କିପରି ଏତେ ଶକ୍ତିଶାଳୀ ହେଲେ ପାଣ୍ଡିଆନ୍, ଜାଣିଛନ୍ତି କି?
Advertisement
Article Detail0/zeeodisha/odisha588226

କିପରି ଏତେ ଶକ୍ତିଶାଳୀ ହେଲେ ପାଣ୍ଡିଆନ୍, ଜାଣିଛନ୍ତି କି?

ରାଜନୈତିକ ସମୀକ୍ଷକଙ୍କ ମତରେ ନିଷ୍ଠା ଓ ସାଧନା ହିଁ ପାଣ୍ଡିଆନ୍ ଙ୍କୁ ଦେଇଛି କ୍ଷମତା

file photo

ସୌମ୍ୟ ରଞ୍ଜନ ନାୟକ, ଭୁବନେଶ୍ୱର: ଓଡ଼ିଶା ଶାସନର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ରଶାସକ ହେଉଛନ୍ତି ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ଏ କଥା ଆମେ କହୁନାହୁଁ । ସରପଞ୍ଚଙ୍କ ଠାରୁ ମନ୍ତ୍ରୀ, ଲୋକଙ୍କ ଠାରୁ ଲୋକସେବା ଭବନ ଯାଏଁ ସବୁଠି ଏବେ ଏହି ପ୍ରଶାସକଙ୍କ ଚର୍ଚ୍ଚା । ଓଡ଼ିଶା ଶାସନର ପ୍ରତି ନିଷ୍ପତ୍ତି ପଛରେ କାଳେ ରହିଛି ତାଙ୍କ ହାତ । ପ୍ରଶାସନରୁ ରାଜନୀତି, ରଣନୀତିରୁ କୂଟନୀତି, ପ୍ରତି ଘଟଣାର ଚୂଡାନ୍ତ ନିଷ୍ପତ୍ତି କାଳେ ସେ ନେଇ ଥାଆନ୍ତି । ଏକଥା ବି କୁହାଯାଏ ଯେ ମୁଖ୍ୟମନ୍ତ୍ରୀ ପରେ ଓଡ଼ିଶା ଶାସନର କ୍ଷମତା କେନ୍ଦ୍ର ହେଉଛନ୍ତି ଏହି ପି ନାମକ ପ୍ରଶାସକ ପାଣ୍ଡିଆନ୍ ।

