କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ କାର୍ଯ୍ୟକ୍ରମ 'ମୋ ଜୀବନ'
Advertisement

କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ କାର୍ଯ୍ୟକ୍ରମ 'ମୋ ଜୀବନ'

କୋରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ହିଁ ବଞ୍ଚାଇପାରିବ

କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ କାର୍ଯ୍ୟକ୍ରମ 'ମୋ ଜୀବନ'
ଯଯାତି ମହାନ୍ତି, ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ପାଇଁ ଓଡ଼ିଶାର ସାଢ଼େ ଚାରି କୋଟି ରାଜ୍ୟବାସୀଙ୍କୁ ପୁଣି ଥରେ ଘରେ ରହିବାକୁ ଅପିଲ କରିଛନ୍ତି। ଆରମ୍ଭ କରିଛନ୍ତି ନୂଆ କାର୍ଯ୍ୟକ୍ରମ 'ମୋ ଜୀବନ'। ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା, ଆପଣଙ୍କ ହାତରେ । କୋରୋନା (Corona Virus) ଆପଣଙ୍କ ଘରକୁ ଆସିବା ନ ଆସିବା, ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ଆପଣ ସାବଧାନ ରହିଲେ ଏହା ଆପଣଙ୍କ ଘର ଭିରରକୁ ପଶି ପାରିବ ନାହିଁ । 'ମୋ ଜୀବନ' କାର୍ଯ୍ୟକ୍ରମରେ, ଆପଣମାନେ ପ୍ରତିଦିନ ଏହି ଶପଥ ପାଠ କରନ୍ତୁ । 
 
'ମୁଁ ମୋର ପିଲାଛୁଆ, ବାପା, ମାଙ୍କ ନାମରେ ଶପଥ କରି କହୁଅଛି ଯେ, ବର୍ତ୍ତମାନ ସମୟରେ ମୁଁ ବାହାରକୁ ଯିବି ନାହିଁ । ବାହାରକୁ ଗଲେ, କରୋନା ଭାଇରସ୍‌ ମୋ ସାଥିରେ ମୋ ଘରକୁ ଆସିପାରେ । ମୋ ପରିବାରର କ୍ଷତି କରିପାରେ । ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ । ଯଦି ଜରୁରୀ କାମରେ ବାହାରକୁ ଯିବି, ତେବେ ଫେରିବା ସମୟରେ ସାବୁନରେ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି । କରୋନା ଭାଇରସ୍‌କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ, କି ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ' । 
 
ଏହି ଶପଥକୁ ରାଜ୍ୟର ସମସ୍ତ ବ୍ୟକ୍ତି ନିଜ ପରିବାର ସହ ପାଠ କରିବା ସହ ନିଜ ନିଜ ଘରର ପ୍ରବେଶ ପଥରେ ଏହାକୁ ଲଗାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଏହି ଶପଥ ପାଠର ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକଦମ ସରଳ ଓ ଭାବପୂର୍ଣ ଢଙ୍ଗରେ କହିଛନ୍ତି, ଗତ ୨୦ ବର୍ଷର ସେବା ମଧ୍ୟରେ ମୁଁ ମୋର ପ୍ରିୟ ଓଡିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି । ଆପଣମାନେ ମୋର ସବୁ ଅନୁରୋଧକୁ ପାଳନ କରିଛନ୍ତି । 
 
ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ। ଆଜି ମୁଁ ଯେଉଁ ଅନୁରୋଧ ରଖୁଛି, ତାହା ହେଉଛି ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ । ମୋର ପ୍ରିୟ ଓଡିଶାବାସୀ, ଆପଣମାନେ ମୋର ଏହି ଅନୁରୋଧ ରଖନ୍ତୁ । ଘରେ ରୁହନ୍ତୁ । ପରିବାରକୁ ବଞ୍ଚାନ୍ତୁ । ଆପଣଙ୍କୁ ବହୁତ ବହୁତ ଅନୁରୋଧ ।