଲେ।

ଦାସକାଠିଆ

ଭୁବନେଶ୍ୱର: ପୂର୍ବରୁ ଲୋକଙ୍କ ମନୋରଞ୍ଜନ କରିବାକୁ ଦାସକାଠିଆ ଥିଲା ଅନ୍ୟତମ ମାଧ୍ୟମ। କେବଳ ଯେ ଏହା ଲୋକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଉଥିଲା, ତାହା ନୁହେଁ। ଏହାଦ୍ୱାରା ଲୋକମାନେ କଳା, ସଂସ୍କୃତି ଓ ପୁରାଣ ବିଷୟରେ ଜାଣିବାକୁ ପାଉଥିଲେ।
ଦାସକାଠିଆ, ଓଡ଼ିଶା ସଂସ୍କୃତିର ଅନ୍ୟତମ ବାର୍ତ୍ତାବହ। ଦାସର ଅର୍ଥ ହେଉଛି ସେବକ ଏବଂ କାଠିଆର ଅର୍ଥ ହେଉଛି କାଠରେ ତିଆରି ଯୋଡ଼ା। ଦାସକାଠିଆ ଦୁଇ ଜଣ ଲୋକଙ୍କୁ ନେଇ ଗଠିତ। ଜଣଙ୍କୁ ଗାହାକ ବା ଗାହାଣ ଏବଂ ଅନ୍ୟ ଜଣଙ୍କୁ ପାଳିଆ ବୋଲି କୁହାଯାଏ। ପୂର୍ବରୁ ଏହି ଦାସକାଠିଆ ଥିଲା ଲୋକଙ୍କ ମନୋରଞ୍ଜନର ଅନ୍ୟ ଏକ ମାଧ୍ୟମ। ଏହା ମାଧ୍ୟମରେ ପୂର୍ବରୁ ଲୋକମାନେ କଳା, ସାହିତ୍ୟ, ସଂସ୍କୃତି ବିଷୟରେ ଜାଣିବାକୁ ପାଉଥିଲେ। ସାଧାରଣତଃ ପୌରାଣିକ କଥାବସ୍ତୁକୁ ନେଇ ଏହା ପରିବେଷଣ କରାଯାଇଥାଏ। ରାମ ସଂସ୍କୃତିରରୁ ଏହା ଉତ୍ପନ୍ନ ହୋଇଥିବା କୁହାଯାଏ। ସେହିପରି ଦାସକାଠିଆକୁ ନେଇ ଅନେକ ଲୋକକଥା ଦେଖିବାକୁ ମିଳେ। 
 
ରାମାୟଣରେ ହନୁମାନ ଭଜନ ଗାଇବା ବେଳେ ତାଳି ପକାଇ ଗାଉଥିଲେ।  ସେ ରାମଙ୍କ ଭକ୍ତ ହୋଇଥିବାରୁ ଏହାକୁ ରାମତାଳି ବୋଲି କୁହାଯାଏ।  ଉପେନ୍ଦ୍ର ଭଞ୍ଜଙ୍କ ବୈଦେହିଶ ବିଳାସରେ ରାମତାଳି ଦେଖିବାକୁ ମିଳିଥାଏ। ସେହିପରି ଏହାକୁ ନେଇ ଆଉ ଏକ ଲୋକକଥା ରହିଛି।  ପୁରାଣରେ ଦାସ ନାମକ ଜଣେ ରାଜା ଥିଲେ। ତାଙ୍କର କୌଣସି ସନ୍ତାନ ହେଉ ନଥିଲା। ସେ ଶିବଙ୍କୁ ଆରାଧନା କରିବା ପରେ ମହାଦେବ ତାଙ୍କୁ ଦୁଇଟି କାଠି ଦେଇଥିଲେ। ସେହି କାଠି ରାଜା ତାଙ୍କ ପତ୍ନୀଙ୍କ ମୁଣ୍ଡରେ ଛୁଆଇଁ ଦେବା ପରେ ତାଙ୍କର ପୁଅ ଟିଏ ଜନ୍ମ ନେଇଥିଲା। ତା'ର ନାଁ ଥିଲା କାଠି।  ତେବେ ଏହା କେତେ ଦୂର ସତ, ସେ ବିଷୟରେ ଆମ ପାଖରେ କୌଣସି ତଥ୍ୟ ନାହିଁ। 

