)
ଭୁବନେଶ୍ୱର: ସରକାରଙ୍କ ସମସ୍ତ ବିଭାଗ ଭିତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନତା ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ହେଉଛି ଏହି ବିଭାଗର ମୁଖ୍ୟ କାର୍ଯ୍ୟ। କିନ୍ତୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟର ପେଜରେ ଏହାର ଠିକ୍ ଓଲଟା ଦେଖିବାକୁ ମିଳିଛି। ଆଉ ଲାଗୁଛି ଯେମିତି ଲୋକସମ୍ପର୍କ ଆଉ ସାଧାରଣ ଲୋକଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହିଁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଏକ ଜନ କଲ୍ୟାଣକାରୀ ସରକାର ଗଠନ ହୋଇଛି। ବୋଧ ହୁଏ ଏଥିପାଇଁ ବିଗତ ୨୧ ବର୍ଷ ଧରି ନିର୍ଦ୍ୱନ୍ଦରେ ରାଜ୍ୟରେ ନବୀନ ପଟ୍ଟନାୟକ ଶାସନ କରୁଛନ୍ତି। ଗତ ୨୧ ବର୍ଷରେ ରାଜ୍ୟ ସରକାର ଶହ ଶହ ଜନ ହିତକର ଯୋଜନା ତିଆରି କରିଛନ୍ତି। ଆଉ ସେଗୁଡିକୁ ଜନତାଙ୍କ ନିକଟରେ ପହଞ୍ଚାଇବାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। କିନ୍ତୁ ଏବି ବିଭାଗର କାର୍ଯ୍ୟକଳାପ ଏବେ ସନ୍ଦେହ ଘେରକୁ ଆସିଛି।
ଗତ କିଛି ଦିନ ହେବ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ @IPR_Odisha ର କମେଣ୍ଟ ସେକ୍ସନ ହାଇଡ/ମ୍ୟୁଟ୍ ଅଛି। ଫଳରେ ୟୁଜରମାନେ ବିଭାଗର ପୋଷ୍ଟ, ଘୋଷଣା ବା ସୂଚନା ଉପରେ କୌଣସି ମତାମତ ଦେଇପାରୁନାହାନ୍ତି। ଯେଉଁମାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଫଲୋ କରୁଥିବ ବା ମେନସନ/ଟ୍ୟାଗ କରିଥିବ କେବଳ ସେହିମାନେ ହିଁ ମତାମତ ଦେଇ ପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ସରକାରୀ ସଂସ୍ଥା ବା ବିଭାଗ ଗୁଡିକ କୌଣସି ସାଧାରଣ ଲୋକଙ୍କୁ ବା ଜନତାଙ୍କୁ ଫଲୋ କରନ୍ତି ନାହିଁ କିମ୍ବା ତାଙ୍କ ଟ୍ୱିଟରେ ମେନସନ କରନ୍ତି ନାହିଁ। ଏଭଳି କ୍ଷେତ୍ରରେ ଜଣେ ସାମାନ୍ୟ ନାଗରିକ କିଭଳି ଭାବେ ସରକାରଙ୍କୁ ନିଜର ମତାମତ ଜଣାଇବ ତାହା ଏକ ବଡ ପ୍ରଶ୍ନବାଚୀ ହୋଇଛି। ଅନେକ ସମୟରେ କଟାକ୍ଷ କିମ୍ୱା ସମାଲୋଚନାର ଶିକାର ହେବା ଆଶଙ୍କାରେ ୟୁଜରମାନେ ସେମାନଙ୍କ କମେଣ୍ଟ ସେକ୍ସନଙ୍କୁ ହାଇଡ୍ କରି ରଖନ୍ତି। କିନ୍ତୁ ଗୋଟିଏ ସରକାରୀ ସଂସ୍ଥାକୁ କାହାର ଭୟ ରହିଛି ନା ଏହା ଲୋକଙ୍କ ଠାରୁ ଦୂରେଇ ଯାଇ କେବଳ ଏକ ପାଖିଆ ଯୋଗାଯୋଗର ମାଧ୍ୟମ ବୋଲି ଟ୍ୱିଟର ୟୁଜର କହିଛନ୍ତି।
ସୂଚନାଯୋଗ୍ୟ, ରଘୁରାମ ଦାସ, ସୂଚନା ଓ ଲୋକସମ୍ପର୍କ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ବରିଷ୍ଠ ଆଇଏସ ତଥା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏହାର ପ୍ରଶାସନୀକ ଅଧିକାରୀ ଅଛନ୍ତି। କୋରୋନା କାଳରେ @IPR_Odisha ର ଦାୟିତ୍ୱ ବହୁମାତ୍ରାରେ ବୃଦ୍ଧି ପାଇଛି। ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦିଆଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ଏହି ବିଭାଗ ହିଁ ସୂଚନା ଅଧିକାର ବଳରେ ମଗାଯାଇଥିବା ତଥ୍ୟ ଦେଇଥାଏ। @IPR_Odisha ସରବାଧିକ ବ୍ଲୁ ଟିକ୍ ଆକାଉଣ୍ଟ ସହ ମାତ୍ର ୯୩ ଜଣଙ୍କୁ ଫଲୋ କରୁଥିବା ବେଳେ ତାକୁ ଚାରି ଲକ୍ଷ ୯୩ ହଜାର ଲୋକ ଫଲୋ କରୁଛନ୍ତି।