୨୦୦୦ ବ୍ୟାଚ୍ ର IAS ଅଧିକାରୀ ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ହେଲେ ପ୍ରଶ୍ନ ଉଠୁଛି ପାଣ୍ଡିଆନ୍ ଏତେ କ୍ଷମତାଶାଳୀ ପ୍ରଶାସକ ହେଲେ କିପରି ? ଏହା ଆଜି ମଧ୍ୟ ରହସ୍ୟମୟ । ଓଡ଼ିଶାର କିଛି ରାଜନୈତିକ ସମୀକ୍ଷକ କହନ୍ତି ନିଷ୍ଠା ଓ ସାଧନା ହିଁ ପାଣ୍ଡିଆନ୍ ଙ୍କୁ ଆଜି କ୍ଷମତାଶାଳୀ କରିଛି । ଆଉ କେହି କହନ୍ତି । ସ୍ୱଭାବରେ ଶାନ୍ତ, ସାଧାରଣ ବ୍ୟକ୍ତିଙ୍କ ଅସାଧାରଣ ବ୍ୟକ୍ତିତ୍ଵ, ତାଙ୍କ ଜୀବନ ଶୈଳୀ ଅତି ସରଳ ଓ ଅଦମ୍ୟ ଇଚ୍ଛାଶକ୍ତି ଓ ନିଷ୍ଠାପର, ନିର୍ଭୀକ, କାର୍ଯ୍ୟ କରିବାର ଦକ୍ଷତା ଓ ଦୂରଦୃଷ୍ଟି ସମ୍ପର୍ଣ୍ଣ ହୋଇଥିବାରୁ ଏହା ତାଙ୍କ କାର୍ଯ୍ୟରେ ପ୍ରତିଫଳି ହୋଇଆସୁଛି ।
ସେ ଯାହା ବି ହେଉନା କାହିଁକି ଓଡ଼ିଶାରେ ମୟୂରଭଞ୍ଜ ଉପଜିଲ୍ଲାପାଳ ଭାବେ କିଛି ବର୍ଷ କାର୍ଯ୍ୟ କରିବା ପରେ ୨୦୦୭ ମସିହାରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରି ଜିଲ୍ଲାର ବିକାଶ ପାଇଁ କିଛି ଟାଣୁଆ ପଦକ୍ଷେପ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ଭଲ ପ୍ରଶାସକ ଭାବେ ପ୍ରଶଂସା ସାଉଁଟି ଥିଲେ ଓ ଚର୍ଚ୍ଚାରେ ରହି ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ବିଭିନ୍ନ ଲୋକ କଲ୍ୟାଣକାରୀ କାର୍ଯ୍ୟ ଯଥା ହିଞ୍ଜିଳିରେ ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ, ସର୍ବଶିକ୍ଷା ଅଭିଯାନରେ ଦୃଷ୍ଟି ବାଧକ ପିଲାମାନଙ୍କୁ ସାମିଲ କରି ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉଦ୍ୟମ, ଜାତୀୟ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଆଦିର ସଫଳ ରୂପାୟନ କରି ଭାରତରେ ଖୁବ୍ ପ୍ରଶଂସା ପାଇଥିଲେ । BJDର ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ଧରଣୀଧର ବେହେରା ଜିଲ୍ଲାପାଳ ପାଣ୍ଡିଆନଙ୍କ ଉପରେ ଆକ୍ରମଣ କରିଥିଲେ । ପରେ ପାଣ୍ଡିଆନ୍ ଅଧ୍ୟକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହୁଏ । ଏହା ପରେ ଗିରଫ ହୁଅନ୍ତି ଧରଣୀଧର । ପାଣ୍ଡିଆନଙ୍କୁ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହୁଏ ।
ଅନ୍ୟ ପଟେ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକ୍ ରେ ରୁହନ୍ତି ଏହି ପ୍ରଶାସନିକ ଅଧିକାରୀ । ୨୦୦୯ ସାଧାରଣ ନିର୍ବାଚନରେ ହିଞ୍ଜିଳିକାଟୁରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମର୍ଥନ ଓ ସଂଖ୍ୟାଧିକ ଭୋଟ ପାଇ ବିଜୟୀ ହୋଇଥିଲେ ନବୀନ । ସେତେବେଳେ ବିରେଧୀ ଦଳ ମାନେ ଗଣମାଧ୍ୟମ ସମ୍ମୁଖରେ ବୟାନ ରଖିଥିଲେ ଯେ ନବୀନଙ୍କ ଏହି ବିଜୟରେ କାଳେ ପାଣ୍ଡିଆନଙ୍କ ଥିଲା ଅକ୍ଳାନ୍ତ ପରିଶ୍ରମ । ତେଣୁ ସବୁ ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ପ୍ରଶାସନିକ ଅଧିକାରୀ ଥିଲେ ପାଣ୍ଡିଆନ୍ ।
୨୯ ମଇ ୨୦୧୨ ଓଡ଼ିଶା ରାଜନୀତିରେ ମାଡ଼ି ଆସିଲା କଳାବାଦଲ । ଆଉ ଜଣେ ପି ନାମକ ପ୍ରଶାସନିକ ଅଧିକାରୀ ସେ ହେଲେ ପ୍ୟାରୀମୋହନ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଦାୟିତ୍ଵ ତୁଲାଉଥିବା ପ୍ୟାରୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ସବୁ ଯୋଜନା ପ୍ରସ୍ତୁତ କରିଥାନ୍ତି । କିନ୍ତୁ ରାତାରାତି ସବୁ କିଛି ବାଲି ଘର ପରି ଭାଙ୍ଗି ଗଲା । ଫେଲ୍ ହେଲା ମିଡନାଇଟ୍ ଅପରେସନ । ନବୀନଙ୍କ ପରାମର୍ଶ ଦାତା କୁହାଯାଉଥିବା ପ୍ୟାରୀ ଦଳରୁ ବିଦାହେଲେ ।