ଦାସ କାଠିଆ ପ୍ରଥମେ ଗଞ୍ଜାମ ଜିଲ୍ଲାରୁ ସୃଷ୍ଟି ହୋଇଥିଲା।  ରାମାୟଣ, ମହାଭାରତ ଆଦିକୁ ନେଇ ଏହା ପରିବେଷଣ କରାଯିବା ସହ ଉପେନ୍ଦ୍ର ଭଞ୍ଜଙ୍କ ବିଭିନ୍ନ କାବ୍ୟ ମଧ୍ୟ ପୂର୍ବରୁ ପରିବେଷଣ କରାଯାଉଥିଲା।  ଗଞ୍ଜାମ ଜିଲ୍ଲାରେ ଥିବା 'ଦାସ୍ରୀ' ସମ୍ପ୍ରଦାୟର ଲୋକମାନେ ପୂର୍ବରୁ ଭିକ୍ଷା ମାଗି ପେଟ ପୋଷୁଥିଲେ। ସେମାନେ କାଠି ସାହାଯ୍ୟରେ ବିଭିନ୍ନ ଗୀତ ବୋଲୁଥିଲେ। ସେଥିରୁ ଓଡ଼ିଶାରେ ଦାସକାଠିଆ ଜନ୍ମ ନେଇଥିବା ମଧ୍ୟ କୁହାଯାଏ। 
ତେବେ ଦାସକାଠିଆରେ ପ୍ରଥମେ ଗୁରୁ ବନ୍ଦନା ଏବଂ ତା'ପରେ ସରସ୍ୱତୀ ବନ୍ଦନା, ମଙ୍ଗଳାଚରଣ ଗାଇବା ପରେ ମୁଖ୍ୟ ପ୍ରସଙ୍ଗକୁ ଆସିଥା'ନ୍ତି ଗାହାକ ଓ ପାଳିଆ।  ବିଭିନ୍ନ ଛାନ୍ଦ, ଚମ୍ପୁ ଆଦି ଏଥିରେ ବ୍ୟବହୃତ ହେବା ସହ ହରଣ, ମାରଣ ଓ ତାରଣ ଏଥିରେ ଅଧିକ ବ୍ୟବହାର କରାଯାଇଥାଏ। 
ପୂର୍ବରୁ ଏହାକୁ ଗାଁ ଦାଣ୍ଡରେ ରାତିରେ ପରିବେଷଣ କରାଯାଉଥିଲା। ଲୋକଙ୍କ ମନୋରଞ୍ଜନ କରାଯିବା ସହ ବିଭିନ୍ନ ପୌରାଣିକ କଥାବସ୍ତୁ ବିଷୟରେ ଅବଗତ କରାଯାଇଥାଏ। ଦାସକାଠିଆରେ ଗାହାକ ଜଣେ ଦକ୍ଷ ପଣ୍ଡିତ ଥା'ନ୍ତି। ଏମାନଙ୍କୁ ସବୁ ଆଶୁ କବି ବୋଲି କୁହାଯାଏ। କାରଣ ପୂର୍ବରୁ ଏମାନେ ସ୍ୱତଃ ପ୍ରବୃତ୍ତ ଭାବେ ଗୀତ ସୃଷ୍ଟି କରୁଥିଲେ। ମୁଖ ନିସୃତ ଶବ୍ଦରୁ ସ୍ୱର ସୃଷ୍ଟି କରୁଥିଲେ।ତେଣୁ ଗାହାକ ଗୀତ ଭୁଲିଗଲେ ତାଙ୍କୁ ପାଳିଆ ମନେ ପକାଇ ଦେଇଥା'ନ୍ତି। ସେହିପରି ଦୀର୍ଘ ସମୟ ଧରି ଲୋକମାନେ ଏହା ଶୁଣୁଥିବା ବେଳେ ମଝିରେ ମଝିରେ ଲୋକଙ୍କୁ ହସାଇବା ପାଇଁ ପାଳିଆ ବିଭିନ୍ନ ଢଗ, ଢମାଳି କହିଥାନ୍ତି।
