ଅଲୋଡା ବର୍ଜ୍ୟବସ୍ତୁ ସଂଗ୍ରହାଳୟ
Advertisement
Article Detail0/zeeodisha/odisha615052

ଅଲୋଡା ବର୍ଜ୍ୟବସ୍ତୁ ସଂଗ୍ରହାଳୟ

ଅଲୋଡା ବର୍ଜ୍ୟବସ୍ତୁ ସଂଗ୍ରହାଳୟ । ରାଜ୍ୟରେ ନିର୍ମାଣ ହୋଇଥିବା ଦେଶର ପ୍ରଥମ ମୁକ୍ତାକାଶ ବର୍ଜ୍ୟବସ୍ତୁ ସଂଗ୍ରହାଳୟ ଏବେ ହତାଦର ହୋଇପଡିଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ସୁଚିତ୍ରା ସେଣ୍ଡ, ଭୁବନେଶ୍ୱର: ଅଲୋଡା ବର୍ଜ୍ୟବସ୍ତୁ ସଂଗ୍ରହାଳୟ । ରାଜ୍ୟରେ ନିର୍ମାଣ ହୋଇଥିବା ଦେଶର ପ୍ରଥମ ମୁକ୍ତାକାଶ ବର୍ଜ୍ୟବସ୍ତୁ ସଂଗ୍ରହାଳୟ ଏବେ ହତାଦର ହୋଇପଡିଛି । ‘ବିଡିଏ’ ଓ  ଏକ ଘରୋଇ ସଂସ୍ଥା ‘ଆନପିକ୍’ ର ମିଳିତ ଉଦ୍ୟମରେ ୧୫ଟି ଦେଶର ଦକ୍ଷ ଶିଳ୍ପୀଙ୍କୁ ନେଇ ବିଭିନ୍ନ ବର୍ଜ୍ୟ ଅନାବଶ୍ୟକ ପଦାର୍ଥ ଦ୍ୱାରା ପ୍ରସ୍ତୁତ ହୋଇଥିଲା ସୁନ୍ଦର ସୁନ୍ଦର କଳାକୃତି । ପରେ ଏହାକୁ ମୁକ୍ତାକାଶ ସଂଗ୍ରହାଳୟର ଆଖ୍ୟା ଦିଆଯାଇ ଭୁବନେଶ୍ୱର କଳିଙ୍ଗ ନଗର K 7 ଅଞ୍ଚଳରେ ଉଦଘାଟନ କରାଯାଇ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଥିଲା । କିନ୍ତୁ ସଂଗ୍ରହାଳୟକୁ ବର୍ଷେ ପୁରୁଣୁ ଏହା ନିଜେ ବର୍ଜ୍ୟ ପାଲଟିଯାଇଛି ।

ସ୍ୱପ୍ନ ଦେଖାଇ ଦିଆଗଲା ରାଜ୍ୟରେ ନିର୍ମାଣ ହେବ ପ୍ରଥମ ମୁକ୍ତାକାଶ ବର୍ଜ୍ୟବସ୍ତୁ ସଂଗ୍ରହାଳୟ । ବର୍ଜ୍ୟ ବସ୍ତୁରୁ ପ୍ରସ୍ତୁତ ସଂଗ୍ରହାଳୟ କଳାକୃତି ନିର୍ମାଣ କରି ଉଦାହରଣ ସୃଷ୍ଟି କରାଯିବ । ମାତ୍ର, ଏକ ବର୍ଷ ପରେ ଉଜୁଡ଼ି ଯାଇଛି ଏସବୁ ସଂକଳ୍ପ  ଆଉ ସ୍ୱପ୍ନ । ମାଟିରେ ମିଶିଯାଇଛି ଦେଶ ବିଦେଶରୁ ଯୋଗ ଦେଇଥିବା ପ୍ରତିଷ୍ଠିତ ଦକ୍ଷ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି । ବିଡିଏ ଓ ଆନପିକର ମିଳିତ ଉଦ୍ୟମରେ ଅଲୋଡ଼ା, ଅବ୍ୟବହୃତ, ବର୍ଜ୍ୟବସ୍ତୁକୁ ଜୀବନ୍ୟାସ ଦେଇ ତିଆରି ହୋଇଥିବା ପଶୁପକ୍ଷୀ ଓ ଜୀବଜନ୍ତୁ ଭରା ସ୍ଥାପତ୍ୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି  । ଗୋଟିଏ ପରେ ଗୋଟିଏ କଳାକୃତି ଭାଙ୍ଗିବାକୁ ବସିଲାଣି । କିଛି ମାଟିରେ ମିଶିଗଲାଣି ତ ଆଉ କିଛି କଳାକୃତି ଉପରେ ଗଛ ଲତା ଚଢ଼ିଗଲାଣି । ଚଳିତ ବର୍ଷ ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଏହାର ଅଧିକାଂଶ ଅଂଶ ବିପର୍ଯ୍ୟସ୍ତ ହେବା ପରେ ଏହାର ପରିଚାଳନା ଓ ପୁନରୁଦ୍ଧାର କରିବା ପ୍ରଶାସନ ମନରୁ ଲିଭି ଯାଇଥିଲା । ବାରମ୍ବାର ସ୍ଥାନୀୟ ବାସିନ୍ଦା ଏହାର ଉନ୍ନତିକରଣ କରିବାକୁ ଦାବି କରିଆସୁଥିଲେ ସୁଦ୍ଧା ସେମାନଙ୍କୁ କୌଣସି ସୁଫଳ ମିଳୁନି ।

