କମିଶନରେଟ ପୋଲିସ ହାତରେ ଚୋରା କାର ରାକେଟ୍
Advertisement

କମିଶନରେଟ ପୋଲିସ ହାତରେ ଚୋରା କାର ରାକେଟ୍

ରାକେଟରର ୨ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପୋଲିସ ୮ଟି କାର ଜବତ କରିଛି । 

କମିଶନରେଟ ପୋଲିସ ହାତରେ ଚୋରା କାର ରାକେଟ୍

ସରୋଜ ବେହେରା, ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଲାଗିଛି ଆନ୍ତଃରାଜ୍ୟ କାର ଚୋରି ରାକେଟ । ରାକେଟରର ୨ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପୋଲିସ ୮ଟି କାର ଜବତ କରିଛି । ଜବତ କାର ସବୁ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେ ସବୁ କାର ଗୁଡିକୁ ଓଡିଶାରେ ଆଣି ବିକ୍ରି କରାଯାଉଥିଲା । ସବୁଠାରୁ ବଡ କଥା ହେଲା ଗିରଫ ଅଭିଯୁକ୍ତମାନେ ଚାଲାକି କରି କାରର ଚେସିସ୍ ଓ ଇଂଜିନ ନମ୍ବର ବଦଳାଇ ସେ ସବୁ କାରକୁ ବିକ୍ରି କରି ମୋଟା ଅଙ୍ଗର ଟଙ୍କା ଆଦାୟ କରୁଥିଲେ । ରାକେଟର ମୁଖ୍ୟ ଅଭିଯୁକ୍ତକୁ ଖୋଜିବା ପାଇଁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡର ଏକ ଟିମ କଲିକତା ଯାଇଛି । 

ଦେଖିବାକୁ ସବୁ ଗାଡି ନୂଆ ଆଉ ଚକାଚକ୍ । କିଣିବା ଲୋକ ଜାଣିପାରିବେ ନି ଗାଡି ଗୁଡାକ ହେଉଛି ସେକେଣ୍ଡ ହ୍ୟାଣ୍ଡ । ଜବତ ଗାଡିରୁ କୌଣସି ଗାଡିର ମୂଲ୍ୟ ୯ ଲକ୍ଷରୁ କମ ନୁହଁ । ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ସେ ସବୁ କାର ହେଉଛି ଚୋରା । ଚୋରା ଗାଡି ଗୁଡିକୁ ପଶ୍ଚିମବଙ୍ଗରୁ ଚୋରାଇ ଓଡିଶାରେ ଆଣି ବିକ୍ରି କରାଯାଉଥିଲା । ଏହି ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରିବା ପରେ ଏହା ପଛରେ ଥିବା ରାକେଟର ପର୍ଦାଫାଶ ହୋଇଛି । ଫର୍ଚିୁନର, କ୍ରେଟା, ବଲୋନା ଭଳି ନାମୀଦାମୀ କାର ଗୁଡିକୁ ଚୋରାଇ ଆଣି ଏମାନେ ଭୁବନେଶ୍ବର ଓ ଅନ୍ୟ ସ୍ଥାନରେ କମ ଦାମରେ ବିକ୍ରି କରିଥାନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ MCA ଛାତ୍ର ଥିବା ବେଳେ ଅନ୍ୟ ଜଣେ ମାର୍କେଟିଂର ଛାତ୍ର ରହିଥିଲେ । ଜଣେ ପୋଲିସ ଅଧିକାରୀ ଏହି ଠକଙ୍କ ଶିକାର ହେବା ପରେ ସେ ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ସ୍ପେଶାଲ ସ୍କ୍ବାଡ ଘଟଣାର ତଦନ୍ତ ଆରମ୍ଭ କରିଥିଲା ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଷୁ ଷଡଙ୍ଗୀ ।

ଗାଡି ଚୋରି କରିବାର ଢଙ୍ଗ ମଧ୍ୟ ଏମାନଙ୍କ ଭିନ୍ନ । ଗାଡିର ନମ୍ବର ଓ ମୋଡେଲ ସମାନ ରହିଥିବା ବେଳେ ଚେଚିସ୍ ନମ୍ବରକୁ ଖୋଦେଇ କରି ଏମାନେ ଭିନ୍ନ ଏକ ନମ୍ବର  ଦେଇଥାନ୍ତି । ଯେ କୌଣସି ଲୋକ ପରିବହନ ଆପ କିମ୍ବା ୱେବସାଇଟରେ ଦେଖିବା ପରେ ଗାଡିର ମୋଡେଲ ନମ୍ବର ଦେଖି କିଣିବାକୁ ଆଗୁଆ ହୋଇଥାନ୍ତି । ଏହାର ସୁବିଧା ନେଇ ଠକମାନେ ଗାଡି ବାବଦରେ ଅଗ୍ରିମ ଟଙ୍କା ନେଇ ପରବର୍ତି ସମୟରେ ଦସ୍ତାବିଜ ଦେବେ ବୋଲି କହିଥାନ୍ତି । ହେଲେ ସେହି ପରିବର୍ତି ସମୟ କେବେ ବି ଆସି ନ ଥାଏ । କମିଶନରେଟ ପୋଲିସ ଅଧିକାରୀ ଯେତେ ବେଳେ ଏଭଳି ତରିକା ଜାଣିବାକୁ ପାଇଲେ ପଶ୍ଚିମବଙ୍ଗରେ ଥିବା ଏହାର ମାଷ୍ଟର ମାଇଣ୍ଡକୁ ଧରିବାକୁ ଟିମ ପଠାଇଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଅନୁପ ସାହୁ । କେବଳ ଭୁବନେଶ୍ବର ନୁହଁ ରାଜ୍ୟର ବିଭିନ୍ନ ସହରରେ ଏହି ଗ୍ୟାଙ୍ଗ ସଦସ୍ୟମାନେ ଏଭଳି ଚୋରା କାର ବିକ୍ରି କରିଥିବା ଜଣାପଡିଛି । ସେସବୁ ବାବଦରେ ପୋଲିସ ଛାନଭିନ ଜାରି ରଖିଛି ।