ନୂଆ ବର୍ଷରେ ଝଲସି ଉଠିବ ଏକାମ୍ରକ୍ଷେତ୍ର
Advertisement

ନୂଆ ବର୍ଷରେ ଝଲସି ଉଠିବ ଏକାମ୍ରକ୍ଷେତ୍ର

 ଖୁବଶୀଘ୍ର ଲିଙ୍ଗରାଜ ମନ୍ଦିରର ହେବ ନବକଳେବର

ନୂଆ ବର୍ଷରେ ଝଲସି ଉଠିବ ଏକାମ୍ରକ୍ଷେତ୍ର

ଶାନ୍ତସ୍ବରୁପ ରାଉତ, ଭୁବନେଶ୍ବର: ନୂଆ ବର୍ଷରୁ ନୂଆ ରୂପ । ଝଟକିବ ଏକାମ୍ରକ୍ଷେତ୍ର । ଖୁବଶୀଘ୍ର ଲିଙ୍ଗରାଜ ମନ୍ଦିରର ହେବ ନବକଳେବର । ଶ୍ରୀକ୍ଷେତ୍ର ପରେ ଏକାମ୍ରକ୍ଷେତ୍ରକୁ ମଧ୍ୟ ନୂତନ ଦିଶା ଦେବାକୁ ଯୋଜନା ହୋଇଥିବା ବେଳେ ନବ ବର୍ଷରୁ ଏହାର ମୁଳଦୂଆ ପଡିବାକୁ ଯାଉଛି । ପାରିପାର୍ଶ୍ବକ ସ୍ଥାନରେ ସଫେଇ ଓ ଗଛ ଲଗାଯାଇ ଆଂଶିକ ସୌନ୍ଦର୍ଯ୍ୟକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଲିଙ୍ଗରାଜ ମନ୍ଦିର ଚତଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଆସନ୍ତା ନୂଆ ବର୍ଷରୁ ଆଂଶିକ ସୌନ୍ଦର୍ଯ୍ୟକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସ୍ତରରେ କ୍ଷେତ୍ରର ୯ଟି ପ୍ରକଳ୍ପ ଦ୍ବାରା ସୌନ୍ଦର୍ଯ୍ୟକରଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଥିବା ବେଳେ ଗୋଟିଏ ପରେ ଗୋଟିଏ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି । ଲିଙ୍ଗରାଜ ଏଣ୍ଟ୍ରିପ୍ଲାଜା ନିକଟରେ ଏକାମ୍ର ଭଜନ ମଣ୍ଡପ ଏବଂ ଲିଙ୍ଗରାଜ ଗବେଷଣା କେନ୍ଦ୍ରର ନୂତନ କୋଠା ନିମନ୍ତେ ୫ କୋଟି ଟଙ୍କା ଘୋଷଣା ସରିଥିବା ବେଳେ ଖୁବଶୀଘ୍ର ଉଚ୍ଛେଦ ଶେଷ କରି ନୂଆ ବର୍ଷ ପୂର୍ବରୁ ସେଠାରେ ବୃକ୍ଷରୋପଣ କରି ସୌନ୍ଦର୍ଯ୍ୟକରଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ବିଏମସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମ୍ ଚନ୍ଦ୍ର ଚୌଧରୀ କହିଛନ୍ତି ।

ସେପଟେ ଉଚ୍ଛେଦ କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଆଜି ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ ଶେଷ ହୋଇଛି । ପ୍ରାରମ୍ଭିକ ଉଚ୍ଛେଦ କାର୍ଯ୍ୟ ୯୯ ପ୍ରତିଶତ ଶେଷ ହୋଇଥିବା ବେଳେ ସୋମବାର ଏହା ଶେଷ ହେବା ପରେ ବାକି ପ୍ରକଳ୍ପ ଅନୁଯାଇ କାର୍ଯ୍ୟ କରାଯିବ ସେ କହିଛନ୍ତି ।

ତେବେ ପୂର୍ବରୁ ଲିଙ୍ଗରାଜ ପୋଲିସ ଥାନା ଓ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଉଚ୍ଛେଦ କରାଯାଇଥିବା ବେଳେ ଉଭୟ କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ରଖାଯାଇଛି । ସେହିପରି ଉଚ୍ଛେଦ ହେଉଥିବା ସର୍ବସାଧାରଣଙ୍କ ସ୍ଥାନ ଓ ସୁବିଧାସ୍ଥଳ ଲାଗି ପ୍ରଥମେ ବିକଳ୍ପ ବ୍ୟବସ୍ଥା କରି ଉଚ୍ଛେଦ କରିବାକୁ ସାଧାରଣରେ ଦାବୀ ହୋଇଛି ।