ବିଜେଡ଼ିର ଉତ୍ତରାଧିକାରୀ ଚୟନକୁ ନେଇ ପ୍ରଶ୍ନ
Advertisement

ବିଜେଡ଼ିର ଉତ୍ତରାଧିକାରୀ ଚୟନକୁ ନେଇ ପ୍ରଶ୍ନ

ଚର୍ଚ୍ଚାର ସୁଯୋଗ ସୃଷ୍ଟି କଲା ପ୍ରତିଷ୍ଠା ଦିବସ

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ରାଜ୍ୟର ବୃହତ୍ତମ ଦଳ ଭାବେ ଉଭା ହୋଇଥିବା ବିଜୁ ଜନତା ଦଳକୁ ୨୨ ପୂରି ୨୩ ବର୍ଷରେ ପାଦ ଥାପିଛି । ପ୍ରତିଷ୍ଠା ଦିବସ ପାଳନ ଅବସରରେ କିନ୍ତୁ ଛିଡା କରାଇଛି ଅନେକ ପ୍ରଶ୍ନ । ସେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କୋଇଲା ରୟାଲିଟି ପ୍ରସଙ୍ଗ ହେଉ କି ବିଜୁ ଜନତା ଦଳର ଉତ୍ତରାଧିକାରୀ ପ୍ରସଙ୍ଗ, ଏ ସବୁ ଏବେ ବିରୋଧିଙ୍କୁ ଚର୍ଚ୍ଚା ପାଇଁ ଯୋଗାଇଛି ଖୋରାକ । ଗତକାଲି ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୨୨ବର୍ଷ ଭିତରେ ଦଳ କେଉଁଠି ପହଁଞ୍ଚିଲାଣି ସେକଥା ଦର୍ଶାଇବାକୁ ଚାହିଁଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳରେ ଆଉ କାହାର ଆବଶ୍ୟକତା ନାହିଁ, ଏମିତିକି ମୋର ବି ନୁହେଁ ବୋଲି କହିଥିଲେ ନବୀନ ।

ଆଗାମୀ ଦିନରେ ଦଳର ଉତରାଧିକାରୀ ସାଢେ ଚାରି କୋଟି ଓଡ଼ିଆ ବାଛିବେ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ । ବ୍ୟକ୍ତି ନୁହେଁ, ଦଳ ଗୁରୁତ୍ୱପୂର୍ଣ୍ଣ । କାହା ପାଇଁ ଦଳ ଅଟକି ଯିବ ନାହିଁ, ସୁପ୍ରିମୋଙ୍କ ଏହି ବାର୍ତ୍ତା ପରେ ଦଳ ଭିତରେ ଓ ଦଳ ବାହାରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତାହାର କାରଣ ବୁଝାଇବାକୁ ଯାଇ ନବୀନ କହିଛନ୍ତି ବିଜୁ ଜନତା ଦଳ ଏବେ ଆଉ କେବଳ ଗୋଟିଏ ରାଜନୈତିକ ଦଳ ହୋଇ ରହିନାହିଁ । ଏବେ ବିଜେଡି ଏକ ଚିନ୍ତାଧାରା ଓ ଆନ୍ଦୋଳନରେ ପରିଣତ ହୋଇଛି । ନବୀନ ଗଲେ, ବିଜେଡ଼ି ଚାଲିପାରିବ ନାହିଁ ବୋଲି କହୁଥିବା ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ନବୀନ ଏପରି କହିଛନ୍ତି ବୋଲି ସମୀକ୍ଷକ ମତ ଦେଇଥିବା ବେଳେ ବିଜେଡ଼ି କହିଛି, ୨୨ବର୍ଷରେ ଦଳରେ ଅନେକ ପରିବର୍ତ୍ତନ ହୋଇଛି । ଏ ସବୁ ଭିତରେ ପୁଣି ଥରେ ବିଜେଡି ବା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।