ନଭେମ୍ବର ୧ରେ ପ୍ରକାଶ ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ନଭେମ୍ବର ୨୯ରେ ଓଜେଇଇ ରାଜ୍ୟର ପିଲାଙ୍କ କାଉନ୍ସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରି ଏହାକୁ ସ୍ଥଗିତ ରଖିଥିଲା।
Trending Photos
ଭୁବନେଶ୍ବର: ରେଜଲ୍ଟ ପ୍ରକାଶ ପାଇବାର ଦୁଇ ମାସ ପରେ ମେଡିକାଲ ନାମଲେଖା ଆରମ୍ଭ ହେଉଛି। ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ତପ୍ତରତା ଦେଖିବାକୁ ମିଳିଛି। ନ୍ୟାସନାଲ ଏଜିଲିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET)- ସ୍ନାତକ(UG) ରେଜଲ୍ଟ ପ୍ରକାଶ ପାଇବାର ଦୁଇ ମାସ ବିତିଗଲା ପରେ ବୁଧବାର ଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।
ନଭେମ୍ବର ୧ରେ ପ୍ରକାଶ ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ନଭେମ୍ବର ୨୯ରେ ଓଜେଇଇ ରାଜ୍ୟର ପିଲାଙ୍କ କାଉନ୍ସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରି ଏହାକୁ ସ୍ଥଗିତ ରଖିଥିଲା। ପରବର୍ତ୍ତୀ ବିଜ୍ଞପ୍ତି କେବେ ପ୍ରକାଶ ପାଇବ ସେ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇନଥିଲା। ନିଟ୍ ପରୀକ୍ଷାକୁ ନେଇ ଅଦାଲତରେ ଦୁଇଟି ମାମଲାର ଶୁଣାଣି ବାକି ଥିବାରୁ କାଉନ୍ସିଲ ପ୍ରକ୍ରିୟା ବା ନାମଲେଖା ପାଇଁ ପଞ୍ଜିକରଣ ଆରମ୍ଭ ହୋଇପାରୁନଥିଲା। ଆଉ ସୁପ୍ରିମକୋର୍ଟଙ୍କ ନର୍ଦ୍ଦେଶ ପରେ ଏଥିରେ ଗତି ମିଳିଛି।
NEET ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ବୁଧବାରଠାରୁ ନାମଲେଖା ପାଇଁ ଆବେଦନ କରିପାରିବେ। ଜାନୁଆରୀ ୧୨ ତାରିଖ ପୂର୍ବାହ୍ନ ୧୨ଟାରୁ ୧୮ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଅନ୍ଲାଇନ୍ ଆବେଦନ, ଫି’ ଦାଖଲ, ଅନ୍ଲାଇନ୍ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିପାରିବେ। ୨୪ ତାରିଖ ସନ୍ଧ୍ୟା ୫ଟାରେ ପ୍ରୋଭିଜନାଲ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇବ। ତାଲିକାକୁ ନେଇ ପ୍ରାର୍ଥୀଙ୍କର ଯଦି କୌଣସି ଆପତ୍ତି ଥାଏ ତେବେ ସେମାନେ ୨୫ ଓ ୨୬ ତାରିଖରେ ଜଣାଇବେ।
Also Read: ହୀରାକୁଦରେ ନୂଆ ଅତିଥି; ବଢ଼ିଲା ବିଦେଶାଗତ ବିହଙ୍ଗଙ୍କ ପ୍ରଜାତି ଓ ସଂଖ୍ୟା