ଆଉ ହଠାତ୍ ଉଭା ହେଲେ ପାଣ୍ଡିଆନ୍ ସେ ଅନେକ ଦିନ ପରଦା ପଛରେ ରହି ଓଡ଼ିଶାର ଶାସନକୁ ନିୟନ୍ତ୍ରଣ ବା ପରିଚାଳିତ କରୁଥିବା କୁହାଯାଏ । ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ଛାୟୀ ଭଳି ରହିଆସୁଥିବା ପାଣ୍ଡିଆନ୍ ୨୦୧୯ ସାଧାରଣ ନିର୍ବାଚନକୁ ମ୍ୟାନେଜ କରୁଥିବା କଥା କହି ପାଣ୍ଡିଆନ୍ ଙ୍କୁ  ଗଣମାଧ୍ୟମରେ ବିବାଦୀୟ ଓ ଚର୍ଚ୍ଚିତ କରନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କହନ୍ତି 'ଓଡ଼ିଶାର ଦୁର୍ଭାଗ୍ୟ ଜଣେ IAS ଅଫିସ୍ ଓଡ଼ିଶାକୁ ଚଲାଉଛନ୍ତି '। ଅନ୍ୟ ପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗଣମାଧ୍ୟମରେ ଖୋଲା ଖୋଲି କହିଥିଲେ 'ପାଓ୍ବାର କରିଡରରେ ପାଣ୍ଡିଆନ୍ ରାଜ୍ ଚାଲିଛି ଏହା ଓଡ଼ିଶାର ଶାସନ ପାଇଁ ବିପଦ' । ଏହା ପରେ ଜାତୀୟ ଓ ରାଜ୍ୟ ଗଣ ମାଧ୍ୟମରେ ବିବାଦୀୟ ହୋଇପଡନ୍ତି ପାଣ୍ଡିଆନ୍ । 

କେତେବେଳେ କେନ୍ଦ୍ରୀୟ ଡେପୁଟେସନ୍ ଠାରୁ ଦୂରେଇ ରହୁଥିବା ଏହି ଅଧିକାରୀ ଭି.କାର୍ତ୍ତିକେନ ପାଣ୍ଡିଆନ୍ ଏବେ କିଛି ଦିନ ହେବ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛନ୍ତି । 
ମୋ ସରକାର ଓ 5T କୁ ସଫଳ କରିବା ପାଇଁଁ 5T ସଚିବ ପାଣ୍ଡିଆନ୍ ରାଜ୍ୟରେ କିଛି ମେଡିକାଲରେ ଅଚାନକ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆହାର କେନ୍ଦ୍ରରେ ୫ଟଙ୍କିଆ ଆହାର ଖାଉଛନ୍ତି ‌। ଆହାର ଖାଦ୍ୟର ମାନ ପରୀକ୍ଷା କରୁଛନ୍ତି । 

ଏବେ ସବୁ ଡାକ୍ତରଙ୍କ ମନରେ ପସିଛି ଛନକା । ପାଣ୍ଡିଆନ୍ ଙ୍କ ନାଁ ଶୁଣି ସବୁ ସରକାରୀ ବାବୁ ଚମକୁଛନ୍ତି । ମୋ ସରକାର କେତେ ସଫଳ ହେବ ତାହା ଭବିଷ୍ୟତରେ ଜଣାପଡ଼ିବ । ଏବେ କିନ୍ତୁ ରାଜ୍ୟର ସବୁ ଚିକିତ୍ସାଳୟ ରାତାରାତି ଆଧୁନିକରଣ କରାଯାଉଛି । ତେଣୁ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିପାରେ ।