ଶେଷ ହେବ ମୋରାଟୋରିୟମ ଅବଧି, ଚିନ୍ତାରେ ଗାଡ଼ି ମାଲିକ
Advertisement

ଶେଷ ହେବ ମୋରାଟୋରିୟମ ଅବଧି, ଚିନ୍ତାରେ ଗାଡ଼ି ମାଲିକ

ସରିବାକୁ ଯାଉଛି ସରକାର ଦେଇଥିବା ବ୍ୟାଙ୍କ ମୋରାଟୋରିୟମ୍ ପିରିୟଡ । ଯାହାକୁ ନେଇ ଚିନ୍ତାରେ ଗାଡି ମାଲିକ । ଗୋଟିଏ ପଟେ ବେପାର ମାନ୍ଦା ଅନ୍ୟ ପଟେ କିସ୍ତି ଓ ଟ୍ୟାକ୍ସ ଭରିବାର ଚିନ୍ତା । ଟଙ୍କା କେଉଁଠୁ ଆସିବ, ଏଇ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । 

ଶେଷ ହେବ ମୋରାଟୋରିୟମ ଅବଧି, ଚିନ୍ତାରେ ଗାଡ଼ି ମାଲିକ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ସରିବାକୁ ଯାଉଛି ସରକାର ଦେଇଥିବା ବ୍ୟାଙ୍କ ମୋରାଟୋରିୟମ୍ ପିରିୟଡ । ଯାହାକୁ ନେଇ ଚିନ୍ତାରେ ଗାଡି ମାଲିକ । ଗୋଟିଏ ପଟେ ବେପାର ମାନ୍ଦା ଅନ୍ୟ ପଟେ କିସ୍ତି ଓ ଟ୍ୟାକ୍ସ ଭରିବାର ଚିନ୍ତା । ଟଙ୍କା କେଉଁଠୁ ଆସିବ, ଏଇ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଏମିତି ଏକ ଘଡି ସନ୍ଧି ମୁହୂର୍ତ୍ତରେ ପରିବହନ ମନ୍ତ୍ରୀଙ୍କ ସହାୟତା ଲୋଡିଛନ୍ତି ରାଜ୍ୟ ଟ୍ରକ୍ ବସ୍ ମାଲିକ ସଂଘ । 

କୋରୋନା କଟକଣା ଭିତରେ ଜୀବିକା ବଞ୍ଚାଇବା ପାଇଁ ଏବେ ସାରା ଦେଶରେ ଚାଲିଛି ଅନଲକ୍-୨ ପର୍ଯ୍ୟାୟ । ଗୋଟିଏ ପଟେ ସଂକ୍ରମଣକୁ ହରାଇବା ଆଉ ଗୋଟିଏ ପଟେ ଅର୍ଥନୀତିକୁ ସଜାଡିବା ଏହାର ମୁଖ୍ୟ ଲକ୍ଷ୍ୟ । କିନ୍ତୁ ଏହାରି ଭିତରେ ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିଛି । ମାଲ ପରିବହନ ପାଇଁ ଟ୍ରକ ହେଉ କି ଯାତ୍ରୀ ପରିବହନ ପାଇଁ ବସ୍ ସବୁ କ୍ଷେତ୍ରରେ ଏବେ ମାନ୍ଦାବସ୍ଥା ମାଡ । ଏବେ ରାସ୍ତାରେ ମାତ୍ର ୨୦ ପ୍ରତିଶତ ଯାନ ଚଲାଚଳା କରୁଥିବା ବେଳେ ପୋଲିସ ଓ ପ୍ରଶାସନର କଟକଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏଭଳି ପରିସ୍ଥିତିରେ ସରକାର ଦେଇଥିବା ୩ ମାସିଆ ବ୍ୟାଙ୍କ ମୋରାଟୋରିୟମ ପିରିୟଡ ଚଳିତ ମାସରେ ଶେଷ ହେଉଛି । ଏହା ପରେ ଗାଡି ମାଲିକ କିପରି ସୁଝିବେ ଋଣ ଟଙ୍କା ତାକୁ ନେଇ ଚିନ୍ତାରେ ଗାଡି ମାଲିକ ।  