ସେହିପରି ଜାନୁଆରୀ ୨୭ ତାରିଖରେ ପଞ୍ଜିକୃତ ପ୍ରାର୍ଥୀଙ୍କୁ ନେଇ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ କରାଯିବ। ଆଲଟ୍ମେଣ୍ଟ ଅଫ୍ ସିଟ୍, ଚଏସ୍ ଫିଲିଂ ଆଦି ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ଅଧିକ ତଥ୍ୟ ଲାଗି ଛାତ୍ରଛାତ୍ରୀ www.ojee.nic.in, www.odishajee.com ନିୟମିତ ଦେଖିବାକୁ ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ କହିଛନ୍ତି।
ଗତ ବର୍ଷ ରାଜ୍ୟର ୭ଟି ସରକାରୀ ଓ ୨ଟି ଘରୋଇ ମେଡିକାଲ କଲେଜର ୧୩୫୦ ମେଡିକାଲ ସିଟରେ ନାମଲେଖା ହୋଇଥିଲା। ଚଳିତ ବର୍ଷ ଆଉ ଏକ ନୂଆ ମେଡିକାଲ କଲେଜର ୧୦୦ଟି ସିଟ ଯୋଡିହୋଇଛି। ତେଣୁ ଏହି ମେଜିକାଲ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ହୋଇପାରେ। ମେଡିକାଲ ନାମଲେଖା ପାଇଁ ଏଥର ୧୭୦୦୦ ଛାତ୍ରଛାତ୍ରୀ ନିଟ୍ କ୍ବାଲିଫାଏ କରିଛନ୍ତି।
ଏଥର ରାଜ୍ୟର ୧୧ଟି ( ୮ଟି ସରକାରୀ ଓ ୩ଟି ଘରୋଇ) ମେଡିକାଲ କଲେଜର ୧୫୧୩ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ରେ ନାମଲେଖା ହୋଇପାରେ। ମୋଟ ସିଟ୍ ମଧ୍ୟରୁ ରାଜ୍ୟ କୋଟାରେ ୧୩୩୦ ସିଟ୍ରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂ କରିବ। ବାକି ସିଟ୍ ଲାଗି ସର୍ବଭାରତୀୟସ୍ତରରେ କାଉନସେଲିଂ କରାଯିବ। ତେବେ ଅଲ୍ ଇଣ୍ଡିଆ କୋଟା (AIQ)ରୁ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ଫେରିବା ପରେ ସେଥିପାଇଁ ପରବର୍ତ୍ତୀ ସମୟରେ ରାଜ୍ୟସ୍ତରରେ କାଉନସେଲିଂ ହେବ।
Also Read: କୋରୋନାର ଲମ୍ବଡ଼ିଆଁ: ଏଣିକି ସରକାରୀ ତଥ୍ୟରେ କମିଯିବ ସଂକ୍ରମିତଙ୍କ ସଂଖ୍ୟା
ସୂଚନାଯୋଗ୍ୟ, ଗତବର୍ଷ SCB ଓ MKCG ମେଡିକାଲ କଲେଜର ୨୫୦ ଲେଖାଏ ଓ ବୁର୍ଲା, VSS ମେଡିକାଲ କଲେଜର ୨୦୦ ସିଟରେ ନାମଲେଖା ହୋଇଥିଲା। କୋରାପୁଟର ଲକ୍ଷ୍ମଣ ନାୟକ ଓ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ୧୨୫ ଲେଖାଏ, ବଲାଙ୍ଗୀର ଓ ବାଲେଶ୍ବର ମେଡିକାଲ କଲେଜର ୧୦୦ ଲେଖାଏ ଏମ୍ବିବିଏସ୍ ସିଟ୍ରେ ନାମଲେଖା ହୋଇଥିଲା। ସେହିପରି ରାଉରକେଲା ଓ ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜର ୧୦୦ଟି ଲେଖାଏ ଏମ୍ବିବିଏସ୍ ସିଟ୍ ରହିଥିଲା। ଏହାବ୍ୟତୀତ ଏସ୍ସିବିର ୬୩ ଓ ଭୁବନେଶ୍ବର ହାଇଟେକ୍ର ୧୦୦ ବିଡିଏସ୍ ସିଟ୍ରେ ନାମଲେଖା ହୋଇଥିଲା।