ଫେରିଗଲା ଜୱାଦ; ଆଜିଠୁ ବଦଳିବ ପାଗ, ଖସିବ ପାରା
Advertisement
Article Detail0/zeeodisha/odisha1041563

ଫେରିଗଲା ଜୱାଦ; ଆଜିଠୁ ବଦଳିବ ପାଗ, ଖସିବ ପାରା

ଗତ କିଛି ଦିନ ଧରି ଓଡିଶାବାସୀଙ୍କ ଡରାଇ ରଖିଥିବା ଜୱାଦର ଭୟ ଯାଇଛି। ସମୁଦ୍ର ମଧ୍ୟରେ ମୋଡ ବଦଳାଇବା ସହ ଧୀରେ ଧୀରେ ଦୁର୍ବଳ ହୋଇ ବାତ୍ୟା ଜୱାଦ ୱେଲମାର୍କ ଲୋ ପ୍ରେସରର ରୂପ ନେଉଛି। ପୁରୀ ଜିଲ୍ଲାରେ ଧକ୍କା ହେବା ବେଳେ ଗଭୀର ଅବପାତ ରୂପ ନେଇଥିବାରୁ ପୁରୀ ସମେତ ଉପକୂଳବର୍ତି ସମସ୍ତ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି।

ସୌ- @mcbbsr

ଭୁବନେଶ୍ୱର: ଓଡ଼ିଶା ଉପରୁ ବାତ୍ୟା ଜୱାଦ ଡର ଟଳିଛି। ବାତ୍ୟା ଦୁର୍ବଳ ହୋଇ ସମୁଦ୍ର ଭିତରେ ଗଭୀର ଅବପାତରୁ ଅବପାତରେ ପରିଣତ ହୋଇଛି। ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇଛି। ମଧ୍ୟାହ୍ନ ସୁଦ୍ଧା ଏହା ଦୁର୍ବଳ ହୋଇ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ। ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର ଆଦି ଉପକୂଳବର୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇବ।  

ଗତ କିଛି ଦିନ ଧରି ଓଡିଶାବାସୀଙ୍କ ଡରାଇ ରଖିଥିବା ଜୱାଦର ଭୟ ଯାଇଛି। ସମୁଦ୍ର ମଧ୍ୟରେ ମୋଡ ବଦଳାଇବା ସହ ଧୀରେ ଧୀରେ ଦୁର୍ବଳ ହୋଇ ବାତ୍ୟା ଜୱାଦ ୱେଲମାର୍କ ଲୋ ପ୍ରେସରର ରୂପ ନେଉଛି। ପୁରୀ ଜିଲ୍ଲାରେ ଧକ୍କା ହେବା ବେଳେ ଗଭୀର ଅବପାତ ରୂପ ନେଇଥିବାରୁ ପୁରୀ ସମେତ ଉପକୂଳବର୍ତି ସମସ୍ତ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ରବିବାର ବିଳମ୍ବିତ ରାତିରେ ଏହା ପଶ୍ଚିମବଙ୍ଗ ଆଡିକୁ ଉତ୍ତର ଉତ୍ତର ପୂର୍ବ ଆଡକୁ ଗତି କରିଛି। କିନ୍ତୁ ଏହାର ପ୍ରଭାବରୁ ରାଜ୍ୟର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେଣୁ ଗଂଜାମ, ନୟାଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଦିଆଯାଇଛି।

Also Read: ରାଜ୍ୟର ୫ ଜିଲ୍ଲାରେ ହଠାତ ବଢ଼ିଲା କୋରୋନା ସଂକ୍ରମଣ, ଏମିତି ସଫେଇ ଦେଲେ ସରକାର

ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲା ମେଘାଚ୍ଛନ୍ନ ରହିଛି। ମେଘ ହଟିବା ପରେ ରାଜ୍ୟରେ ପୁଣି ଶୀତର ପ୍ରକୋପ ଜାରି ରହିବ। ଅଦାନିଆ ବର୍ଷା ଯୋଗୁଁ ଶହ ଶହ ହେକ୍ଟର ଫସଲ ନଷ୍ଟ ହୋଇଛି। ସାତଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ସରକାର କହିଛନ୍ତି। ଜୱାଦ ଯୋଗୁଁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଛି। ସେହିପରି ନୟାଗଡ଼ରେ ୧୦୭.୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ହୋଇଛି। ଦକ୍ଷିଣ ଅଞ୍ଚଳରୁ ଅର୍ଥାତ୍ ଗଞ୍ଜାମ ଆଡୁ ବର୍ଷା ଧୀରେ ଧୀରେ କମିବାକୁ ଲାଗିବ ଏବଂ ଉତ୍ତର ଅଞ୍ଚଳରେ ଥିବା ଜିଲ୍ଲା ଗୁଡ଼ିକ ଅର୍ଥାତ ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି।

ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୨୪ ଘଣ୍ଟା ପରେ ଆକାଶ ମେଘ ମୁକ୍ତ ହେବ। ମଙ୍ଗଳବାର ଠାରୁ ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିବ। ସୋମବାରଠୁ ଶୀତର ପରିମାଣ ବଢିବ। ରାତିର ତାପମାତ୍ରା ସ୍ୱାଭିବିକ ହେବ। ଦିନ ଅପେକ୍ଷା ରାତିର ପାରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ସେପଟେ ଚଳିତ ମାସରେ ହୋଇଥିବା ବାତ୍ୟା ଜନିତ ବର୍ଷା ଏବେ ରାଜ୍ୟରେ ଚାଷୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ହେଲେ ଆଗକୁ ଏ ନେଇ ବର୍ଷା ପ୍ରଭାବିତ ସମସ୍ତ ଜିଲ୍ଲାପାଳ କ୍ଷୟକ୍ଷତିର ରିପୋର୍ଟ ଦେଲା ପରେ କାର୍ଯାନୁଷ୍ଠାନ ନିଆଯିବ।