ନିଜ ଜୀବନକୁ ବାଜି ଲଗାଇ ମାଲକାନଗିରି ଜିଲ୍ଲାର ଢାକଡ଼ପଦର ବିଦ୍ୟାଳୟର ପିଲାଙ୍କୁ ପାଠ ପଢ଼ାଇବାକୁ ଯାଆନ୍ତି ଦୁଇ ଶିକ୍ଷକ
Trending Photos
ତପସ୍ୱିନୀ ମହାଳିକ, ମାଲକାନଗିରି: ମଣିଷ ନିଜ କାର୍ଯ୍ୟ ସହିତ ଏତେ ଜଡ଼ିତ ହୋଇ ରହିଥାନ୍ତି ଯେ, ଯେତେ ବଡ଼ ବିପଦର ସାମ୍ନା କରିବାକୁ ପଡିଲେ ବି ସେମାନେ ତାକୁ ସାମ୍ନା କରିଥିନ୍ତି । ଏମିତି କିଛି ଶିକ୍ଷକଙ୍କର ନିତିଦିନିଆ କାହାଣୀ ହେଉଛି ମାଲକାନାଗିରି ଭଳି ବିଛିନ୍ନାଞ୍ଚଳର । ମାଲକାନଗିରିରେ ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ସ୍ୱଚ୍ଛ ପାନୀୟ ଜଳର ଅଭାବ, ବିଜୁଳିର ଅଭାବ ପରିଲକ୍ଷିତ ହେଉଥିବା ସ୍ଥଳେ ସେମାନେ ସେହି ଅଞ୍ଚଳକୁ ଯାଇ ଶିକ୍ଷାଦାନ କରିଥାନ୍ତି ଏହି ଶିକ୍ଷକମାନେ । ଯେଉଁଠି କି ଚାଲି ଚାଲି ଯିବା ବି ବହୁ କଷ୍ଟକର, ଆଉ ସେଠାକୁ ମଟର ଗାଡ଼ି କେମିତି ବା ଯିବ! କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ମାଲକାନଗିରି ଜିଲ୍ଲାର ଢାକଡ଼ପଦର ବିଦ୍ୟାଳୟର ପିଲାଙ୍କୁ ପାଠ ପଢ଼ାଇବାକୁ ଯାଇଥାନ୍ତି ସନ୍ନ୍ୟାସୀ ପାତ୍ର ଏବଂ କୋଡେ ମଙ୍ଗୁଲୁ ସାର୍ । ସେମାନଙ୍କ କର୍ତ୍ତବ୍ୟ ଆଗରେ ହାର ମାନିଛି ନଦୀ ,ନାଳ, ପାହାଡ଼ ଓ ପର୍ବତ । ଆଉ ଶିକ୍ଷକତା ପାଇଁ ବାଜି ଲଗାଉଛନ୍ତି ନିଜ ଜୀବନ ।
ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳ ଅଣ୍ଡ୍ରାପାଲି ପଞ୍ଚାୟତରେ ରହିଛି ଢାକଡ଼ପଦର ବିଦ୍ୟାଳୟ । ଢାକଡ଼ପଦର ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ସନ୍ନ୍ୟାସୀ ପାତ୍ର ସାର୍ ଏବଂ କୋଡେ ମଙ୍ଗୁଲୁ ସାର୍ । ଶିକ୍ଷାର ମାନ ବୃଦ୍ଧି ପାଇଁ କେତେ କଣ କରାଯାଉଛି, କିନ୍ତୁ ଏମାନଙ୍କ ପାଇଁ ସବୁଦିନ ଏଠି ଯୋଜନା ଯୋଜନ ଦୂରରେ ରହିଥାଏ । ବଣ, ଜଙ୍ଗଲ, ପାହାଡ଼ ଓ ନଦୀ ପାରି ହୋଇ ସେହି ଦୁର୍ଗମ ଅଞ୍ଚଳକୁ ଯାଇ ପାଠ ପଢ଼ାଉଛନ୍ତି ଏହି ଦୁଇ ଶିକ୍ଷକ । ଶିକ୍ଷକତା କରୁଥିବା ଏହି ଦୁଇ ଶିକ୍ଷକ ନିଜ ଜୀବନକୁ ଏକପ୍ରକାର ବାଜି ଲଗାଉଛନ୍ତି । ଆଉ ମାଲକାନଗିରି ଭଳି ବିଛିନ୍ନାଞ୍ଚଳ ପାଇଁ ଏହା ଏବେ ନିତିଦିନିଆ ଘଟଣା ପାଲଟି ଯାଇଛି ।
ଢାକଡ଼ପଦର ଯିବାକୁ ହେଲେ ପ୍ରଥମେ ଲଞ୍ଚ ଯୋଗେ ଦୀର୍ଘ ୬୧ କିଲୋମିଟର ଯାଇ ଯନ୍ତ୍ରୀ ନିକଟରେ ପହଞ୍ଚିବାକୁ ହୋଇଥାଏ । ପୁଣି ସେଠାରୁ ଏସବୁ ଦୁର୍ଗମ ଅଞ୍ଚଳରେ ଚାଲି ଚାଲି ଓ ପାଣିରେ ପହଁରି ପହଁରି ଯିବାକୁ ପଡ଼ିଥାଏ । ଏହି ଶିକ୍ଷକଙ୍କ ପାଖରେ ନା ଅଛି ଲାଇଫ୍ ଜ୍ୟାକେଟ, ନା ଅଛି ଡଙ୍ଗାର ସୁବିଧା, ଭରା ନଈକୁ ପାର କରିବା ପାଇଁ ଅଣ୍ଟାରେ ଲାଉତୁମ୍ବା ବାନ୍ଧି ଏମାନେ ନଇ ପାର ହୋଇଥାନ୍ତି । ଯଦି ଟିକେବି ଏପଟ ସେପଟ ହୁଏ ତ ଜୀବନ ଅକାଳରେ ଚାଲିଯିବାର ଭୟ ରହିଛି । ଖାଲି ଏତିକି ନୁହେଁ ବେଳେ ବେଳେ ଜଙ୍ଗଲୀ ଜୀବ ଜନ୍ତୁଙ୍କର ଶିକାର ମଧ୍ୟ ହେବାକୁ ପଡ଼ିଥାଏ ଏହି ଶିକ୍ଷକ ମାନଙ୍କୁ । ପେଶା ଯେବେ ନିଶା ପାଲଟେ ସେଠି ଆଉ କିଛି ଦେଖା ଯାଏନି । ପିଲାଙ୍କ ଭବିଷ୍ୟତ ଗଢ଼ିବା ନିଶାରେ ଏବେ ଏହି ଶିକ୍ଷକମାନଙ୍କ ଆଗରେ ଭୟ ବି ହାର୍ ମାନିଛି । ଆଉ ଏଭଳି ଶିକ୍ଷକତାର ନିଶାକୁ ବାଟି ପିଇଯାଇଥିବା ଏହି ଦୁଇ ଶିକ୍ଷକଙ୍କୁ ଅପଣମାନେ ବି କହିବାକୁ ବାଧ୍ୟ ହେବା, 'ସାବାସ୍ ଶିକ୍ଷକ' ।