ଭାରତ ସମେତ ୧୫ଟି ଦେଶର ମୋଟ ୪୧ ଜଣ ଦକ୍ଷ ଓ ସହଯୋଗୀ ଶିଳ୍ପୀଙ୍କ ହାତ ତିଆରିରେ ବର୍ଜ୍ୟ ବସ୍ତୁକୁ ପୁନଃକରଣ କରି ପ୍ରସ୍ତୁତ ହୋଇଥିଲା ସମସ୍ତ କଳାକୃତି । ଚେନ୍ ବକେଟ୍, ସାଇକଲ୍ ରିମ୍ କୁ ନେଇ ମୟୂର, ପୁରୁଣା ଭଙ୍ଗା ଅଟୋ ଓ ଟ୍ରକର ଅଂଶବିଶେଷକୁ ନେଇ କଇଁଛ, ଲୁହା ରଡରେ ହାତୀ, ବାଘ, ବୁଢିଆଣୀ, ବିଚିତ୍ର ପକ୍ଷୀ, ଗଛ, ଧାନକେଣ୍ଡା, ଅଶୋକ ସ୍ତମ୍ଭ, ଭ୍ୟାନିଟି ବ୍ୟାଗ୍ ଆଦି ସ୍ଥାୟୀ ମୁକ୍ତାକାଶ ସ୍ଥାପତ୍ୟ ମାନ ନିର୍ମାଣ କରାଯାଇଥିଲା । ସେପଟେ ଏହାକୁ ନେଇ ନିଜ ଦେହରୁ ଦୋଷ ଖସାଇଛନ୍ତି କର୍ତ୍ତୃପକ୍ଷ । ସଂଗ୍ରହାଳୟ ଉପରେ ଯାଇଥିବା ଏଚ.ଟି ଲାଇନ ସର୍ବସାଧାରଣ ପାଇଁ ଅସୁରକ୍ଷିତ ବୋଲି ସର୍ବେକ୍ଷଣରୁ ଜଣାପଡ଼ିବା ପରେ ଏହାକୁ ଅନ୍ୟାନ୍ୟ କାମରେ ନିୟୋଜିତ କରିବା ସହ ଏନଜିଟି ଗାଇଡଲାଇନ ମଡେଲ ଅନୁଯାୟୀ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

ଏଠାରେ ସଂଗ୍ରହାଳୟ ସ୍ଥାପନ ହେବା ପୂର୍ବରୁ ହିଁ ଏଚ.ଟି ଲାଇନ ଥିଲା । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ସେତେବେଳେ କାହିଁକି ସଂଗ୍ରହାଳୟ କରିବାକୁ ଅନୁମତି ଦିଆ ଯାଇଥିଲା ? କାହା ଇଙ୍ଗିତରେ ଏଠାରେ ସଂଗ୍ରହାଳୟ କରାଯାଇଥିଲା ? ଲୋକଙ୍କ ସ୍ୱାର୍ଥ ଆଳରେ କୋଟି କୋଟି ଟଙ୍କାର ରାଜସ୍ୱହାନୀ କାହା ଇସାରେ ହୋଇଥିଲା ? ଦୂରଦୃଷ୍ଟିର ଅଭାବରୁ କାହିଁକି ଟଳି ପଡ଼ିଲା ସମସ୍ତ ସ୍ୱପ୍ନ ?

ଆହୁରି ପଢନ୍ତୁ; ଅନାବନା ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