ଓଡ଼ିଶାରେ ମିଳିଲା ସୁନା ଖଣିର ସନ୍ଧାନ, ମଲଟିସେନସର ଏରୋଜିଓଫିଜିକାଲ ସର୍ଭେ ଦ୍ୱାରା ହେଲା ଚିହ୍ନଟ
Advertisement

ଓଡ଼ିଶାରେ ମିଳିଲା ସୁନା ଖଣିର ସନ୍ଧାନ, ମଲଟିସେନସର ଏରୋଜିଓଫିଜିକାଲ ସର୍ଭେ ଦ୍ୱାରା ହେଲା ଚିହ୍ନଟ

ସୁକିନ୍ଦା, କେଶରପୁର, କୋରାପୁଟ ଆଦି ଅଞ୍ଚଳରେ ଖଣିଗୁଡିକର ସନ୍ଧାନ ମିଳିଛି

file photo

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଓଡ଼ିଶାରେ ସୁନା ଖଣି । କଥାଟା ବିଶ୍ୱାସ ହେଉନି କି? ହଁ, ଓଡ଼ିଶାରେ ହିଁ ସୁନା ଖଣିର ସନ୍ଧାନ ମିଳିଛି । ଏମିତି କିଛି ତଥ୍ୟ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଜି ଓଡ଼ିଶାକୁ ଦିଆଯାଇଛି । ମଲଟିସେନସର ଏରୋଜିଓଫିଜିକାଲ ସର୍ଭେ ଦ୍ୱାରା ଓଡ଼ିଶାରେ ସୁନା ଖଣି ଚିହ୍ନଟ ହୋଇଥିବାବେଳେ ଏ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ସୁନା ସହିତ କପର, ମାଙ୍ଗାନିଜ, ଗ୍ରାଫାଇଟ ଭଳି ଖଣି ସଂପର୍କରେ ସନ୍ଧାନ ମିଳିଥିବାବେଳେ ଖୁବ ଶୀଘ୍ର ଏ ସବୁ ସ୍ଥାନରେ ହେଲିକପ୍ଟର ସର୍ଭେ ହେବ । କେନ୍ଦ୍ର ସରକାରଙ୍କ ଖଣି ବିଭାଗ ଅଧିନରେ ଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା କରାଯାଇଥିବା ମଲଟିସେନସର ଏରୋଜିଓଫିଜିକାଲ ସର୍ଭେ ଦ୍ୱାରା ସୁନା ଖଣିର ସନ୍ଧାନ ମିଳିଛି । ଏହି ଅତ୍ୟାଧୁନିକ ସର୍ଭେ ଦ୍ୱାରା ରାଜ୍ୟର ୭୫ ହଜାର ସ୍କୋୟାର କିଲୋମିଟର ସର୍ଭେ କରାଯିବା ସହ ଏଭଳି ତଥ୍ୟ ମିଳିଛି । 

ଏଥିରେ ମୋଟ 40ଟି ମିନେରାଲ ବ୍ଲକର ସନ୍ଧାନ ମିଳିଛି । ଏଥିରେ ସୁନା ଖଣି ସମେତ କପର, ମାଙ୍ଗାନିଜ, ଗ୍ରାଫାଇଟ ଏବଂ ଆଇରନ ଓରର ସନ୍ଧାନ ମିଳିଛି । ସୁକିନ୍ଦା, କେଶରପୁର, କୋରାପୁଟ ଆଦି ଅଞ୍ଚଳରେ ଖଣିଗୁଡିକର ସନ୍ଧାନ ମିଳିଛି । ଖୁବ ଶୀଘ୍ର ହେଲିକପ୍ଟର ଦ୍ୱାରା ଆଉ ଏକ ସର୍ଭେ କରାଯିବ । ହେଲିକପ୍ଟରରେ ସେନ୍ସର ଲଗାଯିବା ସହ ତନ୍ନ ତନ୍ନ କରି ଆଉଥରେ ଯାଞ୍ଚ କରାଯିବ । ଏହା ପରେ ଶେଷରେ ଗ୍ରାଉଣ୍ଡ ସର୍ଭେ କରାଯାଇ ଖଣିଗୁଡିକର ତଥ୍ୟ ସରକାରଙ୍କୁ ଦିଆଯିବା ସହ ଅକ୍ସନ ହେବ ବୋଲି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ସାଧାରଣ ପଦ୍ଧତିର ସର୍ଭେ ଦ୍ୱାରା ବିଭିନ୍ନ ପାହାଡ଼ିଆ ଏବଂ ଜଙ୍ଗଲର ଅପହଞ୍ଚ ଅଞ୍ଚଳରେ ପହଞ୍ଚି ମିନେରାଲ ସମ୍ପର୍କରେ ତଥ୍ୟ ସଂଗ୍ରହ ସମ୍ଭବପର ହେଉ ନ ଥିଲା । ହେଲେ ଏହି ଅତ୍ୟାଧୁନିକ ପଦ୍ଧତିରେ ସାଟେଲାଇଟ ଏବଂ ଏୟାର ସର୍ଭେ ଦ୍ୱାରା ଅପହଞ୍ଚ ଅଞ୍ଚଳର ସର୍ଭେ କରି ଏ ସବୁ ଖଣିର ସନ୍ଧାନ ମିଳିଛି । ଏପରିକି ଅତି ଶୀଘ୍ର ଏବଂ କମ ଅର୍ଥ ଖର୍ଚ୍ଚରେ ଏ ସବୁ ସର୍ଭେ କରାଯାଇ ଖଣି ସନ୍ଧାନ କରାଯାଇପାରିଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ ଭବିଷ୍ୟତ ପ୍ଲାନ ପାଇଁ ଭୁବନେଶ୍ୱରରେ ଓଏମସି, ଜିଓଲୋଜି ନିର୍ଦ୍ଦେଶାଳୟ ଅଧିକାରୀ, ବୈଜ୍ଞାନିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । 
କାର୍ଯ୍ୟକ୍ରମରେ ବିଦେଶୀ ବୈଜ୍ଞାନିକମାନେ ଯୋଗ ଦେଇ ଏହାକୁ ଏକ ଉନ୍ନତ ସର୍ଭେ କହିଥିବାବେଳେ ଏହାଦ୍ୱାରା ମାଟି ତଳେ ଥିବା ଖଣିଗୁଡିକର ତ୍ୱରିତ ସନ୍ଧାନ ମିଳିଯିବ ବୋଲି କହିଛନ୍ତି ।