ଜୟଦେବଙ୍କ ଗୀତଗୋବିନ୍ଦ, କବିସୂର୍ଯ୍ୟ ବଳଦେବ ରଥ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଳି କବିମାନଙ୍କର କାବ୍ୟ ଗୁଡ଼ିକୁ ଏଥିରେ ପରିବେଷଣ କରାଯାଇଥାଏ। ସେହିପରି ଆଜିକାଲି ଦାସକାଠିଆ ମାଧ୍ୟମରେ ବିଭିନ୍ନ ଜନ ସଚେତନ କରାଯାଉଛି।
ବୈଦ୍ୟନାଥ ଗାୟକ ରତ୍ନ ଶର୍ମା ଏବଂ ତାଙ୍କ ପାଳିଆ ଭୀମସେନ ଶତପଥୀ 'ଦାସକାଠିଆ'ର ଉଲ୍ଲେଖଯୋଗ୍ୟ କଳାକାରମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ। ବୈଦ୍ୟନାଥ ଶର୍ମା ଦାସକାଠିଆ ପରିବେଷଣ କରି ଅନେକ ସମ୍ମାନର ଅଧିକାରୀ ମଧ୍ୟ ହୋଇଛନ୍ତି। ସେହିପରି କାଶୀନାଥ ସାହୁଙ୍କ ଭଳି ବଡ଼ ବଡ଼ କଳାକାର ମାନେ ମଧ୍ୟ ଦାସକାଠିଆ ପରିବେଷଣ କରି ବେଶ୍ ଗୌରବ ଅର୍ଜନ କରିଛନ୍ତି। ସେମାନେ ପଞ୍ଚମା ଗଣେଶଙ୍କ ନିକଟରେ ସିଦ୍ଧି ଲାଭ କରି ଦାସକାଠିଆ ପରିବେଷଣ କରୁଥିଲେ।
ଗଞ୍ଜାମରୁ ଏହା ସୃଷ୍ଟି ହୋଇଥିଲେ ବି ଧୀରେ ଧୀରେ ଏହା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଥାଏ। ପୁରୀ, ନୟାଗଡ଼ ଆଦି ଜିଲ୍ଲାରେ ମଧ୍ୟ ଦାସକାଠିଆ ପରିବେଷଣ କରାଯାଇଥାଏ।କୁହାଯାଏ ଯେ, ଗଞ୍ଜାମ ଜିଲ୍ଲାରେ ଦାସ କାଠିଆ ଯୋଗୁଁ ହିଁ ପାଲା ଏହି ଅଞ୍ଚଳକୁ ବିଶେଷ ଭାବରେ ପ୍ରବେଶ କରିପାରି ନାହିଁ। ଏବେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୭୦ରୁ ୭୫ ଜଣ କଳାକାର ଅଛନ୍ତି। ଓଡ଼ିଶାର କଳା, ସଂସ୍କୃତିର ଏହି ବାର୍ତ୍ତାବହକୁ ସବୁଦିନ ପାଇଁ ବଞ୍ଚାଇ ରଖିବା ଆମରି ଦାୟିତ୍ୱ। ସରକାରୀ ପ୍ରୋତ୍ସାହନ ଏଥିପାଇଁ ନିହାତି ଜରୁରୀ। ସେହିପରି ଏହାକୁ ପିଲାଙ୍କ ପାଠ୍ୟକ୍ରମରେ ବି ସାମିଲ କଲେ ପିଲାମାନଙ୍କର କଳା, ସଂସ୍କୃତି ପ୍ରତି ଅଧିକ ଆଗ୍ରହ ପ୍ରକାଶ ପାଇବ।