୫ ମାସ ବିତି ଗଲା, ସ୍ୱଭାବିକ ହୋଇ ପାରିଲା ନାହିଁ ସାଧାରଣ ଜୀବନ ଯାତ୍ରା । କେନ୍ଦ୍ର ସରକାର ଜୀବିକା ପାଇଁ ଅନଲକ୍ ୨ ପର୍ଯ୍ୟାୟ ଲାଗୁ କରିଥିଲେ ବି ସଂକ୍ରମଣ ଭୟରେ ବାହାରକୁ ବାହାରୁ ନାହାନ୍ତି ଲୋକେ । ଫଳରେ ପରିବହନ କ୍ଷେତ୍ର ସଂପୂର୍ଣ୍ଣ ପ୍ରଭାବିତ । ପୂର୍ବ ଭଳି ରାସ୍ତାରେ ଟ୍ରକ୍ ଚାଲୁନାହିଁ । କେବଳ ଅନ୍ତରାଜ୍ୟ ଖାଦ୍ୟ ସାମଗ୍ରୀ ପରିବହନକୁ ଛାଡି ଦେଲେ ଅନ୍ୟ ସମସ୍ତ ପରିବହନ ବନ୍ଦ ରହିଛି । କାରଣ ବଜାରରେ ଡିମାଣ୍ଡ ନାହିଁ । ଓଡିଶାରେ ପ୍ରାୟ ଏକ ଲକ୍ଷ ୯୦ ହଜାର ଟ୍ରକ୍ ଥିବା ବେଳେ ମାତ୍ର ୫୦ ହଜାର ରାସ୍ତାରେ ଗଡୁଛି । ତାହା ପୁଣି କିଛି ନିର୍ଦ୍ଦିଷ୍ଟ ରୁଟରେ । ଏହା ବାଦ ଆନ୍ତଃରାଜ୍ୟ ପରିବହନ ବେଳେ ବର୍ଡର ଚେକ୍ ଗେଟ୍, ସ୍ଥାନୀୟ ପୋଲିସ ଓ ପ୍ରଶାସନ କଟକଣା ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗାଡି ଚାଳକ । ଏପରି ପରିସ୍ଥିତିରେ ରାସ୍ତାରେ ଗାଡି ଚଳାଇବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି ବୋଲି ଟ୍ରକ ମାଲିକ ସଂଘ କହିଛି । ସରକାରୀ କୋହଳ କଟକଣା ବି କିଛି ଲାଭ ଦେଉନି ବୋଲି କହିଛନ୍ତି ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ର ସାଧାରଣ ସଂପାଦକ ପ୍ରଣବ କୁମାର ପରିଜା । 

ସେପଟେ ସମାନ ଅବସ୍ଥା ବସ୍ ମାଲିକଙ୍କର । ଅନ୍ତଃରାଜ୍ୟ ତଥା ଜିଲ୍ଲା ବସ ପରିବହନ ପାଇଁ ଅନୁମତି ଥିଲେ ବି ଯଥେଷ୍ଟ ଯାତ୍ରୀ ହେଉ ନାହାନ୍ତି । ସଂକ୍ରମଣ ଭୟରେ ଯାତ୍ରା କରିବାକୁ ପସନ୍ଦ କରୁ ନାହାନ୍ତି ଲୋକେ । ସ୍ଥିତି ଏପରି ଯେ ୧୭ ହଜାର ବସ୍ ମଧ୍ୟରୁ ପ୍ରାୟ ୭ ଶହ ବସ୍ ଦୈନିକ ଚଳାଚଳ କରୁଛି । ସ୍ଥିତି ଏପରି ଯେ ଗୋଟିଏ ଯାତ୍ରାର ତେଲ ଖର୍ଚ୍ଚ ଉଠୁନି ବୋଲି କହିଛନ୍ତି ବସ୍ ମାଲିକ ସଂଘ । ଏହା ପରେ ଷ୍ଟାଫଙ୍କୁ ଦରମା ଦେବା କଷ୍ଟକର ହୋଇ ପଡୁଛି । 

ସେପଟେ ଚଳିତ ମାସ ଶେଷ ସୁଦ୍ଧା ସରକାର ଦେଇଥିବା ଋଣ ପୈଠ କୋହଳ ସମୟ ସୀମା ବା ବ୍ୟାଙ୍କ ମୋରାଟୋରିୟମ ପିରିୟଡ ଶେଷ ହେବାକୁ ଯାଉଛି । ଏହା ପରେ ମାଲିକ ମାନେ ବସ୍ ଟ୍ରକ୍ ବାବଦକୁ ମାସିକିଆ ଋଣ, ରୋଡ ଟ୍ୟାକ୍ସ ଆଦି ପୈଠ କରିବା ବାଧ୍ୟତା ମୂଳକ ହୋଇଯିବ । ଯେଉଁଠି ରୋଜଗାର ନାହିଁ ସେଠି ଲୋନ କି ଟ୍ୟାକ୍ସ କିପରି ଦିଆଯିବ ସେହି ଚିନ୍ତାରେ ବସଟ୍ରକ୍ ମାଲିକ ସଂଘ । ଏପରି ସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଏକ ଦୀର୍ଘ ମିଆଦି ସମୟ ସୀମା ପ୍ରଦାନ କରିବା ପାଇଁ ଦାବି କରିଛି ଘରୋଇ ବସ ମାଲିକ ସଂଘ ।  

ଶଙ୍କା ଓ ସଂକ୍ରମଣ ଭୟରେ ଏବେ ସାରା ବିଶ୍ୱ । ଏପରି ସ୍ଥିତିରେ ଲୋକେ ଘରୁ ବାହାରକୁ ବାହାରୁ ଥିଲେ ବି ସାଧାରଣ ପରିବହନରେ ଯିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି, ଏହା ସହ କେବଳ ଖାଦ୍ୟ ସାମଗ୍ରୀ ବାଦ ଆଉ କୌଣସି ସାମଗ୍ରୀର କିଣାବିକା ବଜାରରେ ହେଉ ନାହିଁ  । ଯାହାର ପରିଣାମ ମାନ୍ଦା ବସ୍ଥା ।